ଟ୍ରମ୍ପଙ୍କ ଭାରତ ପାଣ୍ଠି ଦାବିକୁ ୱାଶିଂଟନ ପୋଷ୍ଟର ଖଣ୍ଡନ: ୟୁଏସଏଆଇଡ଼ିର ବାଂଲାଦେଶ ପାଇଁ ୨୧ ନିୟୁତ ଡଲାର ଚୁକ୍ତି ରହିଛି

ନୂଆଦିଲ୍ଲୀ: ମତଦାନ ବୃଦ୍ଧି ପାଇଁ ଭାରତକୁ ୨୧ ନିୟୁତ ଡଲାର ଦିଆଯାଇଥିଲା ବୋଲି ଡୋନାଲ୍ଡ ଟ୍ରମ୍ପଙ୍କ ଅଭିଯୋଗକୁ ଖଣ୍ଡନ କରି ୱାଶିଂଟନ୍ ପୋଷ୍ଟ ରିପୋର୍ଟ କରିଛି ଯେ ଆମେରିକୀୟ ରାଷ୍ଟ୍ରପତିଙ୍କ କହିବା ଅନୁଯାୟୀ ସେପରିି କାର୍ଯ୍ୟକ୍ରମର କୌଣସି ରେକର୍ଡ ନାହିଁ । ଯାହା କଂଗ୍ରେସକୁ ବିଜେପିକୁ ଟାର୍ଗେଟ କରିବା ପାଇଁ ନୂଆ ଉସôାହ ଦେଇଛି । ଆମେରିକୀୟ ଏହି ଦୈନିକ ‘କିପରି ଏକ ମିଥ୍ୟା ଡୋଜ ଭାରତରେ ରାଜନୈତିକ ଝଡ଼ ସୃଷ୍ଟି କଲା' ଶୀର୍ଷକ ରିପୋର୍ଟରେ କହିଛି ଯେ ବାଂଲାଦେଶ ପାଇଁ ୟୁଏସ୍ଏଆଇଡିର ୨୧ ନିୟୁତ ଡଲାରର ଚୁକ୍ତି ରହିଛି । ୱାଶିଂଟନ ପୋଷ୍ଟ ରିପୋର୍ଟରେ ଇଣ୍ଡିଆନ ଏକ୍ସପ୍ରେସର ଅନୁରୂପ ଏକ ଲେଖାକୁ ସମର୍ଥନ କରାଯାଇଛି, ଯେଉଁଥିରେ ଦାବି କରାଯାଇଛି ଯେ ୨୦୦୮ ପରଠାରୁ ଭାରତକୁ କୌଣସି ନିର୍ବାଚନ ସମ୍ବନ୍ଧୀୟ ପ୍ରକଳ୍ପ ପାଇଁ ୟୁଏସଏଆଇଡିଠାରୁ ପାଣ୍ଠି ମିଳିନାହିଁ । ଏକ୍ସପ୍ରେସ୍ ଆର୍ଟିକିଲ ବିଜେପି ଓ କଂଗ୍ରେସ ମଧ୍ୟରେ ରାଜନୈତିକ କଳହର କେନ୍ଦ୍ରବିନ୍ଦୁ ପାଲଟିଛି ।
ୱାସିଂଟନ୍ ପୋଷ୍ଟ୍ ରିପୋର୍ଟ ଉପରେ ପ୍ରତିକ୍ରିୟା ରଖି କଂଗ୍ରେସ ମୁଖପାତ୍ର ପୱନ ଖେରା କହିଛନ୍ତି ଯେ ଏହି ପର୍ଦ୍ଦାଫାସ ପରେ ବିଜେପି ଏବଂ ଏହାର ଦୃଷ୍ଟିହୀନ ସମର୍ଥକମାନଙ୍କୁ ସେମାନଙ୍କ କଥା ଢୋକିବାକୁ ପଡ଼ିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରାସ୍ତ କରିବା ପାଇଁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ବିଦେଶୀ ସହାୟତା ଲୋଡ଼ିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ଭାରତରେ ମତଦାନ ହାର ବଢ଼ାଇବା ପାଇଁ ଆମେରିକାର ତଥାକଥିତ ପାଣ୍ଠି ସମ୍ପର୍କିତ ଏହି ସଦ୍ୟତମ ପର୍ଦ୍ଦାଫାସରେ ୱାଶିଂଟନ୍ ପୋଷ୍ଟ ଜାଣିବାକୁ ପାଇଛି ଯେ ଏଭଳି କୌଣସି କାର୍ଯ୍ୟକ୍ରମ ନଥିଲା ଏବଂ ଏଭଳି କୌଣସି ପାଣ୍ଠି ଆସିନଥିଲା । ବିଜେପି ଓ ଏହାର ଦୃଷ୍ଟିହୀନ ସମର୍ଥକଙ୍କ ପାଇଁ ମିଛ ସେମାନଙ୍କ ଦୈନନ୍ଦିନ ଡାଏଟ୍ ପ୍ଲାନର ଏକ ଅଂଶ । ଭୁଲର ଏହି କମେଡି ପରେ ଆଉ କିଏ ମିଛ ଖାଇବ?’ ଖେରା ଟ୍ୱିଟ୍ କରିଛନ୍ତି ।