ପାକିସ୍ତାନରେ ବାଜିଲା ଭାରତୀୟ ଜାତୀୟ ସଙ୍ଗୀତ


 ନୂଆଦିଲ୍ଲୀ : ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଦୁବାଇରେ ଖେଳାଯିବ । ଏହି ହାଇ ଭୋଲଟେଜ୍ ମୁକାବିଲାକୁ ଆହୁରି ଗୋଟିଏ ଦିନ ବାକି ରହିଛି । କିନ୍ତୁ ଏହା ପୂର୍ବରୁ ପାକିସ୍ତାନରେ ବାଜିଲା "ଜନ ଗଣ ମନ' । ଆଇସିସି ଚାମ୍ପିଅନ୍ସ ୨୦୨୫ର ଚତୁର୍ଥ ମ୍ୟାଚ୍ ଶନିବାର ଖେଳାଯାଉଥିଲା । ପାକିସ୍ତାନର ଗଦ୍ଦାଫି ଷ୍ଟାଡିୟମରେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ହେଉଥିଲା । ଇଂଲଣ୍ଡ ଟିମ୍ ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇଥିଲା । କିନ୍ତୁ ଏହି ମୁକାବିଲାରେ ଏପରି ଏକ ଘଟଣା ଦେଖିବାକୁ ମିଳିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ମ୍ୟାଚ୍ ଆରମ୍ଭ ପୂର୍ବରୁ ନିୟମ ଅନୁସାରେ ମୈଦାନରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଉଭୟ ଦେଶର ଜାତୀୟ ସଙ୍ଗୀତ ବାଜିଥାନ୍ତା । କିନ୍ତୁ ଏହି ସମୟରେ ଅଷ୍ଟ୍ରେଲିଆର ଜାତୀୟ ସଙ୍ଗୀତ ପରିବର୍ତ୍ତେ ଭାରତର ଜାତୀୟ ସଙ୍ଗୀତ ବାଜିବା ଆରମ୍ଭ ହୋଇଥିଲା । ଭୁଲ ଜାଣିବା ପରେ ଅଧିକାରୀମାନେ ତୁରନ୍ତ ଭାରତର ଜାତୀୟ ସଙ୍ଗୀତ ବାଜାଇବା ବନ୍ଦ କରିଥିଲେ । ପରେ ଅଷ୍ଟ୍ରେଲିଆର ରାଷ୍ଟ୍ରୀୟ ସଙ୍ଗୀତ ବଜାଇଥିଲେ । ଏହି ସମୟର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହା ଆୟୋଜକ ଦେଶ ପାକିସ୍ତାନ ପକ୍ଷରୁ ଏହା ଏକ ବଡ଼ ତ୍ରୁଟି ବୋଲି ଧରାଯାଉଛି ।