ବିଲେଇ ପାଇଁ ଚାଲିଗଲା ୫ ଜୀବନ

ମୁମ୍ବାଇ : ବିଲେଇକୁ ରକ୍ଷା କରିବା ହେଲା କାଳ । ·ଲିଗଲା ଗୋଟିଏ ପରିବାରର ୫ ଜଣଙ୍କ ଜୀବନ । ଏଭଳି ଛାତିଥରା ଘଟଣା ଘଟିଛି ମହାରାଷ୍ଟ୍ରର ଅହମଦ ନଗର ଜିଲ୍ଲାରେ । ଜିଲ୍ଲାର ନେଭାସା ତହସିଲରେ ଥିବା ବାୟୋଗ୍ୟାସ୍ କୂଅରେ ଏକ ବିଲେଇ ପଡି ଯାଇଥିଲା । ସେହି ବିଲେଇକୁ ବଞ୍ଚାଇବା ପାଇଁ ପ୍ରଥମେ ଜଣେ ବ୍ୟକ୍ତି ଉକ୍ତ ବାୟୋଗ୍ୟାସ କୂଅ ଭିତରକୁ ଓହ୍ଲାଇଥିଲେ । ହେଲେ କିଛି ସମୟରେ ଉକ୍ତ ବ୍ୟକ୍ତି ଯେତେବେଳେ ଫେରିନଥିଲେ ସେତେବେଳେ ତାଙ୍କୁ ବଞ୍ଚାଇବାକୁ ଆଉ ଜଣେ ସେହି ବାୟୋଗ୍ୟାସ୍ କୂଅ ଭିତରକୁ ଯାଇଥିଲେ । ଏହାପରେ ଜଣଙ୍କ ପରେ ଜଣେ କରି ଗୋଟିଏ ପରିବାରର ୬ ଜଣ ବ୍ୟକ୍ତି ସେହି ବାୟୋଗ୍ୟାସ୍ ଗର୍ତ୍ତରେ ଫସି ଯାଇଥିଲେ । ପରେ ବହୁ କଷ୍ଟରେ ୬ ଜଣଙ୍କ ମଧ୍ୟରୁ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୫ ଜଣଙ୍କ ମୃତୁ୍ୟ ଘଟିଛି ।
ଗୋବର ଭର୍ତ୍ତି ବାୟୋଗ୍ୟାସ୍ ଗର୍ତ୍ତରେ ଫସିଯିବା ଯୋଗୁ ସମସ୍ତଙ୍କ ମୃତୁ୍ୟ ହୋଇଥିବା କୁହାଯାଉଛି । ଏହି ବାୟୋଗ୍ୟାସ୍ କୂଅକୁ ଜଣେ କୃଷକ ତିଆରି କରିଥିଲେ । ପୁଲିସ ଏବଂ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ପୂରା ଘଟଣାର ଯାଞ୍ଚ କରିଛନ୍ତି । ସୂଚନା ଅନୁଯାୟୀ, ମଙ୍ଗଳବାର ଏହି ଦୁର୍ଘଟଣା ଘଟିଥିଲା ଏବଂ ବିଳମ୍ବିତ ରାତି ପର୍ଯ୍ୟନ୍ତ ଲୋକଙ୍କୁ ବାହାରକୁ ଆଣିବା ପାଇଁ ଉଦ୍ୟମ ଜାରି ରହିଥିଲା । ଜଣେ ଅଧିକାରୀଙ୍କ କହିବା ମୁତାବକ, ମଙ୍ଗଳବାର ସନ୍ଧ୍ୟାରେ ନେଭାସା ତହସିଲର ୱାକଡି ଗାଁରେ ଏହି ଘଟଣା ଘଟିଥିଲା । ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଜଣଙ୍କୁ ଜୀବନ୍ତ ଉଦ୍ଧାର କରିଥିଲେ ।