ଅଟୋ-ବାଇକ୍ ମୁହାଁମୁହିଁ ଧକ୍କା; ୪ଗୁରୁତର


ସୋମବାର ଅପରାହ୍ନରେ ୧୬ନମ୍ବର ଜାତୀୟ ରାଜପଥର ସତ୍ସଙ୍ଗ ବିହାର ଛକ ନିକଟରେ ଅଟୋ ସହ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୪ଜଣ ଗୁରୁତର ଆହତ ହୋଇଥିଲେ । ସେମାନେ ସମସ୍ତଙ୍କୁ ପ୍ରଥମେ ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ୩ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଆହତକ ମାନଙ୍କ ମଧ୍ୟରୁ ଦୁଇ ଜଣଙ୍କର ପରିଚୟ ମିଳିଥିବା ବେଳେ ଅନ୍ୟମାନଙ୍କର ପରିଚୟ ମିଳିପାରି ନାହିଁ । ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରୁ ମିଳିଥିବା ସୂଚନା ଅନୁଯାଇ ଆହତକମାନେ କେନ୍ଦୁଝର ଜିଲା କାଇମାଟିଆ ଅଂଚଲର ଅମର ନାୟକ(୨୨),ସାଉଡିଆ ଅଂଚଳର ସୁଧାଂଶୁ ଶେଖର ପ୍ରଧାନ(୨୦) ବୋଲି ଜଣାଯାଇଛି । ଘଟଣାରୁ ପ୍ରକାଶ ଯେ ଏକ ମେଡିସିନ ବୋଝେଇ ଡାଲା ଅଟୋ ନଂଓଆର୦୪କେ-୩୬୩୧ କୁଆଖିଆରୁ ପାଣିକୋଇଲି ଆଡକୁ ଯାଉଥିବା ବେଳେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ପଲସର ବାଇକ୍ ନମ୍ବର ଓଡି-୦୯ଏଏ-୫୯୮୦ଅଟୋକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଅଟୋର ଚାଳକ ସମେତ ୨ଜଣ ଓ ବାଇକ୍ରେ ଥିବା ୨ଜଣଙ୍କୁ ମିଶାଇ ମୋଟ ୪ଜଣ ଯୁବକ ରାସ୍ତା ଉପରେ ଛିଟିକି ପଡି ଗୁରୁତର ହୋଇପଡିଥିଲେ । ସ୍ଥାନୀୟ ଅଂଚଳରେ ଲୋକେ ଆହତକମାନଙ୍କୁ ଦୁର୍ଘଟଣା ସ୍ଥଳରୁ ଉଦ୍ଧାର କରି ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଦେଇଥିଲେ । ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ପକ୍ଷରୁ ଆହତକମାନଙ୍କର ପ୍ରାଥମିକ ଚିକିତ୍ସା କରାଯାଇ ଅବସ୍ଥା ଶୋଚନୀୟ ଥିବାରୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ । ଏସଂପର୍କରେ କୁଆଖିଆ ପୁଲିସ ଖବର ପାଇ ଦୁର୍ଘଟଣା ସ୍ଥଳରେ ପହଁଚି ଦୁର୍ଘଟଣାଗ୍ରସ୍ତ ଅଟୋ ଓ ବାଇକ୍କୁ ଜବତ କରି ତଦନ୍ତ ଚଳାଇଛନ୍ତି ।