ସିକୁ୍ୟରିଟିକୁ ମଦ ପିଆଇ କମ୍ପାନୀରୁ ଲୁଟ୍
ଭୁବନେଶ୍ୱର, ୧୨ା୪ : କମ୍ପାନୀର ସିକୁ୍ୟରିଟି ଗାର୍ଡଙ୍କୁ ମଦ ପିଆଇ ଗୋଦାମରୁ ଲାପଟପ୍, ପ୍ରିଣ୍ଟର ମେସିନ୍, ୟୁପିଏସ୍, ସ୍କାନର ଚୋରି । ଥାନାରେ ଅଭିଯୋଗ ପରେ ଜଣେ ଡେଲିଭରି ବୟେକୁ ବାନ୍ଦିଲା ପାହାଳ ଥାନା ପୁଲିସ । ପୂର୍ବରୁ ଅଭିଯୁକ୍ତ ସେହି କମ୍ପାନୀରେ ସିକୁ୍ୟରିଟି ଗାର୍ଡ ଭାବେ କାର୍ଯ୍ୟ କରିଆସୁଥିଲା । ସେ କିଛିଦିନ ହେବ ଚାକିରି ଛାଡି ସେ ଡେଲିଭରି ବୟେ ଭାବେ କାମ କରିଆସୁଥିଲା । ଗିରଫ ଅଭିଯୁକ୍ତ ହେଲା, ହଂସପାଳର ଅମ୍ଲାନ ସାହୁ । ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି ।
ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ହିତେନ୍ଦ୍ର କୁମାର ପୃଷ୍ଟି ହଂସପାଳ ଅଞ୍ଚଳରେ ରହୁଥିବା ବେଳେ ଟ୍ରାକନ କୋରିୟର କମ୍ପାନୀରେ ଆସିଷ୍ଟାଣ୍ଟ ରିଜିଓନାଲ ମ୍ୟାନେଜର ଭାବେ କାର୍ଯ୍ୟ କରନ୍ତି । ଅଭିଯୁକ୍ତ ଜଣକ ମଧ୍ୟ ଉକ୍ତ କମ୍ପାନୀର ଗୋଦାମରେ ପୂର୍ବରୁ ସିକୁ୍ୟରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିବା ବେଳେ, ଗତ ଜାନୁୟାରୀ ୩୧ ତାରିଖ ଦିନ ଚାକିରୀ ଛାଡି ଜୋମାଟୋ କମ୍ପାନୀ ତରଫରୁ କଳ୍ପନା ଜୋନ୍ ଅଫିସରେ ଜୋମାଟୋ ବୟେ ଭାବେ କାର୍ଯ୍ୟ କରୁଥିଲା । ଗତ ମାର୍ଚ୍ଚ ମାସ ୨୫ ତାରିଖ ବିଳମ୍ବିତ ରାତିରେ ଅଭିଯୁକ୍ତ କମ୍ପାନୀର ଗୋଦାମ ନିକଟକୁ ଯାଇ ସେଠାରେ ସିକୁ୍ୟରିଟି ଗାର୍ଡ ରହିଥିବା ବୁଦ୍ଧରାମଙ୍କୁ ମଦ ପିଆଇ ସେଠାରେ ସୁଆଇଦେଇଥିଲା । ପରେ ଗୋଦାମର ସଟର ଟେକି ଭିତରୁ ସମସ୍ତ ଦାମି ସାମଗ୍ରୀ ଚୋରି କରି ନେଇ ଫେରାର ହୋଇଯାଇଥିଲା । ଏନେଇ ସକାଳୁ ଘଟଣା ଶୁଣି କମ୍ପାନୀ ମ୍ୟାନେଜର ପାହାଳ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ଆଜି ଅଭିଯୁକ୍ତକୁ ଗିରଫ କରିଛି ।