ଯୁବତୀଙ୍କୁ ବ୍ଲାକମେଲିଂ କରି ଯୁବକ ଗିରଫ

ଭୁବନେଶ୍ୱର, ୧୦ା୧୨ : ବିବାହ ଲାଗି ବରପାତ୍ର ସନ୍ଧାନରେ ଥିବା ଅଭିଯୋଗକାରିଣୀ ମାଟ୍ରିମୋନିଆଲ ପ୍ଲାଟଫର୍ମ ଜରିଆରେ ଅଭିଯୁକ୍ତ ସହ ସମ୍ପର୍କ ଯୋଡ଼ିବା ପରେ ହୋଇଛନ୍ତି ବ୍ଲାକମେଲିଂର ଶିକାର । ଅଭିଯୁକ୍ତ ଜଣଙ୍କ ଅଭିଯୋଗକାରିଣୀଙ୍କ ଫୋଟ ଓ ଭିଡ଼ିଓକୁ ନେଇ ବ୍ଲାକମେଲିଂ କରିବା ସହ ୫୦ ହଜାର ଟଙ୍କା କରୁଥିଲା ଦାବି । ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ଆଜି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲା, ଗଞ୍ଜାମ ଜିଲ୍ଲା ଧରାକୋଟ ଅଞ୍ଚଳର ସନ୍ତୋଷ କୁମାର ସେଠୀ ।
 ସୂଚନା ଯୋଗ୍ୟଯେ, ଅଭିଯୋଗକାରିଣୀ ଜଣକ ବିବାହ ଲାଗି ବରପାତ୍ର ସନ୍ଧାନରେ ଥିବା ବେଳେ, ମାଟ୍ରିମୋନିଆଲ ପ୍ଲାଟଫର୍ମ ଜରିଆରେ ଅଭିଯୁକ୍ତ ସନ୍ତୋଷ କୁମାର ସେଠୀଙ୍କ ସଂସ୍ପର୍ଶରେ ଆସିଥିଲେ । ପରେ ଉଭୟ ଫୋନ  ଜରିଆରେ ପରସ୍ପର ସହିତ ଯୋଗାଯୋଗ ରକ୍ଷା କରିଥିବା ବେଳେ ଗତ ୪ ଦିନ ହେବ ଭିଡ଼ିଓ କଲ୍ ମାଧ୍ୟମରେ କଥାବାର୍ତ୍ତା ହୋଇଥିଲେ । ପରେ ଅଭିଯୁକ୍ତ ଜଣକ ଏହି ଭିଡ଼ିଓ କଲ ସମୟରେ କୌଶଳ କ୍ରମେ ଫଟୋ ଏବଂ ଭିଡ଼ିଓକୁ ସଂଗ୍ରହ କରି ନିଜ ଫୋନରେ ରଖିବା ସହିତ ତାହାକୁ ମାଧ୍ୟମ କରି ଅଭିଯୋଗକାରିଣୀଙ୍କୁ ବ୍ଲାକମେଲ କରିବା ଆରମ୍ଭ କରିଦେଇଥିଲା । ପରେ ଅଭିଯୋଗକାରିଣୀଙ୍କୁ ୫୦ ହଜାର ଟଙ୍କା ଦେବା ଲାଗି ଚାପ ପକାଉଥିଲା । ଜଦି ଟଙ୍କା ନଦେଲେ ସେ ତାଙ୍କର ଫଟୋକୁ ପୋଷ୍ଟର କରିବା ସହିତ ସେଗୁଡ଼ିକୁ ସାମାଜିକ ଗଣମାଧ୍ୟମରେ ପ୍ରସାରଣ କରିଦେବ ବୋଲି ଧମକ ମଧ୍ୟ ଦେଉଥିଲା । ଏହାବାଦ ଅଭିଯୁକ୍ତ ଜଣକ ଜୟଦେବ ବିହାର ଛକ ଅନ୍ତର୍ଗତ ପଲ ହାଇଟସ ନିକଟରୁ ଅଭିଯୋଗକାରିଣୀଙ୍କ ପିଛା କରିବା ସହିତ ସେ ଘରକୁ ଫେରିବା ଲାଗି ବସିଥିବା ଏକ ଅଟୋରେ ଯାଇ ଜୋରଜବରଜସ୍ତି ବସିଯାଇଥିଲା । ଫଳରେ ଅଭିଯୋଗକାରିଣୀ ଜଣକ ଭୟଭୀତ ହୋଇପଡ଼ିଥିଲେ । ପରେ ଏନେଇ ଅଭିଯୋଗକାରିଣୀ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।