ନିଶା ମାଫିଆର ସରିଲା ୩ ଦିନିଆ ରିମାଣ୍ଡ

ଭୁବନେଶ୍ୱର, ୨୯ା୪ : ଓଡିଶା ଗଞ୍ଜେଇ ମୁମ୍ବାଇରେ ରହିଛି ଚାହିଦା । ଖାଲି ସେତିକି ନୁହେଁ,ଗଞ୍ଜେଇ ଚୋରା ଚାଲାଣର ମୁମ୍ବାଇ ଲିଙ୍କ୍ ଘଟଣାକୁ ମଧ୍ୟ ସ୍ପେଶାଲ କ୍ରାଇମ ୟୁନିଟ୍ ସମ୍ମୁଖରେ ସେ ସ୍ୱୀକାର କରିଛି । ସ୍ପେଶାଲ କ୍ରାଇମ ୟୁନିଟ୍ ମୁମ୍ବାଇ ଯାଇ ସେଠାରେ ନିଶା ମାଫିଆଙ୍କୁ ଧରିବ ବୋଲି ସ୍ପେଶାଲ କ୍ରାଇମ୍ ୟୁନିଟ୍ ସୂଚନା ଦେଇଛି । ରାହୁଲକୁ ସ୍ପେଶାଲ କ୍ରାଇମ୍ ୟୁନିଟ୍ ତିନି ଦିନିଆ ରିମାଣ୍ଡରେ ନେଇ ଜେରା କରିବା ସହ ବହୁ ତଥ୍ୟ ଉନ୍ମୋଚନ କରିଛି । ଗଞ୍ଜେଇ ଟଙ୍କାରେ ସେ କିଭଳି ବିଳାଶପୂର୍ଣ୍ଣ ଜୀବନ ଯାପନ କରୁଥିଲା, କେତେ ଟଙ୍କା ଗାର୍ଲଫ୍ରେଣ୍ଡ ସହ ଖର୍ଚ୍ଚ କରିଛି, କେତେ ଟଙ୍କାରେ ବିଦେଶ ଓ ବିମାନ ଯାତ୍ରା କରିଛି ।
ସୂଚନାଯୋଗ୍ୟଯେ, ଗତ ୧୧ ଫେବ୍ରୁଆରୀରେ ପ୍ରେସ ଲେଖା ଥିବା କାର୍ ଯୋଗେ ମାଲକାନଗିରିରୁ ଝାଡ଼ଖଣ୍ଡ ଗଞ୍ଜେଇ ଚାଲାଣବେଳେ ଧରାପଡିଥିଲେ ୩ ଜଣ ଗଞ୍ଜେଇ ବେପାରୀ । ହେଲେ ସେହି ଘଟଣାର ମାଷ୍ଟରମାଇଣ୍ଡ ଥିଲା ରାହୁଲ ସେଠୀ । ରାହୁଲ ମୟୂରଭଞ୍ଜ ବାଙ୍ଗିରିପୋଷୀ ଅଞ୍ଚଳର ହୋଇଥିବା ଜଣାପଡ଼ିଥିଲା । ସେ ନିଜର ସହଯୋଗୀକୁ ଝାରପଡ଼ା ଜେଲରେ ଦେଖା କରିବାକୁ ଆସିଥିବା ବେଳେ ତାକୁ ଜେଲ ସାମ୍ନାରୁ ଗିରଫ କରାଯାଇଥିଲା । ପରେ ତା ନିକଟରୁ ଏକ କାର ସହ ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଛି । ଯେଉଁଥିରୁ ତା'ର ଗଞ୍ଜେଇ କାରବାର ନେଟୱାର୍କ ବିଷୟରେ ଜାଣିବାକୁ ପାଇଛି ପୁଲିସ । ଦିଲ୍ଲୀ, ମୁମ୍ବାଇ ଓ ଝାଡ଼ଖଣ୍ଡ ଲିଙ୍କ୍ ଭଳି ବାହାର ରାଜ୍ୟ ସହ ଅଭିଯୁକ୍ତର ଲିଙ୍କ ରହିଥିଲା । ତେବେ ଚିତ୍ରକୋଣ୍ଡାରୁ ଗଞ୍ଜେଇ ଆଣି ସେ ବାହାର ରାଜ୍ୟକୁ ପଠାଉଥିଲା । ଏପରିକି କେତେକ ସହଯୋଗୀଙ୍କ ମାଧ୍ୟମରେ ବସ, କାର ଓ ଟ୍ରେନ ଯୋଗେ ମଧ୍ୟ ସପ୍ଲାଏ କରାଯାଉଥିଲା । ଏପରିକି ରାହୁଲର ମୋବାଇଲରୁ ଦିଲ୍ଲୀ ଓ ମୁମ୍ବାଇର କିଛି ବେପାରୀ ମଧ୍ୟ ଯୋଗାଯୋଗରେ ଥିବା ଜାଣିବାକୁ ପାଇଥିଲା ସ୍ପେଶାଲ କ୍ରାଇମ୍ ୟୁନିଟ୍ । କିଛି କୋଡ ୱାର୍ଡରେ ଏବେବି ଅର୍ଡର ପାଇଁ କଲ୍ ଆସୁଥିବା ମଧ୍ୟ ପୁଲିସ ଜାଣିବାକୁ ପାଇଥିଲା । ରାହୁଲର ଶିକ୍ଷାଗତ ଯୋଗ୍ୟତା ଦଶମ ଫେଲ୍ ହୋଇଥିବାବେଳେ ସେ ବିଳାସମୟ ଜୀବନ ବିତାଉଥିଲା । ଗତ ଫେବ୍ରୁଆରୀ ୧୧ ତାରିଖରେ ରବି ଶଙ୍କର ଦାସ, ରାଜେଶ କିଶୋର ଦାସ, ଲଭ କିଶୋର ପ୍ରସାଦ ଓ ସହଦେବ ୩ କ୍ୱିଣ୍ଟାଲ ଗଞ୍ଜେଇ ସହ ଧରା ପଡିଥିଲେ । ରବି ଶଙ୍କର ଦାସ ଜଣେ କୁଖ୍ୟାତ ଗଞ୍ଜେଇ ବେପାରୀ ଓ ତାର ଅନେକ ଦାମୀ ଗାଡି ରହିଥିବା ବେଳେ ତା ସହିତ ମିଶି ରାହୁଲ ଏପରି କାରବାର ଚଳାଇଥିବା ଜଣାପଡିଛି । ରବି ଶଙ୍କର ମଧ୍ୟ ପୂର୍ବରୁ ଝାଡ଼ଖଣ୍ଡ ପୁଲିସ ହାତରେ ଗିରଫ ହୋଇଥିଲା । ୩ ଦିନିଆ ରିମାଣ୍ଡ ରାହୁଲର ସରିବା ପରେ ସେ ସ୍ପେଶାଲ କ୍ରାଇମ୍ ୟୁନିଟ୍ ସମ୍ମୁଖରେ ଅନେକ କଥା ସତ ଓଗାଳିଛି ।