କମିବ କି ତୈଳଦର?
ଭାରତ ଆଜି ଦରବୃଦ୍ଧିଜନିତ ଭଳି ଏକ ଜଟିଳ ସମସ୍ୟାର ସମ୍ମୁଖୀନ ହୋଇଛି । ଦେଶରେ ବିଭିନ୍ନ ଦ୍ରବ୍ୟର ଦରବୃଦ୍ଧିକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଲୋକଙ୍କର ପ୍ରତିକି୍ରୟା ସବୁ ପ୍ରକାଶ ପାଉଛି । ତେବେ ଦରବୃଦ୍ଧିର ମୂଳରେ ସବୁବେଳେ ତୈଳଦର ହିଁ ରହିଥାଏ । ତୈଳ କ୍ଷେତ୍ରରେ ଦରବୃଦ୍ଧି ଘଟିଲେ ତାହାର ସିଧାସଳଖ ପ୍ରଭାବ ଉତ୍ପାଦନ ଏବଂ ପରିବହନ କ୍ଷେତ୍ର ଉପରେ ପଡ଼େ । ଏହି ଦୁଇ କ୍ଷେତ୍ରକୁ ନେଇ ସବୁ କ୍ଷେତ୍ରରେ ଦରବୃଦ୍ଧି ଘଟେ । ଅର୍ଥନୀତିରେ ଏହାକୁ ମୁଦ୍ରାସ୍ଫୀତି କୁହାଯାଉଛି । ଏହାର ଅର୍ଥ ହେଲା ମୁଦ୍ରାର କ୍ରୟଶକ୍ତି କମିଯାଉଛି ଏବଂ ଦ୍ରବ୍ୟ ଏବଂ ବିଭିନ୍ନ ସେବାର ମୂଲ୍ୟବୃଦ୍ଧି ଘଟୁଛି । ଏ ପ୍ରକାରର ଏକ ପରିସ୍ଥିତିକୁ ଦେଶ କିଭଳି ଭାବରେ ସମ୍ମୁଖୀନ ହେବ, ତାକୁ ନେଇ ଏଇ ନିକଟରେ ଜିଏସ୍ଟି ପରିଷଦର ବସିଥିବା ବୈଠକରେ ଘମାଘୋଟ୍ ଆଲୋଚନା ହୋଇଛି । ଦେଶରେ ଦରବୃଦ୍ଧିରୁ ମୁକ୍ତି ପାଇବାକୁ ହେଲେ ତୈଳ କ୍ଷେତ୍ରରେ ପେଟ୍ରୋଲ ଏବଂ ଡ଼ିଜେଲ୍କୁ ଜିଏସ୍ଟି ପରିସରଭୁକ୍ତ କରିବା ଜରୁରୀ ବୋଲି ମତ ପ୍ରକାଶ ପାଇଛି । ନିକଟରେ ବସିଥିବା ଜିଏସ୍ଟି ପରିଷଦ ବୈଠକରେ ଏହି ପ୍ରସଙ୍ଗ ପୁର୍ନବାର ଉଠିଥିଲେ ମଧ୍ୟ ଏହା ଉପରେ କୌଣସି ନିଷ୍ପତ୍ତି ନିଆଯାଇପାରିନାହିଁ । ଆସନ୍ତା ଅଗଷ୍ଟ ମାସରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବାର ସୂଚନା ଅର୍ଥମନ୍ତ୍ରୀ ଦେଇଛନ୍ତି । ଡ଼ିଜେଲ୍ ଏବଂ ପେଟ୍ରୋଲ୍ ଉପରେ ଜିଏସ୍ଟି ଲାଗୁ ହେଲେ ଏହାର ଦରହ୍ରାସ ଘଟିବ ବୋଲି ମତ ପ୍ରକାଶ ପାଉଛି । ଏହା ଉପରେ ସର୍ବାଧିକ ୧୨ ଶତାଂଶ ଜିଏସ୍ଟି ଲାଗିବ ବୋଲି ଆଶା କରାଯାଉଛି । ଏହାକୁ ଜିଏସ୍ଟିର ଅଧୀନକୁ ଅଣାଗଲେ ମୂଳ ତୈଳଦର ସହିତ ମିଶା ଯାଉଥିବା ଅନେକ ପ୍ରକାରର କର ଆଦି ଉଚ୍ଛେଦ ହୋଇ କେବଳ ଗୋଟିଏ କର ଜିଏସ୍ଟି ଲାଗୁ ହେବ । ତେବେ ତୈଳଦର ନିର୍ଦ୍ଧାରଣ କ୍ଷେତ୍ରରେ ଅଣ୍ଡର୍ ରିକଭରୀ ନାମକ ଏକ ବ୍ୟବସ୍ଥାର ସମ୍ମୁଖୀନ ହେଉଛନ୍ତି ତୈଳ କମ୍ପାନୀମାନେ । ପୂର୍ବରୁ ଦୀର୍ଘ ବର୍ଷ ଧରି ବାକିଆ ପଡ଼ିଥିବା ଅର୍ଥକୁ ତୈଳ କମ୍ପାନୀମାନେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଠାରୁ ଫେରି ପାଇବା କଥା । ଏହା ହିଁ ଅଣ୍ଡର ରିକଭରୀ । କିନ୍ତୁ ତାହା ହୋଇ ପାରୁନାହିଁ । ଏହା ଫଳରେ ତୈଳ କମ୍ପାନୀ ଗୁଡ଼ିକ ବାଧ୍ୟ ହୋଇ କ୍ରୁଡ୍ ଅଏଲ୍ରୁ ପ୍ରସ୍ତୁତ ହେଉଥିବା ସମସ୍ତ ପଦାର୍ଥ ଉପରେ ଦର ବଢ଼ାଇ ଚାଲିଛନ୍ତି । କ୍ରୁଡ୍ ଅଏଲ୍ରୁ ପ୍ରସ୍ତୁତ ହେଉଥିବା ବିଭିନ୍ନ ପଦାର୍ଥ ମଧ୍ୟରୁ ସର୍ବାଧିକ ଦରବୃଦ୍ଧି ପିଟୁମିନ୍ ବା ପିଚୁ ଉପରେ ହୁଏ । ସେଥିପାଇଁ ରାସ୍ତା ନିର୍ମାଣ କ୍ଷେତ୍ରରେ ଖର୍ଚ୍ଚ ବଢ଼ି ବଢ଼ି ଚାଲିଛି ଏବଂ ଟୋଲ୍ ଟ୍ୟାକ୍ସ ଆଦାୟ କରିବାର ଅବଧି ମଧ୍ୟ ବଢ଼ି ବଢ଼ି ଚାଲିଛି । ତେବେ ଏଇ ଅଗଷ୍ଟ ମାସରେ ପେଟ୍ରୋଲ ଓ ଡ଼ିଜେଲ୍ର ଦର ଉପରେ ସରକାର କିଛି ଗୋଟିଏ ନିଷ୍ପତ୍ତି ନେବାକୁ ଯାଉଛନ୍ତି । କେବଳ ସେତିକି ନୁହେଁ, ପ୍ଲାଟ୍ଫର୍ମ ଟିକେଟ୍ ଉପରୁ ମଧ୍ୟ ଟିକସ ହ୍ରାସ କରାଯିବା ସହିତ ଆଉ କେତେକ କ୍ଷେତ୍ରରୁ ଜିଏସ୍ଟି ପରିମାଣକୁ ହ୍ରାସ କରାଯିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଏ ପ୍ରକାରର ନିଷ୍ପତ୍ତି ଯେତେ ଶୀଘ୍ର କାର୍ଯ୍ୟକାରୀ ହେବ ଦେଶ ସେତେ ଶୀଘ୍ର ମୁଦ୍ରାସ୍ଫୀତି ଭଳି ଏକ ପରିସ୍ଥିିତିର ମୁକାବିଲା କରିବାରେ ସମର୍ଥ ହେବ । ବର୍ତ୍ତମାନ ମୁଦ୍ରାସ୍ପୀତିର ସର୍ବାଧିକ କ୍ଷତି ଚାଷୀମାନେ ସହୁଥିବା ବେଳେ ଖାଉଟି ବଜାରରେ ଖାଉଟିମାନେ ସର୍ବାଧିକ ଶୋଷଣର ଶିକାର ହେଉଛନ୍ତି । କୃଷିଜାତ ପଦର୍ଥକୁ କୃଷକମାନେ ନିଜ ଇଚ୍ଛାନୁସାରେ ଦର ଧାର୍ଯ୍ୟ କରି ବିକ୍ରି କରିପାରୁନାହାନ୍ତି । ମଧ୍ୟସ୍ତି ବ୍ୟବସାୟୀମାନେ ବିଭିନ୍ନ କୃଷିଜାତ ପଦାର୍ଥ ଆଦିର ଦର ଧାର୍ଯ୍ୟ କରୁଛନ୍ତି । ତାହା ପରେ ବ୍ୟବସାୟୀମାନେ ନିଜ ଲାଭ ରଖି ଖାଉଟି ମାନଙ୍କୁ ବିକ୍ରି କରୁଛନ୍ତି । କୃଷକ ପାଉଥିବା ମୂଲ୍ୟ ଏବଂ ଖାଉଟି କିଣୁଥିବା ମୂଲ୍ୟ ମଧ୍ୟରେ ପାର୍ଥକ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହି ପାର୍ଥକ୍ୟକୁ ସର୍ବନିମ୍ନ ସ୍ତରକୁ ଆଣିବା ଜରୁରୀ ।