ସଙ୍କୋଚ ତ ଦୁଃଖ !
ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର 'ଅମୃତ ବିନ୍ଦୁ ।' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା ଜୀବନରେ ସଙ୍କୋଚ କେମିତି ଦୁଃଖ, ସେ ବାବଦରେ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ମଣିଷ ହେଉଛି ଏକ ସାମାଜିକ ପ୍ରାଣୀ । ଅନ୍ୟମାନଙ୍କ ସହ ମିଳିମିଶି ସେ ନିଜକୁ ଯେତେ ଅଧିକ ଆତ୍ମପ୍ରକାଶମୁଖୀ କରାଇବ, ସେହି ପରିମାଣରେ ସେ ସୁଖୀ ହୋଇପାରିବ । ଅନ୍ୟମାନଙ୍କ ସହ ମିଶି ପାରୁଥିବା ବ୍ୟକ୍ତି ସୁଖୀ ଏବଂ ଅନ୍ୟମାନଙ୍କ ସହ ମିଶିବା ଏକ ସ୍ୱତନ୍ତ୍ର ଗୁଣ ।
ଅନ୍ୟମାନଙ୍କ ସହ ହଠାତ ସମସ୍ତେ ମିଶିପାରିବେ ନାହିଁ । ମେଳାପୀ ନହେଲେ ଜଣେ ଅଜଣା ବ୍ୟକ୍ତି ସହିତ କଥା ହୋଇପାରିବ ନାହିଁ । ସମସ୍ତଙ୍କ ସହିତ ସମଭାବାପନ୍ନ ହୋଇ ଚଳିବା ସାଧାରଣ କଥା ନୁହେଁ । ଏ ପ୍ରବୃତ୍ତିଟି ସମସ୍ତଙ୍କ ଠାରେ ସମାନ ଭାବରେ ନଥାଏ । ସମସ୍ତେ ନିଜର ଆତ୍ମପ୍ରକାଶକୁ ସ୍ୱକୀୟ ଶୈଳୀରେ କରନ୍ତି । କିନ୍ତୁ ନିଜ ଶୈଳୀର ଆତ୍ମପ୍ରକାଶ ଅନ୍ୟମାନଙ୍କ ପାଇଁ କେତେ ଦୂର ଗ୍ରହଣୀୟ ହେବ ବା ଗ୍ରହଣଯୋଗ୍ୟ, ତାହାର ମଧ୍ୟ ଏକ ବିଚାର ରହିଛି । ନିଜର ଆତ୍ମପ୍ରକାଶ ନିଜ ପାଇଁ ଯୁକ୍ତିସଙ୍ଗତ ହୋଇପାରେ । କିନ୍ତୁ ଅନ୍ୟପାଇଁ ମଧ୍ୟ ଗ୍ରହଣୀୟ ହେବା ଆବଶ୍ୟକ । ଏତିକି ନହେଲେ ସମାଜରେ ଏକ ସ୍ୱ୍ୱାଭାବିକ ଜୀବନଯାପନ କରିବା ସମ୍ଭବ ନୁହେଁ । ସମସ୍ତଙ୍କ ଜୀବନ ବ୍ୟକ୍ତିଗତ ହେଲେ ସୁଦ୍ଧା ସମାଜ ଭିତରେ ବା ପାଞ୍ଚ ଲୋକଙ୍କ ଗହଣରେ ସାମାଜିକ ଭାବେ ଚଳିବା ଗୁରୁତ୍ୱପୂର୍ଣ୍ଣ । ବ୍ୟକ୍ତି ନିଜ ପାଇଁ ନିଜ ପସନ୍ଦର କିଛି ବି କରିପାରେ । କିନ୍ତୁ ତାହା ସମାଜ ପାଇଁ ଗ୍ରହଣୀୟ ହେବ ବୋଲି କୁହାଯାଇପାରିବ ନାହିଁ । ବ୍ୟକ୍ତି ଏବଂ ସମାଜ ପରସ୍ପର ଠାରୁ ଅଭିନ୍ନ ଏବଂ କେହି କାହାକୁ ଛାଡି ରହିପାରିବେ ନାହିଁ । ସମାଜକୁ ଛାଡ଼ି ଦେଲେ ବ୍ୟକ୍ତିର ସ୍ଥିତିି ନାହିଁ ଏବଂ ମଣିଷ ଭାବରେ ଗୁଣ ବହନ କରି ସେ ଚଳିପାରିବ ନାହିଁ । ସମାଜରୁ ବିଚ୍ୟୁତ ହେଲେ ମଣିଷ ଆଉ ସାମାଜିକ ପଦବାଚ୍ୟ ହୋଇ ରହେ ନାହିଁ ।
ପୁଣି ବ୍ୟକ୍ତିକୁ ଛାଡ଼ି ଦେଲେ ସମାଜ ବୋଲି କିଛି ନାହିଁ । ତେଣୁ ପ୍ରତ୍ୟେକ ବ୍ୟକ୍ତି ମନରେ ଆତ୍ମପ୍ରକାଶର ଏକ ଭାବନା ରହିଛିି ଏବଂ ନିଜର ବ୍ୟକ୍ତିଗତ ଚରିତ୍ରର ପ୍ରସାରଣକୁ ପ୍ରତ୍ୟେକ ବ୍ୟକ୍ତି ଅହରହ କରି ଚାଲିଥାଏ । ବ୍ୟକ୍ତିଗତ ସୁଗୁଣର ପ୍ରସାରଣ ମଣିଷକୁ ସାମାଜିକ କରି ତୋଳେ । ତେଣୁ ବ୍ୟକ୍ତି ନିଜ ଚରିତ୍ରର ସଙ୍କୋଚନ କରିଲେ ଏହା ବ୍ୟକ୍ତିତ୍ୱର ମୃତ୍ୟୁ ଘଟାଏ । ସଙ୍କୋଚ ହିଁ ଦୁଃଖ, ପ୍ରସାରଣ ହିଁ ସୁଖ ।
ପଢିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ କ୍ଷ ଆସନ୍ତୁ ପ୍ରତ୍ୟେକ ଦିନ ଆମେ 'ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।