ୟୁଏସ୍ ଉପରେ ଚୀନ୍ର ୧୨୫% ଶୁଳ୍କ

 ବେଜିଂ:  ବିଶ୍ୱର ଦୁଇ ଶକ୍ତିଶାଳୀ ଅର୍ଥନୀତି ଦେଶ ଆମେରିକା ଏବଂ ଚୀନ୍ ଏବେ ପରସ୍ପର ଉପରେ ଶୁଳ୍କ ଲଦାଲଦି ହେଉଛନ୍ତି । ଟ୍ରମ୍ପ୍ଙ୍କ ଟାରିଫ୍ ପ୍ଲାନ୍ ଯୋଗୁ ଏବେ ସାରା ବିଶ୍ୱ ଅର୍ଥନୀତି ପ୍ରଭାବିତ ହୋଇଥିବା ବେଳେ ଷ୍ଟକ୍ ବଜାର ଦିନକୁ ଦିନ ତଳମୁହାଁ ହେବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଉଭୟ ଚୀନ୍ ଏବଂ ଆମେରିକା ଉଭୟଙ୍କ ଉପରେ ପାରସ୍ପରିକ ଶୁଳ୍କ ଲଦିବା ବିଶ୍ୱ ଅର୍ଥନୀତି ପାଇଁ ଆଦୌ ଗ୍ରହଣୀୟ ନୁହେଁ ବୋଲି ଅର୍ଥନୀତି ବିଶାରଦମାନେ ମତ ଦେଉଛନ୍ତି । ଗୁରୁବାର ଆମେରିକା, ଚୀନରୁ ଆମଦାନୀ ହେଉଥିବା ସାମଗ୍ରୀ ଏବଂ ସେବା ଉପରେ ଶୁଳ୍କ ୧୦୪% ପରିବର୍ତ୍ତେ ୧୪୫ ପ୍ରତିଶତ ବୃଦ୍ଧି କରିବାକୁ ଘୋଷଣା କରିଥିଲା । ଜବାବରେ ଆଜି ଚୀନ୍ ମଧ୍ୟ ଆମେରିକାରୁ ଆମଦାନୀ ହେଉଥିବା ସାମଗ୍ରୀ ଏବଂ ସେବା ଉପରେ ଶୁଳ୍କକୁ ୮୪% ପରିବର୍ତ୍ତେ ୧୨୫ ପ୍ରତିଶତକୁ ବୃଦ୍ଧି କରିବାକୁ ଘୋଷଣା କରିଛି ।
ଚୀନର ବାଣିଜ୍ୟ ମନ୍ତ୍ରଣାଳୟ କହିଛି ଯେ ଚୀନ ଆମଦାନୀ କରୁଥିବା ଆମେରିକୀୟ ଉତ୍ପାଦ ଉପରେ ଅତିରିକ୍ତ ଶୁଳ୍କକୁ ୧୨୫ ପ୍ରତିଶତକୁ ବୃଦ୍ଧି କରିଛି । ଆମେରିକାର ଶୁଳ୍କ ବୃଦ୍ଧି ପରେ ଚୀନ୍ ମଧ୍ୟ ବିଶ୍ୱ ବାଣିଜ୍ୟ ସଂଗଠନରେ ଏକ ମାମଲା ଦାୟର କରିଛି । ଆମେରିକାର ସଦ୍ୟତମ ବିଜ୍ଞପ୍ତି ଅନୁଯାୟୀ, ଚୀନ୍ ଉପରେ ମୋଟ ୧୪୫ ପ୍ରତିଶତ ଶୁଳ୍କ ଲାଗୁ କରାଯାଇଛି । ତେବେ ଚୀନ୍ ଅର୍ଥମନ୍ତ୍ରାଳୟ ଏକ ବିବୃତିରେ ଜଣାଇଛି ଯେ, ଆମେରିକାର ଏପରି ଶୁଳ୍କ ଲଗାଣ ସମ୍ପୂର୍ଣ୍ଣ ଏକପାଖିଆ, ଧମକପୂର୍ଣ୍ଣ ଓ ବଳପୂର୍ବକ । ଆଉ ଟ୍ରମ୍ପ୍ଙ୍କ ଏହି ନିଷ୍ପତ୍ତି ନିଶ୍ଚିତ ଭାବେ ବିଶ୍ୱ ବାଣିଜ୍ୟକୁ ପ୍ରଭାବିତ କରିବ । ଏହାସହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଶେଷ ପର୍ଯ୍ୟନ୍ତ ଆମେରିକା ସହିତ ଶୁଳ୍କ ଯୁଦ୍ଧ ଜାରି ରହିବ । ଏ ସମ୍ପର୍କରେ ହ୍ୱାଇଟ୍ ହାଉସ ସହିତ କୌଣସି ବି ଆଲୋଚନା ହେବ ନାହିଁ । ଯଦି ଆମେରିକା ଚୀନ୍ ସାମଗ୍ରୀ ଉପରେ ଶୁଳ୍କ ଲଗାଇବାକୁ ପଛାଉନାହିଁ; ଚୀନ୍ ମଧ୍ୟ ଆମେରିକା ସାମଗ୍ରୀ ଉପରେ ଶୁଳ୍କ ଲଗାଇବାକୁ ଜମାରୁ ପଛଘୁଞ୍ଚା ଦେବ ନାହିଁ ।