କୃତଜ୍ଞତା
ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର ‘ଅମୃତ ବିନ୍ଦୁ ।' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା କୃତଜ୍ଞତାକୁ ନେଇ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ଦୁନିଆରେ ଆଜିର ଦିନରେ ସବୁଠୁ ବିରଳ ଶବ୍ଦଟି ହେଉଛି କୃତଜ୍ଞତା । କୃତଜ୍ଞତାର ଅର୍ଥ କଣ, ସେତକ ଆମେ ଠିକଣା ଭାବେ ବୁଝିପାରିନେ ।
ସହଜିଆ ଭାବେ ବୁଝିବାକୁ ଗଲେ, ଏହି କୃତଜ୍ଞତାର ବ୍ୟାପକତା ଅସୀମ ଓ ଏହାର ପରିବ୍ୟାପ୍ତି ମଣିଷଙ୍କ ଠାରୁ ଆରମ୍ଭ କରି ସକଳ ସୃଷ୍ଟି ପର୍ଯ୍ୟନ୍ତ । ଆମେ ଯାହା ଠାରୁ କିଛି ପାଉ, ତାର ପ୍ରତିବଦଳରେ ଆମ ମନରେ ସୃଷ୍ଟ ହେଉଥିବା ଭାବର ପ୍ରତିଫଳନ ହେଉଛି କୃତଜ୍ଞତା । ଏଇ ଭାବ, ମଣିଷର ଜୀବନର ସୂକ୍ଷ୍ମାତିସୂକ୍ଷ୍ମ ଦିଗଟିକୁ ମଧ୍ୟ ସ୍ପର୍ଶ କରିଥାଏ । କୃତଜ୍ଞତା ହେଉଛି, ଆନ୍ତରିକତାର ନିଦର୍ଶନ ।
କିନ୍ତୁ ଆଜି ମଣିଷ କୃତଜ୍ଞତାର ମୂଲ୍ୟ, ପ୍ରାୟତଃ ବୁଝୁନାହିଁ । ଏହାରି ମୂଳରେ ରହିଛି ଅନ୍ୟ ସତ୍ତା, ସ୍ଥିତି ଓ ସୃଷ୍ଟି ପ୍ରତି ଭଲପାଇବାର ଅଭାବ, ସମ୍ମାନବୋଧର ଅଭାବୋଧ । ମଣିଷ ପାଖରେ ଆଜି ଆନ୍ତରିକତାର ଅଭାବ । ମଣିଷ ନିଜ ପାଖରେ ମଣିଷପଣିଆ ଟିକକକୁ ଧରି ରଖିପାରୁନାହିଁ । ଯାହା ଫଳରେ ଜୀବନରେ ଅନ୍ୟ କାହା ପ୍ରତି ସାମାନ୍ୟ ଟିକିଏ କୃତଜ୍ଞ ରହିବା କଥାଟି ମଧ୍ୟ ମୂଳରୁ ପାଶୋରି ଯାଇଛି । କୃତଘ୍ନ ହେଇଗଲେ, ସବୁକିଛି ହାତେଇ ଦବ ବୋଲି ଭାବୁଛି ।
ଏମିତିକା ଆଜି ପ୍ରାୟତଃ ଜୀବନ । କିନ୍ତୁ ଶେଷକୁ?
କୃତଘ୍ନ କର୍ମର ପରିଣାମ ନିଜ ପାଖକୁ ଆସିବାଟା ଆସେ । ଟିକେ ବେଗେ ହେଇପାରେ, ସାମାନ୍ୟ ଉଛୁରୁ ହେଇପାରେ; କିନ୍ତୁ ଆସିବାଟା ଆସେ । ଅପରକୁ ଆମେ ଯାହା ଦେଉ, ତାହା କେଉଁ ରୂପରେ କେଉଁ ଏକ ସମୟରେ ଆମେ ତାକୁ ହିଁ ପାଇଥାଉ-ଏଇଥିରେ କାଣିଚାଏ ମଧ୍ୟ ସନେ୍ଦହ, ଆମ ମନରେ ନ ରହୁ । ଆମେ ସବୁବେଳେ କହିବସୁ "କି ଉପରବାଲା ଅଛି, ସେ ସବୁ ଦେଖୁଛି ।'' ମାତ୍ର ବାସ୍ତବିକତାକୁ ଦର୍ଶାଇବାକୁ ଯାଇ ମହାନ ଦାର୍ଶନିକ ଜର୍ଜ୍ ବାର୍ଣ୍ଣାଡ ଶ' କହିଥିଲେ ଯେ"ସେହି ଲୋକଠାରୁ ନିଜକୁ ଦୂରେଇ ରଖ, ଯେଉଁମାନଙ୍କର ଭଗବାନ ଆକାଶରେ ଅଛନ୍ତି!'' କହିବାର ମାନେ ହେଲା ଆମକୁ ମଣିଷ ଭିତରେ ଭଗବତ୍ ସତ୍ତାଟାକୁ ହିଁ ଖୋଜିବାକୁ ହିଁ ପଡିବ । କୃତଜ୍ଞତାର ମହତ ଶିଖିବାକୁ ପଡିବ । ଆମ ଜୀବନ ପ୍ରତି ସୃଷ୍ଟିର ଅନ୍ୟ ସତ୍ତାର ଅବଦାନକୁ ହୃଦୟଙ୍ଗମ କରିବାକୁ ହେବ । ତାହା ହେଲେ ଯାଇ ଆମେ କୃତଘ୍ନ ପରିବର୍ତ୍ତ? ନିଶ୍ଚିତ କୃତଜ୍ଞ ହୋଇପାରିବା । ପଢିଥିବା ହେତୁ ଆପଣଙ୍କ ନିକଟରେ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ 'ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।