ମାଧବ ବିଗ୍ରହ : ନୀଳମାଧବ

ମାଧବ ବିଗ୍ରହ : ନୀଳମାଧବ

"ନୀଳାଚଳ ବରେ ବିପ୍ରା ପୁର ନୀଳାଷ୍ମରୂପ ଧ୍ୱଜ, 
ଇଦାନୀଂ ତୁ ଜଗନ୍ନାଥୋ ଭାରି ଦାରବ ଲୀଳୟା ।' 
        ଦାରୁଦେବତା ଓ ଶ୍ରୀ ଜଗନ୍ନାଥଙ୍କର ଉତ୍ପତ୍ତି ସମ୍ପର୍କରେ ସ୍କନ୍ଦ ପୁରାଣ, ବିଷ୍ଣୁ ପୁରାଣ ଓ ବ୍ରହ୍ମ ପୁରାଣ ଆଦିରେ ଦିଆଯାଇଥିବା ବିବରଣୀରୁ ଯାହା ଜଣାଯାଏ, ମାଦଳା ପାଞ୍ଜି ସେ ସମ୍ପର୍କରେ ସମ୍ପୂର୍ଣ୍ଣ ନିରବ । କିନ୍ତୁ ଏହି ପୁରାଣ ଗୁଡ଼ିକରେ ଉଲ୍ଲେଖ ଅଛି ଯେ ପ୍ରାଚୀନ କାଳରୁ ପୁରୁଷୋତ୍ତମ କ୍ଷେତ୍ରରେ ପାଷାଣ ବିଗ୍ରହ ନୀଳମାଧବଙ୍କ ପୂଜା ଆରାଧନା ଓ ତାହାଙ୍କ ଅନ୍ତର୍ଦ୍ଧାନ ଏବଂ ଜଗନ୍ନାଥଙ୍କର ଆବିର୍ଭାବ ହୋଇଥିଲା । ସ୍କନ୍ଦ ପୁରାଣରେ ଜଗନ୍ନାଥଙ୍କ ଆବିର୍ଭାବ ସମ୍ପର୍କରେ ଯେଉଁ ବିବରଣୀ ଦିଆଯାଇଛି ତାହା ସ୍ଥଳ ବିଶେଷରେ ପରସ୍ପର ବିରୋଧାତ୍ମକ ମନେ ହୁଏ । ବିବରଣୀରେ କୁହାଯାଇଛି ଯେ ନୀଳମାଧବ ଅନ୍ତର୍ଦ୍ଧାନ ହେବା ପୂର୍ବରୁ ଜଗନ୍ନାଥଙ୍କ ଅସ୍ତିତ୍ୱ ସମ୍ପର୍କରେ ରାଜା ଇନ୍ଦ୍ରଦୁ୍ୟମ୍ନ ସଚେତନ ଥିଲେ । ସେଇଥିପାଇଁ ସେ ତାଙ୍କ ଦରବାରରେ ନିଜର ପୁରୋହିତଙ୍କୁ ଜଗନ୍ନାଥଙ୍କ ସ୍ଥିତି ସମ୍ପର୍କରେ ଅବଗତ କରାଇ ଦେବା ପାଇର୍ ଅନୁରୋଧ କରିଛନ୍ତି । ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରର ପଶ୍ଚିମ ଦିଗରେ ଥିବା ଶବରପଲ୍ଲୀ ଠାରୁ ଏକପଦୀ ମାର୍ଗରେ ବିଷ୍ଣୁଙ୍କ ଆଳୟକୁ ଗମନ କଲେ ସେଠାରେ ଶଙ୍ଖ-ଚକ୍ର-ଗଦାଧାରୀ ସାକ୍ଷାତ ଜଗନ୍ନାଥ ଅବସ୍ଥାନ କରିଛନ୍ତି ବୋଲି ଜଣାପଡ଼େ । ଇନ୍ଦ୍ରଦୁ୍ୟମ୍ନ ତାହାଙ୍କର ପୁରୋହିତଙ୍କୁ ଅନୁରୋଧ କରିଛନ୍ତି ଯେ ନୀଳକନ୍ଦରରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି କଟକ ନାମକ ସ୍ଥାନରେ ବାସୋପଯୋଗୀ ସ୍ଥାନ ନିର୍ଣ୍ଣୟପୂର୍ବକ ଯଥାଶୀଘ୍ର ସମ୍ବାଦ ଆସିଲେ ଆମ୍ଭ ମାନଙ୍କର ଇଷ୍ଟିସିଦ୍ଧି ହେବ । ଏଥିରୁ ଜଣାଯାଏ ଯେ ନୀଳମାଧବଙ୍କ ସନ୍ଧାନ ନେବା ପାଇଁ ନିଜ ପୁରୋହିତଙ୍କ ଭ୍ରାତାଙ୍କୁ ପଠାଇବା ପୂର୍ବରୁ ରାଜା ଇନ୍ଦ୍ରଦୁ୍ୟମ୍ନ ସଚେତନ ଥିଲେ ଯେ ଜଗନ୍ନାଥ ନୀଳକନ୍ଦରରେ ପୂଜା ପାଉଛନ୍ତି । ଅଥଚ ସ୍କନ୍ଦ ପୁରାଣର ବର୍ଣ୍ଣାନାନୁଯାୟୀ ପରର୍ତ୍ତୀ ଅବସ୍ଥାରେ ସମୁଦ୍ରରେ ଭାସି ଆସିଥିବା ଦାରୁକୁ ନେଇ ଇନ୍ଦ୍ରଦୁ୍ୟମ୍ନ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ଆଦି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଗଠନ କରାଇଥିଲେ । ଏହା ପରସ୍ପର ବିରୋଧୀ ବିବରଣୀ ନୁହେଁ କି? ଯଦି ସମୁଦ୍ରରେ ଭାସି ଆସୁଥିବା ଦାରୁକୁ ନେଇ ପ୍ରଥମଥର ପାଇଁ ଜଗନ୍ନାଥଙ୍କ ମୂର୍ତ୍ତି ଗଠନ କରାଗଲା, ତେବେ ତା ପୂର୍ବରୁ ଇନ୍ଦ୍ରଦୁ୍ୟମ୍ନ ଜଗନ୍ନାଥଙ୍କ ଅସ୍ତିତ୍ୱ ସମ୍ପର୍କରେ ସଚେତନ ହେଲେ କିପରି? ଏଥିରୁ ମନେହୁଏ ଯେ ଜଗନ୍ନାଥ ପୁରୀରେ ସଂସ୍ଥାପିତ ହେବାପରେ ଅନେକ କାଳ୍ପନିକ ଉପାଖ୍ୟାନମାନ ସୃଷ୍ଟି କରାଯାଇ ଜଗନ୍ନାଥଙ୍କର ପ୍ରାଚୀନତା ଓ ବୈଷ୍ଣବତ୍ୱ ପ୍ରମାଣ କରିବା ପାଇଁ ଉଦ୍ୟମ କରାଯାଇଛି । ଶବରମାନଙ୍କ ଉପାସ୍ୟ ଦେବତା ଜଗନ୍ନାଥଙ୍କୁ ବ୍ରାହ୍ମଣଧର୍ମର ଦେବତା ରୂପେ ଗ୍ରହଣ କରାଗଲାବେଳେ ଏହିପରି କିଛି କାଳ୍ପନିକ ଉପାଖ୍ୟାନର ଆବଶ୍ୟକତା ହୁଏତ ଉପଲବ୍ଧି କରାଯାଇଥିଲା । ସ୍କନ୍ଦ ପୁରାଣ, ବିଷ୍ଣୁପୁରାଣ ଓ ବ୍ରହ୍ମପୁରାଣ ଆଦିରେ ମୂଳତଃ ଇନ୍ଦ୍ରଦୁ୍ୟମ୍ନଙ୍କ କର୍ତ୍ତୃକ ମାଧବ ଉପାସନାର ପ୍ରତୀକ ନୀଳମାଧବଙ୍କର ଅନୁସନ୍ଧାନ, ଅନ୍ତର୍ଦ୍ଧାନ ବିଷୟରେ ବର୍ଣ୍ଣନା ରହିଛି । 
କିନ୍ତୁ ଜଗନ୍ନାଥ ଓ ନୀଳମାଧବ ପରସ୍ପର ଠାରୁ ପୃଥକ ଓ ସ୍ୱତନ୍ତ୍ର । ଅନେକ ଗବେଷକ ଜଗନ୍ନାଥଙ୍କ ଉତ୍ପତ୍ତି ବିଷୟରେ ଚିନ୍ତା କଲାବେଳେ ନୀଳମାଧବଙ୍କୁ ତାହାଙ୍କ ପୂର୍ବରୂପ ବୋଲି ମତ ଦେଇଛନ୍ତି । ପଣ୍ଡିତ ନୀଳକଣ୍ଠ ଦାସ ଏ ସମ୍ପର୍କରେ ଆଲୋଚନାକରି କହିଛନ୍ତି - "ଆଦ୍ୟରେ ଏହି ନୀଳ ପ୍ରସ୍ତର ରୂପରେ ଜଗନ୍ନାଥ କେବଳ ନୀଳମାଧବ ନାମରେ ପରିଚିତ ହୋଇଥିଲେ ।' ପଣ୍ଡିତ ସୂର୍ଯ୍ୟନାରାୟଣ ଦାସ ଏହି ମତକୁ ସମର୍ଥନ କରି ଉଲ୍ଲେଖ କରିଛନ୍ତି "ପୁରୁଷୋତ୍ତମ କ୍ଷେତ୍ରରେ ଜଗନ୍ନାଥଙ୍କ ଆବିର୍ଭାବ ପୂର୍ବରୁ ନୀଳମାଧବ ହିଁ ପୀଠଦେବତା ବା ପ୍ରଧାନ ଦେବତା ରୂପେ ପୂଜା ପାଉଥିଲେ । ତେଣୁ ଯଯାତିଙ୍କ ଆବିର୍ଭାବ ପୂର୍ବରୁ ପୁରୀରେ ନୀଳମାଧବଙ୍କ ଉପାସନା ପ୍ରଚଳିତ ଥିଲା । ନୀଳମାଧବ ଅନ୍ତର୍ହିତ ହେବାରୁ ଯଯାତି ଜଗନ୍ନାଥଙ୍କୁ ସୋନପୁରରୁ ଆଣି ପୁରୀରେ ପ୍ରତିଷ୍ଠା କରାଇଥିଲେ ।  ଡକ୍ଟର ଭଗବାନ ପଣ୍ଡା "କପିଳସଂହିତା'ରୁ ଉଦ୍ଧାର କରି ମତବ୍ୟକ୍ତ କରିଛନ୍ତି ଯେ ମାଧବ ହେଉଛନ୍ତି ନୀଳାଚଳପତି ପୁରୁଷୋତ୍ତମ ଜଗନ୍ନାଥ । "ନୀଳାଚଳ ବରେ ବିପ୍ରା ପୁର ନୀଳାଷ୍ମରୂପ ଧ୍ୱକ, ଇଦାନୀଂ ତୁ ଜଗନ୍ନାଥୋ ଭାରି ଦାରବ ଲୀଳୟା ।' (କପିଳ ସଂହିତା)
ଯୁଧିଷ୍ଠିର ମହାରଣା