ନବୀନଙ୍କୁ ସିଧା ଶୁଣାଇଲେ ବରିଷ୍ଠ ନେତା : ‘ଚାକିରି କରିନୁ ଯେ, ନାଲିଆଖି ଦେଖାଇବେ’


ଭୁବନେଶ୍ୱର:  ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଭାବିଥିଲେ, ବିବୃତି ପରେ ଦଳରେ ଅସନ୍ତୋଷ ଥମିଯିବ । ହେଲେ ପାଣ୍ଡିଆନ୍ଙ୍କ ପରାମର୍ଶରେ ନବୀନ ଯେଉଁ ବିବୃତି ଜାରି କରିଥିଲେ ତାହାକୁ ନେଇ ବିଜେଡ଼ି ନେତା ଓ କର୍ମୀଙ୍କ ମନରେ କ୍ଷୋଭ ଆହୁରି ବଢ଼ିଯାଇଛି । ଏମିତିକି ପାଣ୍ଡିଆନ୍ ପ୍ରୀତି ପାଇଁ ନବୀନଙ୍କୁ ବି ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ ଓ ଡାକ୍ତର ନୃସିଂହ ସାହୁ । ସିଧାସିଧା କହିଛନ୍ତି ଯେ ଆମେ ଚାକିରିଆ ନୋହୁଁ ଯେ ସବୁବେଳେ ଦଳର ସଭାପତିଙ୍କ ଅନୁମତି ନେବୁ ।
କଟକ ପରେ ପରେ ଏବେ ଢ଼େଙ୍କାନାଳର ବରିଷ୍ଠ ନେତାମାନେ ନବୀନଙ୍କୁ ଆହ୍ୱାନ ଦେଇଛନ୍ତି । ସେମାନଙ୍କ ମତକୁ ଅନୁଶୀଳନ କଲେ ଏହା ସ୍ପଷ୍ଟ ଭାବେ କୁହାଯାଇପାରିବ ଯେ, ଯେ ପର୍ଯ୍ୟନ୍ତ ପାଣ୍ଡିଆନ୍ ବିଜେଡ଼ିରେ ମାମଲାତି କରୁଥିବେ ସେ ପର୍ଯ୍ୟନ୍ତ ଅନେକ ବରିଷ୍ଠ ନେତା ଆଉ ନବୀନଙ୍କ କଥା ଶୁଣିବେ ନାହିଁ । ଦେବାଶିଷ ସାମନ୍ତ ରାୟ ଓ ପ୍ରଭାତ ତ୍ରିପାଠୀଙ୍କ ପରେ ପରେ ପ୍ରଫୁଲ୍ଲ ଓ ନୃସିଂହଙ୍କ ମନ୍ତବ୍ୟ ବିଜେଡ଼ି ଅଳିନ୍ଦରେ ଆଲୋଡ଼ନ ସୃଷ୍ଟି କରିଛି । ଆଗାମୀ ଦିନରେ ବିଜେଡ଼ିରେ ପାଣ୍ଡିଆନ୍ ନିଅାଁ ହୁତୁ ହୁତୁ ହୋଇ ଜଳିବ ବୋଲି ଆଶଙ୍କା କରାଯାଉଛି ।
ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି ଯେ, ଯେହେତୁ ଆମେ ରାଜନେତା ଏବଂ ବରିଷ୍ଠ ଘରେ ବସିଲେ ଆମକୁ କ’ଣ ଭଲ ଲାଗିବ କି । ତେଣୁ ଆମେ କାହା ପାଖରେ ବସାଉଠା କଲୁ କି କାହା ସହିତ ଆଲୋଚନା କଲୁ ସେ ଅନୁମତି ବି କ’ଣ ସଭାପତିଙ୍କ ଠାରୁ ନବାକୁ ପଡ଼ିବ କି? ଆମେ ଦଳର ହିତ ସାଧନ ପାଇଁ ଆଲୋଚନା କରୁଛୁ । ସେହିପରି ଦଳୀୟ କାର୍ଯ୍ୟକ୍ରମରୁ ମୁଁ ଅବ୍ୟାହତି ନେଇ ସାରିଛି ବୋଲି ପାଣ୍ଡିଆନ୍ କହି ବୁଲୁଥିବା ବେଳେ ସେ ସମସ୍ତଙ୍କ ସାମ୍ନାରେ ଆସି ସ୍ପଷ୍ଟ କରନ୍ତୁ ବୋଲି କହିଛନ୍ତି । ଯଦି ଏହି କଥା ସେ ସିଧାସଳଖ ସର୍ବସମ୍ମୁଖରେ କହିଦିଅନ୍ତେ ତେବେ ସମସ୍ତ ଆଲୋଚନା ପର୍ଯ୍ୟାଲୋଚନାରେ ଯବନିକା ପଡ଼ି ଯା’ନ୍ତା । କିନ୍ତୁ ପାଣ୍ଡିଆନ୍ ନିଜେ କୌଣସି ସ୍ପଷ୍ଟ କରୁନାହାନ୍ତି । କାହିଁକି ନା ପାଣ୍ଡିଆନ୍ ଫ୍ୟାକ୍ଟର୍କୁ କେହି ଗ୍ରହଣ କରୁନାହାନ୍ତି । ନବୀନ ବାବୁ କହିଛନ୍ତି ଆମ ଦଳ ସବୁବେଳେ ଧର୍ମ ନିରପେକ୍ଷ ଦଳ । ଆଉ ଲୋକେ ଏହି ଫ୍ୟାକ୍ଟର୍କୁ ହିଁ ବିଶ୍ୱାସ କରନ୍ତି, କିନ୍ତୁ ପାଣ୍ଡିଆନ୍ ଫ୍ୟାକ୍ଟର୍କୁ ବିଶ୍ୱାସ କରନ୍ତି ନାହିଁ । ଆମେ ଗଣତନ୍ତ୍ର ଉପରେ ବିଶ୍ୱାସ କରୁ । ଆମେ କ’ଣ ଅନ୍ୟଙ୍କ ଭଳି ଚାକିରି ବାକିରି କରିଛୁ ନା କ’ଣ । ଦଳ ଗୋଟିଏ ବିଶ୍ୱାସରେ ଚାଲେ ଆଉ ଏଥିରେ ନାଲି ଆଖି କିଏ କାହାକୁ ଦେଖାଏନି । ସେହିପରି ୱାକ୍ଫ ନିଷ୍ପତ୍ତି ବଦଳାଇବା ଭଳି ଅନ୍ତର୍ଘାତି କାମ କିଏ କଲା ତାକୁ ଚିହ୍ନଟ ହେବା ଦରକାର ବୋଲି ସେ କହିଛନ୍ତି । ସେହିପରି ଡାକ୍ତର ନୃସିଂହ ସାହୁ ମଧ୍ୟ ପ୍ରଫୁଲ୍ଲଙ୍କ କଥାରେ ଏକମତ ହୋଇଛନ୍ତି । କିଏ କୋଉଠି ଚା’ ପାଇଁ ଡାକିଲା, କିଏ କୋଉଠି କଥାବାର୍ତ୍ତା ହବା ପାଇଁ ଡାକିଲା ସେ ବିଷୟରେ କ’ଣ ପାର୍ଟି ନିଷ୍ପତ୍ତି ନବ ନା ପାର୍ଟି ସଭାପତି ନିଷ୍ପତ୍ତି ନେବେ? ତେଣୁ କେଉଁଠି ବସିଲୁ ଉଠିଲୁ ସେସବୁ ବିଷୟରେ ଶଙ୍ଖ ଭବନରେ ଆଲୋଚନା କରିବା ଦରକାର ନାହିଁ । ପାଣ୍ଡିଆନ୍ ବିଷୟରେ ସେ ମଧ୍ୟ କହିଛନ୍ତି ଯେ, ସେ ସରକାରୀ ଚାକିରିରେ ଥିବା ସମୟରେ ସରକାରୀ କାର୍ଯ୍ୟକ୍ରମକୁ ବହୁଳ କରିଛନ୍ତି । କିନ୍ତୁ ଦଳରେ ଯୋଗ ଦେବା ପରେ ଲୋକେ ତାଙ୍କୁ ଗ୍ରହଣ କଲେ ନାହିଁ । ଆଉ ବିଜେଡି ହାରିବାର ଏହା ହେଉଛି ପ୍ରମୁଖ କାରଣ । ଅପରପକ୍ଷେ ଅଶ୍ୱୀନୀ ପାତ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ, ଯଦି କାହା ମନରେ କିଛି ସନେ୍ଦହ ଅଛି, ସେ ବରିଷ୍ଠ ହୁଅନ୍ତୁ ଅବା ଅନ୍ୟ କେହି ସେମାନେ ସିଧାସଳଖ ନବୀନଙ୍କ ସହିତ ଆଲୋଚନା କରିବା ଦରକାର । ଫଳରେ ଉପୁଜିଥିବା ସମସ୍ୟାର ସିଧାସଳଖ ସମାଧାନ ହୋଇଯା’ନ୍ତା । ହେଲେ ଏଠି ସେଠି ଆଲୋଚନା କରିବାଟା ଠିକ୍ ନୁହେଁ ।