ମର୍ଜିରେ ଧାନ କିଣୁଛନ୍ତି ମିଲର ଓ ସମବାୟ ସମ୍ପାଦକ

ଯାଜପୁର ଟାଉନ: ମନମର୍ଜିରେ ଧାନ କିଣୁଛନ୍ତି ମିଲର ଓ ସମବାୟ ସମିତି ସମ୍ପାଦକ । ଆରମ୍ଭରୁ ଏଯାବଦ ଧାନମଣ୍ଡି ଅବ୍ୟବସ୍ଥାରେ ଚାଲିଛି । ମିଛସତ ପ୍ରଚାର କରି ମିଲର ଏବଂ ସମବାୟ ସମିତି ଚାଷୀଙ୍କ ଠାରୁ ୪ରୁ ୨୪ ବେରୀ ଧାନା ସ୍ଥଳ ବିଶେଷରେ କାଟି ନେଉଛନ୍ତି । କଟନୀ ଛଟନୀ ଉପରେ ଅଙ୍କୁଶ ଲାଗୁନି । ଏଭଳି ଅଭିଯୋଗ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଅଣାଯାଇ ଜିଲ୍ଲା ପ୍ରଶାସନକୁ ଦାବିପତ୍ର ପ୍ରଦାନ କରାଯାଇଛି । ସଂଗଠନର ରାଜ୍ୟ ସହସଂଯୋଜକ ନିମାଇଁ ରାୟଙ୍କ ସହ ମାଧବାନନ୍ଦ ଶାନ୍ତି, ବଲ୍ଲଭ ଜେନା, ବ୍ରହ୍ମାନନ୍ଦ ଦାସ, ସୁବ୍ରତ ସାହୁ, ଧନଞ୍ଜନ ବିଶ୍ୱାଳ, ଶ୍ରୀଧର ମହଲ, ବିରବର ଜେନା, ସଦର୍ଶନ ଜେନା ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନାଙ୍କୁ ଭେଟି ପ୍ରଦାନ କରିଥିବା ଦାବିପତ୍ରରେ କୁହାଯାଇଛି କି ଗତ ୨୭ଜାନୁୟାରୀ ରାତିରେ ଦୀର୍ଘ ଦେଢ ଘଣ୍ଟାରୁ ଊଦ୍ଧ୍ୱର୍ ସମୟ ମୁଖମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେ.ଭି ସିଂଦେଓ ଓ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଉପସ୍ଥିତରେ ଚାଷ ଓ ଚାଷୀ ସମସ୍ୟା ବିଷୟରେ ସମସ୍ତ ଆଲୋଚନା ହୋଇଥିଲା । 
ମୁଖମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଚାଷ ଓ ଚାଷୀକୁ ଗୁରୁତ୍ୱ ଦେବାସହ ମଣ୍ଡିରେ କଟ୍ନୀଛଟ୍ନୀ ସମସ୍ୟା ସଂପୂର୍ଣ୍ଣ ବନ୍ଦ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏହାକୁ ବନ୍ଦ କରିବା ପରିବର୍ତେ ମିଲର ଓ ସମବାୟ ସମ୍ପାଦକ ସହଜରେ ଧାନ କାଟି ନେଉଛନ୍ତି । ସମସ୍ୟାର ସମାଧାନ ପାଇଁ ସମସ୍ତଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନନାହିଁ । ମିଲର ଓ ସମବାୟ ସମ୍ପାଦକ ଚାଷୀଙ୍କ ଠାରୁ ନିଜ ମର୍ଜ୍ଜିରେ ଧାନ କିଣୁଛନ୍ତି । ଯେଉଁଥିରେ ଧାନକିଣାରେ ଶହ ଶହ କୋଟି ଟଙ୍କାର ଦୁର୍ନିତି ହୋଇଛି । ଅକ୍ଷୟ କୁମାରଙ୍କ ଅନଶନକୁ ବହୁ ସାମାଜିକ କର୍ମି, ପୂର୍ବତନ ବିଧାୟକ, ଯୁବକ ଛାତ୍ର ଅନଶନସ୍ଥଳକୁ ଆସି ନୈତିକ ସମର୍ଥନ ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ଚାଷୀ ନେତା ଅକ୍ଷୟ କୁମାରଙ୍କ ସହ ଯାହା ଆଲୋଚନା କରିବା କଥା ତାହା କରିନାହାନ୍ତି । ଏଣୁ ଜିଲ୍ଲାର ଚାଷୀମାନେ ଦାବି କରିଛନ୍ତି ଯେ, ସରକାର ଏସମସ୍ୟାର ସମାଧାନ ପାଇଁ ଚାଷୀମାନଙ୍କ ସହ ଆଲୋଚନା କରି ତୁରନ୍ତ ରାସ୍ତା ବାହାର କରନ୍ତୁ, ନଚେତ୍ ବଡଧରଣ ପ୍ରତିବାଦ କରାଯିବ ବୋଲି ଚେତାବନୀ ଦିଆଯାଇଛି ।