ରଥରେ ନିଅାଁ ଲାଗିବା ଘଟଣା : ଶ୍ରୀମନ୍ଦିର ଅନୁମତି ପରେ ନିଷ୍ପତ୍ତି
ସୁକିନ୍ଦା: ବାଣ ନିଆଁରେ ରଥରେ ଅଗ୍ନିକାଣ୍ଡ ଘଟଣାରେ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ନିଦେ୍ର୍ଦଶ କ୍ରମେ ସିଦ୍ଧାନ୍ତ ନେବାକୁ ସ୍ଥିର ହୋଇଛି । ଗତ ୧୨ତାରିଖ ବିଳମ୍ବିତ ରାତିରେ ଏକ ଶୋଭାଯାତ୍ରାରେ ବାଣ ଫୁଟାଇବା ସମୟରେ ରଥରେ ଅଗ୍ନିକାଣ୍ଡ ଘଟିଥିଲା । ପୋଡ଼ା ରଥରେ ଯାତ୍ରା ହେବକି ନାହିଁ ସେ ସମ୍ପର୍କରେ ବିଭିନ୍ନ ମତ ପ୍ରକାଶ ପାଇଥିଲା । ଏହାର ସମାଧାନ ପାଇଁ ଦେବୋତର ବିଭାଗ ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ ଜଗନ୍ନାଥ ମନ୍ଦିର ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦେବୋତର ବିଭାଗ ମୁଖ୍ୟ ତଥା ସୁକିନ୍ଦା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜାସାହେବ ଭୂଦେବଭୂପତି ହରିଚନ୍ଦନ ମହାପାତ୍ର, ଅତିରିକ୍ତ ତହସିଲଦାର, ଆରଆଇ ବ୍ରାହ୍ମଣ ସେବାୟତ, ପୂଜା ପଣ୍ଡା, ଦେବୋତର କମିଟି ସଦସ୍ୟ, ରମଣୀରଞ୍ଜନ ବଳସାମନ୍ତ, ରାଇଚରଣ ମହାନ୍ତି, ବିଶ୍ୱଜିତ୍ ବେହୁରା, ବିମଳେନ୍ଦୁ ବେହୁରା, ମାନସ ମହାନ୍ତିଙ୍କ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ । ଆସନ୍ତା ସୋମବାର ଦିନ ଏକ ପ୍ରତିନିଧି ଦଳ ଶ୍ରୀମନ୍ଦିର ଯାଇ ମୁକ୍ତିମଣ୍ଡପ ସହ ଘଟଣା ସମ୍ପର୍କରେ ଆଲୋଚନା କରିବା ପରେ ନିଷ୍ପତି ନେବାକୁ ସ୍ଥିର ହୋଇଛି ।