ଚୋରି ମାମଲାରେ ୩ କୋର୍ଟ ଚାଲାଣ

 ବ୍ୟାସନଗର : ଚୋରି ମାମଲାରେ ଯାଜପୁର ରୋଡ଼ ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । କୋର୍ଟ ଚାଲାଣ ହୋଇଥିବା ଅଭିଯୁକ୍ତ ପୌରାଂଚଳ ଲକ୍ଷ୍ମୀନଗର ହୁଡିସାହିର ବିନୋଦ ପାତ୍ର (୨୨), ଟୁକୁଲୁ ଜେରାଇ ଓରଫ ଲେବ ଏବଂ ପନାସିଆ ଗ୍ରାମର ଏସକେ ନୂର ଇସଲାମ (୪୨) ବୋଲି ପୁଲିସ ସୂଚନା ରହିଛି । ପୁଲିସ କହିବା ମତେ ବ୍ୟାସନଗର କଲେଜ ପଛପଟେ ରହୁଥିବା ମିନାକ୍ଷୀ ସାହୁ(୫୦)ଙ୍କ ଘରେ ଗତ ୧୭ ତାରିଖ ରାତିରେ ଦୁବୃର୍ତ ପଶି ଏକ ପାଣି ମୋଟର ଏବଂ ଲୁହା ରଡ଼ ଚୋରି କରି ନେଇଥିଲେ । ମିନାକ୍ଷୀଙ୍କ ଏତଲା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଘରେ ଲାଗିଥିବା ସିସି ଟିଭି ଫୁଟେଜକୁ ଆଧାର କରି ପୁଲିସ ଚୋର ବିନୋଦ ଓ ଟୁକୁଲୁକୁ ଗିରଫ କରିଥିଲା । ସେମାନଙ୍କୁ ପଚରା ଉଚରା ପରେ ଚୋରି ସାମଗ୍ରୀ ଏସକେ ନୂର ଇସଲାମକୁ ବିକ୍ରି କରିଥିବା ମାନିଥିଲେ । କୋର୍ଟ ଚାଲାଣ ଅଭିଯୁକ୍ତ ଟୁକୁଲ ନାମରେ ଯାଜପୁର ରୋଡ଼ ଥାନାରେ ୧୧ ଗୋଟି ମାମଲା ରହିଥିବା ପୁଲିସ ପକ୍ଷରୁ କୁହାଯାଇଛି ।