ଟ୍ରକ ଧକ୍କାରେ ଯୁବକ ମୃତ କ୍ଷତିପୂରଣ ଦାବିରେ ରାସ୍ତାରୋକ
ବିଞ୍ଝାରପୁର/ସିଂହପୁର: ବିଞ୍ଝାରପୁର ଥାନା ଅନ୍ତର୍ଗତ ଫତେପୁର ସ୍ଥିତ ଉଲିମଠ ଠାରେ ଏକ ଟ୍ରକ ଧକ୍କାରେ ମଲିଆ ଗ୍ରାମର ଗିରଶ ସେଠୀଙ୍କ ପୁଅ ହିମାଶୁଂ ସେଠୀ(୨୩)ଙ୍କର ମୃତୁ୍ୟ ଘଟିଛି ।
ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା । ମୃତକଙ୍କ ପରିବାରକୁ କ୍ଷତିପୁରଣ ଦାବିରେ ଗ୍ରାମବାସୀମାନେ ଯାଜପୁର-ସିଂହପୁର ରାସ୍ତ ଅବରୋଧ କରିଥିଲେ । ସୂଚନା ଅନୁସାାରେ, ଗୁରୁବାର ରାତିରେ ହିମାଶୁଂ (ଓଡି ୩୪ ଏନ ୧୮୩୮) ନାଲି ରଙ୍ଗର ସ୍କୁଟି ନେଇ ବାଳମୁକୁଳି ବଜାର ଅଭିମୁଖେ ଯାଉଥିବା ବେଳେ ଅପର ପଟୁ ଆସୁଥିବା ଏକ ମାଲବାହି ଟ୍ରକ (ଓଆର ୦୯ ବି ୫୮୯୯) ଉଲିମଠ ଛକ ଠାରେ ତାଙ୍କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ହିମାଶୁଂଙ୍କ ମୃତୁ୍ୟ ହୋଇଥିଲା । ସ୍ଥାନୀୟ ଲୋକେ ମୃତ ଦେହକୁ ରାସ୍ତାରେ ରଖି ରାତିରେ ରାସ୍ତା ଅବରୋଧ କରିଥିଲେ । ଖବର ପାଇ ବିଞ୍ଝାରପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ଦୀର୍ଘ ୬ ଘଣ୍ଟା ପରେ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଦୁର୍ଘଟଣା ଘଟାଇଥିବା ଟ୍ରକ ସିଂହପୁର ଅଞ୍ଚଳରୁ ଜବତ କରିଥିବା ବେଳେ ଚାଳକଙ୍କୁ ମଧ୍ୟ ଗିରଫ କରିଥିଲା । ଶୁକ୍ରବାର ଅପରାହ୍ନରେ ମୃତଦେହ ବ୍ୟବଚ୍ଛେଦ ହୋଇ ଫେରିବା ପରେ ଗ୍ରାମବାସୀ କ୍ଷତିପୁରଣ ଦାବିରେ ଟାୟାର ଜାଳି ପୋଖରୀ ଛକ ନିକଟରେ ମୃତ ଦେହ ରଖି ପୁଣି ରାସ୍ତା ଅବରୋଧ କରିଥିଲେ । ଖବର ପାଇ ବିଞ୍ଝାରପୁର ଥାନା ପୁଲିସ, ତହସିଲଦାର ପ୍ରମୁଖ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ମୃତକଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ୨୦ ହଜାର ଟଙ୍କା ଆର୍ଥୀକ ସହାୟତା ପ୍ରଦାନ କରିଥିବା ବେଳେ ଦୁର୍ଘଟଣା ଘଟାଇଥିବା ଟ୍ରକର ମାଲିକ ମଧ୍ୟ ମୃତକଙ୍କ ପରିବାରକୁ ଆର୍ଥୀକ ସହାୟତା ପ୍ରଦାନ କରିଥିଲେ । ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା । ଏହି ଘଟଣାକୁ ନେଇ ଚାପା ଉତ୍ତେଜାନ ଲାଗି ରହିଛି । ଏହି ଘଟଣାରେ ଟ୍ରକ ଚାଳକଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।