‘ଇତିହାସ ଓ ସଂସ୍କୃତିର ମିଳନ ପୀଠ ଦୌଡେଶ୍ୱର ମନ୍ଦିର’


ାା ପ୍ରଭାନୁ୍ୟଜ ।ା ଢେଙ୍କାନାଳ,: ଢେଙ୍କାନାଳ ଜିଲ୍ଲା ମହିମାଗାଦୀ ଯୋରନ୍ଦା ଠାରୁ ଅଳ୍ପ ଦୂରରେ ପବିତ୍ର ପାବନୀ ବ୍ରାହ୍ମଣୀ ଅବବାହିକାରେ କରମୂଳ ଗ୍ରାମରେ ଅବସ୍ଥିତ ଦୌଡେଶ୍ୱର ମନ୍ଦିର । ଏହାର ଅଧିଶ୍ୱର ଭାବେ ପୂଜା ପାଆନ୍ତି ଶ୍ରୀ ଶ୍ରୀ ଦୌଡେଶ୍ୱର ମହାଦେବ । ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଯେତିକି ଆକର୍ଷଣୀୟ ଏହାର ଇତିହାସ ମଧ୍ୟ ଖୁବ୍ ପ୍ରାଚୀନ । ଏହି ମନ୍ଦିରର ତିନି ପାଶ୍ୱର୍ରେ ବ୍ରାହ୍ମଣୀ କୁଳୁକୁଳୁ ନାଦ କରି ବହିଯାଉଥିବା ବେଳେ ମନ୍ଦିର ଠାରୁ କିଛି ଦୂରରେ ଶୋଭାପାଉଛି ଅଶ୍ୱଖୋଲାର ଏକାଧିକ ପର୍ବତମାନଙ୍କର ଘଞ୍ଚ ସଂରକ୍ଷିତ ଜଙ୍ଗଲ । ଢେଙ୍କାନାଳ ରାଜ୍ୟ ପ୍ରତିଷ୍ଠା ସହିତ ଏହି ମନ୍ଦିରର ନିବିଡ ସଂପର୍କକୁ ଇତିହାସ ମଧ୍ୟ ସମର୍ଥନ କରେ । କିଛି ଐତିହାସିକଙ୍କ ମତରେ ଗଜପତି ପ୍ରତାପ ରୁଦ୍ର ଦେବଙ୍କ ଦ୍ୱାରା ନିଯୁକ୍ତ ହରିସିଂହ ବିଦ୍ୟାଧର ଏହି କରମୂଳ ପ୍ରଗଣାରେ ନିଜର ଶାସନ ପ୍ରତିଷ୍ଠା କରି ପରବର୍ତ୍ତୀ କାଳରେ ନିଜ ରାଜଧାନୀକୁ ବର୍ତ୍ତମାନର ଢେଙ୍କାନାଳ ଗଡକୁ ଉଠାଇ ଆଣିଥିଲେ । ପ୍ରତାପ ରୁଦ୍ରଦେବ ଦାକ୍ଷିଣାତ୍ୟରୁ ଆଣିଥିବା ଦୁଇଟି ଗଣେଶ ମୂର୍ତ୍ତି ମଧ୍ୟରୁ ଗୋଟିଏ ଏହି କରମୂଳ ଅଞ୍ଚଳରେ ସ୍ଥାପିତ କରିଥିଲେ ବୋଲି ଲୋକକଥା ଅଛି । ତେଣୁ ଗଜପତି ପ୍ରତାପରୁଦ୍ରଙ୍କ ଦାକ୍ଷିଣାତ୍ୟ ଅଭିଯାନର ମୂକସାକ୍ଷୀ ଭାବରେ କରମୂଳର ସଂପର୍କ ଓ ନିକଟରେ ଥିବା ଗଣେଶଖୋଲାର ଗଣେଶ ମନ୍ଦିରକୁ ଗ୍ରହଣ କରାଯାଏ । ମାତ୍ର କରମୂଳ ଗ୍ରାମରେ ବ୍ରାହ୍ମଣୀ ନଦୀଧାରକୁ ଲାଗି ଅବସ୍ଥିତ ଦୌଡେଶ୍ୱର ମହାଦେବଙ୍କ ମନ୍ଦିରଟି ଆହୁରି ପ୍ରାଚୀନ ବୋଲି ଗବେଷକମାନେ ମତ ଦିଅନ୍ତି । ସପ୍ତମ, ଅଷ୍ଟମ ଶତାବ୍ଦୀ ବେଳକୁ ଭୌମକର ଓ ଶୁଳ୍କିମାନଙ୍କ ଶାସନ ସମୟରେ ଏହି ମନ୍ଦିରଟି ନିର୍ମିତ ହୋଇଥିବାର ଅନୁମାନ କରାଯାଏ । ତେବେ ଏହି ପୁରାତନ ପୀଠଟି ଦେବୋତ୍ତର ଅଧୀନରେ ଥିଲେ ମଧ୍ୟ ଏହାର ଉନ୍ନତି ଯେତିକି ହେବା କଥା ସେତିକି ହୋଇପାରିନାହିଁ ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । 
 ଆଜି ଢେଙ୍କାନାଳ ଐତିହ୍ୟ ପଦଯାତ୍ରାର ପଞ୍ଚଦଶ ସଂସ୍କରଣରେ ଆବାହକ ଅଧ୍ୟାପକ ସୁରେଶ ପ୍ରସାଦ ମିଶ୍ରଙ୍କ ଆବାହକତ୍ୱରେ ଐତିହ୍ୟ ପଦଯାତ୍ରୀମାନେ ଦୌଡେଶ୍ୱର ମନ୍ଦିର ପରିଦର୍ଶନ କରି ଢେଙ୍କାନାଳର ପ୍ରାଚୀନ ଇତିହାସ ଓ ସଂସ୍କୃତିର ପ୍ରତୀକ ଏହି ଦୌଡେଶ୍ୱର ମହାଦେବ ପୀଠ ପରିଦର୍ଶନ କରି ତଥ୍ୟ ସଂଗ୍ରହ କରିଥିଲେ । ପଦଯାତ୍ରୀମାନଙ୍କୁ ମନ୍ଦିର ପରିଚାଳନା କମିଟିର ବରିଷ୍ଠ ସଦସ୍ୟ ମନୋରଂଜନ ବେହେରା ଓ ପୂଜକ ମନୋଜ କୁମାର ଦାଶ ସ୍ୱାଗତ କରି ପୀଠର ଇତିହାସ, ପରମ୍ପରା, କିମ୍ବଦନ୍ତୀ ଓ ରୀତିନୀତି ସଂପର୍କରେ ବିସ୍ତ୍ରୃତ ସୂଚନା ଦେଇଥିଲେ । ଏହି ଅବସରରେ ସରକାରୀ ଚାକିରିରୁ ଅବସର ଗ୍ରହଣ କରିଥିବା ଐତିହ୍ୟ ପଦଯାତ୍ରାର ବରିଷ୍ଠ ସଦସ୍ୟ ବଦ୍ରିନାଥ ଜେନାଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରା ଯାଇଥିଲା ଓ ସଦସ୍ୟ ମାନଙ୍କ ଦ୍ୱାରା ମନ୍ଦିର ପରିସରରେ ବୃକ୍ଷ ରୋପଣ କରା ଯାଇଥିଲା ।  ଆଜିର ପଦଯାତ୍ରାରେ ପ୍ରସନ୍ନ କୁମାର ପଟ୍ଟନାୟକ, କଟକ ହେରିଟେଜ ୱାକ୍ର ବରିଷ୍ଠ ସଦସ୍ୟ ବିଶ୍ୱ ରଂଜନ ଦେହୁରୀ, ରମେଶ ପତି, ବିପିନ ବିହାରୀ ପାଣି, ଅଞ୍ଜଳି ପଟ୍ଟନାୟକ, ସ୍ୱର୍ଣ୍ଣପ୍ରଭା ସେଠୀ, ନାରାୟଣ ପଟ୍ଟନାୟକ, ଲକ୍ଷ୍ମୀ ନାରାୟଣ ତ୍ରିପାଠୀ, ଜନ୍ମେଜୟ ରାଉତ, ପ୍ରଶାନ୍ତ କୁମାର ତ୍ରିପାଠୀ, ସୁନୀତା ମହାପାତ୍ର,ସୁରେଖା ପଣ୍ଡା ଏବଂ ଆଦିତ୍ୟ ମିଶ୍ର, ବିଶ୍ୱଜିତ ଶତପଥୀ, ପିୟୁଷ ଅଗ୍ରୱାଲ, ବିକାଶ ପ୍ରଧାନ, ମନୋଜ ପରିଡା, ମନୋରଞ୍ଜନ ବେହେରା, ସୁଜିତ କୁମାର ଦେବତା, ଅର୍ଚ୍ଚନା ବେଜ୍, କ୍ଷମାମୟୀ ବେହେରା, ଜ୍ୟୋତିର୍ମୟୀ ସେଠୀ, ପ୍ରାଚୀ ପ୍ରତିଷ୍ଣା ପଟ୍ଟନାୟକ ପ୍ରମୁଖ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ ।