ପୋଷ୍ଟାଲ ଭୋଟିଂ ପ୍ରକ୍ରିୟା ଜାରି

 ଜଗତସିଂହପୁର, : ଜଗତସିଂହପୁର ଜିଲ୍ଲାରେ ଆସନ୍ତା ଜୁନ୍ ୧  ତାରିଖରେ ଏକକାଳୀନ ସାଧାରଣ ନିର୍ବାଚନ ନିମନ୍ତେ ଭୋଟ ଗ୍ରହଣ କରାଯିବ । ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହୋଇ ମତଦାନ କରିବା ପାଇଁ ଜିଲ୍ଲାସ୍ତରରେ ଜିଲ୍ଲାପାଳ ଅନୁପମ ସାହାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବିଭିନ୍ନ କାର୍ଯ୍ୟାଳୟର ଅଧିକାରୀ ଓ କର୍ମ·ରୀ ଯେଉଁମାନେ  ଅତ୍ୟାବଶ୍ୟକୀୟ ସେବାରେ ନିୟୋଜିତ ହୋଇଛନ୍ତି । ସେମାନଙ୍କ ପାଇଁ ଜିଲ୍ଲାରେ ୨୦ଟି ଫାସିଲିଟେସନ ସେଣ୍ଟର ଖୋଲାଯାଇଛି । ଯେଉଁଠାରେ ଏହି ପଞ୍ଜୀକୃତ ଭୋଟର ମାନେ ମତଦାନ କରିପାରିବେ । ଜିଲ୍ଲାରେ ଗତ ୨୩ ତାରିଖ ଠାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି । ଯେଉଁଥିରେ ଆବଶ୍ୟକୀୟ ସେବା ଯଥା ସ୍ୱାସ୍ଥ୍ୟସେବା, ପୋଲିସ ସେବା, ବିଦୁ୍ୟତ୍ ସେବା, ଅଗ୍ନିଶମ ସେବା ଓ ଗଣମାଧ୍ୟମ ପ୍ରତିନିଧି,ନିର୍ବାଚନ କାର୍ଯ୍ୟରେ ନିୟୋଜିତ ପୋଲିଂ ଓ ପ୍ରିଜାଇଡିଂ ଅଧିକାରୀ ପ୍ରମୁଖ ନିଜର ମତଦାନ କରିଛନ୍ତି । ଜିଲ୍ଲାରେ ପୋଷ୍ଟାଲ ଭୋଟ ଜରିଆରେ ଭୋଟ ଦେବାକୁ ମୋଟ ୬୦୯୮ ଜଣ ପଞ୍ଜିକୃତ ହୋଇଛନ୍ତି । ଗତକାଲି ସୁଦ୍ଧା ୨୨୭୦ ଜଣ ଭୋଟର ପୋଷ୍ଟାଲ ବ୍ୟାଲଟ ଜରିଆରେ ମତଦାନ କରିଛନ୍ତି । ପୋଷ୍ଟାଲ ହୋମ ଭୋଟିଙ୍ଗ ଜରିଆରେ ଜିଲ୍ଲାରେ  ୬୭୬ଜଣ ବୟସ୍କ ନାଗରିକ ମାନେ ମତଦାନ କରିବା ପାଇଁ ୩୭ ଗୋଟି ହୋମ ଭୋଟିଙ୍ଗ ଟିମ୍ ନିୟୋଜିତ କରାଯାଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ସ୍ୱକୃତି ପ୍ରାପ୍ତ ଗଣମାଧ୍ୟମ ପ୍ରତିନିଧିମାନେ ଶୃଙ୍ଖଳିତ ଭାବେ ପୋଷ୍ଟାଲ ଭୋଟିଂ ଜରିଆରେ ନିଜର ମତଦାନ କରିଛନ୍ତି ।   ଉପଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଓ ଅତିରିକ୍ତ ଉପଜିଲ୍ଲାପାଳ ତଥା ପୋଷ୍ଟାଲ ଭୋଟିଂ ନୋଡାଲ ଅଫିସର ବିବୁଧ ଗଡନାୟକଙ୍କ ତତ୍ୱାବଧାନରେ ଏହି ଭୋଟିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।