ଚାହିଦା ଅନୁସାରେ ମିଳୁନି ମାଛ,ମାଂସ,ଅଣ୍ଡା,କ୍ଷୀର

ଚାହିଦା ଅନୁସାରେ ମିଳୁନି ମାଛ,ମାଂସ,ଅଣ୍ଡା,କ୍ଷୀର

 ଭୁବନେଶ୍ୱର : ରାଜ୍ୟରେ ୨୦୨୩-୨୪ ଆର୍ଥିକ ବର୍ଷରେ ୮,୫୮,୮୮୨ ମେଟ୍ରିକ ଟନ ମାଛର ଅବଶ୍ୟକତା ଥିବା ବେଳେ ଉକ୍ତ ବର୍ଷ ରାଜ୍ୟରେ ସମୁଦାୟ ୧୧,୨୩,୫୦୪ ମେଟ୍ରିକ ଟନ ମାଛ ଉତ୍ପାଦନ ହୋଇଥିଲା । ଭାରତୀୟ ଭେଷଜ ଅନୁସନ୍ଧାନ ସଂସ୍ଥା (ଓଉଗଜ) ର ତଥ୍ୟ ଅନୁଯାୟୀ ରାଜ୍ୟରେ ବାର୍ଷିକ ମୁଣ୍ଡପିଛା ୧୮୦ଟି ଅଣ୍ଡା, ୧୦.୮୦ କେଜି ମାଂସ ଓ ଦୈନିକ ୩୦୦ ଗ୍ରାମ କ୍ଷୀରର ଆବଶ୍ୟକତା ଥିବାବେଳେ ୨୦୨୩-୨୪ ବର୍ଷରେ ରାଜ୍ୟରେ ବାର୍ଷିକ ମୁଣ୍ଡପିଛା ୮୦ଟି ଅଣ୍ଡା, ୫.୨୦ କେଜି ମାଂସ ଓ ଦୈନିକ ୧୫୬ ଗ୍ରାମ କ୍ଷୀର ଉପଲବ୍ଧ ଅଛି ବୋଲି ବିଧାନସଭାରେ ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପ୍ରାଣିସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ବିଧାୟକ ପ୍ରଶାନ୍ତ କୁମାର ଜଗଦେବଙ୍କର ଏକ ପ୍ରଶ୍ନର ଉତ୍ତରରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ମନ୍ତ୍ରୀ କହିଛନ୍ତି ଓଡିଶାରେ ମଧୁର ମାଛର ଚାହିଦା ଅଧିକ ଥିବାରୁ ଚଳିତ ବର୍ଷ ୩୩,୪୨୪ ମେଟ୍ରିକ ଟନ ମାଛ ପଡୋଶୀ ରାଜ୍ୟ ମାନଙ୍କରୁ ଆମଦାନୀ କରାଯାଇ ଖାଉଟିଙ୍କ ଆବଶ୍ୟକତା ପୂରଣ କରାଯାଇଥିଲା । ସେଥିମଧ୍ୟରୁ ଆନ୍ଧ୍ରପ୍ରଦେଶ୍ ରାଜ୍ୟରୁ  ୩୧,୧୯୪ ମେଟ୍ରିକ ଟନ, ପଶ୍ଚିମବଙ୍ଗ ରାଜ୍ୟରୁ ୭୦୦ ମେଟ୍ରିକ ଟନ ଓ ଛତିଶଗଡ ରାଜ୍ୟରୁ ୧୫୩୦ ମେଟ୍ରିକ ଟନ ମାଛ ଆମଦାନୀ ହୋଇଥିଲା ।  ସେହିପରି ରାଜ୍ୟର ଚାହିଦା ମେଣ୍ଟାଇବା ପାଇଁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାରୁ ବାର୍ଷିକ ୯୦-୧୩୫ କୋଟି ଅଣ୍ଡା ଆମଦାନୀ ହେଉଛି । ସେହିପରି ଆମ ରାଜ୍ୟରୁ ପଶ୍ଚିମବଙ୍ଗ ଓ ଉତ୍ତର ପୂର୍ବ ରାଜ୍ୟ ଗୁଡ଼ିକୁ ବାର୍ଷିକ ପ୍ରାୟ ୯୦ କୋଟି ଅଣ୍ଡା ବାହାର ରାଜ୍ୟକୁ ପଠାଯାଉଥିବା କହିଛନ୍ତି । ଗୁଜୁରାଟର ଅମୁଲ ଡେରୀ, ଆନ୍ଧ୍ରପ୍ରଦେଶର ହେରିଟେଜ ଓ ବିଶାଖା ଡେରୀ, ପଶ୍ଚିମବଙ୍ଗର ମଦର ଡେରୀର ଦୁଗ୍ଧ ଓ ଦୁଗ୍ଧ ଜାତ ଦ୍ରବ୍ୟ ଓଡ଼ିଶାର ବଜାରରେ ବିକ୍ରି କରାଯାଉଛି । ରାଜ୍ୟରେ ଉତ୍ପାଦିତ ମାଂସ ରାଜ୍ୟ ମଧ୍ୟରେ ବ୍ୟବହୃତ ହୁଏ ଓ ବାହାର ରାଜ୍ୟରୁ ଆମଦାନୀ କରିବାକୁ ପଡିନଥାଏ ।