ରାଷ୍ଟ୍ରୀୟ ଗୋକୁଳ ମିଶନକୁ କ୍ୟାବିନେଟ ମଞ୍ଜୁରୀ: ଗତ ଦଶ ବର୍ଷ ମଧ୍ୟରେ ଦୁଗ୍ଧ ଉତ୍ପାଦନ ୬୩.୫୫ ପ୍ରତିଶତ ବୃଦ୍ଧି ପାଇଛି
ନୂଆଦିଲ୍ଲୀ : ବୁଧୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ପ୍ରାଣିସମ୍ପଦ କ୍ଷେତ୍ରରେ ଅଭିବୃଦ୍ଦିକୁ ପ୍ରୋତ୍ସାହନ ଦେବା ଲାଗି ରାଷ୍ଟ୍ରୀୟ ଗୋକୁଲ ମିଶନକୁ ମଞ୍ଜୁର କରାଯାଇଛି । ସଂଶୋଧିତ ଆରଜିଏମକୁ କାର୍ଯ୍ୟକାରୀ କରିବା ପାଇଁ ୨୦୨୪-୨୫ ଏବଂ ୨୦୨୫-୨୬ ବର୍ଷ ନିମନ୍ତେ ଅତିରିକ୍ତ ୧ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ପଞ୍ଚଦଶ ଅର୍ଥ ଆୟୋଗ ଚକ୍ରରେ ଏହି ଯୋଜନା ପାଇଁ ମୋଟ ୩ ହଜାର ୪୦୦ କୋଟି ଟଙ୍କା ବ୍ୟୟ କରାଯିବା ଲକ୍ଷ୍ୟ ରଖାଯାଇଛି । ଦୁଇଟି ନୂତନ କାର୍ଯ୍ୟକଳାପକୁ ଏଥିରେ ଅର୍ନ୍ତଭୁକ୍ତ କରାଯାଇଛି, ସେଥିମଧ୍ୟରେ ରହିଛି ମୋଟ ୧୫ ହଜାର ହାଇଫର ବିଶିଷ୍ଟ ୩୦ଟି ଆବାସ ସୁବିଧା ସୃଷ୍ଟି ପାଇଁ ହାଇଫର ରିୟରିଂ ସେଣ୍ଟର ପ୍ରତିଷ୍ଠା ନିମନ୍ତେ ପୁଞ୍ଜି ଖର୍ଚ୍ଚର ୩୫ ପ୍ରତିଶତ ଏକକାଳୀନ ସହାୟତା ଏବଂ କୃଷକମାନଙ୍କୁ ହାଇ ଜେନେଟିକ୍ ମେରିଟ୍ (ଏଚଜିଏମ) ଆଇଭିଏଫ ହାଇଫର୍ କିଣିବା ପାଇଁ ପ୍ରୋସôାହିତ କରିବା ଏବଂ ଏପରି କ୍ରୟ ପାଇଁ କୃଷକମାନଙ୍କ ଦ୍ୱାରା ଦୁଗ୍ଧ ସଂଘ/ଆର୍ଥିକ ସଂସ୍ଥା/ବ୍ୟାଙ୍କରୁ ନିଆଯାଇଥିବା ଋଣ ଉପରେ ୩ ପ୍ରତିଶତ ସୁଧ ରିହାତି ପ୍ରଦାନ କରିବାରେ ସହାୟକ ହେବ ।
ରାଷ୍ଟ୍ରୀୟ ଗୋକୁଲ୍ ମିଶନର କାର୍ଯ୍ୟକାରିତା ଏବଂ ସରକାରଙ୍କ ଅନ୍ୟାନ୍ୟ ପ୍ରୟାସ ଦ୍ୱାରା, ଗତ ଦଶ ବର୍ଷ ମଧ୍ୟରେ ଦୁଗ୍ଧ ଉତ୍ପାଦନ ୬୩.୫୫ ପ୍ରତିଶତ ବୃଦ୍ଧି ପାଇଛି । ରାଷ୍ଟ୍ରୀୟ ଗୋକୁଲ୍ ମିଶନ ଅଧୀନରେ ଦେଶବ୍ୟାପୀ କୃତ୍ରିମ ଗର୍ଭାଧାରଣ କାର୍ଯ୍ୟକ୍ରମ (ଏନଏଆଇପି) ଦେଶର ୬୦୫ଟି ଜିଲ୍ଲାରେ କୃଷକମାନଙ୍କ ଦ୍ୱାରଦେଶରେ ମାଗଣା କୃତ୍ରିମ ଗର୍ଭାଧାରଣ (ଏଆଇ) ପ୍ରଦାନ କରିଥାଏ,ଯେଉଁଠାରେ ମୌଳିକ ଏଆଇ କଭରେଜ୍ ୫୦ ପ୍ରତିଶତରୁ କମ୍ ରହିଛି । ବର୍ତ୍ତମାନ ସୁଦ୍ଧା ୮କୋଟି ୩୯ ଲକ୍ଷରୁ ଅଧିକ ପ୍ରାଣୀମାନଙ୍କୁ ମିଶନରେ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ଏଥିରେ ୫ କୋଟି ୨୧ ଲକ୍ଷରୁ ଅଧିକ କୃଷକ ଉପକୃତ ହୋଇଛନ୍ତି ।