ଅଖିଳେଶଙ୍କ ଗୁରୁତର ଅଭିଯୋଗ: ହଜାରେ ହିନ୍ଦୁ ଏବେ ବି ନିଖୋଜ
ଲକ୍ଷ୍ନୌ : ଶେଷ ହେଲାଣି ମହାକୁମ୍ଭ । ହେଲେ ଥମିନି ଏହାକୁ ନେଇ ରାଜନୀତି । ମହାକୁମ୍ଭ ମେଳାରେ ଘଟିଥିବା ନାନା ଅଘଟଣକୁ ନେଇ ବିରୋଧୀଦଳ ଏବେ ଉତ୍ତରପ୍ରଦେଶର ବିଜେପି ସରକାର ଉପରେ ପଞ୍ଝା ମାରୁଛନ୍ତି । ଏହି କ୍ରମରେ ସମାଜବାଦୀ ପାର୍ଟି ମୁଖିଆ ଅଖିଳେଷ ଯାଦବ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ବିଜେପି ସରକାରଙ୍କ ଉପରେ ଆଣିଛନ୍ତି ଗୁରୁତର ଅଭିଯୋଗ । ମହାକୁମ୍ଭରେ ପ୍ରଶାସନିକ ପରିଚାଳନା ଉପରେ ପ୍ରଶ୍ନ ଉଠାଇ ସେ କହିଛନ୍ତି ଯେ, ଚଳିତ ମହାକୁମ୍ଭ ମେଳାରେ ଯେଉଁ ଦଳାଚକଟା ଘଟଣା ଘଟିଛି ସେଥିରେ ଏଯାବତ୍ ୧୦୦୦ରୁ ଊଦ୍ଧ୍ୱର୍ ହିନ୍ଦୁ ଶ୍ରଦ୍ଧାଳୁ ନିଖୋଜ ଅଛନ୍ତି । କିନ୍ତୁ ଏହି ନିଖୋଜଙ୍କୁ ଚିହ୍ନଟ କରିବା ଦିଗରେ ଯୋଗୀ ସରକାର ଏଯାବତ୍ କୌଣସି ବି ଠୋସ୍ ପଦକ୍ଷେପ ଗ୍ରହଣ କରୁନାହାନ୍ତି ।
ସେ କହିଛନ୍ତି ଯେ, ଚଳିତବର୍ଷ ଯେଉଁଭଳି ଭାବେ ମହାକୁମ୍ଭ ଆୟୋଜନ ହୋଇଥିଲା, ତାହା ନିଶ୍ଚିତ ଭାବେ ବହୁତ ଭଲ କଥା ଏବଂ ଆମ ଦେଶ ପାଇଁ ଏହା ଗୌରବର ବିଷୟ । ଆଗାମୀ ଦିନରେ ଏଭଳି କୁମ୍ଭମେଳାକୁ ଜନସମାଗମ ମଧ୍ୟ ହେଉ । କିନ୍ତୁ ମହାକୁମ୍ଭରେ ଯେଉଁ ବିକଳ ପରିସ୍ଥିତି ସୃଷ୍ଟି ହୋଇଥିଲା ସେଥିପାଇଁ କେବଳ ରାଜ୍ୟ ସରକାର ଓ ପ୍ରଶାସନିକ ଅବହେଳା ଦାୟୀ ବୋଲି ସେ ଅଭିଯୋଗ କରିଛନ୍ତି । ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ କେବଳ ଯାନବାହାନ ପାର୍କିଂକୁ ଗୁରୁତ୍ୱ ଦେଲେ । ହେଲେ ଲୋକେ ମେଳାସ୍ଥଳରେ କିପରି ପହଞ୍ଚôବେ ତାହା ଭୁଲିଗଲେ । ଫଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଲୋକେ ମେଳା ସ୍ଥଳରେ ପହଞ୍ଚô ନପାରି ଭୋକ ଉପାସରେ ରହିଲେ । ଅଧିକାଂଶ ଲୋକେ ମେଳାକୁ ଆସି ମଧ୍ୟ ଅଧାରୁ ଫେରିଯାଇଥିବା ନଜିର ରହିଛି । ସେ ବିଜେପି ସରକାର ଉପରେ ଆକ୍ରୋଶମୂଳକ ଆକ୍ରମଣ କରି କହିଛନ୍ତି ଆଜି ଯେଉଁ ୧୦୦୦ ହିନ୍ଦୁ ନିଖୋଜ ଅଛନ୍ତି ଅତିକମ୍ରେ ସେମାନଙ୍କ ପରିବାରକୁ ସୂଚନା ଦେବା ସରକାରଙ୍କ ପ୍ରଥମ କର୍ତ୍ତବ୍ୟ । ଏହାଛଡ଼ା କ୍ରମାନ୍ୱୟରେ ଏହି ନିଖୋଜ ବ୍ୟକ୍ତି ବିଶେଷଙ୍କୁ ଖୋଜିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ମଧ୍ୟ ନେବା ନିହାତି ଜରୁରୀ ।
କିଛିଦିନ ତଳେ ମୋଦି ଚଳିତ ମହାକୁମ୍ଭକୁ ମହାତ୍ମାଗାନ୍ଧୀଙ୍କ ଦାଣ୍ଡି ମାର୍ଚ୍ଚ, ଆମେରିକାରେ ବିବେକାନନ୍ଦଙ୍କ ଚିକାଗୋ ସମ୍ମିଳନୀ ସହ ତୁଳନା କରିଥିବା ବେଳେ ବିଶ୍ୱସ୍ତରରେ ଏହା ଆମ ଦେଶର ଏକ ବଡ଼ ସଫଳତା ବୋଲି କହିଥିଲେ । କିନ୍ତୁ ଯେଉଁ ବଡ଼ ଅଘଟଣ ଘଟିଲା ସେ ଦିଗରେ ମୋଦି ଠୋସ୍ ପଦକ୍ଷେପ ଗ୍ରହଣ କରୁନାହାନ୍ତି ବୋଲି ଅଖିଳେଷ ଅଭିଯୋଗ କରିଛନ୍ତି ।