ତିଗିରିଆର ମା’କଳାପାଟ, ଶତ୍ରୁ ଆକ୍ରମଣ ବେଳେ ଶ୍ରୀଜଗନ୍ନାଥଙ୍କ ସୁରକ୍ଷା କବଚ ସାଜିଥିଲେ

ତିଗିରିଆର ମା’କଳାପାଟ,  ଶତ୍ରୁ ଆକ୍ରମଣ ବେଳେ ଶ୍ରୀଜଗନ୍ନାଥଙ୍କ ସୁରକ୍ଷା କବଚ ସାଜିଥିଲେ

ତିଗିରିଆ: କଟକ ଜିଲ୍ଲା ତିଗିରିଆର ନୂଆପାଟଣାରେ ୪୦୦ ବର୍ଷ ଧରି ପୂଜା ପାଇ ଆସୁଛନ୍ତି ମା’ କଳାପାଟ ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତମାନେ ମାନସିକ ପୂରଣ ପାଇଁ ଏଠାକୁ ଆସିଥାନ୍ତି । ମା’ କଳାପାଟଙ୍କ ନିକଟରେ ପ୍ରତ୍ୟହ ଭୋଗ ଲାଗି କରାଯାଉଥିଲା ବେଳେ ବୈଶାଖ ପୂର୍ଣ୍ଣିମା, ଶାରଦୀୟ ଷୋଡ଼ଶ ଉପଚାର ପୂଜା, ପଣା ସଂକ୍ରାନ୍ତି, କାର୍ତ୍ତିକ ପୂର୍ଣ୍ଣିମାରେ ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହୋଇଥାଏ । ବୈଶାଖ ପୂର୍ଣ୍ଣିମା ଦିନ ନୂଆପାଟଣାର ୯ମୌଜା ସମେତ ଅଞ୍ଚଳର ହଜାର ହଜାର ଭକ୍ତ ମା’ଙ୍କ ପୀଠକୁ ଆସି ନିଜ ହାତ ତିଆରି କ୍ଷୀରି, ଖେଚୁଡ଼ି ଭୋଗ ଲାଗି କରନ୍ତି । ବର୍ଷରେ ଗୋଟିଏ ଦିନ ଭକ୍ତଙ୍କ ହାତ ତିଆରି ଭୋଗ ମା’ପାଇଥାନ୍ତି । ଶାରଦୀୟ ଷୋଡ଼ଶ ଉପଚାର ପୂଜାର ସମସ୍ତ ଦିବସରେ ମା’ଙ୍କର ସ୍ୱତନ୍ତ୍ର ପୂଜା ଓ ବେଶ ଅନୁଷ୍ଠିତ ହୋଇଥାଏ । ଦଶହରା ଦିନ ପୀଠରେ ଶହଶହ ଭକ୍ତଙ୍କ ସମାଗମ ହୋଇଥାଏ ।
କିମ୍ବଦନ୍ତୀ ଅନୁସାରେ, ପୁରୀ ଶ୍ରୀମନ୍ଦିର ଉପରେ ବାହ୍ୟଶତ୍ରୁ ଆକ୍ରମଣ କରି ପ୍ରଭୁ ଜଗନ୍ନାଥଙ୍କୁ ନେଇଯିବାକୁ ଚକ୍ରାନ୍ତ କରିଥିଲେ । ସେତେବେଳେ ତକ୍ରାଳୀନ ଗଜପତି ମହାରାଜାଙ୍କ ନିର୍ଦ୍ଦେଶକ୍ରମେ ପୁରୀ ଶ୍ରୀମନ୍ଦିରରେ ଚନ୍ଦନରେ ନିର୍ମିତ ବିଗ୍ରହ ପୂଜା କରାଯାଇ ପ୍ରକୃତ ବିଗ୍ରହଙ୍କୁ ତିଗିରିଆ ରାଜ୍ୟରେ ଗୁପ୍ତରେ ରଖାଯାଇ ପୂଜାର୍ଚ୍ଚନା କରାଯାଇଥିଲା । କିନ୍ତୁ ତିଗିରିଆରେ ପ୍ରକୃତ ବିଗ୍ରହ ଲୁଚି ରହିଥିବା ନେଇ ଆକ୍ରମଣକାରୀଙ୍କ ପାଖକୁ ଖବର ଚାଲି ଯାଇଥିଲା  । ଏଥିରେ ଚିନ୍ତିତ ତତ୍କାଳୀନ ତିଗିରିଆ ରାଜା ବିଗ୍ରହଙ୍କ ସୁରକ୍ଷା ପାଇଁ  ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଗୁହାରି ପଡ଼ିଥିଲେ ।
ଚତୁର୍ଦ୍ଧାମୂର୍ତ୍ତିଙ୍କୁ ତିଗିରିଆ ରାଜ୍ୟର ୭ଟି ପାଟଣାକୁ ନେଇ ଗଠିତ ପାଟଣା ମୂଲକର ଘୋର ବନସ୍ତ ମଧ୍ୟରେ ଲୁଚାଇ ରଖିବା ପାଇଁ ମହାପ୍ରଭୁ ଜଗନ୍ନାଥ ରାଜାଙ୍କୁ ସ୍ୱପ୍ନାଦେଶ ଦେଇଥିଲେ । ସ୍ୱପ୍ନାଦେଶ ଅନୁସାରେ ମହାପ୍ରଭୁଙ୍କ ବିଗ୍ରହକୁ ରାଜା ବନସ୍ତରେ ଲୁଚାଇବା ସହ ସୁରକ୍ଷା ପାଇଁ ରାଜ୍ୟ ବାହାରୁ କିଛି ପାଇକଙ୍କୁ ଆଣି ରଖିଥିଲେ । ଏହି ଖବର ମଧ୍ୟ ଆକ୍ରମଣକାରୀଙ୍କ ପାଖରେ ପହଞ୍ଚି ଯାଇଥିଲା । ସେମାନେ ଆକ୍ରମଣ ଖବର ଶୁଣି ରାଜା ଉପାୟଶୂନ୍ୟ ଭାବେ ମହାପ୍ରଭୁ ଉକ୍ତ ସ୍ଥାନ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ‘ନିଜେ ନିଜର ରକ୍ଷା କର’ ବୋଲି ଡାକି ସଂଜ୍ଞାହୀନ ହୋଇପଡ଼ିଥିଲେ । ଆକ୍ରମଣକାରୀ ମହାପ୍ରଭୁଙ୍କ ବିଗ୍ରହ ନେଇଯିବାକୁ ବସିଥିଲା ବେଳେ ଉକ୍ତ ସ୍ଥାନର ଅନତି ଦୂର ବନସ୍ତରେ ଥିବା ସାହାଡ଼ା ଗଛ ମୂଳରେ ଅବସ୍ଥାନ କରୁଥିବା ମା’ କଳାପାଟ ମହାପ୍ରଭୁଙ୍କୁ ଶତ୍ରୁ କବଳରୁ ରକ୍ଷା କରିଥିଲେ । ସଂଜ୍ଞା ଫେରିବା ପରେ ତକ୍ରାଳୀନ ରାଜାଙ୍କୁ ମହାପ୍ରଭୁ ପୁନର୍ବାର ସ୍ୱପ୍ନାଦେଶ ଦେଇ ଉକ୍ତ ସାହାଡ଼ା ଗଛ ମୂଳରେ ମା’ କଳାପାଟ ରହିଥିବା କହିଥିଲେ । ରାଜା ସେଠାକୁ ଯାଇ ମା’ଙ୍କ ପୂଜା ଆରମ୍ଭ କରିଥିଲେ । ବହୁବର୍ଷ ଧରି ଡାହାଳିଆ ସମ୍ପ୍ରଦାୟ ମା’ଙ୍କ ପୂଜା କରୁଥିଲେ । ଏହି ସମ୍ପ୍ରଦାୟ ସ୍ଥାନ ଛାଡ଼ି ଅନ୍ୟତ୍ର ଚାଲିଯିବାରୁ ବହୁବର୍ଷ ମା’ ଅପୂଜା ରହିଥିଲେ । ପରେ ଅଞ୍ଚଳର ସୁନାମଧନ୍ୟ ସଙ୍ଗୀତ ଗୁରୁ କାଶୀନାଥ ମହାପାତ୍ରଙ୍କୁ ମା’ତାଙ୍କର ପୂଜାର୍ଚ୍ଚନା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହିଦିନଠାରୁ କାଶୀନାଥ ଓ ତାଙ୍କ ପରିବାର ପିଢ଼ି ପରେ ପିଢ଼ି ମା’ଙ୍କ ପୂଜା କରି ଆସୁଛନ୍ତି । ଉକ୍ତ ସ୍ଥାନରେ ଏବେ ମା’ କଳାପାଟଙ୍କର ନୂତନ ମନ୍ଦିର ନିର୍ମାଣ କରାଯାଇଛି ।