ତ୍ରିପୁରା ସୁନ୍ଦରୀ ମହାମାୟା ମା’ଭଟ୍ଟାରିକା

ତ୍ରିପୁରା ସୁନ୍ଦରୀ ମହାମାୟା ମା’ଭଟ୍ଟାରିକା

କଟକ: କଟକ ଜିଲ୍ଲାରେ ବଡ଼ମ୍ବାଠାରେ ମା’ଭଟ୍ଟାରିକା ମନ୍ଦିର ଅବସ୍ଥିତ । ପୌରାଣିକ ତଥ୍ୟ ଅନୁସାରେ ଭଗବାନଙ୍କ ଷଷ୍ଠ ଅବତାର ପର୍ଶୁରାମ ମାତୃହତ୍ୟା ଦୋଷରୁ ମୁକ୍ତି ପାଇବା ସହ ଦୁଷ୍ଟ କ୍ଷତ୍ରୀୟମାନଙ୍କୁ ବିନାଶ କରିବା ପାଇଁ ମାତୃଶକ୍ତିର ଶରଣ ବାଞ୍ଛା କଲେ । ନାନା ସ୍ଥାନ ଭ୍ରମଣ ପରେ ପର୍ଶୁରାମ ଉତ୍କଳର ରମ୍ୟ ରତ୍ନଗିରିର ନିଘଞ୍ଚ ଅରଣ୍ୟର ସୁଷମା ଏବଂ କଳନାଦିନୀ, ଛନ୍ଦ ଚପଳା ମହାନଦୀର କମନୀୟ କାନ୍ତିରେ ବିଭୋର ହୋଇ ପ୍ରସ୍ତର ଖଣ୍ଡରେ ବସି ଘୋର ତପସ୍ୟା କଲେ । ନୀଳକଳେବର ଶ୍ୟାମଳ ମୂରତି ଜାମଦାଗ୍ନିଙ୍କ ତପସ୍ୟାରେ ଆବିର୍ଭାବ ହେଲେ ଭୁଭାର ଉଦ୍ଧାରିଣୀ ମା’ ଜଗଦମ୍ବା ରାକ୍ଷସ କୁଳ ବିନାଶ କରିବା ପାଇଁ ସେ ଯାଚିଦେଲେ ଧନୁ ତୁଣୀର । ମା’ଙ୍କ ଆବିର୍ଭାବ ସମୟରେ ତାଙ୍କର ଅଙ୍ଗରକ୍ଷୀ ଭାବେ ଆଠଜଣ ଦେବୀ ଉଗ୍ରା, ଉଗ୍ରପ୍ରଭା, ସକଟା, ବିକଟା, ଚଣ୍ଡା, ପ୍ରଚଣ୍ଡା, ଦୁର୍ଗା, ଖିରାବ୍ଧିତନୟା ମଧ୍ୟ ପ୍ରକଟିତ ହୋଇଥିଲେ । ବର ପ୍ରଦାନ କରି ମା’ ଅନ୍ତର୍ଦ୍ଧାନ ହେବା ପରେ ପର୍ଶୁରାମ ଦେଖିଥିବା ରୂପକୁ ଧନୁତୁଣୀର ସରମୁନରେ ପାଷାଣରେ ମୂର୍ତ୍ତି ଅଙ୍କନ କଲେ । ଅଷ୍ଟ ଅଙ୍ଗରକ୍ଷୀଙ୍କ ମୂର୍ତ୍ତି ଆଙ୍କିବା ପାଇଁ ମଧ୍ୟ ସେ ଭୁଲି ନ ଥିଲେ । ଦଶ କୁମାର ଚରିତ ଆଚାର୍ଯ୍ୟ ଦଣ୍ଡିଙ୍କ ଲେଖା ଅନୁସାରେ ତତ୍ରବୀରଭଟ୍ଟ, ପଟଳ, ତରଙ୍ଗ, ତୁରଙ୍ଗ, ମକର ଆଦିଙ୍କ ନାମାନୁସାରେ ମା’ଙ୍କ ନାମ ରହିଲା ଭଟ୍ଟାରିକା । ସେହିଠାରେ ଆସନ ମଣ୍ଡିଲେ ମା’ । ପ୍ରସିଦ୍ଧ ହେଲେ ଭଟ୍ଟାରିକା (ଭଟ୍ଟ+ଅରିକା=ଭଟ୍ଟାରିକା, ଭଟ୍ଟ-କ୍ଷତ୍ରୀୟ, ଅରି-ଶତ୍ରୁ) ରୂପରେ । ସପ୍ତମ ଅବତାର ପ୍ରଭୁ ଶ୍ରୀରାମ, ପ୍ରାଣପ୍ରିୟା ସୀତା ଓ ସାନୁଜ ଲକ୍ଷ୍ମଣଙ୍କ ସହ ବନବାସ କାଳରେ ମା’ଙ୍କ ପୀଠକୁ ଆସିଥିଲେ । ମା’ ଭଟ୍ଟାରିକାଙ୍କ ପୂଜାର୍ଚ୍ଚନା ପରେ ଦକ୍ଷିଣାତ୍ୟ ଯାତ୍ରା କରିଥିଲେ ପ୍ରଭୁ ଶ୍ରୀରାମ ।
୧୩୦୫ ଖ୍ରୀଷ୍ଟାବ୍ଦରେ ଦୁଇଭାଇ ହଟକିଶୋର ରାଉତ ଓ ମଲ୍ଲକିଶୋର ରାଉତ ମା’ଙ୍କ ନାମାନୁସାରେ ବୃହଦମ୍ବା ରାଜ୍ୟ ଗଠନ କଲେ । ପରେ ତାହା ଅପଭ୍ରଂଶ ହୋଇ ବଡ଼ମ୍ବା ହୋଇଥିଲା  । ୧୪୦୦ ଶତାବ୍ଦୀରେ ଦ୍ୱିତୀୟ ରାଜା ମଲ୍ଲକିଶୋର ମା’ ଭଟ୍ଟାରିକାଙ୍କ ମନ୍ଦିର ଗର୍ଭଗୃହ ଏବଂ ୧୭୦୦ ଶତାବ୍ଦୀରେ ରାଜା ବଳଭଦ୍ର ମଙ୍ଗରାଜ ଜଗମୋହନ ନିର୍ମାଣ କରିଥିଲେ । ମା ଭଟ୍ଟାରିକା ବୌଦ୍ଧ ତାରା ଦେବୀରୁ ହିନ୍ଦୁ ମହାମାୟା ଶକ୍ତିରୂପିଣୀ ଦେବୀ ରୂପେ ରୂପାନ୍ତରିତ ବୋଲି ଗବେଷକମାନେ କୁହନ୍ତି । ମା’ଙ୍କ ପ୍ରତ୍ୟେକ ପର୍ବ ମଧ୍ୟରୁ ଶାରଦୀୟ ପୂଜା ଓ ଚୈତ୍ର ମାସରେ ନବରାତ୍ର ପୂଜା ଅନ୍ୟତମ । ଏହି ଦିବସରେ ମା’ଙ୍କୁ ରାତି ୪ଟାରୁ ମଙ୍ଗଳ ଆଳତି, ସ୍ନାନ, ତର୍ପଣ ମାଜଣା କରାଯାଇ ପାଟବସ୍ତ୍ର ପରିଧାନ ପରେ ସକାଳ ୫ଟାରେ ବହୁବ ଧୂପ ହୋଇଥାଏ । ସେହିପରି ଦିନ ୧୦ଟାରେ ଖେଚୁଡ଼ି ଧୂପ ପରେ ମଧ୍ୟାହ୍ନ ଧୂପରେ ଖିରି, କାକରା, ଏଣ୍ଡୁରି, ବଗଡ଼ା ଅନ୍ନ, ତରକାରି, ଖଟା ଆଦି ପୂଜା ହେବା ସହ ମାଛ ଭୋଗ ଲାଗିଥାଏ । ଶାରଦୀୟ ପର୍ବର ୧୬ଦିନ ମା’ଙ୍କ ପାଖରେ ମାଛ ବଳି ଦିଆଯାଏ । ଅପରାହ୍ନରେ ମାଜଣା ପରେ ସନ୍ଧ୍ୟା ଆଳତି ହୋଇଥାଏ । ବେଦଜ୍ଞ ବ୍ରାହ୍ମଣ ହବିଷାନ୍ନ ପାଳନ କରି ୧୬ଦିନ ଯାଏ ଚଣ୍ଡୀ ପୁରାଣ ଓ ଅପରାଜିତା ଚଣ୍ଡୀପାଠ କରନ୍ତି । ରାତ୍ର ଧୂପରେ ଖେଚୁଡ଼ି, କାକରା, ଏଣ୍ଡୁରି, ମଣ୍ଡୁଆଳ, ଦହିପଖାଳ ହୋଇଥାଏ । ଏହାପରେ ମା’ଙ୍କ ବଡ଼ସିଂହାର ବେଶ କରାଯାଏ । ଶେଷରେ ଶାରିପଣା ଦେଇ ତାମୂଳ ଅର୍ପଣ କରି ମା’ଙ୍କୁ ଖଟ ଶେଜକୁ ନିମନ୍ତ୍ରଣ କରାଯାଏ । ଷୋଡ଼ଶ ଦିନାତ୍ମକ ପୂଜା ସମୟରେ ରାତି ସାଢେ଼ ୧୧ଟାରେ ମାଙ୍କ ପହୁଡ଼ ବନ୍ଦ ହୁଏ ।