ନୀଳଗିରିର ମା’କନକ ଦୁର୍ଗାଙ୍କ ଷୋହଳ ଦିନାତ୍ମକ ପୂଜା
ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ରାଜପ୍ରାସାଦ ମଧ୍ୟରେ ମା କନକଦୁର୍ଗାଙ୍କ ମନ୍ଦିର ଅବସ୍ଥିତ । ମୂଳାଷ୍ଟମୀ ତିଥିରେ ରାଜପ୍ରାସାଦରୁ ଅର୍ପଣ ଗୁଆ ଆସିବା ସହ ମା’ଙ୍କ ଷୋହଳ ଦିନାତ୍ମକ ପୂଜା ଆରମ୍ଭ ହୋଇଛି । ରାଜା ଜୟନ୍ତ ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ ଏବଂ ରାଣୀ ମନୋଜ ମଞ୍ଜରୀ ଦେବୀଙ୍କ ଉପସ୍ଥିତିରେ ଦଶମୀ ଦିନ ପୂଜାରେ ପୂର୍ଣ୍ଣାହୁତି ପଡ଼ିବ । ମା’ଙ୍କ ପୂଜା ନେଇ ନୀଳଗିରି ରାଜ ପରିବାରରେ ଉତ୍ସବର ପରିବେଶ ଦେଖିବାକୁ ମିଳିଛି । ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ପରିଲକ୍ଷିତ ହୋଇଛି ।
ମା କନକଦୁର୍ଗା ହେଉଛନ୍ତି ନୀଳଗିରି ରାଜବଂଶର କୁଳଦେବୀ । ଯେକୌଣସି ମାଙ୍ଗଳିକ କାର୍ଯ୍ୟରେ ରାଜା ପ୍ରଥମେ ମା’ଙ୍କ ନିକଟରୁ ଆଶୀର୍ବାଦ ନିଅନ୍ତି । ଉଲ୍ଲେଖଥାଉକି ;୧୭୫୦ ମସିହା ବେଳକୁ ନୀଳଗିରି ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନଙ୍କ ଉଦ୍ୟମକ୍ରମେ ନୀଳଗିରି ନିଜିଗଡ଼ଠାରେ ଏକ ନୂଆ ରାଜପ୍ରାସାଦ ନିର୍ମାଣ ହୋଇଥିଲା । ରାଜପ୍ରାସାଦ ମଧ୍ୟରେ ସେ ମା କନକଦୁର୍ଗାଙ୍କ ପ୍ରତିମା ପ୍ରତିଷ୍ଠା ସହ ପୂଜାର୍ଚ୍ଚନା କରୁଥିଲେ । ୧୮୦୦ ମସିହା ବେଳକୁ ରାଜାଙ୍କ ପୁଅ ଯୁବରାଜା ଗୋବିନ୍ଦଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ ରାଜପ୍ରାସାଦ ପରିସରରେ ମନ୍ଦିର ନିର୍ମାଣ କରାଇବା ସହ ମା କନକଦୁର୍ଗାଙ୍କୁ ଅବସ୍ଥାପିତ କରିଥିଲେ । ମା’କନକଦୁର୍ଗାଙ୍କ ପୀଠରେ ବାସନ୍ତୀ ପୂଜା ସହ ରଜ ସଂକ୍ରାନ୍ତି ଓ ମକର ସଂକ୍ରାନ୍ତିରେ ସ୍ୱତନ୍ତ୍ର ପୂଜା ହୋଇଥାଏ । ତେବେ ଦୁର୍ଗାପୂଜା ଅବସରରେ ଏଠାରେ ଏକ ବିଶେଷ ପରମ୍ପରା ପାଳନ କରାଯାଏ । ତାହା ହେଲା, ବଳି ଖେଳ । ପୂର୍ବ କାଳରେ ପୂଜକ, ଯିଏ ବଳିନାୟକ ଭାବେ ଅଭିହିତ; ଖଣ୍ଡା ଧରି ଗ୍ରାମ ବୁଲୁଥିଲେ ଏବଂ ମା’ଙ୍କ ନିକଟରେ ପଶୁ ବଳି ଦେଉଥିଲେ । ଏବେ ବି ସେହି ପରମ୍ପରା ଅଛି । ତେବେ ଜୀବ ବଳି ନୁହେଁ, ବଳିନାୟକ ଗାଁ ବୁଲି ଯାହାକୁ ଛୁଇଁ ଦିଅଛି, ସେ ଦଶମୀ ଦିନ ମା’ଙ୍କ ନିକଟରେ ଏକ କଖାରୁ ବଳି ଚଢ଼ାନ୍ତି । ବଳିଖେଳ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରୁ ଆରମ୍ଭ ହୋଇ ସପ୍ତମୀ ତିଥି ପର୍ଯ୍ୟନ୍ତ; ୫ ଦିନ ଧରି ଚାଲିଥାଏ । ଯାହାକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳର ହଜାର ହଜାର ଲୋକ ଆସନ୍ତି ।