ଦୁର୍ଘଟଣା ଗ୍ରସ୍ତଙ୍କ ଉପ·ର ଓ ସହାୟତା


ଦିନକୁ ଦିନ ବିପଜ୍ଜନକ ପାଲଟିଛି ସଡ଼କ । ସଡ଼କ ଦୁର୍ଘଟଣା ପ୍ରତି ବର୍ଷ ଆଶ୍ଚର୍ଯ୍ୟଜନକ ଭାବେ ବଢ଼ି ଚାଲିଛି ୨୦୨୩ରୁ ଟପିଲାଣି ୨୦୨୪ । ଜଣେ ମୁମୂର୍ଷୁୁ ପାଇଁ ଗୋଲଡ଼େନ ଆୱାର ଅପରିହାର୍ଯ୍ୟ ହୋଇଥିବାବେଳେ ଏ ଯାବତ ଜାତୀୟ ରାଜପଥରେ ପାଟ୍ରୋଲିଂ ଓ ଟ୍ରମା କେୟାର ଯୋଜନା ମୃତକଙ୍କ ସଂଖ୍ୟା କମାଇବାରେ ସକ୍ଷମ ହେଉନି । ଗତବର୍ଷକ ଭିତରେ ପାଖାପାଖି ୧୩ଟି ସଡ଼କ ଦୁର୍ଘଟଣାରେ ଅଭାବନୀୟ ମୃତୁ୍ୟ ରାସ୍ତା ଉପରେ ହିଁ ହୋଇଥିଲା । ୨୦୨୩ ଜାନୁଆରୀରୁ ନଭେମ୍ବର ଭିତରେ ରାଜ୍ୟରେ ୩୦ଟି ଜିଲ୍ଲାରେ ୧୦୯୦୫ଟି ଦୁର୍ଘଟଣା ଘଟିଥିଲା । ଯେଉଁଥିବରେ ୫୧୩୮ ଜଣଙ୍କ ଜୀବନ ଯାଇଥିବାବେଳେ ୯୪୧୭୮ ଜଣ ଆହତ ହୋଇଥିଲେ । ୨୦୨୪ ଜାନୁଆରୀରୁ ନଭେମ୍ବର ମଧ୍ୟରେ ୧୧୧୭୦ଟି ଦୁର୍ଘଟଣା ଘଟିଥିବାବେଳେ ୫୫୬୪ ଜଣଙ୍କର ମୃତୁ୍ୟ ଘଟିଛି । ଅନ୍ୟପକ୍ଷରେ ସଡ଼କ ଦୁର୍ଘଟଣା ମୃତୁ୍ୟ ସଂଖ୍ୟା କମାଇବା ପାଇଁ ଦୁର୍ଘଟଣା ପରର ପ୍ରଥମ ଗୋଟିଏ ଘଣ୍ଟା ବା ଗୋଲଡେନ ଆୱାରକୁ ପ୍ରାଥମିକତା ଦିଆଯାଇଛି । ଏହି ସମୟ ଭିତରେ ଜଣେ ଦୁର୍ଘଟଣା ଗ୍ରସ୍ତକୁ ତୁରନ୍ତ ମେଡ଼ିକାଲରେ ପହଞ୍ଚାଇବା ପାଇଁ କୁହାଯାଇଛି । ଏହି କାର୍ଯ୍ୟରେ ଯେଉଁମାନେ ସହଯୋଗ କରିବେ ସେମାନଙ୍କୁ ଗୁଡ଼ ସମରିଟାନ ଭାବେ ପୁରସ୍କୃତ କରାଯିବ । ଯେଉଁମାନେ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କରିବେ ସେମାନଙ୍କ ନାମରେ ପୋଲିସ କୌଣସି ମାମଲା ରୁଜୁ କରିବ ନାହିଁ । ଆହତ ମାନଙ୍କୁ ତ୍ୱରିତ ଚିକିତ୍ସା ଯୋଗାଇ ଦେବା ପାଇଁ ରାଜ୍ୟର ବିଭିନ୍ନ ଜାତୀୟ ରାଜପଥ ପାଶ୍ୱର୍ରେ ଟ୍ରମା କେୟାର ନିର୍ମାଣ କରାଯାଉଛି । ଏ ସବୁ ଭିତରେ ଦୁର୍ଘଟଣା ସଂଖ୍ୟା ଉଦ୍ବେଗ ଜନକ ଭାବେ ବଢ଼ି ଚାଲିଛି । 
ସଚେତନତା ଅଭାବରୁ ଦ୍ରୁତ ଗତିରେ ଗାଡ଼ି ଚାଳନା ଓ ବିଭିନ୍ନ ଅସାବଧାନତା ପାଇଁ ଦିନକୁ ଦିନ ସଡ଼କ ଦୁର୍ଘଟଣାରେ ମୃତୁ୍ୟ ସଂଖ୍ୟା ବଢ଼ିବାରେ ଲାଗିଛି । ତଥ୍ୟ ମୁତାବକ ବିଶ୍ୱରେ ସଡ଼କ ଦୁର୍ଘଟଣା କ୍ଷେତ୍ରରେ ଭାରତ ସବୁଠାରୁ ଆଗୁଆ । ବିଶ୍ୱରେ ପ୍ରତିବର୍ଷ ୧.୩୫ ନିୟୁତ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଥିବାବେଳେ  ପ୍ରତିଦିନ ୩ ହଜାରରୁ ଅଧିକ ଗୁରୁତର ଭାବେ ଆହତ ହେଉଛନ୍ତି । ସେହିପରି ବିଶ୍ୱ ଅର୍ଥନୈତିକ ମୂଲ୍ୟାୟନ ଅନୁଯାୟୀ ସଡ଼କ ଦୁର୍ଘଟଣା ଜନିତ କ୍ଷୟକ୍ଷତି ବାର୍ଷିକ ୫୧୮ ବିଲିଅନ ଡଲାର । ଆତ୍ୟାଧୁନିକ ବିଜ୍ଞାନ ଉପଯୋଗରେ ସଡ଼କ ସୁରକ୍ଷା ପାଇଁ ନିକଟରେ ଓଡ଼ିଶା ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଆଇଆଇଟି ମାଡ଼୍ରାସ ସହିତ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛି । ଅଭିନବତାକୁ ସୁରକ୍ଷା କ୍ଷେତ୍ରରେ ପ୍ରୟୋଗ କରିବାର ଏହି ସାଧୁ ଉଦ୍ୟମ ସମୟୋପଯୋଗୀ, ପ୍ରଶଂସନୀୟ ଓ ସ୍ୱାଗତଯୋଗ୍ୟ । ଏଥିରେ ମୁଖ୍ୟତଃ ୪-ଇ ମଡ଼େଲ ଉପଯୋଗରେ ଯୋଜନା ପ୍ରସ୍ତୁତ ହୋଇଛି । ଏହି ମଡ଼େଲର ପ୍ରତିଟି ଇଂରାଜୀ ଅକ୍ଷର ଇ-ଇଞ୍ଜିନିୟରିଂ ବା ଯାନ୍ତ୍ରିକ ବିଜ୍ଞାନ, ଏନଫୋର୍ସମେଣ୍ଟ ବା ପ୍ରବର୍ତ୍ତନ, ଏମର୍ଜେନ୍ସି କେୟାର ବା ଜରୁରୀକାଳୀନ ସେବା ଓ ଏଜୁକେଶନ ବା ଶିକ୍ଷା । ତାତ୍ତ୍ୱିକ ଦୃଷ୍ଟିରୁ ଏହା ସର୍ବାଦୌ ଉପଯୋଗୀ ମନେ ହେଉଥିଲେ ମଧ୍ୟ ବାସ୍ତବତା ପ୍ରତି ଅଧିକ ଯତ୍ନଶୀଳ ହେଲେ ଯୋଜନାର ସୁଫଳ ଆହୁରି ପ୍ରଭାବଶାଳୀ ଓ ବିସ୍ତାରିତ ବୋଲି ବିଶେଷଜ୍ଞ ମହଲରୁ ମତ ପ୍ରକାଶ ପାଇଛି । ସରକାରୀ ତଥ୍ୟ ଅନୁଯାୟୀ, ଆମ ଦେଶରେ ଦୈନିକ ୪୭୪ ବା ପ୍ରତି ତିନି ମିନିଟରେ ଜଣେ ସଡ଼କ ଦୁର୍ଘଟଣାରେ ମୃତୁ୍ୟବରଣ କରୁଛନ୍ତି । ଏଥିରେ ଦେଶର ମୋଟ ଘରୋଇ ଉତ୍ପାଦର ୩-୫% ନଷ୍ଟ ହେଉଛି । ଏହାର ନିରାକରଣ ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଯେ ହାତ ବାନ୍ଧି ବସିଛନ୍ତି ତା ନୁହେଁ । ସରକାରୀ କଳ ସହିତ ବେସରକାରୀ ସଂଗଠନ, ବ୍ୟକ୍ତିବିଶେଷ ଏ ଦିଗରେ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି । ବ୍ୟାପକ ଜନସଚେତନତା ସୃଷ୍ଟି କରିବା ଲାଗି ପ୍ରତିବର୍ଷ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଉଛି । 
ସଡ଼କ ଦୁର୍ଘଟଣା ପଛରେ ମୁଖ୍ୟ କାରଣ ହେଉଛି ଯାନବାହନ ସଂଖ୍ୟା ବୃଦ୍ଧି । ବିଶ୍ୱର ତୃତୀୟ ବୃହତ୍ତମ ସଡ଼କ ଭିତ୍ତିଭୂମି ବିଶିଷ୍ଟ ରାଷ୍ଟ୍ର ଭାରତରେ ଗମନାଗମନ ଓ ପରିବହନ ପାଇଁ ସଡ଼କ ହିଁ ମୁଖ୍ୟ ଅବଲମ୍ବନ ବା ମାଧ୍ୟମ ୬୦% ହୋଇ ଆସିଛି । ଆମ ଦେଶ ୧୯୫୧ ମସିହାରେ ମୋଟ ପଞ୍ଜୀକୃତ ଯାନବାହନ ସଂଖ୍ୟା ୩ଲକ୍ଷ ୬ ହଜାର ଥିବାବେଳେ ଏହା ଏବେ ବାର୍ଷିକ ହାରାହାରି ୧ କୋଟି ୮୦ ହଜାର ୩୬ ଲକ୍ଷ ହାରରେ ବଢ଼ି ୨୦୨୨ ସୁଦ୍ଧା ୩୫ କୋଟି ୪୦ ଲକ୍ଷ ୧୮ ହଜାରରେ ପହଞ୍ଚôଛି । ୨୦୨୪ ସୁଦ୍ଧା ଏହା ଆନୁମାନିକ ୪୦ କୋଟି ଟପି ଯାଇପାରେ । ସେଥିମଧ୍ୟରୁ ପଞ୍ଜୀକୃତ ଦୁଇଚକିଆ ଯାନ ସଂଖ୍ୟା ୨୦୨୨ ସୁଦ୍ଧା ୨୬ କୋଟି ୩୩ଲକ୍ଷ ୭୮ ହଜାର । କେବଳ ୨୦୨୩-୨୪ ଆର୍ଥିକ ବର୍ଷରେ ସମଗ୍ର ଦେଶରେ ୧୮ ନିୟୁତ ଦୁଇଚକିଆ ଯାନ ବିକ୍ରି ହୋଇଥିଲା । ଓଡ଼ିଶାରେ ୨୦୨୦ ସୁଦ୍ଧା ୯୧ ଲକ୍ଷ ୧୬ ହଜାର ପଞ୍ଜୀକୃତ ଯାନ ଥିବାବେଳେ ଚାରିବର୍ଷ ଭିତରେ ତାହା କେତେ ବୃଦ୍ଧି ପାଇଥିବା ଅନୁମେୟ । 
ଏକଦା ମୋଟରଯାନ ଆମ ଆବଶ୍ୟକତା ଥିଲା । କିନ୍ତୁ ଏହା ଏବେ ପ୍ରତିଷ୍ଠା, ଆଭିଜାତ୍ୟ ଓ ଆତ୍ମସମ୍ମାନ ପ୍ରତୀକ ପାଲଟି ଯାଇଛି । କିଏ କେତେ ବିଳାସପୂର୍ଣ୍ଣ ଓ ବ୍ୟୟବହୁଳ ଗାଡ଼ି କିଣି ପାରୁଛି ତାହା ଏବେ ପ୍ରତିଯୋଗିତାର ରୂପ ନେଇଛି । ଏପରିକି ପରିବାରର ଲୋକ ସଂଖ୍ୟା ଠାରୁ ଗାଡ଼ି ସଂଖ୍ୟା ବଢ଼ିବାରେ ଲାଗିଛି । ଯୁବିିପିଢିଙ୍କ ପାଇଁ ଦୁଇଚକିଆ ଯାନ ସତେଯେପରି ଏକ ଅପରିହାର୍ଯ୍ୟ ଆବଶ୍ୟତା ହୋଇଯାଇଛି । ଭାରତୀୟଙ୍କ ଏହି ମାନସିକତାର ସୁଯୋଗ ନେଇ ଭାରତୀୟ ବଜାରରେ ଦିନକୁ ଦିନ ବହୁଦେଶୀୟ ବିଳାସପୂର୍ଣ୍ଣ ଓ ବ୍ୟୟବହୁଳ ମୋଟରଯାନ ନିର୍ମାତା ସଂଖ୍ୟା ବଢ଼ିବାରେ ଲାଗିଛି । ଭାରତରେ ଏବେ ପ୍ରତିଦିନ ୫୩୭୦୦ ଗାଡ଼ି ପଞ୍ଜୀକୃତ ହେଉଛି । ବ୍ୟାଙ୍କ ଓ ଘରୋଇ ଫାଇନାନ୍ସ କମ୍ପାନୀ ମାନଙ୍କର କୋହଳ ଋଣ ବ୍ୟବସ୍ଥାକୁ ଏହାର କାରଣ ରୂପ ବିଚାର କରାଯାଇପାରେ । ୨୦୨୨ରେ ଦୁଇଚକିଆ ଯାନ ଦୁର୍ଘଟଣା ସଂଖ୍ୟା ଥିଲା ୩୨.୯ ହଜାର । ଗତ ପାଞ୍ଚ ବର୍ଷ ଭିତରେ ଓଡ଼ିଶାରେ କିଶୋର ମାନଙ୍କ ଗାଡ଼ି ଚାଳନା ଯୋଗୁଁ ୩୫୦ ସଡ଼କ ଦୁର୍ଘଟଣା ଘଟି ୨୫ଟି ମୃତୁ୍ୟ ହୋଇଛି ।
ଯୁବପିଢ଼ି ଗାଡ଼ି ଚଳାଇବାର ଉନ୍ମାଦକୁ ନିରୁତ୍ସାହିତ କରିବା ଲାଗି ୧୮ ବର୍ଷରୁ କମ ବୟସର ଚାଳକଙ୍କୁ ଲାଇସେନ୍ସ ପ୍ରଦାନ ନକରିବା ଲାଗି ନିୟମ ରହିଛି । ଏଥିପାଇଁ ଜୋରିମନା ବ୍ୟବସ୍ଥା ମଧ୍ୟ କରାଯାଇଛି । କେବଳ ଓଡ଼ିଶାରେ ଚଳିତ ବର୍ଷ ଅଦ୍ୟାବଧି ୩୫୦ରୁ ଊଦ୍ଧ୍ୱର୍ ଗାଡ଼ି ଜବତ ହେବା ସହିତ ୪ଲକ୍ଷ ୫୦ ହଜାର ଟଙ୍କାରୁ ଊଦ୍ଧ୍ୱର୍ ଜୋରିମାନା ଆଦାୟ ହୋଇସାରିଛି । ଏହି ପୃଷ୍ଠଭୂମିରେ ୪-ଇ ମଡ଼େଲର ଇଞ୍ଜିନୟରିଂ ଉପରେ ଅଧିକ ଗୁରୁତ୍ୱ ଦେବାକୁ ପଡ଼ିବ । ସଡ଼କ ଦୁର୍ଘଟଣାର କାରଣ ମାନଙ୍କ ମଧ୍ୟରୁ ୬୦% ହେଉଛି ନିଶାସକ୍ତ ଗାଡ଼ି ଚାଳନା । ନିଶାସେବନ କରି ଚାଳକ ଆସନରେ ବସିଲେ ଗାଡ଼ି ଷ୍ଟାର୍ଟ ନ ହେବାର ଯେଉଁ ବ୍ୟବସ୍ଥା ଏବେ ବ୍ୟୟବହୁଳ ଗାଡ଼ିରେ ଉପଲବ୍ଧ ତାହା ସବୁ ଗାଡ଼ିରେ ବାଧ୍ୟତାମୂଳକ କରାଗଲେ ସଡ଼କ ଦୁର୍ଘଟଣା ଅନେକାଂଶରେ ହ୍ରାସ ପାଇପାରନ୍ତା । କର୍କଶ ହର୍ଣ୍ଣକୁ ସମ୍ପୂର୍ଣ୍ଣ ହଟାଇବା ସହିତ ଜରୁରୀକାଳୀନ ସେବା ବ୍ୟବସ୍ଥା କିପରି ପ୍ରଭାବଶାଳୀ ଭାବରେ ଲାଗି କରାଯାଇପାରିବ ସେ ଦିଗରେ ମଧ୍ୟ ଗୁରୁତ୍ୱ ଦେବାର ସମୟ ଆସିଛି । ବ୍ୟକ୍ତିଗତ ଗାଡ଼ି ଚଢ଼ିବାର ମାନସିକତା ପରିତ୍ୟାଗ କରି ସର୍ବସାଧାରଣ ଯାତାୟତର କିଭଳି ସର୍ବାଧିକ ଉପଯୋଗ କରାଯାଇପାରିବ ସେ ଦିଗରେ ଆମେ ଆମ ମାନସିକତାରେ ପରିବର୍ତ୍ତନ କରିବାର ସମୟ ଆସିଛି । ସଡ଼କ ଦୁର୍ଘଟଣାକୁ ଏଡ଼ାଇବା ଲାଗି ଯଦି ସରକାରଙ୍କ ଆନ୍ତରିକତା ଓ ନିଷ୍ଠା ଥାଏ ତେବେ ସାର୍ବଜନୀନ ପରିବହନ ସେବାକୁ ଆହୁରି ସୁସଂହତ, ଶୃଙ୍ଖଳିତ, ବ୍ୟବସ୍ଥିତ ଓ ଉନ୍ନତ କରିବା ସହିତ ପରିବାର ପିଛା ଗୋଟିଏ ଚାରିଚକିଆ ଗାଡ଼ି ନିୟମକୁ କଡ଼ାକଡ଼ି ଲାଗୁ କରିବା ଭଳି ନିର୍ଣ୍ଣାୟକ ଅଥଚ କଠୋର ଭୂମିକା ଗ୍ରହଣ କରିବାକୁ ପଡ଼ିବ । ଏଥିସହିତ ଏମଭି ଆଇନକୁ ସଂଶୋଧନ କରି ଆହୁରି କଠୋର କରିବାକୁ ହେବ । ତେବେ ଏ କ୍ଷେତ୍ରରେ ସଚେତନଧର୍ମୀ ଦାୟିତ୍ୱ ଆମ ସମସ୍ତଙ୍କର ।
ମୋ : ୯୦୯୦୦୫୧୫୪୩