ବ୍ୟାଘ୍ର ସଂରକ୍ଷଣ ଓ ଭାରତ

ଅଲେଖ ଚନ୍ଦ୍ର ସାମଲ :ଆମ ସାଧାରଣ ଜୀବନରେ ମାମୁଁ ବୋଇଲେ ଆମ ନିଜ ମାମୁଁଙ୍କ ବ୍ୟତୀତ ବାଘ ମାମୁଁ ଓ ଜହ୍ନ ମାମୁଁକୁ ବୁଝାଉ । ତେବେ ଆମ ଏହି ବାଘ ମାମୁଁ ଏବେ ଅନେକ ବିପଦ ସାମ୍ନା କରୁଥିବାବେଳେ ସରକାରୀ ଓ ବେସରକାରୀ କ୍ଷେତ୍ରରେ ସେମାନଙ୍କର ସଂରକ୍ଷଣ ଓ ସେମାନଙ୍କ ପ୍ରତି ଭଲ ପାଇବା ଦିନକୁ ଦିନ ବଢ଼ୁଛି । ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ନିଜ ନିଜ କ୍ଷେତ୍ରରେ ବ୍ୟାଘ୍ର ସଂରକ୍ଷଣ ପାଇଁ ଅନେକ କୋଟି କୋଟି ଟଙ୍କାର ପ୍ରକଳ୍ପ ହାତକୁ ମଧ୍ୟ ନେଉଛନ୍ତି । ସେହିପରି ଅନେକ ଆନ୍ତର୍ଜାତିକ ବେସରକାରୀ, ଦାତବ୍ୟ ଓ ପଶୁ ପକ୍ଷୀଙ୍କ ପାଇଁ କାର୍ଯ୍ୟ କରୁଥିବା ଅନୁଷ୍ଠାନମାନେ ମଧ୍ୟ ସହଯୋଗ କରୁଛନ୍ତି । ଏହିପରି ଏକ ସମୟରେ ବାଘ ସଂରକ୍ଷଣ କ୍ଷେତ୍ରରେ ଭାରତ ଅନ୍ତର୍ଜାତୀୟ ସ୍ତରରେ ଏବେ ବଡ଼ ଭୂମିକା ନେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନିକଟରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତ ଅନ୍ତର୍ଜାତୀୟ ବିଗ କ୍ୟାଟ ଆଲାଏନ୍ସର ସଦସ୍ୟ ହେବା ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଆଇବିସିଏର ପ୍ରତିଷ୍ଠା ପାଇଁ ଏକ ଫ୍ରେମୱାର୍କ ଏଗ୍ରିମେଣ୍ଟରେ ଆନୁଷ୍ଠାନିକ ଭାବେ ସ୍ୱାକ୍ଷର କରିଛି ଭାରତ । କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ଭାରତ, ନିକାରାଗୁଆ, ଏସ୍ୱାତିନୀ ଓ ସୋମଲିଆ ସମେତ ଚାରିଟି ଦେଶ ଆଇବିସିଏର ସଦସ୍ୟ ହୋଇଛନ୍ତି । ଆଇବିସିଏର ସଦସ୍ୟ ହେବା ପାଇଁ ୨୪ଟି ଦେଶ ରାଜି ହୋଇଥିବା ବେଳେ ୯ଟି ଅନ୍ତର୍ଜାତୀୟ ସଂଗଠନ ମଧ୍ୟ ଆଇବିସିଏର ଅଂଶୀଦାର ହେବାକୁ ସମ୍ମାନିତ ପ୍ରକାଶ କରିଛନ୍ତି । ଏପ୍ରିଲ ୯, ୨୦୨୩ରେ ଭାରତର ପ୍ରୋଜେକ୍ଟ ଟାଇଗରର ୫୦ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ବାଘ, ସିଂହ, କଲରାପତରିଆ, ବରଫ ଚିତାବାଘ, ପୁ୍ୟମା ଆମେରିକୀୟ ବାଘ ପ୍ରଜାତି, ଜାଗୁଆର ଓ ଚିତା ଭଳି ବଡ଼ ବିଡ଼ାଳଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ଉଦେ୍ଦଶ୍ୟରେ ଏକ ଅନ୍ତର୍ଜାତୀୟ ବିଗ କ୍ୟାଟ ଆଲାଏନ୍ସର ଶୁଭାରମ୍ଭ କରିଥିଲେ । ଫେବୃଆରୀ ୨୯ର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୨୦୨୩-୨୪ରୁ ୨୦୨୭-୨୮ ପର୍ଯ୍ୟନ୍ତ ପାଞ୍ଚ ବର୍ଷ ପାଇଁ ୧୫୦ କୋଟି ଟଙ୍କାର ଏକକାଳୀନ ବଜେଟ ସହାୟତାରେ ଭାରତରେ ମୁଖ୍ୟାଳୟ ସହ ଅନ୍ତର୍ଜାତୀୟ ବିଗ କ୍ୟାଟ ଆଲାଏନ୍ସ ପ୍ରତିଷ୍ଠାକୁ ମଞ୍ଜୁରି ମିଳିଥିଲା । ସ୍ୱାକ୍ଷରିତ ଫ୍ରେମୱାର୍କ ଚୁକ୍ତିର ନକଲ ଶୁକ୍ରବାର ଆଇବିସିଏର ଅନ୍ତରୀଣ ମୁଖ୍ୟ ଏସପି ଯାଦବଙ୍କୁ ହସ୍ତାନ୍ତର କରାଯାଇଛି । ଇଣ୍ଟରନ୍ୟାସନାଲ ବିଗ କ୍ୟାଟ ଆଲାଏନ୍ସର ଲକ୍ଷ୍ୟ ହେଉଛି ୯୫ଟି ବଡ଼ ବିଡ଼ାଳ ଥିବା ଦେଶ, ସେମାନଙ୍କ ସଂରକ୍ଷଣ କ୍ଷେତ୍ରରେ ଆଗ୍ରହୀ ଥିବା ଅଣ-ରେଞ୍ଜ ଦେଶ ସେମାନଙ୍କ ସଂରକ୍ଷଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସହଯୋଗୀ ଓ ବୈଜ୍ଞାନିକ ସଂଗଠନ ବ୍ୟତୀତ ବାଘ ସଂରକ୍ଷଣ ଉଦେ୍ଦଶ୍ୟରେ ଯୋଗଦାନ ଦେବାକୁ ଇଛୁକ ବ୍ୟବସାୟୀ ଗୋଷ୍ଠୀଙ୍କୁ ନେଇ ଏକ ବହୁରାଷ୍ଟ୍ରୀୟ ଓ ବହୁପକ୍ଷୀୟ ନେଟୱର୍କ ସ୍ଥାପନ କରିବା । ଏହା ବାଘ ସଂଖ୍ୟା ହ୍ରାସକୁ ରୋକିବା ଓ ଧାରାକୁ ବଦଳାଇବା ପାଇଁ କାର୍ଯ୍ୟ କରିବ । ଜାତିସଂଘର ସମସ୍ତ ସଦସ୍ୟ ଦେଶ ଆଇବିସିଏର ସଦସ୍ୟ ହେବା ପାଇଁ ଯୋଗ୍ୟ ଅଟନ୍ତି । ଫ୍ରେମୱାର୍କ ଚୁକ୍ତିକୁ ଗତ ସପ୍ତାହରେ କ୍ୟାବିନେଟ ଅନୁମୋଦନ କରିଛି ଏବଂ ଭାରତ ଆଇବିସିଏର ସଦସ୍ୟ ହୋଇଛି । ଭାରତ ଅନ୍ତର୍ଜାତୀୟ ବିଗ କ୍ୟାଟ ଆଲାଏନ୍ସ ପ୍ରତିଷ୍ଠାତା ସଦସ୍ୟ ହେବା ଏକ ମହାନ ମୁହୂର୍ତ୍ତ ଯାହା ବାଘ ସଂରକ୍ଷଣ କ୍ଷେତ୍ରରେ ଦେଶର ନେତୃତ୍ୱକୁ ଦର୍ଶାଏ । ସମଗ୍ର ବିଶ୍ୱରେ ବାଘ ସଂରକ୍ଷଣ କ୍ଷେତ୍ରରେ ଏହା ନିଶ୍ଚିତ ଭାବରେ ପାରସ୍ପରିକ ଫାଇଦା ଓ ବୁଝାମଣାରେ ସହାୟକ ହେବ ବୋଲି ପରିବେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଏ । 
ସାଧାରଣରେ ସମସ୍ତଙ୍କର ପ୍ରିୟ ବାଘ ମାମୁଁ ଏବେ ବାସ୍ତବିକ ଖାଦ୍ୟ ଓ ନିଜ ସୁରକ୍ଷା ନେଇ ମଧ୍ୟ ଚିନ୍ତିତ । ସରକାରଙ୍କ ସହିତ ଜଙ୍ଗଲ ବିଭାଗ ଓ ବନ୍ୟପ୍ରାଣୀ ଶ୍ରଦ୍ଧାଳୁମାନେ ମଧ୍ୟ ଏ ନେଇ ଉଦବେଗ ପ୍ରକାଶ କରିବା ସହ ସୁରକ୍ଷା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି । ଦିନଥିଲା ଭାରତର ବାଘମାନେ ଥିଲେ ସମଗ୍ର ବିଶ୍ୱ ପାଇଁ ଏକ ବିରାଟ ବଡ଼ ସମ୍ପତ୍ତି । ବିଭିନ୍ନ ପ୍ରଜାତିର ବାଘମାନେ ଭାରତର ସମ୍ପତ୍ତି ଥିଲେ ଓ ଅନ୍ତର୍ଜାତିକ ସ୍ତରରେ ଗୌରବ ବଢ଼ାଉଥିଲେ । ବିଳମ୍ବରେ ହେଲେ ମଧ୍ୟ ବିଶ୍ୱଶକ୍ତି ପାଲଟିଥିବା ଭାରତ ଆଜି ଆନ୍ତର୍ଜାତିକ ସ୍ତରରେ ସଂରକ୍ଷଣ ପ୍ରସଙ୍ଗରେ ନିଜର ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବାକୁ ଯାଉଥିବାରୁ ଅନେକ ଅଭିନନ୍ଦନ ଜଣାଉଛି । 
ମୋ : ୯୪୩୭୨୫୭୧୨୩