ସାମ୍ପ୍ରତିକ ସଦ୍ଭାବ ଓ ସୌହାର୍ଦ୍ଦ୍ୟର ଆହ୍ୱାନ
ଗୋପାଳ ମହାପାତ୍ର : ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ମୁଖ୍ୟ ମୋହନ ଭାଗବତ ଦେଶରେ ସାମ୍ପ୍ରଦାୟିକ ସଦ୍ଭାବର ବୃଦ୍ଧି ପାଇଁ ଏକ ସାହସିକ ପଦକ୍ଷେପ ନେଇଛନ୍ତି । ସାମ୍ପ୍ରଦାୟିକ ସଦ୍ଭାବ ପାଇଁ ତାଙ୍କ ପ୍ରୟାସ ପ୍ରଶଂସନୀୟ । ଗତ ଡିସେମ୍ବର ମାସ ୧୯ ତାରିଖରେ ପୁନେ ଠାରେ ଭାରତର ବିଶ୍ୱଗୁରୁ ପ୍ରସଙ୍ଗରେ ଭାଷଣ ଅବସରରେ ମୋହନ ଭାଗବତ ହିନ୍ଦୁ ନେତୃତ୍ୱ ଏବଂ ସଂଘର ସ୍ୱୟଂସେବକ ମାନଙ୍କୁ ଏକ କଡ଼ା ସନେ୍ଦଶ ଦେଇଛନ୍ତି । ଭାଗବତ କହିଛନ୍ତି “ଆମେ ସମୟ ସହ ତାଳ ମିଳାଇ ସଦ୍ଭାବ ସହ ରହୁଛେ, ଆମେ ଦୁନିଆକୁ ଏହି ସଦ୍ଭାବ ପ୍ରଦାନ କରିବା ଉଚିତ୍, ଏହାର ଏକ ମଡ଼େଲ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି । ରାମମନ୍ଦିରର ନିର୍ମାଣ ପରେ କିଛି ଲୋକ ଭାବୁଛନ୍ତି ଯେ ସେମାନେ ନୂଆ ନୂଆ ଜାଗାର ପ୍ରସଙ୍ଗ ଉଠାଇ ହିନ୍ଦୁଙ୍କ ନେତା ହୋଇଯିବେ । ଏହାକୁ ସ୍ୱୀକାର କରାଯାଇ ପାରିବ ନାହିଁ ।” ଦିବଂଗତ ସୁଷମା ସ୍ୱରାଜ ମଧ୍ୟ ୨୦୦୦ ମସିହା ଏପ୍ରିଲ ୧୪ ତାରିଖରେ ଭୋପାଳ ଠାରେ ଏକ ସମାବେଶରେ ଭାଷଣ ଦେବା ଅବସରରେ ସ୍ୱୀକାର କରିଥିଲେ ଯେ ମନ୍ଦିର ଆନେ୍ଦାଳନ ସଂପୂର୍ଣ୍ଣ ଭାବରେ ରାଜନୈତିକ ପ୍ରସଙ୍ଗ ଥିଲା ଏବଂ ଧର୍ମ ସହ ଏହାର କୌଣସି ନେଣ-ଦେଣ ନଥିଲା । ସଂଘ ପ୍ରମୁଖ ମୋହନ ଭାଗବତ ସାହାସିକତାର ସହ ସ୍ପଷ୍ଟ ଭାବେ କହିଛନ୍ତି ଯେ ଅଯୋଧ୍ୟା ପ୍ରସଙ୍ଗ ଆସ୍ଥାର ମାମଲା ଥିଲା । କିଛି ଲୋକ ବାସ୍ତବରେ ମନ୍ଦିରକୁ ପ୍ରସଙ୍ଗ କରି ରାଜନୀତିରେ ଉପରକୁ ଉଠି ପାରିଛନ୍ତି । ମୋହନ ଭାଗବତ ଯାହା କହିଛନ୍ତି ଯଦି ତାହା ପ୍ରକୃତରେ କାର୍ଯ୍ୟରେ ପରିଣତ ହୁଏ ତେବେ ଦେଶରେ ଶାନ୍ତି ସ୍ଥାପିତ ହେବ ନିଶ୍ଚୟ । ଯେଉଁ ସଦଭାବର କଥା ମହାତ୍ମାଗାନ୍ଧୀ କହି ମଧ୍ୟ କାର୍ଯ୍ୟରେ ପରିଣତ କରିପାରିନଥିଲେ ସେଇ ମହାତ୍ମାଗାନ୍ଧୀଙ୍କୁ ଘୋର ବିରୋଧ କରୁଥିବା ରାଷ୍ଟ୍ରୀୟ ସେବକ ସଂଘର ମୁଖ୍ୟ ତାଙ୍କ କଥାକୁ ପୁରଣ କରିବା ପାଇଁ ଅଣ୍ଟା ଭିଡିଛନ୍ତି । ସଂଘ ପ୍ରମୁଖ ଯେ ପ୍ରଥମ ଥର ଏଭଳି ମନ୍ତବ୍ୟ ଦେଇଛନ୍ତି ତା ନୁହେଁ । କିନ୍ତୁ ଡିସେମ୍ବର ୧୯ ତାରିଖର ମୋହନ ଭାଗବତଙ୍କ ମନ୍ତବ୍ୟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।
ଅଖିଳ ଭାରତୀୟ ସନ୍ଥ ସମିତିର ମହାସଚିବ ଜିତେନ୍ଦ୍ରାନନ୍ଦ ସରସ୍ୱତୀଙ୍କଠାରୁ ଆରମ୍ଭ କରି ରାମଭଦ୍ରା ଚାର୍ଯ୍ୟଙ୍କ ପର୍ଯ୍ୟନ୍ତ ଏବଂ ଚକ୍ରପାଣିଙ୍କ ଠାରୁ ଦେବକୀନନ୍ଦନ ଠାକୁର ଭଳି ସନ୍ଥ ମାନେ ମୋହନ ଭାଗବତଙ୍କ ମନ୍ତବ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏପରିକି ଅବିମୁକ୍ତେଶ୍ୱରାନନ୍ଦଙ୍କ ଭଳି ମହାମାନ୍ୟ ମଧ୍ୟ ଏହି ପ୍ରସଙ୍ଗରେ ଭାଗବତ ବିରୋଧୀଙ୍କ ସହ ମିଶିଯାଇଛନ୍ତି । ସ୍ପଷ୍ଟ ଭାବେ ଜଣାପଡିଯାଉଛି ଯେ ଭାଗବତଙ୍କ ବୟାନକୁ ନେଇ କିଏ ବିବାଦ ସୃଷ୍ଟି କରୁଛି । କିନ୍ତୁ ଏକଥା ମଧ୍ୟ ସତ୍ୟ ଯେ ସଂଘ ପ୍ରମୁଖ ଯାହା କରିପାରିବେ ହିନ୍ଦୁଧର୍ମଗୁରୁ ବା ଧର୍ମଗୁରୁ ସମୁହ ସେ କଥା କରିପାରିବେ ନାହିଁ । କୌଣସି ହିନ୍ଦୁ ମଠାଧିକାରିଙ୍କ ପାଖରେ ଏମିତି ସେନା (ସ୍ୱୟଂସେବକ) ନାହାଁନ୍ତି ଯେଉଁମାନେ ଲୋକଙ୍କ ସହ ଯୋଡି ହୋଇ ରହିଛନ୍ତି ଓ ଯେଉଁମାନଙ୍କର ଭୋଟ ରାଜନୀତିକୁ ପ୍ରଭାବିତ କରିବାର ପ୍ରବଳ କ୍ଷମତା ରହିଛି । ହୁଏତ ମୋହନ ଭାଗବତ ହିନ୍ଦୁଧର୍ମର ପ୍ରମୁଖ ହେବାର ଇଛା ରଖିଥାଇପାରନ୍ତି କିନ୍ତୁ ହିନ୍ଦୁ ମାନସକୁ ପ୍ରଭାବିତ କରିବା ଦିଗରେ ସେ ରାମଭଦ୍ରାଚାର୍ଯ୍ୟ ଓ ଅନ୍ୟ ମଠାଧିଶଙ୍କ ଠାରୁ ଅଧିକ ପ୍ରଭାବଶାଳୀ ନିଶ୍ଚୟ । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଆଗରେ ଅଖିଳ ଭାରତୀୟ ସନ୍ଥ ସମିତିର ସ୍ଥିତି ମଧ୍ୟ ନଗଣ୍ୟ । ଏଣୁ ହିନ୍ଦୁଙ୍କୁ ସଂଗଠିତ କରିବାର ଦାୟିତ୍ୱ ଭାଗବତଙ୍କୁ କେହି ଦେଉ ବା ନଦେଉ ତାଙ୍କ ପାଖରେ ଏହି ଶକ୍ତି ସେତେବେଳେ ପର୍ଯ୍ୟନ୍ତ ରହିଛି ଯେତେବେଳେ ପର୍ଯ୍ୟନ୍ତ ସେ ସଂଘ ପ୍ରମୁଖ ଅଛନ୍ତି । ସେଇଥିପାଇଁ ୨୦୨୪ର ଲୋକସଗଭା ନିର୍ବାଚନ ବେଳେ ଯେତେବେଳେ ବିଜେପି ଅଧ୍ୟକ୍ଷ ଜଗତ୍ପ୍ରକାଶ ନଡ୍ଡା “ଏବେ ବିଜେପି ସକ୍ଷମ; ନିର୍ବାଚନରେ ସଂଘର ସାହାଜ୍ୟର ଆବଶ୍ୟକତା ନାହିଁ” ବୋଲି କହିଥିଲେ ତା ପରେ ମୋହନ ଭାଗବତ ଏମିତି ଓଲଟା ପୁରାଣ ପଢିଥିଲେ ଯେ ବିଜେପିର “ଅବକି ବାର ୪୦୦ ପାର” ସ୍ଲୋଗାନ ମଧ୍ୟ ଭୁଲ ପ୍ରମାଣିତ ହୋଇଥିଲା । ସନ୍ଥ ସମାଜ ଯେତେ ବି ଭାବନାତ୍ମକ ବୟାନ ବାଜି କରନ୍ତୁ ନା କାହିଁକି ବିଜେପି ପାଇଁ ଭୋଟ ବ୍ୟାଙ୍କ ସୃଷ୍ଟି କରି ପାରିବେ ନାହିଁ ।
ମୋହନ ଭାଗବତଙ୍କ ବୟାନ ପରେ ଦେଶର ମୁସଲିମ ସଂପ୍ରଦାୟ ଏବେ ନାଗପୁର (ସ୍ୱୟଂସେବକ ସଂଘର କାର୍ଯ୍ୟାଳୟ) ଆଡକୁ ଦେଖିବାକୁ ପସନ୍ଦ କରୁଛନ୍ତି । ସେମାନଙ୍କୁ ଲାଗୁ ଥାଇପାରେ ଯେ ସଂଖ୍ୟା ଲଘୁକୁ ନେଇ ବିଜେପି ଏବଂ ସଂଘ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି । ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ସଂଘ ପ୍ରଛଦପଟ୍ଟରେ ସାହାଯ୍ୟ କରିଥିଲା । ଯୋଗୀ ଆଦିତ୍ୟନାଥଙ୍କ “କଟେଙ୍ଗେ ତୋ ବଣ୍ଟେଙ୍ଗେ” ସ୍ଲୋଗାନ ପଛରେ ସଂଘର ସହମତି ମଧ୍ୟ ଥିଲା । ଇତି ମଧ୍ୟରେ ସମ୍ଭଲ ଘଟଣା ଘଟିଗଲା । ଫଡନବିଶ ସରକାର ଗଠନ ଏବଂ ବିଭାଗ ବଣ୍ଟନ ପଛରେ ସଂଘର ହାତ ରହିଥିଲା । ଏସବୁ ଘଟଣା ସରିବା ପରେ ସଂଘ ପ୍ରମୁଖ ଏକ ନୂଆମନ୍ତ୍ର ସ୍ୱୟଂସେବକ ମାନଙ୍କୁ ଦେଇଛନ୍ତି ଯାହା କେବଳ ଯେ ସାଧୁ –ସନ୍ଥ ସମାଜ ଏବଂ ସଂଘ- ବିଜେପି କାର୍ଯ୍ୟକର୍ତ୍ତାଙ୍କ ପାଇଁ ଏକ ସଙ୍କଟ ଜନକ ପରିସ୍ଥିତି ସୃଷ୍ଟି କରିଛି ତା ନୁହେଁ ମୁସଲିମ ସଂଖ୍ୟା ଲଘୁଙ୍କୁ ମଧ୍ୟ ଏପ୍ରସଙ୍ଗରେ ଚିନ୍ତା କରିବା ପାଇଁ ବାଧ୍ୟ କରିଦେଇଛି । ଦୁଇବର୍ଷ ପୁର୍ବରୁ ଉପୁଜିଥିବା “ଜ୍ଞାନବାପୀ” ବିବାଦ ପରେ ମୋହନ ଭାଗବତ କହିଥିଲେ ଯେ “ସବୁ ମସଜିଦ୍ରେ ଶିବଲିଙ୍ଗ କାହିଁକି ଖୋଜା ଯାଉଛି? ଋାମମନ୍ଦିର କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି ଏଣୁ ଆଉ ଆନେ୍ଦାଳନ କରିବା ଉଚିତ୍ ନୁହେଁ” କିନ୍ତୁ ଭାଗବତଙ୍କ ଏହି ମନ୍ତବ୍ୟର କଣ କିଛି ପ୍ରଭାବ ପଡିଥିଲା? ବରଂ ସାମ୍ପ୍ରଦାୟିକ ଧୃବୀକରଣ ମାଧ୍ୟମରେ ଗାଦି ପାଇଁ ରାଜନୀତି କରୁଥିବା ମହତ୍ୱାକାଂକ୍ଷୀ ମାନେ ସଂଘକୁ ସମାଲୋଚନା କରିଥିଲେ । ଏଭଳି ହୋଇନଥିଲେ ମୋହନ ଭାଗବତ ଡିସେମ୍ବର ୧୯ ତାରିଖରେ ଯାହା କହିଲେ ସେ କଥା କହିନ ଥାନ୍ତେ । ମୋହନ ଭାଗବତ ଯେଉଁ କଥା କହିଛନ୍ତି ତାହା ବିରୋଧି ଦଳଙ୍କ ଉଦେଶ୍ୟରେ ନୁହେଁ ନିଶ୍ଚୟ । ତେବେ ମୋହନ ଭାଗବତ କେଉଁ ମାନଙ୍କୁ ବୟାନ ମାଧ୍ୟମରେ ଟାର୍ଗେଟ କରିଛନ୍ତି?
ମୋହନ ଭାଗବତ ତାଙ୍କ ବୟାନରେ କାହାରି ନାମ ନେଇ ନାହାଁନ୍ତି । ଭାଗବତ ମଧ୍ୟ ଏକଥା ସ୍ୱୀକାର କରିବାକୁ ପ୍ରସ୍ତୁତ ହେବେ ନାହିଁ ଯେ ସାଂପ୍ରଦାୟିକ ବୈମନସ୍ୟର ଯେଉଁ ମଞ୍ଜିଂ ଶାସନ ଗାଦି ପ୍ରାପ୍ତିର ଅସ୍ତ୍ର ଭାବରେ ବ୍ୟବହାର କରାଯାଉଛି ତାକୁ ନାଗପୁର (ସଂଘ) ଦୀର୍ଘବର୍ଷ ଧରି ମୌନ ସମର୍ଥନ କରି ଆସିଛି । ସେଇ ମଞ୍ଜି ଏବେ ବିଶାଳ ଦ୍ରୁମରେ ପରିଣତ ହେବାକୁ ବସିଲାଣି । ଏବେ ଏହି ମହାଦ୍ରୁମ ସଂଘକୁ ତା ତଳେ ·ପି ରଖିବାକୁ ଚାହିଁଲାଣି । ଭାଗବତଙ୍କ ବୟାନକୁ ସାଧୁ ସନ୍ଥ ମାନେ ହଜମ କରି ପାରୁ ନାହାଁନ୍ତି ଏବଂ ସଂଘ ହିନ୍ଦୁ ମାନଙ୍କ ଠିକା ନେଇ ନାହିଁ ବୋଲି କହୁଛନ୍ତି । ସଂଘକୁ ନେଇ ବିଜେପି ଏବଂ ସାଧୁ-ସନ୍ଥ ସମାଜର ଧାରଣା ଏକପ୍ରକାର ।
ଅଖିଳ ଭାରତୀୟ ସନ୍ଥ ସମିତି ସଂଘ ଏକ ସାଂସ୍କୃତିକ ସଂଗଠନ ବୋଲି କହିଲେଣି । ଏପରିକି ସମିତିର ମହାଶଚୀବ ସ୍ୱାମୀ ଜିତେନ୍ଦ୍ରାନନ୍ଦ ସରସ୍ୱତୀ କହିଛନ୍ତି ଯେ ଧର୍ମାଚାର୍ଯ୍ୟ ମାନେ ଯାହା ସ୍ଥିର କରିବେ ସେକଥାକୁ ସଂଘ ଏବଂ ବିଶ୍ୱ ହିନ୍ଦୁ ପରିଷଦ ମାନିବାକୁ ବାଧ୍ୟ । ଏହାର ସିଧା ସଳଖ ଅର୍ଥ ହେଉଛି ଭାଗବତଙ୍କ ବକ୍ତବ୍ୟ ପ୍ରଭାବହୀନ । ବିଗତ ଦୁଇ ଦଶନ୍ଧିରୁ ଅଧିକ ସମୟ ହେବ କେତେକ ରାଜନୈତିକ ଦଳ ଏବଂ ସେମାନଙ୍କ ଶୀର୍ଷ ସଂଗଠନର ନେତୃତ୍ୱରେ ଲକ୍ଷ ଲକ୍ଷ କର୍ମକର୍ତ୍ତା, ପ୍ରବଚକ, ସାଧୁସନ୍ଥ ଏବଂ ଆଖଡ଼ାର ଗୋଷ୍ଠୀ ଏକତ୍ରିତ ହୋଇଯାଇଛନ୍ତି । ଏମାନଙ୍କ ପାଇଁ ମନ୍ଦିର ନିର୍ମାଣ ଓ ମନ୍ଦିରର ଅବଶେଷ ଖୋଜିବା ଏକ ଲାଭପ୍ରଦ ସଂଶାଧନ ବା ଉଦ୍ୟୋଗ ପାଲଟି ଯାଇଛି ।
ମୋହନ ଭାଗବତଙ୍କ କଥାକୁ ଯଦି ଗ୍ରହଣ କରାଯିବ ତେବେ ଦେଶରେ ଧାର୍ମିକ ବେରୋଜଗାରୀର ଅରାଜକତା ସୃଷ୍ଟି ହୋଇଯିବ । କଥିତ ବିଧର୍ମଙ୍କ ମର୍ମସ୍ଥଳରେ ପ୍ରହାର କରି ଗାଦି ପ୍ରାପ୍ତିର ମାର୍ଗ ପ୍ରଶସ୍ତ କରୁଥିବା ସେନାଙ୍କ ଅଭାବ ପଡିଯିବ । ହିନ୍ଦୁତ୍ୱବାଦୀ ସରକାର ଆଗରେ ଅସ୍ତିତ୍ୱର ସଙ୍କଟ ସୃଷ୍ଟି ହେବ । ଏବେ ପ୍ରଶ୍ନଉଠୁଛି ଯେ ବିଜେପି ସଂଘ ପ୍ରମୁଖଙ୍କ ବକ୍ତବ୍ୟକୁ ଗୁରୁତ୍ୱ ଦେବ କି ନାହିଁ? ଯଦି ଗୁରୁତ୍ୱ ନଦିଏ ସଂଘ ଆଗାମୀ ଦିନରେ ବିଜେପିର ପିତାମହର ଭୂମିକାରେ ରହିବ ନା ନାହିଁ? ଯାହାବି ହେଉ ମୋହନ ଭାଗବତ ସାହସର ସହ ଯାହା କହିଛନ୍ତି ତାହା ଚିନ୍ତାର ବିଶୟ । ଏବେ ଦେଶରେ ଯେମିତି ସାମ୍ପ୍ରଦାୟିକ ସୌହାର୍ଦ୍ୟ ବିଗିଡିବାରେ ଲାଗିଛି ସେ ସମୟରେ ଭାଗବତଙ୍କ ମନ୍ତବ୍ୟର ଗୁରୁତ୍ୱ ଅଧିକ ରହିଛି ।
ରାମଚନ୍ଦ୍ରପୁର, ରଣପୁର
ମୋ: ୯୪୩୮୪୮୫୦୯୪