ବଜେଟରୁ କ’ଣ ପାଇବ ଓଡ଼ିଶା ? ହିସାବ ଦେଲେ ଧର୍ମେନ୍ଦ୍ର
Dharmendra Pradhan
ପୋଷଣରେ ଉପକୃତ ହେବେ ୩୬ ଲକ୍ଷ ଶିଶୁ ଓ ଗର୍ଭବତୀ
କପା ଉତ୍ପାଦିତ ଅଞ୍ଚଳରେ ଚାଷୀ ପାଇବେ ଫାଇଦା
ମେରିଟାଇମ୍ ଡେଭଲପମେଣ୍ଟ ଫଣ୍ଡରୁ ଲାଭ ପାଇବ ଓଡ଼ିଶା
ଜମାଦରପାଲ, ବିରସାଲ, ରାସଗୋବିନ୍ଦପୁର, ରଙ୍ଗେଇଲୁଣ୍ଡା ଓ ରାଇକଳାରେ ହେବ ବିମାନବନ୍ଦର
ନୂଆଦିଲ୍ଲୀ/ଭୁବନେଶ୍ୱର : କେନ୍ଦ୍ର ବଜେଟରୁ ଓଡ଼ିଶା ଲାଭବାନ ହେବ । ଚଳିତ ବଜେଟରେ ଓଡ଼ିଶାକୁ ରେଳ କ୍ଷେତ୍ରରେ ୧୦ ହଜାର ୫୯୯ କୋଟି ଟଙ୍କା ଅନୁଦାନ ମିଳିଛି । ଜମାଦାର, ବିରସାଲ, ରାସଗୋବିନ୍ଦପୁର, ରଙ୍ଗେଇଲୁଣ୍ଡା ଓ ରାଇକଳାରେ ବିମାନବନ୍ଦରର ବିକାଶ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ବିସ୍ତୁତ ଭାବେ କେନ୍ଦ୍ରମନ୍ତ୍ରୀ କହିଛନ୍ତିଯେ, ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ପାଇଁ ୨୦୨୫-୨୬ର ବଜେଟ୍ ପ୍ରସ୍ତୁତ ହୋଇଛି । ଡବଲ ଇଞ୍ଜିନ ସରକାରର ସହଯୋଗରେ ଓଡ଼ିଶା ଭଳି ଅପାର ସମ୍ଭାବନାର ରାଜ୍ୟର ଅଭିବୃଦ୍ଧି ହେବ । ସକ୍ଷମ ଅଙ୍ଗନୱାଡ଼ି ଓ ପୋଷଣ ୨.୦ କାର୍ଯ୍ୟକ୍ରମରେ ଓଡ଼ିଶାର ୩୬ ଲକ୍ଷରୁ ଅଧିକ ଶିଶୁ, ଗର୍ଭବତୀ ମହିଳା ଓ ସ୍ତନ୍ୟପାନ କରାଉଥିବା ମା'ଙ୍କୁ ପୋଷଣ ସହାୟତା ଯୋଗାଇ ଦିଆଯିବ । ଆସନ୍ତା ୫ ବର୍ଷରେ ସରକାରୀ ବିଦ୍ୟାଳୟଗୁଡ଼ିକରେ ୫୦ ହଜାର ଅଟଳ ଟିଙ୍କରିଂ ଲ୍ୟାବ୍ ପ୍ରତିଷ୍ଠା କରାଯିବାର ବ୍ୟବସ୍ଥା ହୋଇଛି । ଭାରତନେଟ୍ ପ୍ରକଳ୍ପ ଅଧୀନରେ ଇଣ୍ଟରନେଟ୍ ଓ ବ୍ରଡବ୍ୟାଣ୍ଡ୍ ସଂଯୋଗ ନଥିବା ସମସ୍ତ ୩,୬୫୯ଟି ସରକାରୀ ମାଧ୍ୟମିକ ବିଦ୍ୟାଳୟ ଏବଂ ଗ୍ରାମାଞ୍ଚଳର ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଇଣ୍ଟରନେଟ୍ ଓ ବ୍ରଡବ୍ୟାଣ୍ଡ ସଂଯୋଗ ଯୋଗାଇ ଦିଆଯିବ । ଏହି ସବୁ ବ୍ୟବସ୍ଥାରୁ ଓଡ଼ିଶା ସିଂହ ଭାଗ ଲାଭ ପାଇବ । ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ବହି ଯୋଗାଇଦେବା ପାଇଁ ସରକାର ‘ଭାରତୀୟ ଭାଷା ପୁସ୍ତକ ଯୋଜନା' ଆରମ୍ଭ କରିବା ପାଇଁ ଯାଉଛନ୍ତି । ଏହାଦ୍ୱାରା ଓଡ଼ିଆ ଭାଷାର ପ୍ରଚାର ପ୍ରସାର ହେବ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ବଜେଟରେ ପିଏମ ଧନ ଧାନ୍ୟ କୃଷି ଯୋଜନା ତଥା ଏକ ବିକଶିତ କୃଷି-ଜିଲ୍ଲା କାର୍ଯ୍ୟକ୍ରମ ଅଧୀନରେ ୧୦୦ଟି ଜିଲ୍ଲାକୁ ସାମିଲ କରାଯିବା ପାଇଁ ପ୍ରାବଧାନ ହୋଇଛି । ଏହା ଦ୍ୱାରା ଓଡ଼ିଶା ଭଳି କୃଷିଭିତ୍ତିକ ରାଜ୍ୟ ବିଶେଷ ଭାବେ ଲାଭବାନ ହେବ । କପା ଉତ୍ପାଦକତା ମିଶନରେ କଳାହାଣ୍ଡି, ବଲାଙ୍ଗୀର, କନ୍ଧମାଳ, କୋରାପୁଟ, ରାୟଗଡ଼ା, ନୂଆପଡ଼ା, ଗଞ୍ଜାମ, ଗଜପତି, ବୌଦ୍ଧ, ସୋନପୁର ଏବଂ ବରଗଡ଼ ଭଳି ଜିଲ୍ଲାରେ କପା ଉତ୍ପାଦନ ପ୍ରତି ପ୍ରୋତ୍ସାହନ ବଢିବ ।
ମେରିଟାଇମ୍ ଡେଭଲପମେଣ୍ଟ ଫଣ୍ଡ ଆକାରରେ ୨୫ ହଜାର କୋଟି ଟଙ୍କାର ଏକ କର୍ପସ ଗଠନ ଦ୍ୱାରା ଓଡ଼ିଶାର ସାମୁଦ୍ରିକ କ୍ଷେତ୍ରରେ ବନ୍ଦରର ବିକାଶ, ନୂତନ ବନ୍ଦର ପ୍ରତିଷ୍ଠା ସହ ସାମୁଦ୍ରିକ ବାଣିଜ୍ୟ ତ୍ୱରାନ୍ୱିତ ହୋଇପାରିବ । ସଂଶୋଧିତ ଉଡାନ ଯୋଜନାରେ ସମ୍ବଲପୁର ଜମାଦରପାଲି, ଢେଙ୍କାନାଳର ବିରସାଲ, ମୟୂରଭଞ୍ଜର ରାସଗୋବିନ୍ଦପୁର, ଗଞ୍ଜାମର ରଙ୍ଗେଇଲୁଣ୍ଡା ଓ କେନ୍ଦୁଝରର ରାଇକଳାରେ ବିମାନବନ୍ଦରର ବିକାଶ କରିପାରିବ । ଉଦୀୟମାନ ଟାୟାର-୨ ସହରଗୁଡିକରେ ଗ୍ଲୋବାଲ କାପାବିଲିଟି ସେଣ୍ଟରକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟଗୁଡ଼ିକୁ ମାର୍ଗଦର୍ଶନ ଭାବରେ ଏକ ଜାତୀୟ ଢାଞ୍ଚା ପ୍ରସ୍ତୁତ କରାଯିବ - ଏହା ଦ୍ୱାରା ଓଡ଼ିଶାର ଭୁବନେଶ୍ୱର, ସମ୍ବଲପୁର, ବାଲେଶ୍ୱର ଏବଂ ବ୍ରହ୍ମପୁର ଭଳି ସହରରେ ଗ୍ଲୋବାଲ କ୍ୟାପାବିଲିଟି ସେଣ୍ଟର ସ୍ଥାପନ କରିବାରେ ସକ୍ଷମ ହେବ । ଖେଳଣା କ୍ଷେତ୍ର ପାଇଁ ହୋଇଥିବା ଯୋଜନା ଓଡ଼ିଶାରେ କ୍ଲଷ୍ଟର ବିକାଶକୁ ସୁନିଶ୍ଚିତ କରିବ ।
ଦେଶର ଶ୍ରେଷ୍ଠ ୫୦ ପର୍ଯ୍ୟଟନସ୍ଥଳୀର ବିକଶିତ ହେବା ନେଇ ବଜେଟରେ ବ୍ୟବସ୍ଥା କରାଯାଇଛି । ଓଡ଼ିଶାରେ ପର୍ଯ୍ୟଟନର ଅପାର ସମ୍ଭାବନା ରହିଥିବା ବେଳେ ରାଜ୍ୟର ୨ରୁ ୪ଟି ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀର ବିକାଶ କରାଯାଇପାରିବ । କେନ୍ଦ୍ର ବଜେଟ ୨୦୨୫-୨୬ରେ ହୋଇଥିବା ଆନୁଷଙ୍ଗିକ ଯୋଜନା ଓ ବ୍ୟବସ୍ଥା ଓଡ଼ିଶାର ନୂଆପିଢିକୁ ନୂଆ ଦିଶା ଦେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।