ଆସ କଥାହେବା
ଡ. ନିରଞ୍ଜନ ସାହୁ : ମଣିଷର ବିଶେଷତ୍ୱ ଭିତରେ ଅଛି ତାର ନିଜକୁ ପ୍ରକାଶ କରିବାର ଏକ ବଳଶାଳୀ ‘ଆକାଂକ୍ଷା’, ସେଇଟି ହେଲା କଥା ହେବା । କଥା ହୋଇଗଲେ ଅନେକ ମତଭେଦ ଦୂର ହୋଇଯାଏ, ଏକଲାପଣ କଟିଯାଏ ଆଉ ଭବିଷ୍ୟତ ପାଇଁ କିଛି ଯୁଗ୍ମ ଦାୟିତ୍ୱ ଥିଲେ ତା’ ପାଇଁ ଯୋଜନାଟି ହୁଏ ଫଳପ୍ରଦ ।
ନିଜକୁ ପ୍ରକାଶ କରିବାର ଅନେକ ମାଧ୍ୟମ ରହିଛି । କଥା ଛଡ଼ା ସେଗୁଡ଼ିକୁ ପ୍ରକାଶ କରାଯାଇପାରିବ ଅଭିନୟ, ସଙ୍ଗୀତ, ଚିତ୍ରାଙ୍କନ, ଗଳ୍ପ / କବିତା / ଉପନ୍ୟାସ ଆଦି ଲେଖା ମାଧ୍ୟମରେ । ଲେଖାଠାରୁ କଥା ହେବା ଅଧିକ ସରଳ ଏବଂ ସହଜ । ହେଲେ ଭାଷାର ବିଭିନ୍ନତା ସେଥିରେ ବଇରୀ ସାଜେ । ହଜାର ହଜାର ଭାଷା ମଣିଷ ବ୍ୟବହାର କରେ, ଆଉ ପ୍ରତ୍ୟେକ ଅନ୍ୟଠାରୁ ଅଲଗା । ଅର୍ଥାତ୍ ଆପଣ ଯଦି ମୋତେ ଧରାଯାଉ ତେଲୁଗୁରେ କିଛି କଥାହେଲେ, ମାତ୍ର ସେଇ ଭାଷା ଯଦି ମୋର ଜ୍ଞାନର ବାହାରେ ତାହେଲେ ସେଇ କଥାଟି ସେଇଠି ହିଁ ଶେଷ ନିଃଶ୍ୱାସ ନିଏ ।
କଥାରେ କହନ୍ତି ‘କହି ଜାଣିଲେ କଥା ସୁନ୍ଦର’ ଅର୍ଥାତ୍ କଥା କହିବା ବି ଗୋଟିଏ ଶୈଳୀ, ଗୋଟିଏ କଳା । ଯିଏ ତାକୁ ଭଲ ଭାବରେ କହିପାରେ ସିଏ ସାବାସୀ ପାଏ । ଯିଏ କଥା କହିବାରେ ତାଳ ମେଳ ରଖି ପାରେନା, ସେ ସର୍ପଜଣାଣ ଶୁଣେ । କଥା କହିବା ବେଳେ ଗୁରୁ ଚଣ୍ଡାଳ ଦୋଷକୁ ଲକ୍ଷ୍ୟ କରିବା ଜରୁରି । ଅର୍ଥାତ୍ ଯେଉଁ କଥାଟି କୁହାଯିବାକୁ ଅଛି ତାହା ଗୁରୁଙ୍କ ନିକଟରେ ପରିବେଷଣ କରିବା ପୂର୍ବରୁ ତାକୁ ପରଖିବାକୁ ପଡ଼ିବ ତାହା ଗୁରୁଙ୍କ ସମୀପରେ ପ୍ରକାଶ କରାଯିବା ଉପଯୋଗୀ କି ନୁହେଁ । ସାଧୁଶବ୍ଦ ଏବଂ ଉନ୍ନତ ମାନର ପ୍ରକାଶଭଙ୍ଗୀ ଶୋଭାପାଏ ବିଜ୍ଞଜନଙ୍କ ନିକଟରେ ଆଲୋଚନା ବେଳେ । ଠିକ ସେହିପରି ଦେଶଜ ଶବ୍ଦର ବ୍ୟବହାର ମନକୁ ପାଏ ଯଦି ଆପଣଙ୍କୁ ଆଲୋଚନା କରିବାର ଅଛି ସାଧାରଣ ଲୋକଙ୍କ ମେଳରେ ।
କଥା ହେବାକୁ ହେଲେ ପ୍ରଥମେ ଏକ ମାନସିକ ପ୍ରସ୍ତୁତି କରିବାକୁ ହେବ । କେତେବେଳେ କଥାବାର୍ତ୍ତା କରିବାକୁ ହେବ, କାହା ସହିତ ଏବଂ କେତେ ସମୟ ଧରି କଥାବାର୍ତ୍ତା ଚାଲିବା ଦରକାର । ଏଥିରେ ଉଭୟପକ୍ଷଙ୍କର ସହମତି ବି ଥିବା ଦରକାର । ଯେଉଁ ବିଷୟରେ ଆଲୋଚନା କରିବାର ଅଛି ତା ସଂପର୍କରେ ସବିଶେଷ ତଥ୍ୟ ପ୍ରତ୍ୟେକ ପକ୍ଷଙ୍କ ନିକଟରେ ରହିବା ଦରକାର । କଥାବାର୍ତ୍ତା ବେଳେ ସୌଜନ୍ୟ ରକ୍ଷା ସର୍ବାଦୌ ଆବଶ୍ୟକ ଏବଂ ନିର୍ଦ୍ଦିଷ୍ଟ ସମୟ ସାରିଣୀ ମଧ୍ୟରେ କଥାବାର୍ତ୍ତାକୁ ସମାପନ କରିବା ଦରକାର । ଉଭୟ ପକ୍ଷଙ୍କ ମଧ୍ୟରେ କଣ କଥାବାର୍ତ୍ତା ହେଲା ଏବଂ ସେଥିରୁ କ’ଣ ନିଷ୍କର୍ଷ ବାହାରିଲା ତାର ଏକ ତଥ୍ୟ ଉଭୟ ପକ୍ଷକୁ ପ୍ରଦାନ କରିବା ବିଧେୟ । ମୁଖ୍ୟତଃ ଯିଏ କଥା ଆରମ୍ଭ କରିଥାନ୍ତି ସେ ହିଁ ଏଇ ଦାୟିତ୍ୱ ସବୁବେଳେ ନେଇଥାଆନ୍ତି ।
କଥା କହିବା ଏତେ ଗୁରୁତ୍ୱପୂର୍ଣ୍ଣ ଯେ ଦୁଇ ବର୍ଷର ଶିଶୁ ଯଦି ଠିକ୍ ଭାବରେ କଥା ନ କହିଲା, ତେବେ ବାପା ମାଆଙ୍କ ଭିତରେ ଆଶଙ୍କା ସୃଷ୍ଟି ହୁଏ । କାଳେ ତାଙ୍କର ପିଲାଟି ଜଡ଼ଭରତ ପାଲଟି ଯିବ ନାହିଁ ତ! ଆଗ କାଳରେ ଏଇ ସନେ୍ଦହ ଥିଲା ମାତ୍ର ଆଜିକାଲି ତାଠାରୁ ଆହୁରି ବଡ଼ ଭୟ ବି ସୃଷ୍ଟି ହୋଇଛି, ସେଇଟି ହେଲା ଅଟିଜିମ୍ ନାମକ ଏକ ବେମାରୀ, ଯାହା ଏମିତି ଯେ ବାହାରକୁ କୌଣସି ରୋଗର ଉପସର୍ଗ ପରିଦୃଷ୍ଟ ହେବନି; ମାତ୍ର ପିଲାର ମାନସିକ ଅଭିବୃଦ୍ଧି ହେବ ନାହିଁ, ମୋଟରୁ । ସେଇମିତି ପିଲାଙ୍କର ବାପାମାଆଙ୍କ ଦୁଃଖ ବାସ୍ତବରେ କେହି ଜାଣିପାରି ନଥାନ୍ତି । ଏଇ ରୋଗର କିଛି ଉପଶମ ନାହିଁ କହିଲେ ଚଳେ । ସେଇପରି ଦୁଃଖୀ ପିଲାର ଅଭିଭାବକ କହି ପାରିବେ କଥା ହେବା କେତେ ଜରୁରି!
ଆମେ ପିଲାବେଳେ ସାଙ୍ଗମାନଙ୍କ ସହିତ କିଛି କଳି ହେଲେ କଥା ବନ୍ଦ କରି ଦେଉଥିଲେ । ତାହା ଥିଲା ଏକ ସାମୟିକ ବିରତି । ପୁଣି କିଛି ସମୟ ଭିତରେ ସେଇ କଟିଯାଇଥିବ ସମ୍ପର୍କ ଗଜୁରି ଉଠୁଥିଲା । ନୂଆ ପଲ୍ଲବିତ ସଂପର୍କ ହେଉଥିଲା ଅଧିକ ଗଭୀର । ହେଲେ ବୟସ ବଢ଼ିବା ପରେ ଯେତେବେଳେ ସମ୍ପର୍କ ଛିଡ଼ି ଯାଉଛି ସିଏ ଆଉ ଯୋଡ଼ୁନାହିଁ ସତେ ଯେମିତି ଭାଙ୍ଗିଯାଇଥିବା କାଚଟାଏ । ସେତେବେଳେ ପ୍ରତିପକ୍ଷ ନିଜକୁ ଯେମିତି କହନ୍ତି - ମୁଁ କାହିଁକି ଆଗେ କହିବି, ସେ କହୁ । ଆଉ ଏଇମିତି ପ୍ରଶ୍ନର ପୁନଃସ୍ମରଣ ଭିତରେ ସମୟ ଗଡ଼ିଯାଏ ଯେ ଆଉ ସମ୍ପର୍କ ଯୋଡ଼ିବା ହୋଇପଡ଼େ କଷ୍ଟ । ସେତେବେଳେ ଆମେ ଅନ୍ୟର ଭୁଲ୍ ବିଚାର କରୁ - ନିଜକୁ ଅଲକ୍ଷ୍ୟରେ ବିଚାରପତି ଆସନରେ ବସେଇ ଦେଉ । ବିଚାରପତିମାନେ କ୍ୱଚିତ ଭଲ ସାଙ୍ଗ ହୋଇପାରନ୍ତି କାରଣ ସେମାନେ ଖାଲି ଭୁଲ୍ ଦେଖିପାରନ୍ତି ।
ଯେତେବେଳେ ବୟସ ବଢ଼ି ବଢ଼ି ଯାଏ ସେତେବେଳେ ଭାରି ମନହୁଏ ଅଧିକ କଥା ହେବାକୁ, ବହୁତ ଅତୀତ କଥା ମନେ ପକେଇବାକୁ, ବିଶେଷତଃ ନିଜର ନାତି ନାତୁଣୀଙ୍କ ସହିତ ମନ ଖୋଲି କଥା ହୋଇ ମନକୁ ଝଲକାଏ ଖୁସି ଆଣିଦେବାକୁ । ହେଲେ ସେତେବେଳେ ସେମାନଙ୍କୁ ବାପାମାଆଙ୍କ ତାଗିଦ୍ ଥାଏ ତମେ ପିଲାଏ ଜେଜେଙ୍କ ପାଖକୁ ଯାଇପାରିବନି, ତାଙ୍କ ଘରଟା ଯେତେ ଫିନାଇଲ ପକେଇଲେବି ଦୁର୍ଗନ୍ଧ ହେଉଛି । ତମମାନଙ୍କୁ କାଳେ ଇନ୍ଫେକ୍ସନ୍ ହେବ । ଯଦି କେତେବେଳେ କେହି ନାତିନାତୁଣୀ ତାଙ୍କ ଘରକୁ ପଶି ଆସିଲା ସେତେବେଳେ ବୁଢ଼ାବୁଢ଼ୀ ବାଦ୍ ଯାଆନ୍ତିନି, ତମେ ବାପା ଛୁଆମାନଙ୍କୁ ଖରାପ କରିଦେବ, ତମପାଇଁ ସେମାନେ ପାଠରେ ମନ ଦେଉନାହାନ୍ତି । ତାଙ୍କ ପାଠ ପଢ଼ିବାର ବୟସ, ଗପ ଶୁଣିବା ବୟସ ଆଉ ନାହିଁ, ମନ କଥା ମନରେ ରଖି କୋହ ବୁହେଇବେ ବୁଢ଼ାବୁଢ଼ୀ । ୟେ କଥା ଆଜି ହେଉଛି ବୁଢ଼ାବୁଢ଼ୀଙ୍କ ପାଇଁ । ଆସନ୍ତାକାଲି ବି ଆସିବ । ଆଉ ଆଜି ଦିନର ପୁଅ ବି ସେଇ ଅବସ୍ଥା ଭୋଗ କରିବ । କଥା କହିବାକୁ ଚାହୁଁଥିବ ଅଥଚ କଥା କହିପାରୁନଥିବ । କଥାକୁହା ନାତିନାତୁଣୀଙ୍କୁ ତାଙ୍କଠାରୁ ଛଡ଼ାଇ ନିଆଯାଉଥିବ । ମନେ ମନେ ଲାଗୁଥିବ କଥା ପଦକ ସତେ କେତେ ସୁଆଦିଆ!
ଜୀବନରେ ଅନେକ କଥା ଅଛି ହେଲେ ସବୁ କଥା କଣ କହିହୁଏ । ବହୁତ କିଛି କଥା ଅଛି ଗୋପନୀୟ । ଯାହା କହିବା ଅର୍ଥ ବିପଦକୁ ହାତଠାରି ଡାକିବା । ଦୂର ଅତୀତର ହେଡ଼୍ମାଷ୍ଟର ଚାଣକ୍ୟଙ୍କ କଥା କେବେ ଭୁଲିବେନି । ସେ ପରା ସବୁବେଳେ କହୁଥିଲେ ଗୋପନୀୟ କଥା କେବେ ବି କହିବନି ବୋଲି । ନିଜ ଭୁଲ୍ବି କେବେ ପ୍ରକାଶ କରିବନି କାହା ଆଗରେ । ଆଜି ଜଣେ ବନ୍ଧୁ ବୋଲି ତା ଆଗରେ ନିଜର ଗୋପନ କଥା ଯଦି କହିଦେଲ, କାଲି ସେ ଶତ୍ରୁ ପାଲଟି ଗଲେ ସେଇ କଥାକୁ ଚାରିଆଡ଼େ କହିବୁଲିବ । ତମର ଅପଯଶ କରିବାକୁ ବିଳମ୍ବ କରିବନି ମୁହୂର୍ତ୍ତେ ।
କଥାପଦକ ଭାରି ମହତ ରଖେ । ତେଣୁ କଥା କହିବା ପୂର୍ବରୁ ଅନ୍ତତଃ ତିନିଟା ଜିନିଷ ଭିତରୁ ଯାଞ୍ଚ ହୋଇ ବାହାରୁ । ମାନେ କଥାଟି ସତ୍ୟ କି? କଥାଟିର ଦୁଷ୍ପ୍ରଭାବ ଥିଲେ ତାକୁ ସମ୍ଭାଳି ହେବ ତ? ଆଉ କଥାଟି ନ କହିଲେ କ’ଣ ଚଳନ୍ତା ନାହିଁ? ଏହି କଥାରୁ ଅନ୍ତତଃ ଆମେ ପିଲାମାନେ ପ୍ରାର୍ଥନା ଗାଉଥିଲେ, ‘ସତ କହିବାକୁ କିଅାଁ ଡରିବି, ସତ କହି ପଛେ ମଲେ ମରିବି’ । ସେତେବେଳେ କେତେ ମନ ଲଗେଇ, ଭାବ ଆଉ ଭକ୍ତିରେ ଗଦ୍ଗଦ୍ ହୋଇ ସୁରଧରି ସେଇ ପ୍ରାର୍ଥନା ଗାଇଥିଲେ, ଆଜି ସେଇ କଥାକୁ କାମରେ ଲଗାଅ ବୋଲି କହିଲେ ନିଜ ଭିତରୁ ଯେମିତି କେହି ଜଣେ ବାରଣ କରୁଛି । ଆଉ କହିବାକୁ ଭିତରୁ ଯେମିତି ନିଦେ୍ର୍ଦଶ ଦେଉଛି ସିଏ ହେଉଛି ପିଲାଦିନର ପ୍ରାର୍ଥନା । ବଡ଼ମାନଙ୍କ ପୃଥିବୀରେ ସିଏ ଏକ ଅଗ୍ରହଣୀୟ ପଂକ୍ତି । କୋର୍ଟ କଚେରିରେ ଯଦିଓ ସତ କୁହାଯାଉଛି ବୋଲି ଶପଥ କରାଯାଉଛି - ସେଥିରେ ବାସ୍ତବ ସତ କେତେ ତାହା କାହାକୁ ବା ଅଜଣା!
କଥାର ଉତ୍ସ ହେଉଛି ଶବ୍ଦ । ଶବ୍ଦ ହିଁ ହେଉଛି ନାଦବ୍ରହ୍ମ । ଆଉ ଜନକ ଓ ଯାଜ୍ଞବଳ୍କ କଥୋପକଥନରେ ଶବ୍ଦ ହିଁ ମୌଳିକ ଭାବରେ କେତେ ଗୁରୁତ୍ୱପୂର୍ଣ୍ଣ, ତାହା ଯଦି ଆପଣଙ୍କୁ ଅଜଣା, ତାହେଲେ ସଂକ୍ଷିପ୍ତ ଭାବରେ କହି ରଖୁଛି ସେ କଥା । ରାଜା ଜନକଙ୍କର ପ୍ରଶ୍ନ ଥିଲା ଋଷି ଯାଜ୍ଞବଳ୍କଙ୍କୁ । ଜୀବନ କେଉଁ ଆଲୋକରେ ଉଦ୍ଭାସିତ ହୋଇଥାଏ । ଏହାର ଉତ୍ତରରେ ଋଷି କହିଥିଲେ - ସୂର୍ଯ୍ୟ । କ୍ରମାନ୍ୱୟରେ ପ୍ରଶ୍ନୋତ୍ତର ଥିଲା ଏହିପରି ।
ରାଜାଜନକ - ରାଜର୍ଷି, ତାହେଲେ ସୂର୍ଯ୍ୟଙ୍କ ଅନୁପସ୍ଥିତିରେ ଆଲୋକ ଆସିବ କେଉଁଠୁ?
ଯାଜ୍ଞବଳ୍କ - ରାଜନ୍, ରାତିରେ ଚନ୍ଦ୍ର ହିଁ ସୂର୍ଯ୍ୟଙ୍କର ପ୍ରତିନିଧି ।
ଜନକ - ଯେତେବେଳେ ସୂର୍ଯ୍ୟ କିମ୍ବା ଚନ୍ଦ୍ର କେହି ନାହାନ୍ତି, ସେତେବେଳେ ?
ଯାଜ୍ଞବଳ୍କ - ସେତେବେଳେ ସେଇ ଦାୟିତ୍ୱ ନେଇ ପାରିବ ଅଗ୍ନି ।
ଜନକ - ଯଦି ସୂର୍ଯ୍ୟ, ଚନ୍ଦ୍ର ଏବଂ ଅଗ୍ନି ସମସ୍ତେ ଅନୁପସ୍ଥିତ ?
ଯାଜ୍ଞବଳ୍କ - ସେତେବେଳେ ବାକ୍ ବା ମଣିଷର ସ୍ୱର ହିଁ ସେ ଦାୟିତ୍ୱ ତୁଲେଇବ ।
ଜନକ - ଯଦି ସୂର୍ଯ୍ୟ, ଚନ୍ଦ୍ର, ଅଗ୍ନି, ସ୍ୱର ସବୁ ନାହାନ୍ତି ତାହେଲେ ?
ଯାଜ୍ଞବଳ୍କ - ସେତେବେଳେ ମଣିଷର ଚେତନା ହିଁ ଆଲୋକ ଭାବରେ ତାକୁ ଦିଶା ନିଦେ୍ର୍ଦଶ କରିପାରିବ ।
ୟେ କାହାଣୀ ବହୁ ପୁରାତନ ହେଲେ ବି ତାତ୍ତ୍ୱିକ ଦୃଷ୍ଟିରୁ ଅତ୍ୟନ୍ତ ମୌଳିକ । ଏଥିରୁ ବାକ୍ଶକ୍ତିର ଗୁରୁତ୍ୱ ଅନୁମେୟ । ସେଇ ଦୃଷ୍ଟିରୁ କଥା ହେଲା ବେଳେ ଶାନ୍ତ ହୋଇ କଥା ହେବା, କେବେ କାହାର ଅମର୍ଯ୍ୟାଦା କରିବା ନାହିଁ, ଯେତେ ସମ୍ଭବ ଅବାନ୍ତର କଥାରୁ ନିଜକୁ ମୁକ୍ତ ରଖିବା । ଦେଖିବା, କେତେ ଆନନ୍ଦମୟ ହୋଇ ଉଠୁଛି ସମ୍ପର୍କ ସବୁ । ଚାରିଆଡ଼େ ଯେମିତି ସ୍ୱଭାବ କବି ଗଙ୍ଗାଧରଙ୍କ ଅମ୍ଳାନ ପଂକ୍ତି - ‘ବିଶ୍ୱ ଦେଖ ମଧୁମୟ...’
ମୋ : ୯୪୩୮୪୮୨୯୧୧
(ପୂର୍ବତନ ପ୍ରଶାସନିକ ଅଧିକାରୀ)