ଅସୀମ ଅହଂକାରର ଅନ୍ତିମ ପରିଣତି
ଛୋଟ କଥାର ବଡ଼ ବିଚାର "ଅମୃତ ବିନ୍ଦୁ ।' "ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଜାଣିବା ଅସୀମ ଅହଂକାରର ଅନ୍ତିମ ପରିଣତି ବାବଦରେ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ଅହଂକାର ବିବର୍ଜିତ ହେଇ ଏ ପୃଥିବୀରେ କେହି ନାହାନ୍ତି । ହେଲେ ଅହଂକାର ଯେତେବେଳେ ମଣିଷକୁ ସଂପୂର୍ଣ୍ଣ ଭାବେ ଗ୍ରାସ କରିଯାଏ, ତାହା ସେତେବେଳେ ଅଗ୍ନି ସଦୃଶ ହୋଇଯାଏ । ଏହି ଅଗ୍ନି ମଣିଷକୁ ଜାଳିପୋଡ଼ି ଧ୍ୱଂସ କରିପକାଏ ।
ମନରେ ଅହଂକାର ନଥିଲେ ସ୍ୱାଭାବିକ ଭାବରେ ବଞ୍ଚିବାର ଲଢ଼େଇରେ ଜଣେ ହାରିଯିବ । ଏହି ଅହଂକାରକୁ କୌଣସି ନକାରାତ୍ମକ ଅହଂକାର ବୋଲି କୁହାଯାଇପାରିବ ନାହିଁ । ମଣିଷ ବଞ୍ଚିବା ପାଇଁ ଏତିକି ନିହାତି ଆବଶ୍ୟକ । ଏହା ଠିକ୍ ଖାଦ୍ୟ ଭଳି । ଖାଦ୍ୟ ଆବଶ୍ୟକତା ଠାରୁ ଅଧିକ ଖାଇଲେ ତାହା ଶରୀର ପାଇଁ ବିଷ । ସେହିପରି ଅହଂକାର ସୀମା ଲଙ୍ଘିଲେ ତାହା ବିଷାକ୍ତ ହୋଇ ନିଜକୁ ଧ୍ୱଂସ କରିଦିଏ ।
ପ୍ରତ୍ୟେକ ମଣିଷର ଅହଂକାରକୁ ଏକ ସୀମା ପର୍ଯ୍ୟନ୍ତ ସମାଜ ଗ୍ରହଣ କରିନିଏ, ମାତ୍ର ସୀମା ଲଙ୍ଘନ କଲେ ସମାଜ ତାକୁ ଗ୍ରହଣ କରେନି । ଯେତେବେଳେ ସମାଜ ଗ୍ରହଣ କରେନି ସେତେବେଳେ ବ୍ୟକ୍ତି ଅଧିକ ଅହଂକାରୀ ହେଇ ସୀମା ଲଙ୍ଘନ କରେ । ସେତିକି ବେଳେ ଏହା ମଣିଷକୁ ଧୀରେ ଧୀରେ ଧ୍ୱଂସ ବା ପତ୍ତନ ଆଡ଼କୁ ଟାଣିନିଏ । ତାହା ମଣିଷ ଜାଣିପାରେ ନାହିଁ । କ୍ରମଶଃ ଏହା ଏପରି ଏକ ଅବସ୍ଥାକୁ ନେଇଯାଏ ଯେତେବେଳେ ଆଉ ପଛକୁ ଫେରି ପାରେନି କି ଅନୁତାପ କରିବା ପାଇଁ ସମୟ ମଧ୍ୟ ନଥାଏ । କେବଳ ପତ୍ତନକୁ ହିଁ ଅପେକ୍ଷା କରିବାକୁ ପଡ଼େ । ତେଣୁ ପ୍ରତ୍ୟେକ ବ୍ୟକ୍ତି ବଞ୍ଚିବା ପାଇଁ ଆବଶ୍ୟକ ଗୁଣଗୁଡ଼ିକୁ ନେଇ ଜୀବନଯାପନ କରିବା ଉଚିତ୍ । ପ୍ରତ୍ୟେକ ଜିନିଷ ସୀମା ଅତିକ୍ରମ କଲେ ତାହା ଆତ୍ମଘାତୀ ହେଇଯାଏ । ଅମୃତ ମଧ୍ୟ ବିଷରେ ପରିଣତ ହେଇଯାଏ ।
ମଣିଷ ଏକ ସୀମିତ ଶକ୍ତି ଏବଂ କ୍ଷମତାସଂପନ୍ନ ପ୍ରାଣୀ । ନିଜକୁ ଅସୀମ ବୋଲି ଭାବିବା ଉଚିତ ନୁହେଁ । ନିଜକୁ ଅସୀମ ବୋଲି ଭାବୁଥିବା ବ୍ୟକ୍ତି ଏକ ସୀମା ଭିତରେ ଆବଦ୍ଧ ହୋଇ ମୃତୁ୍ୟ ମୁଖରେ ପଡ଼େ । ଠିକ୍ ଯେମିତି ମତ୍ତହସ୍ତୀ ବା ମତ୍ତଗଜ ବିଶାଳ ଦ୍ରୁମ ସବୁକୁ ମାଡ଼ିମକଚି ଧ୍ୱସ୍ତବିଧ୍ୱସ୍ତ କରି ଆଗେଇ ଚାଲୁଥାଏ ଆଉ ଛୋଟିଆ ଗାତଟିଏରେ ପଡ଼ିଗଲେ ଆଉ ଉଠିନପାରି ସେଇଠି ହିଁ ତାର ମୃତୁ୍ୟ ହୁଏ ।
ପଢ଼ିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ "ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।