ଆବାସ ଯୋଜନା ସାତସପନ; ଭଙ୍ଗା କୁଡ଼ିଆରେ ବିତୁଛି ଜୀବନ
କୁଡ଼ିଆ ଘର, ଘର ଉପରେ ଅଧା ମାଟି ଖପର ତ ଅଧା ପାଲ ଛପର । ପାଲ ଉପରେ ପଲିଥିନ ଢଙ୍କା ହୋଇଛି । ଖରାଦିନେ ଘର ଭିତରେ ତାଲୁପଟା ତାତି ତ ବର୍ଷାଦିନରେ ଝରୁଛି ପାଣି । ନୂଆପଡ଼ା ଜିଲ୍ଲା କୋମନା ଥାନା ବାବୁପାଲି ଗାଁରେ ଏଭଳି ଭଙ୍ଗାଦଦରା ଝାଟିମାଟି ଘରେ ଗୋଟିଏ ପରିବାରର ୧୦ ପ୍ରାଣୀ ଆଶ୍ରୟ ନେଇଛନ୍ତି । ଏମାନଙ୍କ ପାଇଁ ଆବାସ ଯୋଜନା ପାଲଟିଛି ସାତ ସପନ ।
ବାବୁପାଲି ଗାଁ ବନମାଲପଡ଼ାରେ ଜଗନ ବେମାଲ(୭୦), ସ୍ତ୍ରୀ ମାଦେଇ(୬୫), ପୁଅ ଜୟଲାଲ (୪୫), ବୋହୂ ନୀଳାବତି(୪୦), ନାତୁଣି ଚନ୍ଦ୍ରିକା(୧୭), ସୁମନ(୧୩), ନାତି ରମାକାନ୍ତ (୧୦), ଦିଲ୍ଲୀପ(୭), ଜିତୁ(୪), ଜୟଲକ୍ଷ୍ମୀ(୪), ସାନପୁଅ ନିଲ(୩୫), ବୋହୂ ବାଲମତୀ(୩୦), ନାତୁଣି ଝରଣା(୪)କୁ ନେଇ ପରିବାର । ଜମିବାଡ଼ି ନାମକୁ ମାତ୍ର ରହିଛି । କୁଲିମଜୁରି କଲେ ପରିବାର ଚଳେ । ବାପା ଜଗନ ଜମିବାଡିକୁ ଭାଗ କରି ଦୁଇପୁଅ ଜୟଲାଲ ଓ ନିଲଙ୍କୁ ଅଲଗା କରିଦେଲେ । ଦୁଇଭାଇ ଯିଏ ଯାହା ରୋଜଗାର କରି ନିଜ ପରିବାର ପୋଷୁଥିଲେ । ଜୟଲକ୍ଷ୍ମୀ ଜନ୍ମରୁ ଅନ୍ଧ । ଗତ ଦୁଇବର୍ଷ ତଳେ ଝିଅର ଚିକିତ୍ସା ପାଇଁ ବାପା ଜୟଲାଲ ଦାଦନ ଖଟିବାକୁ ବାଙ୍ଗାଲୋର ଯାଇଥିଲେ । ସେଠି ମୋଟାରକମର ଅର୍ଥ ରୋଜଗାର କରି ଝିଅର ଚିକିତ୍ସା କରିବାକୁ ଆଶା ବାନ୍ଧିଥିଲେ । ହେଲେ ଦୁର୍ଘଟଣାରେ ଜୟଲାଲଙ୍କ ଜୀବନ ଚାଲିଗଲା । ଘରେ ବିଧବା ସ୍ତ୍ରୀ ନୀଲାବତୀଙ୍କ ପାଇଁ ୭ପୁଅ ଝିଅକୁ ପୋଷିବା କଷ୍ଟକର ହୋଇଗଲା । ଜଗନ ଓ ସ୍ତ୍ରୀ ମାଦେଇଙ୍କ ଉପରେ ସବୁ ପରିବାର ବୋଝ ପଡିଲା । ବୃଦ୍ଧ ବୟସରେ ଜଗନ କୁଲିମଜୁରି କରି ବୋହୂ ଓ ୭ନାତିନାତୁଣୀଙ୍କ ଲାଳନପାଳନ କରୁଛନ୍ତି । ଏପଟେ ମୁଣ୍ଡ ଗଞ୍ଜିବାକୁ ଘରଖଣ୍ଡିଏ ନାହିଁ । ଅନ୍ୟପଟେ ପରିବାର ଲୋକଙ୍କ ପାଇଁ ଦାନା ଯୋଗାଡ଼ କରିବା କଷ୍ଟକର ହେଉଥିବାବେଳେ ଘରଖଣ୍ଡିଏ ତିଆରି କରିବା ସମ୍ଭବ ହେଉନଥିଲା । ଗତ ତିନିମାସ ତଳେ ସାନପୁଅ ନୀଲ, ବୋହୂ ବାଲମତୀ, ନାତୁଣୀ ଝରଣା ସହ ବିଧବା ପୁତ୍ରବଧୂ ନୀଲାବତୀ ନାତୁଣୀ ଚନ୍ଦ୍ରିକା, ଜୟଲକ୍ଷ୍ମୀ ଓ ନାତି ଜିତୁକୁ ଦାଦନ ଯାଇଛନ୍ତି । ରାଜ୍ୟ ବାହାରକୁ ପେଟପାଟଣା ପାଇଁ ଦାଦନ ଖଟିବାକୁ ଏପଟେ ବୃଦ୍ଧ ବାପା-ମାଙ୍କ ପାଖରେ ସୁମନ, ରମାକାନ୍ତ, ଦିଲ୍ଲୀପଙ୍କ ପାଠପଢ଼ାରେ ବ୍ୟାଘାତ ହେବନି ବୋଲି ଛାଡିଯାଇଛନ୍ତି । ଏମାନେ ଗାଁ ସ୍କୁଲରେ ପଢୁଛନ୍ତି । ଏବେ ୩ ନାତିନାତୁଣୀଙ୍କ ସେବାଯନô କରି ପାଠ ପଢାଉଛନ୍ତି । ରାଜ୍ୟ ବାହାରେ କିଛି ରୋଜଗାର କରି ଘରଖଣ୍ଡିଏ କରିବେ ବୋଲି ଆଶା କରିଛନ୍ତି । ଏବେ ଭଙ୍ଗା ଦଦରା ଝାଟିମାଟି ଘରେ ନାତିନାତୁଣୀ ସହ ବୃଦ୍ଧ ଦମ୍ପତି ପଡି ରହିଛନ୍ତି । ଗତ ୫ବର୍ଷ ହେଲା ଘର ଖଣ୍ଡିଏ ପାଇଁ ପରିବାର ଲୋକେ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ଅନେକ ଥର ଜଣାଇଥିଲେ ବି କିଛି ସୁଫଳ ମିଳିନାହିଁ । ଗାଁର ଅନେକ ଧନୀକ ଶ୍ରେଣୀର ଲୋକେ ବାସଗୃହ ପାଇଁ ପକ୍କାଘର କରିଛନ୍ତି । କିନ୍ତୁ ଏହି ପରିବାର ପାଇଁ ଆବାସ ଗୃହ ସାତସପନ ହୋଇଛି । ଏଠି ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାହା ପାଇଁ ବୋଲି ଜଗନ ପ୍ରଶ୍ନ କରିଛନ୍ତି । ଏଣୁ ଗରିବ ପରିବାରକୁ ଆବାସ ଯୋଜନାରେ ଘରଖଣ୍ଡିଏ ଯୋଗାଇଦେବାକୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି । ଏନେ ଏନେଇ କୋମନା ବିଡିଓ ହେମନ୍ତ ପୁଟାଙ୍କୁ ପଚାରିବାରୁ ଆଗକୁ ଘର ପାଇଁ ପାଇଁ ଅସୁବିଧା ହେବନାହିଁ । ଏବେ ହାଉସ ସର୍ଭେ ଚାଲିଛି । ସେହି ପରିବାରକୁ ସାମିଲ କରି ଆବାସଗୃହ ଯୋଗାଇ ଦିଆଯିବ ବୋଲି କହିଛନ୍ତି ।