୭ରୁ ପାଞ୍ଚ ବିଧାନସଭା କ୍ଷେତ୍ରରେ ପଛରେ ପଡ଼ିଲେ ଶର୍ମିଷ୍ଠା

ଯାଜପୁର: ପ୍ରଶାସନୀକ ସେବାରୁ ଅବ୍ୟାହତ ନେଇ ରାଜନୀତିରେ ପ୍ରବେଶ କରିଥିବା ଶର୍ମିଷ୍ଠା ସେଠୀ ୨୦୧୯ରେ ଲକ୍ଷାଧିକ ଭୋଟ ବ୍ୟବଧାନରେ ଯାଜପୁର ସଂସଦୀୟ କ୍ଷେତ୍ରରୁ ବିଜୟଲାଭ କରିଥିଲେ ।
 ଶ୍ରୀମତୀ ସେଠୀଙ୍କ ଉପରେ ବିଜୁ ଜନତା ଦଳ ପୁଣି ଭରସା କରି ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ କରିଥିଲା । ବିଜେଡ଼ି ଗଡ଼ ଯାଜପୁରରୁ ଶ୍ରୀମତୀ ସେଠୀ ବିଜୟୀ ହେବେ ବୋଲି ରାଜନୈତିକ ମହଲ ବିଶ୍ୱାସ ରଖିଥିଲା । କିନ୍ତୁ ୪ଜୁନରେ ଘୋଷଣା ଫଳାଫଳ କିନ୍ତୁ ଓଲଟି ଯାଇଥିଲା । ବିଜେଡ଼ିର ଶ୍ରୀମତୀ ସେଠୀ ୮ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିବା ପ୍ରଥମେ ଜଣାପଡ଼ିଥିଲେ ହେଁ ଶେଷ ମୁହୂର୍ତ୍ତରେ କିନ୍ତୁ ରବୀନ୍ଦ୍ର ୧୫୮୭ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ଘୋଷଣା କରାଯାଇଥିଲା । ୫ ଲକ୍ଷରୁ ଅଧିକ ଭୋଟ ପାଇଥିବା ଶ୍ରୀମତୀ ସେଠୀ ୦.୧୪ % ଭୋଟ କମ ପାଇ ହାରିଯିବା ଘଟଣାକୁ ସହଜରେ ଗ୍ରହଣ କି ବିଶ୍ୱାସ କରିପାରୁ ନାହାନ୍ତି । ୧୯ରେ ଲକ୍ଷେ ୪ହଜାରରୁ ଅଧିକ ଭୋଟରେ ବିଜେପିର ଅମୀୟ ମଲିକଙ୍କୁ ହରାଇ ବିଜୟୀ ହୋଇଥିବା ଶ୍ରୀମତୀ ସେଠୀଙ୍କୁ କଡ଼ାଟକର ଦେଇ ବିଜେପିର ରବୀନ୍ଦ୍ର ନାରାୟଣ ବେହେରା ବାଜି ମାରିନେଲେ । ଲୋକସଭାକୁ ପୋଛି ନେଇଥିବା ବିଜେପି ଯାଜପୁର ଜିଲାରେ ବି ବିଜୟବାନା ଉଡ଼ାଇଥିଲେ ହେଁ ଭୋଟ ବ୍ୟବଧାନ ମାତ୍ର୧୫୮୭ ହୋଇଥିବାରୁ ରବୀନ୍ଦ୍ରଙ୍କୁ ଭାଗ୍ୟ ସାଥ ଦେଲା, ଶ୍ରୀମତୀସେଠୀଙ୍କୁ ଭାଗ୍ୟ ସାଥ୍ ଦେଲାନି ବୋଲି କୁହାଯାଇପାରେ ।
 ତେବେ ୭ଗୋଟି ବିଧାନସଭା କ୍ଷେତ୍ରରୁ ଶ୍ରୀମତୀ ସେଠୀଙ୍କୁ ମିଳିଥିବା ଭୋଟ ପରିସଂଖ୍ୟାନ ଯାହା କହୁଛି, ପାଞ୍ଚଟିରେ ପଛରେ ପଡ଼ିଯିବାରୁ ହାରିଗଲେ । ଏହାହିଁ ଏକ ଆଶ୍ଚର୍ଯ୍ୟ । ୭ଟି ବିଧାନସଭାରେ ଦଳୀୟ ବିଧାୟକ ରହିଥିବା ସତ୍ୱେ ଶ୍ରୀମତୀ ସେଠୀ କିନ୍ତୁ ବିଞ୍ଝାରପୁର, ବଡ଼ଚଣା, ଯାଜପୁର, କୋରେଇ ଏବଂ ସୁକିନ୍ଦା ବିଧାନସଭା ଆସନରୁ ବିଜେପିର ରବୀନ୍ଦ୍ରଙ୍କ ଠାରୁ କମ ଭୋଟ ମିଳିଥିଲା । କିନ୍ତୁ ବରୀ ଏବଂ ଧର୍ମଶାଳା ବିଧାନସଭା କ୍ଷେତ୍ରରୁ ଶ୍ରୀମତୀ ସେଠୀଙ୍କୁ ପାଖାପାଖି ୪୦ହଜାର ଭୋଟ ଅଧିକ ମିଳିଥିଲା । ଯେଉଁ କାରଣରୁ ପାଞ୍ଚଟି ବିଧାନସଭା ଆସନରୁ କମ ଭୋଟ ମିଳିଥିଲେ ବି ବିଜେପିର ରବୀନ୍ଦ୍ରଙ୍କୁ ମାତ୍ର ୦.୧୪ % ଭୋଟ ଅଧିକ ମିଳିଥିଲା । ତଥ୍ୟ ଯାହା କହୁଛି, କଡ଼ା ମୁକାବିଲା କରି ୭ମ ଥର ପାଇଁ ବିଜୟୀ ହୋଇଥିବା ପ୍ରମିଳା ମଲିକଙ୍କ ଗଡ଼ ବିଞ୍ଝାରପୁରରୁ ସାଂସଦ ପ୍ରାର୍ଥୀ ଶ୍ରୀମତୀ ସେଠୀଙ୍କୁ ୬୭ହଜାର ୭୨୬ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପିର ରବୀନ୍ଦ୍ରଙ୍କୁ ମିଳିଛି ୭୪୪୨୬ ଖଣ୍ଡ ଭୋଟ । ଏଠାରୁ ଶ୍ରୀମତୀ ସେଠୀଙ୍କୁ ୬୭୦୦ ଖଣ୍ଡ ଭୋଟ କମ ମିଳିଛି । ସେହିପରି ବଡ଼ଚଣାରୁ ଶ୍ରୀମତୀ ସେଠୀଙ୍କୁ ୬୩୮୫୩ ଭୋଟ ମିଳିଥିବା ବେଳେ ରବୀନ୍ଦ୍ରଙ୍କୁ ମିଳିଛି ୬୯୧୭୦ ଖଣ୍ଡ ଭୋଟ । ଏଠାରେ ଶ୍ରୀମତୀ ସେଠୀଙ୍କ ଠାରୁ ରବୀନ୍ଦ୍ର ୫୩୧୭ ଖଣ୍ଡ ଭୋଟ ଅଧିକ ହାତେଇଛନ୍ତି । ବିଜେଡ଼ି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ନିର୍ବାଚନମଣ୍ଡଳୀ ଯାଜପୁରରୁ ଶ୍ରୀମତୀ ସେଠୀ ମଧ୍ୟ କମ ଭୋଟ ମିଳିଛି । ଏଠାରୁ ଶ୍ରୀମତୀ ସେଠୀ ୮୦୨୫୦ ଖଣ୍ଡ ଭୋଟପାଇଥିବା ବେଳେ ରବୀନ୍ଦ୍ର ୪୧୮୬ ଭୋଟ ଅଧିକ ବା ୮୪୪୩୬ ମତଦାତା ମତଦାନ କରିଛନ୍ତି । ସୁକିନ୍ଦା ଉପରେ ଅଧିକ ଫୋକସ କରିଥିବା ଶ୍ରୀମତୀ ସେଠୀଙ୍କୁ ୧୨୧୫୩ ଖଣ୍ଡ ଭୋଟ କମ ମିଳିଥିଲା । ଶ୍ରୀମତୀ ସେଠୀଙ୍କ ସପକ୍ଷରେ ୭୪୨୧୦ ଖଣ୍ଡ ଭୋଟ ପଡ଼ିଥିବା ବେଳେ ରବୀନ୍ଦ୍ରଙ୍କୁ ୮୬୩୬୩ ମତଦାତା ମତଦାନ କରିଥିଲେ । 
ଇଭିଏମ ମାଧ୍ୟରେ ଗାଏ ମୋଟ ୬୨୯୪୨୮ ଭୋଟ ପାଇଥିବା ଶ୍ରୀମତୀ ସେଠୀଙ୍କୁ ବରୀରୁ ୮୪୦୫୨ ଖଣ୍ଡ ଭୋଟ ଏବଂ ଧର୍ମଶାଳାରୁ ୮୮୩୫୪ ଖଣ୍ଡ ଭୋଟ ମିଳିଥିଲା । ଯେଉଁଠିକି ରବୀନ୍ଦ୍ରଙ୍କୁ ବରୀରୁ ୬୪୪୪୫ ଏବଂ ଧର୍ମଶାଳାରୁ ୬୯୯୪୭ ଖଣ୍ଡ ଭୋଟ ମିଳିଥିଲା । ଏହି ଦୁଇଗୋଟି ନିର୍ବାଚନ ମଣ୍ଡଳୀରୁ ଶ୍ରୀମତୀ ସେଠୀ ୩୮ହଜାର ୧୪ଖଣ୍ଡ ଅଧିକ ଭୋଟ ପାଇଥିଲେ । ପାଞ୍ଚଟି ବିଧାନସଭା ଆସନରୁ କମ ଭୋଟ ପାଇଥିବା ଶ୍ରୀମତୀ ସେଠୀଙ୍କୁ ବରୀ ଏବଂ ଧର୍ମଶାଳା ୪୮ହଜାର ଭୋଟ ଅଧିକ ଦେଇଥିଲେ ହେଁ ତାହା ତାଙ୍କ ବିଜୟକୁ ସୁନିଶ୍ଚିନ୍ତ କରିବାକୁ ସମର୍ଥ ହୋଇପାରିନଥିଲା ।