ଜିଲ୍ଲାସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ

  ନବରଙ୍ଗପୁର,: ସ୍ଥାନୀୟ ରଙ୍ଗମାଟିଗୁଡା ସ୍ଥିତ ଶ୍ରୀ କଲ୍ୟାଣ ମଣ୍ଡପ ଠାରେ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ  ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ନିର୍ମାଣ ଶ୍ରମିକ ହିତାଧିକାରୀଙ୍କୁ ସହାୟତା ବଣ୍ଟନ କରିଥିଲେ । ମୁଖ୍ୟଅତିଥି ଶ୍ରୀ ମାଝୀ ନିଜ ବକ୍ତବ୍ୟରେ ଓଡିଶା ସରକାରଙ୍କ ନିର୍ମାଣ ଶ୍ରମିକଙ୍କ ପାଇଁ ବିଭିନ୍ନ ସହାୟତା ଓ ପଞ୍ଜୀକରଣ  ନିଜକୁ କିଭଳି କରିପାରିବେ ଓ ଏହାର ସୁବିଧା ସୁଯୋଗ ପାଇପାରିବେ ତାହା ଶ୍ରମିକ ଭାଇଭଉଣୀମାନଙ୍କୁ ଉଦ୍ବୋଧନ ଦେଇଥିଲେ । ଜିଲ୍ଲା ଶ୍ରମ ଅଧିକାରୀ ଛୋଟରାୟ ଟୁଡୁ ନିର୍ମାଣ ଶ୍ରମିକମାନଙ୍କ ପାଇଁ କିଭଳି ଅନଲାଇନରେ ନିଜର ପଞ୍ଜିକରଣ କରି ବିଭିନ୍ନ ସହାୟତା ଉପଲବ୍ଧି କରିପାରିବେ ତାହା ଶ୍ରମିକ ଭାଇ ଭଉଣୀମାନଙ୍କୁ ବୁଝାଇଥିଲେ । ନିର୍ମାଣ ଶ୍ରମିକ ପଞ୍ଜୀକରଣ ନିମନ୍ତେ ଜିଲ୍ଲା ଶ୍ରମ ଅଧିକାରୀ ଏବଂ ସହକାରୀ ଶ୍ରମ ଅଧିକାରୀ ମାନଙ୍କୁ ପଞ୍ଜୀକରଣ ଅଧିକାରୀ ଭାବେ ନିଯୁକ୍ତି କରାଯାଇଛି ।  ଏହି ଶିବିରରେ ଉପସ୍ଥିତ ଶ୍ରମିକ ଭାଇଭଉଣୀଙ୍କ ମଧ୍ୟରେ ଶିକ୍ଷା ସହାୟତା ରୂପେ ୫ ଜଣଙ୍କୁ, ବିବାହ ସହାୟତା ରୂପେ ୫ ଜଣଙ୍କୁ, ମାତୃତ୍ୱ ସହାୟତା ରୂପେ ୩ଜଣଙ୍କୁ, ମୃତୁ୍ୟ ଓ ଅନ୍ତେଷ୍ଟି କ୍ରିୟା ସହାୟତା ରୂପେ ୬ ଜଣଙ୍କୁ, ଏଭଳି ମୋଟ ୧୯ଜଣଙ୍କୁ ୧୬,୬୨,୦୦୦/- ଟଙ୍କା ସହାୟତା  ହିତାଧିକାରୀଙ୍କୁ ଚେକ୍ ମାଧ୍ୟମରେ ମୁଖ୍ୟ ଅତିଥି ଶ୍ରୀ ମାଝୀ ପ୍ରଦାନ କରିଥିଲେ । ୧୯୯୮ ଜଣଙ୍କୁ ନୂତନ ଭାବେ ନିର୍ମାଣ ଶ୍ରମିକ ପରିଚୟ ପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାସ୍ତରୀୟ ଶ୍ରମିକ କଲ୍ୟାଣ ସମାରୋହରେ ଅନଲାଇନ ମାଧ୍ୟମରେ ବିବାହ ସହାୟତା ରୂପେ ୯୩ ଜଣଙ୍କୁ ୪୬,୫୦,୦୦୦ ଟଙ୍କା, ମାତୃତ୍ୱ ସହାୟତା ରୂପେ ୫୭ ଜଣଙ୍କୁ ୫,୭୦, ୦୦୦ ଟଙ୍କା, ଶିକ୍ଷା ସହାୟତା ରୂପେ ୩୦ ଜଣଙ୍କୁ ୨,୯୭,୦୦୦ ଟଙ୍କା, ମୃତୁ୍ୟକାଳୀନ ସହାୟତା ରୂପେ ୩୯ ଜଣଙ୍କୁ ୮୨,୦୦,୦୦୦ ଟଙ୍କା, ଅନ୍ତେଷ୍ଟିକ୍ରିୟା ସହାୟତା ରୂପେ ୩୮ ଜଣଙ୍କୁ ୧,୯୦,୦୦୦ ଟଙ୍କା ଏଭଳି ମୋଟ ୨୫୭ ଜଣ ହିତାଧିକାରୀଙ୍କ ଜମାଖାତାକୁ ୧,୩୯,୦୭,୦୦୦ ଟଙ୍କା ପ୍ରେରଣ କରାଯାଉଛି । ଶିବିରରେ ସାଂସଦ ପ୍ରତିନିଧି ଜାନକୀ ବିଶୋଇ, ବିଭାଗୀୟ ଶ୍ରମଆୟୁକ୍ତ କୁବେର ବେହେରା, ଜିଲ୍ଲା ଶ୍ରମଅଧିକାରୀ ଛୋଟରାୟ ଟୁଡୁ, ଡିଆଇପିଆର୍ଓ ମନୋଜ କୁମାର ବେହେରା, କୁଞ୍ଜ ବିହାରୀ ଦାସ,  ଶ୍ରମିକ ଟ୍ରେଡ ୟୁନିୟନ  ନେତା ଓ ସଭ୍ୟ, ଶ୍ରମ କାର୍ଯ୍ୟାଳୟର କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧିଙ୍କ ସହ ପ୍ରାୟ ୩୦୦ରୁ ଊର୍ଦ୍ଧ୍ୱ ଶ୍ରମିକ ଭାଇଭଉଣୀ ଉପସ୍ଥିତ ଥିଲେ ।