ବନୀକରଣ ବାଟବଣା : ଲୋପ ପାଉଛି ଗଛଲତା

 ତାଳଚେର: ତାଳଚେର ବନବିଭାଗ ପକ୍ଷରୁ ବର୍ଷାଋତୁ ପ୍ରାରମ୍ଭରେ ବିଭିନ୍ନ ଯୋଜନାରେ ଭିନ୍ନଭିନ୍ନ ସ୍ଥାନରେ ବନିକରଣ କରାଯାଇଥିବାବେଳେ ଏହି ବନିକରଣ ପ୍ରକି୍ରୟା କେଉଁଠାରେ ବାଟବଣା ହେଉଛି ତ ଆଉ କେଉଁଠି ରକ୍ଷଣବେକ୍ଷଣା ଅଭାବରୁ ତାହା ଆଜି ନିଶ୍ଚିହ୍ନ ହେବାକୁ ବସିଛି ବୋଲି ପରିବେଶବିତ୍ମାନେ ଅଭିଯୋଗ କରିଛନ୍ତି । ତାଳଚେର ଏକ ଶିଳ୍ପସମୃଦ୍ଧ ଅଂଚଳ ହୋଇଥିବାରୁ ଏଠାରୁ କ୍ରମଶଃ ବିଭିନ୍ନ କଳକାରଖାନାରେ ହଜାର ହଜାର ସଂଖ୍ୟକ ଶାଳ, ପିଆଶାଳ, ଡ଼ିମିରି, କଦମ୍ବ, ଲିମ୍ବ, ଆମ୍ବ, ଦେବଦାରୁ, କରଞ୍ଜ, ଶାଗୁଆନ୍, ଗମ୍ଭାରୀ, କେନ୍ଦୁ ଓ ବିଭିନ୍ନ ଔଷଧୀୟ ବୃକ୍ଷ ଆଜି ଧ୍ୱଂସ ପାଇଛି । ଏପରିକି ବଡ଼ବଡ଼ ଜଙ୍ଗଲ ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ । ଯାହାଫଳରେ ତାଳଚେରର ତାପମାତ୍ରା ବୃଦ୍ଧି ସହିତ ଜଳସ୍ତର ନିମ୍ନଗାମୀ ଓ ବ୍ୟାପକ ପ୍ରଦୁ୍ୟଷଣରେ ଆଜି ଅଞ୍ଚଳବାସୀ ଜର୍ଜରିତ ହେଉଥିବା ବେଳେ କିଛି ଅସାଧୁ ବନକର୍ମଚାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ବନିକରଣ ହେଉଛି ଏଠାରେ ବାଟବଣା ବୋଲି ଅଭିଯୋଗ ହେଉଥାଏ । ଦେଖିବାକେୁ ଗଲେ ଯେଉଁ ହାରରେ ବନବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରାଯାଇଥାଏ ଏବେ ସେହି ଜାଗାରେ ଆଉ ଗଛଟିଏ ଦେଖିବାକୁ ମିଳିନଥଥିବା ବେଳେ ଆଉଁ କେଉଁଠାରେ କେବଳ କାଗଜପତ୍ରରେ ବୃକ୍ଷରୋପଣ ସୀମିତ ରହିଥାଏ ବୋଲି କୁହାଯାଇଥାଏ । ତେବେ ଏହାକୁ ଆଧାର କରି ସୂଚନା ଅଧିକାର ଆଇନ୍ବଳରେ ଜଣାଯାଏ ୨୦୧୭-୧୮ରେ ଜିଲ୍ଲା ଖଣିଜପାଣ୍ଠିରୁ ତାଳଚେର ବନାଞ୍ଚଳ ଅନ୍ତର୍ଗତ କଣିହାଁ ବ୍ଲକ ବିଜିଗୋଳ, ଡ଼େରେଙ୍ଗ ଓ ତାଳଚେର ନିଜଗଡ଼ ଟାଉନ୍ ଅଞ୍ଚଳରେ ୫ହଜାର ଲେଖାଏଁ ମୋଟ ୧୫ହଜାର ବୃକ୍ଷ ପ୍ରାୟ ୬୭.୫୯୯୩୭ ଲକ୍ଷଟଙ୍କା ବିନିଯୋଗରେ ଚାରା ରୋପଣ କରାଯାଇଥିଲା । ସେହିଭଳି କଣିହାଁ ଡ଼େରେଙ୍ଗ ଡ଼୍ୟାମ ଅଞ୍ଚଳରେ ୫ହଜାର, ତାଳଚେର ଅଞ୍ଚଳର ଗୁରୁଜାଙ୍ଗ ମୌଜାରେ ୮ହଜାର ଓ ତାଳଚେର ବ୍ଲକ ରୁଢ଼ାସର୍ ମୌଜାରେ ୭ହଜାର ବୃକ୍ଷ ପ୍ରାୟ ୮୪.୯୪୦୮୨୨ ଟଙ୍କା ଖର୍ଚ୍ଚ କରାଯାଇଛି । ୨୦୧୮-୧୯ରେ ଡ଼େରେଙ୍ଗ ଡ୍ୟାମ ଅଂଚଳରେ ୧୦ହଜାର ବୃକ୍ଷ, ତାଳଚେର ବ୍ଲକ ଡ଼େରା ଅଂଚଳରେ ୧୦ହଜାର ବୃକ୍ଷ, ଏନଟିପିସି ତେଲିସିଙ୍ଗା ଅଞ୍ଚଳରେ ୫ହଜାର ବୃକ୍ଷ ଓ କମରେଇ ଅଂଚଳରେ ୧୫ହଜାର ବୃକ୍ଷ ଏମସିଏଲ ପକ୍ଷରୁ ସର୍ବମୋଟ ୧୬୫.୪୪୫୯ଲକ୍ଷଟଙ୍କା ବିନିଯୋଗ କରିଥିବା ଦର୍ଶାଯାଇଛି । ୨୦୧୯-୨୦ ବର୍ଷରେ ଛେଣ୍ଡିପଦା ଆରଏଫ୍ ୧୦ହଜାର ବୃକ୍ଷ ଓ ପୁନଶ୍ଚ ସେହି ଅଂଚଳରେ ୬ହଜାର ବୃକ୍ଷ, ତାଳଚେର ବ୍ଲକର ଡେରା ଅଂଚଳରେ ୧୦ହଜାର ବୃକ୍ଷ ଓ ବିଜିଗୋଳ ଅଞ୍ଚଳରେ ୫ହଜାର ବୃକ୍ଷ ଏପରି ଜିଲ୍ଲା ଖଣିଜ ପାଣ୍ଠିରୁ ସର୍ବମୋଟ ୧୫୨.୦୪୪୧ ଲକ୍ଷଟଙ୍କା ବିନିଯୋଗ କରାଯାଇ ବୃକ୍ଷରୋପଣ କରାଯାଇଛି । ସେହିଭଳି ୨୦୨୦-୨୧ରେ ଜିଲ୍ଲା ଖଣିଜପାଣ୍ଠିରୁ ତାଳଚେର ଡ଼େରେଙ୍ଗ ଡ଼୍ୟାମ ଅଞ୍ଚଳରେ ୧୦ହଜାର ବୃକ୍ଷ, ତାଳଚେର ବ୍ଲକ କଙ୍କିଳି ଅଞ୍ଚଳରେ ୭ହଜାର, ସରେଇଲ ଗ୍ରାମାଚଂଳରେ ୬ହଜାର ବୃକ୍ଷ, ଗୋପାଳ ପ୍ରସାଦ ଅଞ୍ଚଳରେ ୧୨ହଜାର ଓ ଚିତଲପୁର ଅଂଚଳରେ ୨୧ହଜାର ବୃକ୍ଷ ୨୧୯.୮୯୪୬ଲକ୍ଷ ଟଙ୍କା ବିନିଯୋଗ କରାଯାଇ ବୃକ୍ଷ ରୋପଣ କରାଯାଇଥିବା ସୂଚନା ଆଇନ ଅନୁଯାୟୀ ତଥ୍ୟରୁ ଜଣାପଡ଼ିଛି । ତେବେ ଯଦି ଏତେ ସଂଖ୍ୟକ ଚାରା ରୋପଣ କରାଯାଇଛି ବୋଲି ଦର୍ଶା ଯାଇଛି, ତେବେ ଏ ଅଞ୍ଚଳରେ ବ୍ୟାପକ ଜଙ୍ଗଲ ସୃଷ୍ଟି ହେବା ପରିବର୍ତ୍ତେ ଆଜି ତାହା ସବୁ ପଦା ହୋଇ ଗଛ ବିହୀନ ମରୁଭୂମି ପାଲଟିଛି ବୋଲି ପରିବେଶବିତ୍ ମାନେ ଏହା ପ୍ରଶ୍ନ ଉଠାଇଛନ୍ତି । ତେବେ ଶିଳ୍ପାଚଂଳ ଯୋଗୁଁ ତାଳଚେର ଅଂଚଳର ଲୋକ ଉତ୍ତାପ ସହିତ ଜଳକଷ୍ଟ ନେଇ ତ୍ରାହି ତ୍ରାହି ଡ଼ାକ ଦେଇଥିବା ବେଳେ ଏପରିକି, ପଶୁପକ୍ଷୀମାନେ ମଧ୍ୟ ଜଙ୍ଗଲ ନଥିବାରୁ ଏମାନଙ୍କ ସଂଖ୍ୟା ଲୋପ ପାଇ ପରିବେଶ ନିଜର ସନ୍ତୁଳନ ହରାଇ ବସିଛି ବୋଲି କୁହାଯାଉଛି । ତେବେ ଏହାର ବିଧିବଦ୍ଧ ତଦନ୍ତ କରାଗଲେ ପ୍ରକୃତ ସତ୍ୟାସତ୍ୟ ଲୋକଲୋଚନକୁ ଆସିପାରନ୍ତା ବୋଲି ପରିବେଶବିତ୍ଙ୍କ ମହଲରେ ଦାବି ହେଉଛି ।