ବନ୍ୟପ୍ରାଣୀ ଆଇନର ପ୍ରଚାର ଆବଶ୍ୟକ

ପୃଥିବୀ ପୃଷ୍ଠରୁ ଦିନକୁ ଦିନ ଜଙ୍ଗଲର ଆୟତନ କମିବା ସହିତ ବିଭିନ୍ନ ପ୍ରକାରର ବନ୍ୟଜନ୍ତୁ ବିଲୁପ୍ତି ଦିଗରେ ଗତି କରୁଛନ୍ତି । ସେମାନଙ୍କ ସଂଖ୍ୟା କମି କମି ଯାଉଛି । ତେଣୁ ବିଲୁପ୍ତ ପଥରେ ଥିବା କିଛି ନିର୍ଦ୍ଦିଷ୍ଟ ପ୍ରଜାତିର ବନ୍ୟଜୀବଙ୍କୁ ବିପଦସଙ୍କୁଳ ବର୍ଗରେ ରଖାଯାଇ ଏକ ସ୍ୱତନ୍ତ୍ର ତାଲିକା ପ୍ରସ୍ତୁତ କରାଯାଇଛି । ସେହି ବର୍ଗର ପଶୁପକ୍ଷୀ, ପ୍ରାଣୀ ଆଦିଙ୍କୁ ହତ୍ୟା କରିଲେ କିମ୍ବା ସେମାନଙ୍କୁ କଷ୍ଟ ଦେଲେ କଠୋର ଦଣ୍ଡ ବ୍ୟବସ୍ଥା ଅଛି । ଇତିମଧ୍ୟରେ ଜଙ୍ଗଲ ଆଇନ୍ରେ କେତେକ ସଂଶୋଧନ କରାଯାଇ ବନ୍ୟ ଜୀବଜନ୍ତୁଙ୍କର ଅଙ୍ଗପ୍ରତ୍ୟଙ୍ଗରେ ଚୋରା ଚାଲାଣ, ବନ୍ୟ ଜୀବଜନ୍ତୁଙ୍କୁ ମାରିବା, ସେମାନଙ୍କର ଅଙ୍ଗ ଆର୍ନ୍ତଜାତିକ ବଜାରରେ ବିକ୍ରି କରିବା ଭଳି ଘଟଣା ଘଟୁଛି । ତେବେ ଏ ପ୍ରକାରର ଅପରାଧ କରି ଯେଉଁମାନେ ଧରା ପଡୁଛନ୍ତି ସେମାନଙ୍କ ନିକଟରୁ ଗୋଟିଏ କଥା ଜଣାପଡୁଛି ଯେ ଜଙ୍ଗଲ ଆଇନ୍ ସମ୍ପର୍କରେ ସେମାନଙ୍କର କୌଣସି ଧାରଣା ନାହିଁ । ଜଙ୍ଗଲ ଆଇନ୍ର ବ୍ୟାପକ ଭାବରେ ପ୍ରଚାର କରାନଗଲେ କେବଳ ଦଣ୍ଡ ଦେଇ ଅପରାଧକୁ କମାଇ ହେବ ନାହିଁ । ଆଉ କେତେକ କ୍ଷେତ୍ରରେ ଦେଖାଯାଉଛି ଯେ ଏନ୍କ୍ଲୋଜର୍ ଭିତରେ ରହିଥିବା କିଛି ପଶୁପକ୍ଷୀଙ୍କ ସହିତ ଲୋକେ ସେଲ୍ଫି ଉଠାଉଛନ୍ତି । ଏ ପ୍ରକାରର କାର୍ଯ୍ୟ ଗୁଡ଼ିକ ଜଙ୍ଗଲ ଆଇନ୍ର ବିଭିନ୍ନ ଧାରାର ଉଲଙ୍ଘନ କରୁଛି । ତେଣୁ ଲୋକମାନଙ୍କୁ ଜଙ୍ଗଲ ଆଇନ୍ ସମ୍ପର୍କରେ ସଚେତନ କରାଇବାର ଆବଶ୍ୟକତା ଅଛି । ଜଙ୍ଗଲରେ ଥିବା କେଉଁ ପ୍ରାଣୀ ବିଲୁପ୍ତ ପ୍ରାୟ ସେସବୁର ତାଲିକା ମଧ୍ୟ ବାରମ୍ବାର ଗଣମାଧ୍ୟମ ଗୁଡ଼ିକରେ ପ୍ରକାଶ ପାଇବା ଉଚିତ୍ । 
ବର୍ତ୍ତମାନ ରାଜ୍ୟରେ ଜୀବନ୍ତ ବଜ୍ରକାପ୍ତା, ଜୀବନ୍ତ ସାପ, ଜିଅନ୍ତା ଗୋଧି ଆଦିର ଚୋରା ଚାଲାଣ ହେଉଛି । ଠିକ୍ ସେହିପରି ମୃତ ବଜ୍ରକାପ୍ତାର କାତି, କିଛି ପଶୁପକ୍ଷୀଙ୍କର ସିଂହ, ଚମଡ଼ା, ଦାନ୍ତ, ନଖ ଆଦିର ଚୋରା କାରାବର ହେଉଛି । ସେସବୁକୁ ଆର୍ନ୍ତଜାତିକ ବଜାରରେ ବିକ୍ରି କରାଯାଉଛି । ଜଙ୍ଗଲରେ ରହୁଥିବା ବିିଭିନ୍ନ ଜୀବଜନ୍ତୁଙ୍କ ସହିତ ସେଲ୍ଫି ନେବା ଯୁବଗୋଷ୍ଠୀଙ୍କ ଏକ ସଉକରେ ପରିଣତ ହୋଇଯାଇଛି । ସେଲ୍ଫି ନେବା ପରେ ଏସବୁକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍ କରିବାର ନିଶା ବର୍ତ୍ତମାନ ଯୁବପୀଢ଼ିଙ୍କୁ ପାଗଳ କରୁଛି । ଏସବୁ ଗୋଟିଏ ଗୋଟିଏ ଧର୍ତ୍ତବ୍ୟ ଅପରାଧ ବୋଲି ଲୋକମାନେ ଜାଣିନାହାନ୍ତି । ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ହେଉଥିବା ଆଦିବାସୀ ମେଳାରେ ମଧ୍ୟ ଗୟଳ ଶିଙ୍ଗ, ଅନ୍ୟାନ୍ୟ ପଶୁପକ୍ଷୀଙ୍କର ଅଙ୍ଗପ୍ରତ୍ୟଙ୍ଗ ପ୍ରଦର୍ଶନ କରାଯାଉଛି । ଏଭଳି କାର୍ଯ୍ୟ ଜଙ୍ଗଲ ଆଇନ୍ ଦୃଷ୍ଟିରୁ ଅପରାଧ । ତେବେ ଏସବରୁ ପ୍ରଦର୍ଶନ କରୁଥିବା ବ୍ୟକ୍ତିମାନେ ଜଙ୍ଗଲ ଆଇନ୍ ସମ୍ପର୍କରେ ସମ୍ପୂର୍ଣ୍ଣ ଅଜ୍ଞ । ତେଣୁ ଆଦିବାସୀ ମେଳାରେ ନିର୍ମାଣ କରାଯାଉଥିବା କୁଟୀର ଗୁଡ଼ିକରେ ଗୟଳ ଶିଙ୍ଗ ଭଳି ପଦାର୍ଥର ପ୍ରଦର୍ଶନ ବନ୍ଦ କରାଯିବା ଉଚିତ୍ । 
ବର୍ତ୍ତମାନ ସବୁଠାରୁ ବଡ ପ୍ରଶ୍ନ ହେଲା କେଉଁ କେଉଁ ପ୍ରାଣୀଙ୍କୁ ଜଙ୍ଗଲ ଆଇନ୍ର ସଂରକ୍ଷିତ ବର୍ଗରେ ରଖାଯାଇଛି ସେ ସମ୍ପର୍କରେ କାହାରି କିଛି ଧାରଣା ନାହିଁ । ଦେଶର ସର୍ବବୃହତ୍ ଚିଡ଼ିଆଖାନା ନନ୍ଦନକାନନରେ ବିଭିନ୍ନ ପଶୁପକ୍ଷୀଙ୍କ ସହିତ ଦର୍ଶକମାନେ ସେଲ୍ଫି ଉଠାଉଛନ୍ତି । ଏହା ଏକ ପ୍ରକାରର ଅପରାଧ ବୋଲି ସେମାନଙ୍କୁ ଜଣାନାହିଁ । ଏବେ ମୋଟ୍ ଉପରେ ଜଙ୍ଗଲ ଆଇନ୍ ସମ୍ପର୍କରେ ଲୋକଙ୍କୁ ସୂଚିତ କରାଯିବାର ଆବଶ୍ୟକତା ପଡ଼ିଲାଣି । ଦେଶରେ ଅନେକ ପ୍ରକାରର ଆଇନ୍ ପ୍ରଚଳିତ ଅଛି । କୌଣସି ଗୋଟିଏ ଆଇନ୍ ସମ୍ପର୍କରେ ଯଦି ଜଣେ ଅଜ୍ଞ ଏବଂ କିଛି ଅପରାଧ କରେ, ଅଜ୍ଞତା ପାଇଁ ଆଇନ୍ କେବେ ହେଲେ କ୍ଷମା ଦିଏ ନାହିଁ । ତେବେ ଆଇନ୍ ସମ୍ପର୍କରେ ସଚେତନତା ସୃଷ୍ଟିର ମଧ୍ୟ କେବେ କୌଣସି କାର୍ଯ୍ୟକ୍ରମ ସରକାର କରୁଥିବାର ଦେଖାଯାଏନାହିଁ । ଆଇନ୍ ତା ରାସ୍ତାରେ ଥାଏ ଆଉ ଲୋକମାନଙ୍କର ଅଜ୍ଞତା ସେମାନଙ୍କ ନିକଟରେ ରହିଥାଏ । ଅତଏବ ଲୋକମାନଙ୍କୁ ଏସବୁ ସମ୍ପର୍କରେ ଉପଯୁକ୍ତ ଭାବରେ ସଚେତନ କରାଗଲେ ଆଇନ୍ ଉଲଙ୍ଘନ ଜନିତ ଘଟଣା ସବୁ ଆଉ ଘଟିବ ନାହିଁ ।