ଯୋଗାସନ ଓ ମହିଳା
ଆଧୁନିକ ଚିକିତ୍ସାର ବିବିଧ କ୍ଷେତ୍ରରେ ଅସାଧାରଣ ପ୍ରଗତି ହୋଇଥିଲେ ମଧ୍ୟ ଆଜି ଶାରୀରିକ ଏବଂ ମାନସିକ ରୋଗୀଙ୍କର ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାରେ ଦେଖାଯାଉଛି । ମଣିଷକୁ ନୀରୋଗ ଏବଂ ଦୀର୍ଘଜୀବୀ କରି ରଖିବା ପାଇଁ ବିଶ୍ୱସ୍ତରରେ ବହୁ ଗବେଷଣା କରାଯାଇଛି ଏବଂ କରାଯାଉଛି; କିନ୍ତୁ ଏ ପର୍ଯ୍ୟନ୍ତ ଏ ବାବଦରେ କୌଣସି ଗୋଟିଏ ସର୍ବମାନ୍ୟ ସର୍ବସୁଲଭ ସୂତ୍ର ହସ୍ତଗତ ହୋଇପାରିନାହିଁ । ଅତି ପ୍ରାଚୀନ କାଳରୁ ସେଥିପାଇଁ ଭାରତୀୟ ଯୋଗବିଦ୍ୟା ବିଶାରଦମାନେ ଏହି ସ୍ଥୂଳଚିକିତ୍ସା ପଛରେ ନଧାଇଁ କେମିତି ସବୁ ରୋଗର ସୂକ୍ଷ୍ମସ୍ତରରେ ଚିକିତ୍ସା ହୋଇପାରିବ, ସେ ଦିଗରେ ଗହନ ଅନୁସନ୍ଧାନ କରିଥିଲେ । ଆଜିକାଲି ବୈଜ୍ଞାନିକମାନେ କହୁଛନ୍ତି ଦଶଭାଗ ରୋଗର କାରଣ ସ୍ଥୂଳଶରୀର ହେଲେ ବାକି ନବେ ଭାଗ ରୋଗର କାରଣ ସୂକ୍ଷ୍ମ ଶରୀର । ଅର୍ଥାତ୍ ଦୂଷିତମନ, ବିଚାର, ଭାବନା, କଳ୍ପନା ଇତ୍ୟାଦି । ଏକଥା ହଜାର ହଜାର ବର୍ଷ ତଳେ ଆମର ଦିବ୍ୟଦ୍ରଷ୍ଟା ଯୋଗୀ ଋଷିମାନେ ଜାଣି ସେଥିପାଇଁ ରୋଗର ସ୍ଥାୟୀ ପ୍ରତିକାର ସ୍ଥୂଳ ସ୍ତରରେ ନ କରି ସୂକ୍ଷ୍ମସ୍ତରର ସିଦ୍ଧଶକ୍ତି ମିଳି ଯାଉଥିଲା । ତା ଦ୍ୱାରା ସେମାନେ କେବଳ ରୋଗ ନିବାରଣରେ ସଫଳ ହୋଇଥିଲେ ତାହା ନୁହେଁ, ବରଂ ଦୀର୍ଘାୟୁ ଲାଭ କରୁଥିଲେ । ଭୋଗ ସହିତ ମୋକ୍ଷ ମଧ୍ୟ ପ୍ରାପ୍ତ କରୁଥିଲେ ।
ସେମାନେ ଜାଣିଥିଲେ ସ୍ଥୂଳଶକ୍ତି ଠାରୁ ସୂକ୍ଷ୍ମଶକ୍ତି ଅଧିକ ପ୍ରଭାବଶାଳୀ ଏବଂ ଉପଯୋଗୀ । ଏହା ସ୍ଥୂଳ ଶରୀରରେ ଯେମିତି ଲାଭ ପହଞ୍ଚାଇଥାଏ, ସେମିତି ସୂକ୍ଷ୍ମଶରୀରରେ ଲାଭ ପହଞ୍ଚାଇ ଆତ୍ମୋତ୍ଥାନ ଦିଗରେ ମଧ୍ୟ ସାହାଯ୍ୟ କରିଥାଏ । ସ୍ଥୂଳ ଚିକିତ୍ସା ଅନୁସାରେ ରୋଗ ଅନେକ, ସେ ରୋଗର କାରଣ ମଧ୍ୟ ଅନେକ । ସେ ଚିକିତ୍ସା ଅନୁସାରେ ରୋଗ ନିରୂପଣ କରିବାକୁ ଅନେକ ବ୍ୟୟବହୁଳ ପରୀକ୍ଷା ନିରୀକ୍ଷାର ଆବଶ୍ୟକତା ରହିଛି । ରୋଗ ଭଲ କରିବାକୁ ବିଭିନ୍ନ ବାହ୍ୟବସ୍ତୁର ଆବଶ୍ୟକତା ରହିଛି । ମାତ୍ର ସୂକ୍ଷ୍ମ ଚିକିତ୍ସା ଅନୁସାରେ ରୋଗର କାରଣ ଏକ ଏବଂ ଚିକିତ୍ସା ମଧ୍ୟ ଏକ ହୋଇଥିବାରୁ ଏଥିରେ କୌଣସି ବାହ୍ୟବସ୍ତୁର ଆବଶ୍ୟକତା ନଥାଏ । ରୋଗୀ ନିଜେ ପୁରୁଷାର୍ଥ କରି ଏଥିରୁ ଆଶାତୀତ ସୁଫଳ ଲାଭ କରିପାରେ ।
ବର୍ତ୍ତମାନର ପରିବର୍ତ୍ତିତ ଏବଂ ବ୍ୟସ୍ତବହୁଳ ଜୀବନଶୈଳୀ ଅନେକଙ୍କ ଠାରେ ବିଶେଷ କରି ମହିଳାଙ୍କ ଠାରେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବା ଲାଗି ମୁଖ୍ୟତଃ ଦାୟୀ । ଏମିତିରେ ଦୈନିକ କିଛି ସମୟ ଯୋଗ କରିବା ସ୍ୱାସ୍ଥ୍ୟ ପକ୍ଷେ ବରଦାନ ସଦୃଶ । ଏହା ଶରୀରର ପଞ୍ଚ ଇନ୍ଦି୍ରୟ, ସ୍ନାୟୁ ତନ୍ତ୍ର, ରକ୍ତନାଡ଼ି, ଶ୍ୱାସକ୍ରିୟା ଆଦିକୁ ସୂଚାରୁରୂପେ ସଞ୍ଚାଳନ କରିବାରେ ସାହାଯ୍ୟ କରିଥାଏ । ଏହାଦ୍ୱାରା ଶାରୀରିକ, ମାନସିକ, ବୌଦ୍ଧିକ ଏବଂ ଆତ୍ମିକ ସବୁ କ୍ଷେତ୍ରର ବିକାଶ ସମ୍ଭବ ହୋଇଥାଏ । ନିୟମିତ ଯୋଗାସନ କରିବା ଦ୍ୱାରା ଏହା ମାନସିକ ସନ୍ତୁଳନ ରକ୍ଷା କରିଥାଏ । ଫଳରେ ମସ୍ତିଷ୍କର କାର୍ଯ୍ୟ ଦକ୍ଷତା ବୃଦ୍ଧି ହୋଇଥାଏ । ଚିଡ଼ିଚିଡ଼ା ପଣ, ଅବସାଦ ଆଦି ଦୂର ହୋଇ ମାନସିକ ଶାନ୍ତି ମିଳିଥାଏ । ଏହାଦ୍ୱାରା ଶରୀରରେ ହରମୋନ ପରିବର୍ତ୍ତନ ଯୋଗୁଁ ବିଶେଷ କରି ଋତୁସ୍ରାବ ବିରତି ପରେ ହେଉଥିବା ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ । ଶରୀରରେ ନମନୀୟତା ଏବଂ ଶକ୍ତି ବୃଦ୍ଧି ପାଉଥିବାରୁ ଶାରୀରିକ ପୀଡ଼ା ବିଶେଷ କରି ପିଠି, ଆଣ୍ଠୁ ଗଣ୍ଠି, ବେକ ଆଦି ସ୍ଥାନରେ ହେଉଥିବା ଯନ୍ତ୍ରଣା ଶୀଘ୍ର ଭଲ ହୋଇଯାଇଥାଏ । ଯୋଗ କରିବା ସମୟରେ ବିଭିନ୍ନ ଯୋଗମୁଦ୍ରା ଏବଂ ଶ୍ୱାସ କ୍ରିୟା ମଧ୍ୟରେ ସାମଞ୍ଜସ୍ୟ ଯୋଗୁ ଶରୀରର ରକ୍ତ ସଞ୍ଚାଳନ ପ୍ରକ୍ରିୟା ସୁଚାରୁରୂପେ ହୋଇଥାଏ । ଫଳରେ ଶରୀରରେ ଅମ୍ଳଜାନ ଏବଂ ପୋଷକ ତତ୍ତ୍ୱର ଭଲ ହେବା ଯୋଗୁଁ ତ୍ୱଚା ଏବଂ ଅନ୍ତ ଅଙ୍ଗ ଗୁଡ଼ିକ ମଧ୍ୟ ସୁସ୍ଥ ରହିଥାଏ । ବିଭିନ୍ନ ଯୋଗାସନ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟର ଉନ୍ନତି କରିବା ସହ ମଣିଷକୁ ନୀରୋଗ, ଗତିଶୀଳ, ଉତ୍ସାହୀ ଏବଂ ଖୁସି ରଖିଥାଏ । ସୂଚାରୁରୂପେ ଶ୍ୱାସ ପ୍ରକ୍ରିୟାର ସମ୍ପାଦନ କରିବାରେ ବି ଯୋଗାସନର ଭୂମିକା ରହିଛି ।
ଏହା ବ୍ୟତୀତ ଶାରୀରିକ କାର୍ଯ୍ୟଦକ୍ଷତା ଏବଂ ସହନଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଯେଉଁ ମହିଳାମାନେ ଅଧିକ ସମୟ ଧରି ଗୋଟେ ସ୍ଥାନରେ ଠିଆ ହୋଇ ରୋଷେଇ କରୁଛନ୍ତି, ଅଫିସରେ ବସି କାମ କରୁଛନ୍ତି କିମ୍ବା ଗାଡ଼ି ଚଳାଉଛନ୍ତି ସେମାନେ ନିୟମିତ ଯୋଗ କରିବା ଜରୁରି । ବର୍ତ୍ତମାନ ମେଦ ବହୁଳତା ଅଧିକାଂଶ ମହିଳାଙ୍କ ଲାଗି ଏକ ବଡ଼ ସମସ୍ୟା ପାଲଟିଛି । ଆଉ ଏଥିଯୋଗୁ ଡାଇବେଟିସ୍, ରକ୍ତଚାପ ଭଳି ସମସ୍ୟା କମାଇ ଫିଟ ରଖିବା ଲାଗି ଯୋଗାସନ ବେଶ ଉପକାରୀ । ଯୋଗାସନ କରିବା ଦ୍ୱାରା ହାର୍ଟ ଏବଂ ଧମନୀ ସୁସ୍ଥ ରହିଥାଏ । ଅପରପକ୍ଷେ ରକ୍ତ ସଞ୍ଚାଳନ ଭଲ ଭାବେ ହେବା କାରଣରୁ ମଧ୍ୟ ହୃଦ୍ରୋଗ ଆଶଙ୍କା କମିଥାଏ । ନିୟମିତ ଯୋଗାଭ୍ୟାସ କଲେ ଦୃଷ୍ଟିଶକ୍ତି ଏବଂ ପାଚନ ଶକ୍ତି ବୃଦ୍ଧି ପାଇଥାଏ । ଏହା ମାଂସପେଶୀଗୁଡ଼ିକୁ ଶକ୍ତି ପ୍ରଦାନ କରିବା ସହ ମେଦ ହ୍ରାସ ଏବଂ ପତଳା ଶରୀରକୁ ବଳିଷ୍ଠ କରିଥାଏ । ମାସିକ ଋତୁସ୍ରାବ ସମୟରେ ଯନ୍ତ୍ରଣା କମାଇବାରେ ମଧ୍ୟ ଯୋଗାସନ ଫଳପ୍ରଦ । କେବଳ ଏତିକି ନୁହେଁ ନିୟମିତ ଯୋଗ କରିବା ଦ୍ୱାରା ସ୍ତନକର୍କଟ ଆଶଙ୍କା ମଧ୍ୟ କମିଥାଏ । ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ନିଦ୍ରାହୀନତା ଭୋଗୁଥିବା ମହିଳାଙ୍କ ଲାଗି ଏହା ଅତି ଉତ୍ତମ । ଯୋଗ ଦ୍ୱାରା ସୌନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ । ଚର୍ମ ଚିକ୍କଣ ଏବଂ ସୁନ୍ଦର ରହିଥାଏ । କେଶ ମଜଭୁତ୍ ରହିଥାଏ । ଶରୀରର ଗଠନକୁ ଏହା ସୁଠାମ କରିଥାଏ ।
ଯୋଗ କରିବାର ଉପଯୁକ୍ତ ସମୟ ହେଉଛି ସୂର୍ଯେ୍ୟାଦୟର ଅଧ ଘଣ୍ଟା ପୂର୍ବରୁ ସୂର୍ଯେ୍ୟାଦୟର ଏକ ଘଣ୍ଟା ପର୍ଯ୍ୟନ୍ତ । ତେଣୁ ଦିନର ଅନ୍ୟ କୌଣସି ସମୟ ଅପେକ୍ଷା ଆପଣ ଯଦି ଏହି ଦେଢ଼ଘଣ୍ଟା ସମୟ ମଧ୍ୟରେ ଯୋଗ କରୁଛନ୍ତି ତେବେ ଏହାର ସମ୍ପୂର୍ଣ୍ଣ ଲାଭ ଉଠାଇ ପାରିବେ । ଯୋଗ କେବଳ ଶାରୀରିକ ନୁହେଁ ମାନସିକ ସ୍ତରରେ ମଧ୍ୟ ପ୍ରଭାବ ପକାଇଥାଏ । ତେଣୁ ଆଦୌ ତରତର ହୋଇ ଯୋଗ କରନ୍ତୁ ନାହିଁ । ଯୋଗ କରିବା ସମୟରେ ମନକୁ ସ୍ଥିର ରଖନ୍ତୁ । ନଚେତ୍ ଏହା ଆପଣଙ୍କ ଲାଗି ଉପକାରୀ ସାବ୍ୟସ୍ତ ହେବା ବଦଳରେ ମାନସିକ ସ୍ତରରେ ନକାରାତ୍ମକ ପ୍ରଭାବ ପକାଇପାରେ । ଯୋଗ କରିବାର ପ୍ରାରମ୍ଭିକ ଦିନ ଗୁଡ଼ିକରେ ଅଧିକାଂଶ ମହିଳା ଏକାସଙ୍ଗେ ବହୁତ ଯୋଗାସନ ତାହା ପୁଣି ଅଧିକ ସମୟ ପାଇଁ କରିଥାନ୍ତି । ହେଲେ ଯୋଗ କରିବାର ଶୀଘ୍ର ଫଳ ପାଇବା ଆଶାରେ ଏପରି କରିବା ଠିକ୍ ନୁହେଁ । କାରଣ ସମସ୍ତଙ୍କ ଶାରୀରିକ କ୍ଷମତା ଭିନ୍ନ ଭିନ୍ନ । ତେଣୁ ଆବଶ୍ୟକତାରୁ ଅଧିକ ଯୋଗ ଏକାଦିନେ କରିବା ଦ୍ୱାରା ମଧ୍ୟ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ । ତେଣୁ ପ୍ରାରମ୍ଭିକ ଦିନ ଗୁଡ଼ିକରେ ଅଳ୍ପ ଅଳ୍ପ ଯୋଗାସନ କରନ୍ତୁ ଏବଂ ଧୀରେ ଧୀରେ ଅଭ୍ୟାସ ହେବା ପରେ ଏହା ସମୟସୀମା ବଢ଼ାନ୍ତୁ ।
ଯଦି ଆପଣ ଗର୍ଭବତୀ ତେବେ ପୂର୍ବରୁ କରୁଥିବା ଯୋଗାସନ ନ କରି ଏ ସମୟରେ କେଉଁ ଯୋଗ କରିବା ଦରକାର ଏକ୍ସପର୍ଟଙ୍କ ପରାମର୍ଶ ନେବାପରେ କରନ୍ତୁ । ଠିକ୍ ସେହିପରି ଋତୁସ୍ରାବ ସମୟରେ ମଧ୍ୟ ଏଥିପ୍ରତି ସତର୍କ ରହିବା ଆବଶ୍ୟକ । ଯୋଗାସନ କେବେ ବେଡ଼, ସୋଫା ଭଳି ସୁବିଧାଜନକ ସ୍ଥାନରେ ବସି କରନ୍ତୁ ନାହିଁ । ଏହା ବଦଳରେ ଚଟାଣ ଉପରେ ଆସନ ବିଛାଇ ଯୋଗ କରନ୍ତୁ । ଯୋଗ କରିବା ଦିନ ଗୁଡ଼ିକରେ ଏହାର ଉପକାରିତା ପାଇବାକୁ ଚାହୁଁଥିଲେ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ତେଲ ମସଲାଯୁକ୍ତ କିମ୍ବା ଅନ୍ୟ କୌଣସି ଗରିଷ୍ଠ ଖାଦ୍ୟ ନ ଖାଇ ସୁଷମ ଖାଦ୍ୟ ଖାଆନ୍ତୁ ଏବଂ ପ୍ରଚୁର ପାଣି ପିଅନ୍ତୁ । ଯୋଗାସନ କରିବାର କିଛି ସମୟ ପୂର୍ବରୁ ୨ ଗ୍ଲାସ ପାଣି ପିଇବାକୁ ଆଦୌ ଭୁଲନ୍ତୁ ନାହିଁ ।
ଋ-ଜ୍ଞବସକ୍ଷ : ୟକ୍ସଳବଦ୍ଭଗ୍ଧସ୧୧୧ଦ୍ଭବଚ୍ଚବଳଅଶଜ୍ଞବସକ୍ଷ.ମକ୍ଟଜ୍ଞ