ନିଜ ଇଚ୍ଛାରେ କଣ ସବୁ କିଛି?

ଛୋଟ କଥାର ବଡ଼ ବିଚାର "ଅମୃତ ବିନ୍ଦୁ ।' "ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଜାଣିବା ଜୀବନରେ ନିଜ ଇଚ୍ଛାରେ ସବୁ କିଛି କେମିତି ହୁଏନି ସେ ବାବଦରେ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ମଣିଷ ମନର ବେଗକୁ ମାପିବା ସମ୍ଭବ ନୁହେଁ । ମନ ଅନେକ କଥା ଚାହେଁ । ଗୋଟିଏ ମୁହୂର୍ତ୍ତରେ ହଜାର ହଜାର କିଲୋମିଟର ଦୂରକୁ ଚାଲିଯାଇପାରେ । ମନ ହେଉଛି ବେଗଗାମୀ ଅଶ୍ୱ ଭଳି । ମନକୁ ନିୟନ୍ତ୍ରଣ କରିବା ଏତେ ସହଜ କଥା ନୁହେଁ । ସାଧାରଣ ଭାବରେ ଅନ୍ୟମାନଙ୍କର କୌଣସି ପାର୍ଥôବ ଜିନିଷକୁ ଦେଖି ମନ ଏକ ତୁଳନାତ୍ମକ ପରିସ୍ଥିତି ସୃଷ୍ଟି କରେ । "ତା'ର ହେଲା', "ମୋର ହେଲା ନାହିଁ', "ସିଏ ମୋ ଠାରୁ ଅଧିକା', "ମୁଁ ଆଉ ଜଣଙ୍କ ଠାରୁ ଅଧିକା' ଆଦି ଭାବନା ମନ ଉପରେ ନିୟନ୍ତ୍ରଣ ରଖିପାରୁନଥିବା ବ୍ୟକ୍ତିମାନେ ହିଁ ରଖନ୍ତି ।  ପୃଥିବୀରେ ଅନେକ ଜିନିଷ ରହିଛି । ସେସବୁ ବ୍ୟକ୍ତିର ନଜରକୁ ଆସିବ । ହେଲେ ମନ ଉପରେ ନିୟନ୍ତ୍ରଣ ନରଖିଲେ "ମୋର ଏମିତି ହୁଅନ୍ତା କି' କିମ୍ବା "ମୁଁ ଏମିତି ହେବି' କିମ୍ବା "ତାହା ଭଳି ମୋର ବି ଥାଉ' ଆଦି ଚିନ୍ତାଧାରା ମନ ଭିତରେ ଆସେ । ଏହି ଚିନ୍ତାଧାରାରୁ ହିଁ ମଣିଷ କେବେକେବେ ଅପରାଧ କରିବସେ । ଇଚ୍ଛାଟିଏ ପୂରଣ କରିବାକୁ ଯାଇ ପରିଣତି କଥା ଚିନ୍ତା ନକରି କାର୍ଯ୍ୟଟିଏ କରିବସେ । ଏହା ହେଉଛି ଦୁର୍ବଳମାନ ବ୍ୟକ୍ତିର ଲକ୍ଷଣ । ମାନସିକ ଦୃଢ଼ତା ଥିବା ବ୍ୟକ୍ତି ନିଜ ମନ ଉପରେ ନିୟନ୍ତ୍ରଣ ରଖେ । ଅନ୍ୟ ସହିତ ନିଜକୁ କେବେ ତୁଳନା କରେ ନାହିଁ । ପରିସ୍ଥିତି ଯାହା ବି ହେଉ ସ୍ଥିର ଚିତ୍ତ ହୋଇ ରହେ । ପ୍ରଲୋଭନରେ ତରଳିଯାଏ ନାହିଁ କିମ୍ବା ଧମକରେ ଡ଼ରିଯାଏନାହିଁ । ଏହା ହେଉଛି ଦୃଢ଼ମନାର ଲକ୍ଷଣ । ଦୃଢ଼ମନା ବ୍ୟକ୍ତି କେବେ ହେଲେ କାହା ଆଗରେ ମୁଣ୍ଡ ନୁଆଁଇ ଦିଏ ନାହିଁ । ଚିନ୍ତା କରେ ପରିସ୍ଥିତିର ସମୀକ୍ଷା କରେ, ପରିଣତିର ଆକଳନ କରେ । ତା'ପରେ ଯାଇ ପଦକ୍ଷେପ ନିଏ । ନିଜ ସହ ଅନ୍ୟକୁ ତୁଳନା କରି ଅନେକ କିଛି ପାଇବାକୁ ଇଚ୍ଛାଟିଏ ସୃଷ୍ଟି ହେଲେ ଅନୈତିକ ଉପାୟରେ ତାହା ହାସଲ କରିବା ପାଇଁ ମନ ଚାହେଁ । ଯୋଗ୍ୟତା, ଦକ୍ଷତା କିମ୍ବା କ୍ଷମତା ନଥାଇ ଅଭିଳାଷ ରଖିଲେ ମଣିଷ ଦୁଃଖ ପାଇବା ନିଶ୍ଚିତ । 
ମଣିଷ ଯାହା ଚାହେଁ ସବୁକିଛି ପାଇଯାଏ ନାହିଁ । ସବୁକିଛି ପାଇ ଯିବାର ଇଚ୍ଛା ଆଉ ସବୁକିଛିକୁ ନିଜ ଆୟତ୍ତରେ ରଖିବାର ଆସ୍ପର୍ଦ୍ଧା ହେଉଛି ଅହଙ୍କାର । ଅହଙ୍କାରୀ ମଣିଷ ଜୀବନରେ କେବଳ ଦୁଃଖ ହିଁ ପାଏ । ତେଣୁ କାମନା ଉପରେ ନିୟନ୍ତ୍ରଣ ରଖି ଯାହା କିଛି କାମନା ସୃଷ୍ଟି ହେଉଇଛି ତାକୁ ପୂରଣ କରିବା ପାଇଁ ଚେଷ୍ଟା କରିବା ଅନୁଚିତ୍ । ଏଭଳି ଚେଷ୍ଟାରୁ ଦୂରେଇ ନରହି ଧନ, କ୍ଷମତା, ବାହୁବଳ ଆଦିରେ ପାଇବାର ଇଚ୍ଛା ରଖିଲେ ମହାମାନୀ ଦୂର୍ଯେ୍ୟାଧନ ଭଳି ଅସହାୟ ମୃତୁ୍ୟ ଆସି ପହଞ୍ଚିବ । 
ଜୀବନରେ ଏକଥାକୁ ସ୍ୱୀକାର କରନ୍ତୁ ଯେ, ଆପଣଙ୍କ ଚାହିଁବା ଅନୁସାରେ ବା ଆପଣଙ୍କ ମନ ମୁତାବକ ସବୁକିଛି ମିଳିବ ନାହିଁ । ମୋ ଇଚ୍ଛାନୁସାରେ ସବୁ କିଛି ବୋଲି ଯିଏ ଭାବେ, ସିଏ ଜୀବନରେ କେବେନା କେବେ ବହୁତ କଷ୍ଟ ପାଏ । 
ପଢ଼ିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ "ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।