ଭାରତ ପ୍ରତି ବିପଦ ହିଁ ବିପଦ

ଚୀନ୍ ଅଧିନରେ ଥାଇ ସ୍ୱୟଂଶାସିତ ଅଞ୍ଚଳ ଭାବରେ ଘୋଷିତ ହୋଇଛି ତିଽତ୍ । ଏବେ ତିଽତ୍ରେ ବିଶ୍ୱର ସର୍ବବୃହତ୍ ଏକ ଜଳଭଣ୍ଡାର ଚୀନ୍ ନିର୍ମାଣ କରୁଛି । ଏହି ଜଳଭଣ୍ଡାରର ନିର୍ମାଣକୁ ଭାରତ ବିରୁଦ୍ଧରେ ଜଳ ବୋମା ଭାବରେ ବ୍ୟବହାର କରିବା ପାଇଁ ଚୀନ୍ ଯୋଜନା କରିଥିବାର ଆଶଙ୍କା ପ୍ରକାଶ ପାଇଲାଣି । ଏହି ପ୍ରକଳ୍ପ କାମ ହେବା ପରେ ଅରୁଣାଚଳ ପ୍ରଦେଶ ପାଇଁ ବିପଦ ହେବ ବୋଲି ଅରୁଣାଚଳ ମୁଖ୍ୟନ୍ତ୍ରୀ ପେମା ଖାଣ୍ଡୁ ଆଶଙ୍କା ପ୍ରକାଶ କରିଛନ୍ତି । ପୂର୍ବରୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ୍ ବିଶ୍ୱଶର୍ମା ମଧ୍ୟ ସମାନ ପ୍ରକାରର ଆଶଙ୍କା ପ୍ରକାଶ କରିଛନ୍ତି । ଏ ପ୍ରକାରର ଏକ ଜଳଭଣ୍ଡାର ନିର୍ମାଣରୁ ଚୀନ୍କୁ ନିବୃତ୍ତ କରିବା ପାଇଁ ଭାରତ ଚେଷ୍ଟା କରୁ ବୋଲି ହିମନ୍ତ ବିଶ୍ୱଶର୍ମା କହିଥିଲେ । ଏ ସମ୍ପର୍କରେ ଅରୁଣାଚଳ ପ୍ରଦେଶର ବିଧାନସଭାରେ ବିସ୍ତୃତ ଭାବରେ ଆଲୋଚନା ହୋଇ ସାରିଲାଣି । ତିଽତ୍ର ୟାରଜଙ୍ଗ୍ ସାଙ୍ଗପୋ ନଦୀରେ ନିର୍ମାଣ କରାଯାଉଥିବା ଏହି ଡ଼୍ୟାମ୍ରୁ ବାର୍ଷିକ ୬୦ ହଜାର ମେଗାୱାଟ୍ ବିଦୁ୍ୟତ୍ ଶକ୍ତି ଉତ୍ପନ ହେବ । ଏଥିରେ ଚୀନ୍ର ଶିଳ୍ପ ବିକାଶ ହେବ, କିନ୍ତୁ ଏହାକୁ ଚୀନ୍ର ବାସ୍ତବ ଲକ୍ଷ୍ୟ ବୋଲି ବିଶ୍ୱାସ କରାଯାଇପାରୁନାହିଁ । ବ୍ରହ୍ମପୁତ୍ର ନଦୀକୁ ଶୁଖାଇ ଦେବା ପାଇଁ ଏହି ଡ଼୍ୟାମ୍ ନିର୍ମାଣ କରାଯାଉଥିବା ସନେ୍ଦହ ପ୍ରକାଶ କରାଯାଉଛି । ବ୍ରହ୍ମପୁତ୍ର ନଦୀରେ ଜଳଧାରା କମିଗଲେ ଦେଶର ଉତ୍ତର-ପୂର୍ବାଞ୍ଚଳରେ ବିପର୍ଯ୍ୟୟ ସୃଷ୍ଟି ହେବ । ଆହୁରି ମଧ୍ୟ ଏହି ଡ଼୍ୟାମ୍ର ଜଳ ନିଷ୍କାସନ କରି ବ୍ରହ୍ମପୁତ୍ରରେ ବଡ଼ଧରଣର ବନ୍ୟା ବିତ୍ପାତ ସୃଷ୍ଟି କରାଯାଇପାରିବ । ଏଭଳି ହେଲେ ବାଂଲାଦେଶ ମଧ୍ୟ ବହୁମାତ୍ରାରେ ପ୍ରଭାବିତ ହେବ । ବ୍ରହ୍ମପୁତ୍ରରେ କୃତି୍ରମ ବନ୍ୟା ସୃଷ୍ଟି କରି ଆଦିବାସୀ ସଂପ୍ରଦାୟଙ୍କ ମଧ୍ୟରେ ବିପୁଳ ଜନଜୀବନ ହାନି କରାଯାଇପାରିବ । ଏପରିକି ବ୍ରହ୍ମପୁତ୍ରର ଅନେକ ଶାଖାନଦୀ ଗତିପଥ ପରିବର୍ତ୍ତନ କରିବା ସମ୍ଭାବନା ରହୁଛି । ଏହା ଫଳରେ ଅନେକ ଜନବସତି ନିଶ୍ଚିହ୍ନ ହୋଇଯିବ । ଚୀନ୍ର ଏ ପ୍ରକାରର ଉଦ୍ୟମକୁ ମୁକାବିଲା କରିବା ଲାଗି ଅରୁଣାଚଳ ପ୍ରଦେଶରେ ସିଆଙ୍ଗ୍ ଅପର ଡ଼୍ୟାମ୍ ପ୍ରୋଜେକ୍ଟ କାର୍ଯ୍ୟକାରୀ ହେବା ନେଇ ସେ କହିଛନ୍ତି । ଏହା କାର୍ଯ୍ୟକାରୀ ହେଲେ ବନ୍ୟା ନିୟନ୍ତ୍ରଣ ସହ ୧୧ ହଜାର ମେଗାୱାଟ୍ ବିଦୁ୍ୟତ୍ ଉତ୍ପାଦନ ହୋଇପାରିବ । ତେବେ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରାଇ ନଦେବା ପାଇଁ ସ୍ଥାନୀୟ ଲୋକମାନେ ଆନେ୍ଦାଳନ କରୁଛନ୍ତି । 
ଦେଶର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏହି ପ୍ରକଳ୍ପର ବନ୍ଦ କରିବାର ଆବଶ୍ୟକତା ବର୍ତ୍ତମାନ ପଡ଼ିଲାଣି । ଚୀନ୍ ନିର୍ମାଣ କରୁଥିବା ବିଶାଳ ଡ଼୍ୟାମ୍କୁ ଭାରତରେ ଜଳପ୍ରଳୟ ସୃଷ୍ଟି ଉଦେ୍ଦଶ୍ୟରେ ବ୍ୟବହାର କରାଯିବାର ସମ୍ଭାବନା ଅଧିକ ରହିଛି । ଚୀନ୍କୁ କୌଣସି ପ୍ରକାରରେ ବିଶ୍ୱାସ କରାଯାଇପାରିବ ନାହିଁ । ଅତୀତରେ ଚୀନ୍ର ରାଷ୍ଟ୍ରପତି ଭାରତ ଗସ୍ତରେ ଆସି ପ୍ରଧାନମନ୍ତ୍ରୀଙ୍କ ସହିତ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର ଦେଖାଇ ପୁଣି ନିଜ ଦେଶକୁ ଫେରିଯିବା ପରେ ଚୀନ୍ ସୈନ୍ୟମାନେ ଭାରତ ସୀମାରେ ବିନା କାରଣରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି କରିଥିଲେ । କେବଳ ସେତିକି ନୁହେଁ ଚୀନ୍-ଭାରତ ସୀମା ବିବାଦର ସମାଧାନ କ୍ଷେତ୍ରରେ ଯେତେ ଉଦ୍ୟମ କରାଗଲେ ମଧ୍ୟ ଚୀନ୍ ପକ୍ଷରୁ ଅରୁଣାଚଳ ଏବଂ ଉତ୍ତର ପୂର୍ବାଞ୍ଚଳ ସୀମାରେ ସବୁବେଳେ ଉତ୍ତେଜନା ଲାଗି ରହୁ ବୋଲି ସମ୍ଭବତଃ ଚୀନ୍ର ଉଦେ୍ଦଶ୍ୟ । ତେଣୁ ଭାରତ ବନ୍ଧୁତାର ହାତ ବଢ଼ାଉଥିଲେ ମଧ୍ୟ ଚୀନ୍ ସବୁବେଳେ କପଟ ଆଚରଣ କରିଚାଲିଛି । ଭାରତ ଭଳି ଏକ ବିଶାଳ ଜନସଂଖ୍ୟା ବିଶିଷ୍ଟ ଦେଶରେ ଚୀନ୍ର ବଜାର ଧୀରେ ଧୀରେ କମିବାରେ ଲାଗିଛି । ଏକଦା ଭାରତରେ ଚୀନ୍ର ଖେଳଣା ବଜାର ଶତକଡା ୯୦ ଶତାଂଶ ରହିଥିବା  ବେଳେ ବର୍ତ୍ତମାନ ଏହା ପ୍ରାୟତଃ ୪୦ କିମ୍ବା ୩୦ ଶତାଂଶକୁ ଖସିଗଲାଣି । ଏ କ୍ଷେତ୍ରରେ ଚୀନ୍ର ଆର୍ଥôକ ଭାବରେ ବିପୁଳ କ୍ଷତି ଘଟିଛି । ଚୀନ୍ର ଅନ୍ୟାନ୍ୟ ଉତ୍ପାଦିତ ପଦାର୍ଥକୁ ମଧ୍ୟ ଭାରତ ଆମଦାନୀ କରିବା ଧୀରେ ଧୀରେ କମାଇ ଦେଇଛି । ବୈଦୁ୍ୟତିକ ପଦାର୍ଥ କ୍ଷେତ୍ରରେ ଭାରତ ଆତ୍ମନିର୍ଭରଶୀଳ ହୋଇଗଲାଣି । ତେଣୁ ଚୀନ୍ର ଉଦେ୍ଦଶ୍ୟକୁ ବୁଝି ହେଉନଥିବା ବେଳେ ଏହାର ପ୍ରତ୍ୟେକଟି କାର୍ଯ୍ୟକଳାପ ଉପରେ ସତର୍କ ଦୃଷ୍ଟି ରହିବା ଆବଶ୍ୟକ ।