ସୁଖର ସମୟ ଦୁଃଖର ବେଳା

ଛୋଟ କଥାର ବଡ଼ ବିଚାର "ଅମୃତ ବିନ୍ଦୁ ।' "ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ କରିବା, ଅନୁଭବ କରିବା ଜୀବନରେ ସୁଖର ସମୟ ଓ ଦୁଃଖର ବେଳାକୁ ନେଇ କିଛି ବାସ୍ତବ ଓ ନିଚ୍ଛକ କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ମନୁଷ୍ୟ ଜୀବନରେ ଭଲ ଓ ମନ୍ଦ ସମୟ ଉଭୟ ଆସେ । କୌଣସି ଏକ ଉଦ୍ୟମରେ ସଫଳତା ମିଳିଗଲେ ମନୁଷ୍ୟ ଭାବେ ଯେ ତାର ଭଲ ସମୟ ଆସିଗଲା । ଉଦ୍ୟମରେ ବିଫଳ ହେଲେ ମନୁଷ୍ୟ ଭାବେ ଯେ ତାର ଖରାପ ସମୟ ଆସିଛି । ଭଲ ସମୟ କିମ୍ବା ଖରାପ ସମୟ କେବଳ ନିଜର କଳ୍ପନାପ୍ରସୂତ ଅବଧାରଣା । ଗୋଟିଏ ଦିନ ଭିତରେ କିଛି ସଫଳତା ଓ କିଛି ବିଫଳତା ଯଦି ଆସେ, ସେ କ୍ଷେତ୍ରରେ ଦିନଟିକୁ ଭଲ କିମ୍ବା ଖରାପ ମଧ୍ୟରୁ କଣ ବୋଲି କୁହାଯିବ-ତାହା ଏକ ବଡ଼ ପ୍ରଶ୍ନ । ସଫଳତା ଓ ବିଫଳତା ମନୁଷ୍ୟ ମନରୁ ସୃଷ୍ଟି ହୁଏ । ହେଲେ ମନକୁ ନେଇ ମଣିଷ ସଫଳତାରେ ଆନନ୍ଦିତ ହେଉଥିବା ବେଳେ ବିଫଳତାରେ ଦୁଃଖୀ ହୋଇପଡ଼େ । ଯେତେବେଳେ ସଫଳତା ଆସେ ତାହା ତାର ସୁଖର ସମୟ । ସୁଖର ସମୟଟିକୁ ଉପଭୋଗ କରିବା ପାଇଁ ପ୍ରତ୍ୟେକ ଲୋକ ଭାବନ୍ତି ଯେ ସମୟ ବହୁତ କମ୍ ମିଳିଲା । ହେଲେ ଯେତେବେଳେ ବିଫଳତା କିମ୍ବା ଅନ୍ୟ କୌଣସି ଦୁଃଖ ଜୀବନରେ ଆସିଯାଏ, ସେତେବେଳେ ମନେହୁଏ ଯେ ସତେ ଯେମିତି ଦୁଃଖର ସମୟ ଗୁଡିକ ବହୁତ ଲମ୍ବା ହୋଇଯାଉଛି । ଲାଗେ ସୁଖର ସମୟତକ ଖୁବ୍ ଶୀଘ୍ର ଶେଷ ହୋଇଯାଏ ଆଉ ଦୁଃଖର ସମୟ ସବୁ ଖୁବ୍ ଲମ୍ବା, ନୁହେଁ?
ସୂର୍ଯ୍ୟ ବହୁତ ଧୀରେ ଧୀରେ ଅସ୍ତ ହୁଅନ୍ତି । ଠିକ୍ ସେହିପରି ହିଁ ଜୀବନର ଦୁଃଖର ସମୟ । ଦୁଃଖର ସମୟକୁ ଶେଷ ହେବା ପାଇଁ ଅପେକ୍ଷା କରିବାକୁ ବହୁସଂଖ୍ୟକ ଲୋକଙ୍କର ଧୈର୍ଯ୍ୟ ନଥାଏ । ବ୍ୟାସକବି ଫକୀର ମୋହନ ସେନାପତି ଛ'ମାଣ ଆଠଗୁଣ୍ଠୁ ଉପନ୍ୟାସରେ ଧାଡ଼ିଟିଏ ଲେଖିଛନ୍ତି । ସେ ଧାଡ଼ିଟି ହେଲା "ପ୍ରତ୍ୟେକ ମନୁଷ୍ୟ ଭାବେ ଯେ ସୁଖର ସମୟ ଘୋଡ଼ା ଚଢ଼ି ଚାଲିଯାଏ ଆଉ ଦୁଃଖର ସମୟ ହାତୀ ଚାଲିଲା ଭଳି ଧୀରେ ଧୀରେ ପାହୁଣ୍ଡ ପକାଇ ଚାଲେ ।' ଦୁଃଖ ସମୟଟା ଖୁବ୍ ଲମ୍ବା ଜଣାପଡ଼େ । ଧୈର୍ଯ୍ୟବାନ୍ ବ୍ୟକ୍ତି ପକ୍ଷରେ ସୁଖର ସମୟ ଛୋଟ ନୁହେଁ କିମ୍ବା ଦୁଃଖର ସମୟ ଲମ୍ବା ନୁହେଁ । ଉଭୟ ଘଟଣା ଏକ ପ୍ରାକୃତିକ ନିୟମରେ ସେମାନଙ୍କର ସମୟ ନେଇ ଆସନ୍ତି ଏବଂ ସମୟ ନେଇ ଯାଆନ୍ତି । 
ପଢ଼ିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ "ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।