ମହାଶକ୍ତି ଓ ନବଦୁର୍ଗା

"ଯା ଦେବୀ ସର୍ବଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା, ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋ ନମଃ' ଶକ୍ତି ଉପାସକଙ୍କ ଦୃଷ୍ଟିରେ ମହାଶକ୍ତି ହେଉଛନ୍ତି ପରବ୍ରହ୍ମ ପରମାତ୍ମା । ସେ ସୃଜନ କରନ୍ତି, ପାଳନ କରନ୍ତି, ସଂହାର କରନ୍ତି । ସେ ଆଦ୍ୟା ମହାଶକ୍ତି । ତାଙ୍କର ସ୍ୱରୂପ ବିବିଧ । ସେ ନବଦୁର୍ଗା, ଦଶ ମହାବିଦ୍ୟା, ଅନ୍ନପୂର୍ଣ୍ଣା, କାତ୍ୟାୟନୀ, ଲଳିତାମ୍ବା, ଗାୟତ୍ରୀ, ଭୁବନେଶ୍ୱରୀ, କାଳୀ, ତାରା, ବଗଳା । ସେ ସଂହାର ପାଇଁ ମହାକାଳୀ, ବିଦ୍ୟା ଦାନ ପାଇଁ ସରସ୍ୱତୀ, ଧନ ପାଇଁ ମହାଲକ୍ଷ୍ମୀ । ମାର୍କଣ୍ଡେୟ ପୁରାଣରେ ଭଗବତୀଙ୍କୁ ଏହି ରୂପେ ସ୍ତୁତି କରାଯାଇଛି । ଦେବୀଙ୍କ ଭେଦ ହେଉଛି ସବୁ ବିଦ୍ୟା । ସଂସାରରେ ଯେତିକି ନାରୀ ଅଛନ୍ତି ସେମାନେ ଦେବୀଙ୍କ ରୂପ । ସମସ୍ତ ସଂସାରରେ ବ୍ୟାପ୍ତ ହେଉଛି ଗୋଟିଏ ତତ୍ତ୍ୱ, ସେହି ତତ୍ତ୍ୱ ହେଉଛି ଦେବୀ ତତ୍ତ୍ୱ ବା ଶକ୍ତି ତତ୍ତ୍ୱ । ନବରାତ୍ରିରେ ତିଥି ଅନୁସାରେ ମା ଦୁର୍ଗାଙ୍କ ନବ ରୂପର ପୂଜା ଅର୍ଚ୍ଚନା କରାଯାଏ । ଏହି ନବ ରୂପ ହେଉଛି ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, ସ୍କନ୍ଧମାତା, କାତ୍ୟାୟନୀ, କାଳରାତ୍ରି, ମହାଗୌରୀ ଓ ସିଦ୍ଧିଦାତ୍ରୀ । ନବରାତ୍ରି ଅବସରରେ ପୂଜା ପାଉଥିବା ନଅ ଦେବୀ ନବଦୁର୍ଗା ଭାବେ ଖ୍ୟାତ । ଦେବୀ ମାହାତ୍ମ୍ୟ ଏବଂ ଦୁର୍ଗା ସପ୍ତସତୀରେ ସେମାନଙ୍କ କଥା ବର୍ଣ୍ଣିତ । ସେମାନେ ସମସ୍ତେ ଶକ୍ତିଙ୍କ ଭିନ୍ନ ଭିନ୍ନ ଅବତାର । ସେମାନେ ହେଲେ ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦ ମାତା, କାତ୍ୟାୟନୀ, କାଳରାତ୍ରି, ମହାଗୌରୀ ଏବଂ ସିଦ୍ଧିଦାୟିନୀ । ନବରାତ୍ରିର ପ୍ରଥମ ଦିନରେ ପୂଜା ପାଆନ୍ତି ଶୈଳପୁତ୍ରୀ । "ଶୈଳ' ଅର୍ଥ ପାହାଡ଼ ଏବଂ "ପୁତ୍ରୀ' ଅର୍ଥ କନ୍ୟା । ସେ ପାର୍ବତୀ ବା ହେମବତୀ ଭାବେ ମଧ୍ୟ ପରିଚିତ । ଶୈଳପୁତ୍ରୀ ହେଉଛନ୍ତି ଶକ୍ତିଙ୍କ ପ୍ରଥମ ଅବତାର । ଦ୍ୱିତୀୟ ଦିନରେ ପୂଜା ପାଆନ୍ତି ମା' ବ୍ରହ୍ମଚାରିଣୀ । ତାଙ୍କର ଅନ୍ୟ ନାମଗୁଡ଼ିକ ହେଲା - ଉମା, ଅର୍ପର୍ଣ୍ଣା ଏବଂ ତପଶ୍ଚାରିଣୀ । ବ୍ରହ୍ମଚାରିଣୀ ଅର୍ଥ ଚରମ ସତ୍ତାର ସାନିଧ୍ୟ ପାଇବା ଲାଗି ଯିଏ ସଦା ତପସ୍ୟାରତ । ତୃତୀୟ ଦିବସରେ ଆରାଧନା କରାଯାଏ ମା' ଚନ୍ଦ୍ରଘଣ୍ଟାଙ୍କୁ । ମଥାରେ ଅର୍ଦ୍ଧଚନ୍ଦ୍ରଙ୍କୁ ଧାରଣ କରୁଥିବା ହେତୁ ସେ ହେଲେ ଚନ୍ଦ୍ରଘଣ୍ଟା । ଚତୁର୍ଥ ଦିବସରେ ଆବାହନ କରାଯାଏ ମା' କୁଷ୍ମାଣ୍ଡାଙ୍କୁ । ସେ ଅଷ୍ଟଭୂଜା; ପୁଣି ସୃଷ୍ଟିକର୍ତ୍ତ୍ରୀ ସମଗ୍ର ବିଶ୍ୱ-ବ୍ରହ୍ମାଣ୍ଡର । ପଞ୍ଚମ ଦିବସରେ ପୂଜା ପାଆନ୍ତି ସ୍କନ୍ଦ ମାତା । ସେ ଦେବତାଙ୍କ ସେନାମୁଖ୍ୟ କାର୍ତ୍ତିକେୟ ବା ମୁରୁଗ ବା ସୁବ୍ରମଣ୍ୟ ବା ସ୍କନ୍ଦଙ୍କ ମାତା । ତାଙ୍କୁ ପଦ୍ମାସନା ମଧ୍ୟ କୁହାଯାଏ । ଷଷ୍ଠ ଦିବସରେ ପୂଜା ପାଆନ୍ତି ମାତା କାତ୍ୟାୟନୀ । କାତ୍ୟମୁନିଙ୍କ କନ୍ୟା ଭାବେ ଜାତ ହୋଇଥିବାରୁ ସେ କାତ୍ୟାୟନୀ । ସପ୍ତମ ଦିନରେ ଆସନ୍ତି ମା' କାଳରାତ୍ରି । ତାଙ୍କୁ ମଧ୍ୟ କୁହାଯାଏ ଶୁଭଙ୍କରୀ । ସେ ଯାବତୀୟ ଅଜ୍ଞାନତା ଏବଂ ଅନ୍ଧକାରର ଧ୍ୱଂସକର୍ତ୍ତ୍ରୀ ।
ଦୁନିଆର ସବୁକିଛି ଓ ସମସ୍ତଙ୍କୁ ନେଇ ମା'ହେଉଛନ୍ତି ମହାମାୟା, ବିଶ୍ୱପ୍ରସବିନୀ ଓ ବିଶ୍ୱ ପରିବ୍ୟାପ୍ତା । ତାଙ୍କର ସ୍ତୁତିରେ ତାଙ୍କୁ କ୍ଷମାରୂପେ, ନିଦ୍ରା ରୂପେ, କ୍ଷୁଧାରୂପେ, ତୃଷ୍ଣାରୂପେ, ଶକ୍ତିରୂପେ, ଲଜ୍ଜାରୂପେ, ଶାନ୍ତିରୂପେ ଓ ଶ୍ରଦ୍ଧାରୂପେ ପୂଜା କରାଯାଏ । ପରମା ପ୍ରକୃତି ସେ । ପ୍ରକୃଷ୍ଟ ଭାବେ ଯାହା କରା ହୋଇଅଛି ତାହା ହିଁ ପ୍ରକୃତି । ମା'ଦୁର୍ଗା ଅନେକ ନାମରେ ପରିଚିତା । ତାଙ୍କର ପ୍ରତି ଗୁଣ ଓ ବୈଶିଷ୍ଟ୍ୟର ଏକ ଏକ ନାମ ହୋଇଛି । ଯଥା ନାରାୟଣୀ, ଭଦ୍ରକାଳୀ, ହୈମବତୀ, ଈଶ୍ୱରୀ, ବୈଷ୍ଣବୀ ଓ ମାହେଶ୍ୱରୀ ପ୍ରଭୃତି । ଯେଉଁ ମାତୃପୂଜା ଆମ୍ଭେମାନେ କଲୁ, ସେହି ମା'ଙ୍କର ସର୍ବମଙ୍ଗଳ କାରିଣୀ ସ୍ନେହ ସୁନ୍ଦର ଭାବ ଓ ଚରିତ୍ରକୁ ନିଜ ଅନ୍ତରରେ ବିଶେଷ ଭାବରେ ସୃଷ୍ଟି ଅର୍ଥାତ୍ ଦୃଢ଼ ନିବଦ୍ଧ କରି ଉଠାଇବା ହିଁ ପ୍ରକୃତ ବିସର୍ଜ୍ଜନ । ଆମ୍ଭେମାନେ ଯେଭଳି ଦିବ୍ୟ ଭାବରେ ଭାବିତ ହୋଇଉଠି ଓ ମା'ଙ୍କର ସେବାରେ ଆମ୍ଭମାନଙ୍କର ବୃତ୍ତିଗୁଡ଼ିକୁ ନିୟୋଜିତ କରୁ - ସେତେବେଳେ ହୁଏ ବିସର୍ଜ୍ଜନର ସାର୍ଥକତା । ପ୍ରତିମାକୁ ଆଉ ବେଶୀ ଦିନ ରଖିହୁଏ ନାହିଁ । ତେଣୁ ନଦୀରେ ନିରଞ୍ଜନ ହେବାର ବ୍ୟବସ୍ଥା କରାଯାଏ । ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର କହିଲେ - ଭାବ ନାହିଁ, ମା'ଙ୍କୁ ବିଜୟା ଦଶମୀରେ ବିସର୍ଜ୍ଜନ ଦେଇଛ, ବରଂ ଭାବ, ଏହି ଦଶଭୁଜା, ଦଶପ୍ରହରଣ ଧାରିଣୀ, ଅସୁରଦଳନୀ ମା' ତୁମ ଠାରେ ଉତ୍ସୃଜିତ ହୋଇ ଜୀବନ୍ତ ଦୀପ୍ତିରେ ତୁମ ଜୀବନରେ ଜୀବନ୍ତ ହୋଇଉଠିଛନ୍ତି । ବିଜୟା ମା'ଙ୍କର ବିଲୟ ନୁହେଁ, ବିସର୍ଜ୍ଜନମାନେ ହେଉଛି ବିଶେଷ ବିସୃଷ୍ଟି ।
ଡା.ଉମେଶ ଚନ୍ଦ୍ର ପାତ୍ର,ମୋ: ୯୪୩୭୦୫୧୯୫୭