ବିଶ୍ୱ ଜନଗୋଷ୍ଠୀ ଦିବସ
ଆଜି ବିଶ୍ୱ ଜନଗୋଷ୍ଠୀ ଦିବସ । ଏହି ଦିବସର ତାତ୍ପର୍ଯ୍ୟ ଭିତରେ ମନେପଡ଼ୁଛି ଉପନିଷଦର ସେହି ପବିତ୍ର ବାଣୀ "ଶୁଣନ୍ତୁ ସର୍ବେ ଅମୃତସ୍ୟ ପୁତ୍ରାଃ' । ସଚରାଚର ବିଶ୍ୱ ବ୍ରହ୍ମାଣ୍ଡର ଆମେ ସମସ୍ତେ ହେଉଛି ଗୋଟିଏ ମାତାର ସନ୍ତାନ । ପୃଥିବୀ ରୂପକ ଛାତତଳେ ଆମ୍ଭେ ସମସ୍ତେ ଗୋଟିଏ ପରିବାରର ସଦସ୍ୟ । ସଂପ୍ରତି ସମଗ୍ର ବିଶ୍ୱରେ ଦେଖାଦେଇଥିବା ପ୍ରଗତି ଓ ଦୁର୍ଗତିର ଦୁଇଟି ଚିତ୍ରକୁ ନିରିଖେଇ ଦେଖିଲେ ପ୍ରଗତି ତୁଳନାରେ ଦୁର୍ଗତୀର ଛାପ ଅଧିକ । ସୂଚନା ପ୍ରଯୁକ୍ତିର ସାହାରାରେ ମଣିଷ ଆଜି ଚନ୍ଦ୍ରପୃଷ୍ଠରେ ପାଦ ଥାପିଛି । ମୁହୂର୍ତ୍ତକ ମାତ୍ରେ ଯାହା ଚାହୁଁଛି ସେହି ଅସାଧ୍ୟକୁ ସାଧନ କରିପାରୁଛି । କିନ୍ତୁ ପାରିପାଶ୍ୱିର୍କ ଓ ପରିବେଶଗତ ସନ୍ଧିକ୍ଷଣକୁ ନେଇ ମଣିଷ ସମାଜ ଆଜି ନିଶ୍ଚିତ ଭାବରେ ଚିନ୍ତିତ ଓ ଉଦ୍ବିଗ୍ନ । ସମଗ୍ର ବିଶ୍ୱରେ ବଡ଼ଭାଇ ପଣିଆ ଦେଖାଇବା ପାଇଁ ଆମେରିକା ଠାରୁ ଚୀନ ସମସ୍ତେ ବ୍ୟସ୍ତ ଥିବାବେଳେ ଶାନ୍ତି ଓ ଭାଇଚାରାର ଚିନ୍ତନକୁ ନେଇ ଭାରତ ସମଗ୍ର ବିଶ୍ୱ ସମୁଦାୟ ଦୃଷ୍ଟି ଆକର୍ଷଣ କରିବାରେ ସମର୍ଥ ହୋଇଛି । ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ଭାରତ ଆଜି ସାରା ପୃଥିବୀରେ ନିଜର ସ୍ୱତନ୍ତ୍ରତା ରଖି ପାରିଛି । ଆଜି ବିଶ୍ୱ ଜନଗୋଷ୍ଠୀ ଦିବସ ଅବସରରେ ଏହି ପବିତ୍ର ଦିନରେ ସମଗ୍ର ବିଶ୍ୱରେ ଜନଗୋଷ୍ଠୀ ଆନେ୍ଦାଳନର ସୂତ୍ରପାତକୁ ସ୍ମରଣ କରୁଛି । ଭୟାବହ ଯୁଦ୍ଧକ୍ଷେତ୍ରରୁ ଫେରିବା ପରେ କେବଳ ଆମେରିକା ନୁହେଁ, ଚୀନ, ରୁଷିଆ, ଜାପାନ, ଜର୍ମାନ, ଇଂଲଣ୍ଡ ପରି ସର୍ବବୃହତ୍ ପରାକ୍ରମୀ ରାଷ୍ଟ୍ରମାନେ ଅନୁଭବ କରିଥିଲେ ଯେ ବାସ୍ତବିକ ଏହା ମାନବିକତାର ପରିପନ୍ଥୀ । ବଡ଼ଭାଇ ପଣିଆ ଦେଖାଇବା ପାଇଁ କୋଟି କୋଟି ଟଙ୍କାର ରାଷ୍ଟ୍ରୀୟ ସଂପତ୍ତି ଓ ମୂଲ୍ୟବାନ ସେନା ଯବାନଙ୍କ ସହିତ ସାଧାରଣ ଜୀବନର ନଷ୍ଟ କରିବାର ଅଧିକାର ବା କ୍ଷମତା ସେମାନଙ୍କର ନାହିଁ । ଯଥେଷ୍ଟ ବିଳମ୍ବ ହୋଇଥିଲେ ବି ସେମାନଙ୍କର ଅନୁଚିନ୍ତନ ପରବର୍ତ୍ତୀ ସମୟରେ ସମଗ୍ର ବିଶ୍ୱରେ ଶାନ୍ତିରେ ସହାବସ୍ଥାନ ସୃଷ୍ଟି କରିବାରେ ସମର୍ଥ ହୋଇଛି ।
ସମଗ୍ର ବିଶ୍ୱ ଆଜି ଦାରିଦ୍ର୍ୟ, ବେକାରୀ, ଅଶାନ୍ତି, ପ୍ରାକୃତିକ ବିପର୍ଯ୍ୟୟ ଓ ନାନା ପ୍ରକାର ଅଘଟଣକୁ ସାମ୍ନା କରୁଥିବାବେଳେ ଶାନ୍ତି ପାଇଁ କିଏ ଯେ ଚାହୁଁଛି ? ସମସ୍ତେ ଶାନ୍ତି ପାଇଁ ଚିକ୍ରାର କରୁଥିଲେ ବି ଚିକ୍ରାର କିନ୍ତୁ ସେମାନଙ୍କ ଭିତରେ ହିଁ ରହିଯାଉଛି । ତାଲିବାନ୍କୁ ଦମନ ପାଇଁ ଆଫାଗାନିସ୍ଥାନରେ ଆମେରିକା ତାର ମିତ୍ର ଶକ୍ତିଙ୍କ ସାହାଯ୍ୟ ନେଇ ଯେଉଁ ଧ୍ୱଂସ ଲୀଳା ସୃଷ୍ଟି କରିଥିଲା ଏହାର ପରାଭବ ବହୁ ବିଳମ୍ବରେ ଖୋଦ ଆମେରିକାବାସୀ ଅନୁଭବ କରିଛନ୍ତି । ଦିନକୁ ଦିନ ଦ୍ରୁତ ଜନସଂଖ୍ୟା ବଢ଼ୁଥିବାବେଳେ ଏ ନେଇ ଯଥାଯଥ ଭିତ୍ତିଭୂମି ସୃଷ୍ଟି ହୋଇପାରିନାହିଁ । ଜନସଂଖ୍ୟା ଦୃଷ୍ଟିକୋଣରୁ ବେକାରୀ ସଂଖ୍ୟା ବୃଦ୍ଧି ପାଉଛି । ବେକାରୀ ସଂଖ୍ୟାଙ୍କ ବୃଦ୍ଧି ଅନେକ ସମୟରେ ହିଂସା ଓ ଅରାଜକତା ସୃଷ୍ଟି କରୁଛି । ପରମାଣୁ ଶକ୍ତିର ବିରୋଧ କରି ଲୁଚାଛପାରେ ଅନେକ ରାଷ୍ଟ୍ରର ଏହାର ପରୀକ୍ଷା ନିରୀକ୍ଷା ଚଲାଇଛନ୍ତି । କେବଳ ବଡ଼ ବଡ଼ ରାଷ୍ଟ୍ର ନୁହେଁ ଛୋଟ ରାଷ୍ଟ୍ରମାନେ ଏହାକୁ ହାତେଇବା ପାଇଁ ବେଶ୍ ତତ୍ପରତା ପ୍ରକାଶ କରୁଛନ୍ତି । ଇଆଡ଼େ ଦୁର୍ଭିକ୍ଷ, ଅନାହାରରେ ରାଷ୍ଟ୍ର ସଢ଼ୁଥିବାବେଳେ ଦାଦାଗିରି ଦେଖାଇବା ପାଇଁ ପରମାଣୁ ଶକ୍ତି ପାଇଁ ଦେଶର ରାଜକୋଷକୁ ଖାଲି କରିଦେବା କେଉଁ ନ୍ୟାୟରେ ଯାଏ ? ଭାରତ ପାଇଁ ସବୁଠି ସବୁକ୍ଷେତ୍ରରେ ବିଷମ ପରିସ୍ଥିତି ସୃଷ୍ଟି ହେଉଛି । ମିତ୍ରରାଷ୍ଟ୍ର ରୁଷ ଦୂରରେ ରହିଯାଇଥିବାବେଳେ ଦୁଇପଟେ ଚାଇନା ଓ ପାକିସ୍ଥାନ ଭାରତ ପାଇଁ ସମସ୍ୟା ସୃଷ୍ଟି କରୁଛନ୍ତି । ସୀମା ନାମରେ ଚାଇନା ଭାରତ ଉପରେ ଲୋଲୁପଦୃଷ୍ଟି ପକାଇଥିବାବେଳ ଶକ୍ତିହୀନ ପାକିସ୍ଥାନର ଶ୍ୱେନଦୃଷ୍ଟି ମଧ୍ୟ କିଛି କମ୍ ନୁହେଁ । ନିଜର ସାମାନ୍ୟ ସ୍ୱାର୍ଥ କମିଗଲେ ପଲଟି ପଡ଼ୁଥିବା ଶ୍ରୀଲଙ୍କା ଭାରତର ଦୀର୍ଘସ୍ଥାୟୀ ମିତ୍ରରାଷ୍ଟ୍ରର ମର୍ଯ୍ୟଦା ପାଇପାରିନାହିଁ । ଯଦିଓ ବାଙ୍ଗାଲାଦେଶ ନେପାଳ ଭାରତକୁ ସମ୍ମାନ କରିବା ସହ ବଡ଼ଭାଇର ମର୍ଯ୍ୟାଦା ଦେଇଛନ୍ତି ତେବେ ସମଗ୍ର ବିଶ୍ୱର ଦାଦାଗିରିରେ ସେମାନଙ୍କର ଭୂମିକା ସବୁବେଳେ ନୀରବ । ଭାରତର ରାଜନୈତିକ ଓ କୂଟନୈତିକ ଦୃଷ୍ଟିକୋଣକୁ ଦେଖିଲେ ଭାରତ ସର୍ବଦା ଶାନ୍ତି ସହାବସ୍ଥାନ ହିଁ ଚାହେଁ । ଅନେକ ସାଧୁସନ୍ଥ, ଧର୍ମଗୁରୁ ଓ ଭଗବାନ ଏହି ରାଷ୍ଟ୍ରରେ ବିରାଜିତ ହୋଇଥିବାରୁ ଭାରତର ଆଧ୍ୟାତ୍ମିକ ଶକ୍ତି ନିଶ୍ଚିତ ଭାବରେ ଅତୁଳନୀୟ । ସମଗ୍ର ବିଶ୍ୱସମୁଦାୟ ବି ଦେଖିଛି ପାକିସ୍ଥାନ ମୁମ୍ବାଇରେ ଭୟଙ୍କର ଧ୍ୱଂସଲୀଳା ଘଟାଇଥିଲେ ବି ଭାରତ କିନ୍ତୁ ଆଇନର ଗଣ୍ଡିରେ କସାବକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଜୀବିତ ରଖିଥିଲା । ସମଗ୍ର ବିଶ୍ୱ ସମୁଦାୟ ଭାରତର ଶାନ୍ତିର ସହାବସ୍ଥାନ ଓ ନିରପେକ୍ଷତା ଗୁଣ ପାଇଁ ସମ୍ମାନ କରନ୍ତି । ସମଗ୍ର ବିଶ୍ୱରେ ବିଭିନ୍ନ ରାଷ୍ଟ୍ର ନିର୍ଦ୍ଧିଷ୍ଟ ଗୋଷ୍ଠୀ ଭିତରେ ବାନ୍ଧି ହୋଇଥିବାବେଳେ ଭାରତ କିନ୍ତୁ ନିରପେକ୍ଷ ଭାବରେ ନିଜର ମତ ଉପସ୍ଥାପନ କରି ସର୍ବଦା ଶାନ୍ତିର ବାର୍ତ୍ତାବହ ଭାବେ କାର୍ଯ୍ୟ କରିଛି । ସମଗ୍ର ବିଶ୍ୱର ଯେକୌଣସି ରାଷ୍ଟ୍ରରେ ପ୍ରାକୃତିକ ବିପର୍ଯ୍ୟୟ ଘଟିଛି ଭାରତର ଶାନ୍ତିସେନା ଆବଶ୍ୟକୀୟ ସାହାଯ୍ୟ ସହଯୋଗ ସହ ପହଞ୍ଚô ନିଜର ଦାୟିତ୍ୱ ନିର୍ବାହ କରିଛି । ବିଶ୍ୱ ଜନଗୋଷ୍ଠୀ ଦିବସ ଅବସରରେ ଜନଗୋଷ୍ଠୀ ଆନେ୍ଦାଳନର ପ୍ରାସଙ୍ଗିକତା ଓ ଦାୟିତ୍ୱବୋଧକୁ ଭାରତୀୟଙ୍କୁ ସଚେତନ କରିବାର ଦିବସଟି ହେଉଛି ଆଜି । ବ୍ୟକ୍ତିଗତ ସ୍ୱାର୍ଥକୁ ପଛରେ ପକାଇ ଜାତୀୟ ଓ ରାଷ୍ଟ୍ରୀୟ ସ୍ୱାର୍ଥ ତଥା ସମାଜର ଆଧ୍ୟାତ୍ମିକ ଓ ସାମାଜିକ ବିକାଶରେ ନିଜର ଦାୟିତ୍ୱ ନିର୍ବାହ ପାଇଁ ପ୍ରତିଟି ଭାରତୀୟ ଶପଥ ନେବାର ଦିବ୍ୟ ମୁହୂର୍ତ୍ତ ହେଉଛି ଆଜିର ଦିବସ ।
ଡ. ଅରୁନ୍ଧତୀ ଦେବୀ,ମୋ: ୯୯୩୭୧୭୨୮୧୦