ଛପନ ଭୋଗରେ ମଗଜ ଲଡୁ

ପ୍ରସନ୍ନ କୁମାର : ବହୁତ ଦିନ ତଳର କଥା । ଇଂରେଜ ଶାସନ କାଳ ୧୮୦୪ ମସିହା  । ସେଦିନ କେତେଜଣ ଗୋରା ସାହେବ ଓ କିରାଣୀ ପୁରୀରେ ପହଂଚି ସିଂହଦ୍ୱାର ଠରେ କ୍ୟାମ୍ପ ପକାଇଥାନ୍ତି । ଓଡିଶା ଅଧିକାର କରିବା ପରେ ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥଙ୍କ ସେବାପୂଜା ସଂବନ୍ଧରେ  ତଥ୍ୟ ସଂଗ୍ରହ କରିବା ଥିଲା  ସାହେବଙ୍କର  ମୁଖ୍ୟ ଉଦେ୍ଦଶ୍ୟ । ମନ୍ଦିର କର୍ମଚାରୀ, ସେବକ  ଓ ଗଜପତିଙ୍କର କଚେରୀର ଅଧିକାରୀ ମାନେ  ସେଠାରେ ଉପସ୍ଥିତ  ରହି ସାହେବଙ୍କୁ ତଥ୍ୟ ପ୍ରଦାନ କରୁଥାନ୍ତି ।  । ଫିରଙ୍ଗୀ ମାନେ ରାଜା ହେଲେ ଆମ ଜଗନ୍ନାଥଙ୍କୁ  ଭଲରେ ରଖିବେ ତ?  ମହାପ୍ରଭୁଙ୍କ ସେବା  ପୂଜା ଠିକ୍ ଚାଲିବ ତ ! କଅଣ ହେବ ଆମର ? ସବୁରି ତୁଣ୍ଡରେ ଏଇମିତି କେତେ   କଅଣ । ଯେତେ ମୁଣ୍ଡ ସେତେ  ତୁଣ୍ଡ ।
ପଛରେ  ଠିଆହୋଇ  ପୂଜାପଣ୍ଡା  ସାଆନ୍ତେ କହୁଥିଲେ ,  ହଇହୋ ! ସେ ପରା  ସେବକ ସର୍ବସ୍ୱ ପରଂବ୍ରହ୍ମ ! । ସେ ଥାଉଁ ଥାଉଁ  ଆମେ ଡରିବା କାହାକୁ ? ସେ ପରା ଚିନ୍ତାମଣି  ! ବଂଚିବା ତ ତାଙ୍କରି ନାମରେ , ମରିବା ତ ତାଙ୍କରି ଇଛାରେ  । ଖାଲି ହାତ ଟେକି ଦେଲେ ହେଲା  । ଠିକ୍ ସେତିକି ବେଳେ ମଧୁମଙ୍ଗଳ ପୂଜାପଣ୍ଡା ନାମରେ ଜଣେ  ସେବକ  ଥାଳିରେ  ଘିଅ, ଚିନି ଓ ଅଟାରେ ତିଆରି କେତେ ଗୁୁଡିଏ ସ୍ୱାଦିଷ୍ଟ ଲଡୁ ନେଇ ସାହେବଙ୍କ ତମ୍ବୁରେ ପହଂଚିଲେ ।  ସେଠାରେ ଥିବା ସାହେବ ମାନଙ୍କୁ ଫୁଲତୁଲସୀ ଦେବା ପରେ ସମସ୍ତଙ୍କୁ   ପ୍ରସାଦ ଦେଲେ । ଲଡୁଖାଇ ବଡସାହେବ ପଚାରିଲେ ଏହାର ନାମ କଅଣ ? ପୂଜାପଣ୍ଡାଙ୍କ ପାଟିରୁ ହଠାତ୍ ବାହାରି ପଡିଲା ମଗଜ  ଲଡୁ । ଅଫିସର ପଚାରିଲେ ୟାକୁ ଖାଇଲେ କଅଣ  ହେବ । ପଣ୍ଡାଏ କହିଲେ , ମଗଜ ଅର୍ଥାତ ବ୍ରେନ ବଢିବା ସହିତ ଏହାର ଉକ୍ରର୍ଷ ବୃଦ୍ଧି ପାଇବ ।  ଆଶ୍ଚର୍ଯ୍ୟ ହୋଇ  ସାହେବ ପଚାରିଲେ ତୁମ ଜଗନ୍ନାଥ କଅଣ ଏହାକୁ ଖାଆନ୍ତି ? ତତ୍କ୍ଷଣାତ୍ ପଣ୍ଡାଏ ଉତ୍ତର ଦେଲେ ,ନିଶ୍ଚୟ । ଇଂରେଜ  ସାହେବ କହିଲେ , ତା ହେଲେ ତୁମେ କାଲି ସକାଳେ  ଭୋଗପାଇଁ ଲଡୁ ତୟାର କରି ଆଣିବ । ।ଆମ୍ଭେ ମୋହର ମାରି ପଠାଇବୁ । ଯଦି ତୁମ ଠାକୁର ଏହାକୁ ଖାଇବେ , ଇନାମ୍ (ପୁରସ୍କାର ) ପାଇବ । ନଚେତ ମୃତ୍ୟୁ ଦଣ୍ଡ ଦିଆଯିବ । ପଣ୍ଡାଏ  ଯେମିତି  ଆକାଶରୁ ଖସି ପଡିଲେ । ମୁଣ୍ଡ ଟୁଙ୍ଗାରି ତମ୍ବୁ ଭିତରୁ ବାହାରି ଆସିଲେ ।
 ମୁହୂର୍ତ୍ତକ ମଧ୍ୟରେ ଖବରଟା  ସବୁଆଡେ ବ୍ୟାପିଗଲା । ସମସ୍ତଙ୍କ  ତୁଣ୍ଡରେ ଗୋଟିଏ  କଥା , କଣ କରାଯିବ ?ହେ ଜଗନ୍ନାଥେ  ତୁମେହିଁ ଭରସା । ରଖିଲେ ରଖ ମାରିଲେ ମାର । ମଧୁ ମଙ୍ଗଳଙ୍କ ସହିତ ସମସ୍ତ ସେବକ ଅଖିଆ ଅପିଆ  ଶ୍ରୀଜଗନ୍ନାଥଙ୍କ ସିଂହାସନ ତଳେ ଲମ୍ବ ଲମ୍ବ ହୋଇ ଅଧିଆ ପଡିଗଲେ ।  ହଠାତ୍ ସମସ୍ତେ ପ୍ରତ୍ୟକ୍ଷରେ ଦେଖିଲା ଭଳି  ଦେଖିଲେ  ଜଗନ୍ନାଥେ ନିଜେ ଉଭାହୋଇ ଯେମିତି  କହୁଛନ୍ତି ,”ଆରେ ତୁମେ କଣ ଜାଣିନାହଁ ଆମ୍ଭେ ଇଛାମୟ !  ଭକ୍ତର ଇଚ୍ଛାହିଁ ମୋର ଇଛା  । ଏଥିପାଇଁ ଏତେ ବ୍ୟସ୍ତ କାହିିଁକି ? କାଲି ଭୋଗ ପାଇଁ ଲଡୁ ପଠାଅ । 
ପରଦିନ  ସକାଳେ ଥାଳି ଥାଳି ମଗଜ ଲଡୁ ତିଆର ହୋଇ  ସାହେବଙ୍କ ଆଗରେ ରଖାଗଲା । ଗୋଟାଗୋଟା ଲଡୁ ଓଜନ ହୋଇ ସାହେବଙ୍କ ମୋହର ବସିବା ପରେ ଭୋଗ ପାଇଁ ଭିତରକୁ ଗଲା । ପୂ୍ରଜାପଣ୍ଡା ହାତରେ ଚଳୁଧରି  କହିଲେ, “ଗୋରା ସାହେବ କହିଛି ଳଡୁ ଭାଙ୍ଗିବନି କି ଖଣ୍ଡିଆ ହେବନି । ସେଇମିତି ବିଚାର କରି ଖାଇଲା ପରି ନଖାଇ, ନଖାଇଲା ପରି ଖାଇବା ହୁଅନ୍ତୁ  ମହାପ୍ରଭୁ” ।  
 ସିଂହଦ୍ୱାର ଠାରେ ଉପସ୍ଥିତ  ହଜାର ସେବାୟତଙ୍କ ସମେତ  ମୁକ୍ତିମଣ୍ଡପ ପଣ୍ଡିତ ମଣ୍ଡଳୀ ଓ ଭକ୍ତଙ୍କ ଆଖିରେ ପଲକ ପଡୁନଥିଲା ।  ଧୁପ ବଢିଲା । ମହାପ୍ରଭୁଙ୍କ ନିକଟରେ ଭୋଗ ହୋଇ ଥାଳି ଥାଳି ମଗଜଲଡୁ  ବାହାରକୁ ଆସିଲା । ମୋହର ଚିହ୍ନଟ ହୋଇ ପୁନର୍ବାର  ଓଜନ କରାଗଲା । ବିସ୍ମୟରେ ସାହେବଙ୍କ ପାଟିରୁ କଥା ବାହାରୁ ନ ଥିଲା । କି ଆଶ୍ଚର୍ଯ୍ୟର କଥା ! ପ୍ରତିଟି ଲଡୁ ଠିକ୍ ଅଛି , ମୋହର ଠିକ୍  ଅଛି । ଅଥଚ ପ୍ରତିି ଲଡୁର ଓଜନ ପୂର୍ବଠାରୁ ଅଧା କମି ଯାଇଛି ! ଏହା କିଭଳି  ସମ୍ଭବ  ହେଲା ? ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଧ୍ୱନିରେ ଗଗନ ପବନ କମ୍ପି ଉଠିଲା । ତତ୍ କ୍ଷଣାତ୍ ଇଂରେଜ ସାହେବ ପଟ୍ଟାଲେଖି  ଖଞ୍ଜା କରିଦେଲେ , ଆଜିଠାରୁ  ସବୁଦିନେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ  ଏହି ‘ମଗଜ ଲଡ’ୁ ଭୋଗ କରାଯିବ  । ସେହି ବ୍ୟବସ୍ଥା ଆଜିଯାଏଁ ଚାଲିଛି ।