ମହାକୁମ୍ଭ ନାଁରେ ବିକ୍ରି ହେଉଛି ମହିଳା , ଯୁବତୀଙ୍କ ସ୍ନାନ କରିବାର ଫଟୋ ଏବଂ ଭିଡିଓ

ମହାକୁମ୍ଭ ନାଁରେ ବିକ୍ରି ହେଉଛି ମହିଳା , ଯୁବତୀଙ୍କ ସ୍ନାନ କରିବାର  ଫଟୋ ଏବଂ ଭିଡିଓ

ପ୍ରୟାଗରାଜର ପବିତ୍ର ଭୂମିରେ ମହାକୁମ୍ଭର ମହାମେଳା ଚାଲିଛି । ଲକ୍ଷ ଲକ୍ଷ ସଂଖ୍ୟାରେ ଶ୍ରଦ୍ଧାଳୁ ପ୍ରତିଦିନ ସଙ୍ଗମତଟକୁ ଆସି ବୁଡ଼ ପକାଇ ପୂଣ୍ୟ ଅର୍ଜନ କରୁଛନ୍ତି । ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ମନରେ ଆଧ୍ୟାତ୍ମିକ ଭାବନା ଜାଗ୍ରତ ହୋଇଛି । ନାମ ଜପ କରି ସମସ୍ତେ ସାହିସ୍ନାନ କରୁଛନ୍ତି । ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅନେକ ଯୁବତୀ , ଝିଅ , ମହିଳା ମଧ୍ୟ ଅଛନ୍ତି ଯେଉଁମାନେ ସଙ୍ଗମରେ ବୁଡ଼ ପକାଇ ନିଜକୁ ଧନ୍ୟ ମନେ କରୁଛନ୍ତି । କିନ୍ତୁ ଥରେ ଭାବିଲେ ସଙ୍ଗମରେ ବୁଡ଼ ପକାଇ ଝିଅଟି ଯେତେବେଳେ ଘରକୁ ଫେରୁଛି ଏବଂ ସାଙ୍ଗସାଥୀମାନଙ୍କଠାରୁ ଜାଣୁଛି ଯେ ତା’ର ସ୍ନାନ କରିବାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ତାହେଲେ ଝିଅଟିର ମନରେ କ’ଣ ବିତୁଥିବ ? ପୂଣ୍ୟ ଅର୍ଜନ କରିବା ପାଇଁ ଯାଇଥିବା ଝିଅଟିର ପୁରା ଜୀବନ କାନ୍ଦ ଆଉ ଭୟରେ କଟିଯିବ । ପୂଣ୍ୟ କାମଟି ହଠାତ୍ ପାପରେ ପରିବର୍ତ୍ତନ ହେଲା ପରି ଲାଗିବ ।  ସରକାରୀ ଆକଳନ ମୁତାବକ ବର୍ତ୍ତମାନ ପର୍ଯ୍ୟନ୍ତ ମହାକୁମ୍ଭରେ ପାଖାପାଖି ୫୦ କୋଟିରୁ ଅଧିକ ଲୋକ ବୁଡ଼ ପକାଇ ସାରିଲେଣି । ପ୍ରତିଦିନ ଦେଶବିଦେଶରୁ ଲୋକ ବୁଡ଼ ପକାଇବା ପାଇଁ ସଙ୍ଗମ ତଟକୁ ଆସୁଛନ୍ତି ଏବଂ ସମସ୍ତଙ୍କ ହାତରେ ମୋବାଇଲ୍ ଫୋନ୍ ରହୁଛି । ଏଭଳି ସ୍ଥିତିରେ କିଏ କାହାର ଫଟୋ ଉଠାଉଛି , ଭିଡିଓ ଉତ୍ତୋଳନ କରୁଛି ଜାଣିବା ଭାରି ମୁସ୍କିଲ୍ । ଲଜ୍ଜାକର କଥା ହେଉଛି ମହିଳା , ଝିଅ , ଯୁବତୀମାନଙ୍କର ଏଭଳି ଫଟୋ ଏବଂ ଭିଡିଓ ସୋସିଆଲ୍ ମିଡିଆରେ ତ ସେୟାର୍ କରାଯାଉଛି କିନ୍ତୁ ଆହୁରି ବିରକ୍ତକର କଥା ହେଉଛି ଏହି ଫଟୋ ସବୁକୁ ବିକ୍ରି ମଧ୍ୟ କରାଯାଉଛି । ମହାକୁମ୍ଭ ଭଳି ପବିତ୍ର ସ୍ଥଳକୁ ଆସି ଏଭଳି ଅପବିତ୍ର ମାନସିକତା ରଖୁଥିବା ଲୋକଙ୍କୁ କ’ଣ କୁହାଯାଇପାରିବ ତାହା ଆପଣ ବିଚାର କରନ୍ତୁ । ଏଭଳି ଫଟୋ ଏବଂ ଭିଡିଓ ଫେସବୁକ୍ , ଇନଷ୍ଟାଗ୍ରାମ୍ , ୟୁଟ୍ୟୁବ ଭଳି ପ୍ଲାଟଫର୍ମରେ ଖୁଲମଖୁଲା '#mahakumbh2025', '#gangasnan', ଏବଂ '#prayagrajkumbh' ହାସଟ୍ୟାଗ୍ ବ୍ୟବହାର କରି ସେୟାର୍ କରାଯାଉଛି । 

ଆପଣଙ୍କୁ ଏଠାରେ କହିରଖୁଛୁ ଏହି ସାଇଟ୍ ଗୁଡିକରେ ଏମିତି ଅନେକ ଭିଡିଓ ଏବଂ ଫଟୋ ଭାଇରାଲ୍ ହେଉଛି ଯାହା ମହାକୁମ୍ଭର ନୁହଁ କିନ୍ତୁ ମହାକୁମ୍ଭ ହାସଟ୍ୟାଗ୍ ବ୍ୟବହାର କରି ସେୟାର୍ କରାଯାଉଛି । କିଛି ଆକାଉଣ୍ଟରେ ତ ଏଭଳି ଭିଡିଓ ୫୦ ରୁ ଅଧିକ ସଂଖ୍ୟାରେ ଅପଲୋଡ୍ ହୋଇଛି । ଜାତୀୟ ଗଣମାଧ୍ୟମ ଆଜତକ୍ ଅନୁସାରେ , ୧୨ ରୁ ୧୮ ଫେବୃୟାରୀ ମଧ୍ୟରେ ଟେଲିଗ୍ରାମରେ “open bathing” ” ନାଁରେ ଲୋକ ଅଧିକ ସର୍ଚ୍ଚ କରୁଛନ୍ତି । କିଛି ଲୋକ ମହିଳାଙ୍କ ସମ୍ମାନକୁ ଏମିତି ଖୋଲାଖୋଲି ଭାବେ ଟେଲିଗ୍ରାମରେ ବିକ୍ରି କରିବାକୁ ମଧ୍ୟ ପଛାଉନାହାନ୍ତି । “Ganga river open bathing group”, “Hidden bath videos group”, ଏବଂ “Open bath videos group” ନାଁରେ ଟେଲିଗ୍ରାମରେ ଏମିତି ଅନେକ ଭିଡିଓକୁ ଗ୍ରୁପମାନଙ୍କରେ ସେୟାର୍ କରାଯାଉଛି । ଦୁର୍ଭାଗ୍ୟର କଥା ହେଉଛି ଏହି ଟେଲିଗ୍ରାମ୍ ଗ୍ରୁପମାନଙ୍କରେ ହସ୍ପିଟାଲରେ ମହିଳାଙ୍କ ପ୍ରାଇଭେଟ୍ ଚେକଅପର ସିସିଟିଭି ଫୁଟେଜ ମଧ୍ୟ ସେୟାର୍ କରାଯାଇଛି ।