ଜୀବନ ରଥ : ଶ୍ରୀଜଗନ୍ନାଥ

ଜୀବନ ରଥ : ଶ୍ରୀଜଗନ୍ନାଥ

ବିଶ୍ୱର ବିଭିନ୍ନ ଧର୍ମ-ଚେତନାରେ ଭଗବାନ ଓ ଭକ୍ତ ଦୁଇଟି ସ୍ୱତନ୍ତ୍ର ସତ୍ତା ଭାବେ ପରସ୍ପରଠାରୁ ଅନତିକ୍ରମ ଦୂରରେ ରହିଥିବା ବେଳେ ହିନ୍ଦୁ ଧର୍ମ ଭାବନାରେ ଭଗବାନ ଓ ଦେବଦେବୀମାନେ ସର୍ବଦା ମାନବୀୟ ପ୍ରକୃତି ଓ ଆଚରଣ ପ୍ରଦର୍ଶନ କରି ମଣିଷର ପାଖେ ପାଖେ ରହିଛନ୍ତି । ଦେବ-ମାନବର ଏହି ସମନ୍ୱିତ ଲୀଳାଖେଳାର ମହିମାମୟ ପ୍ରତୀକ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ସେ ସାଧାରଣ ମଣିଷଟିଏ ପରି ଦୈନନ୍ଦିନ ଓ ଅନ୍ୟାନ୍ୟ ବିଶେଷ କର୍ମମାନ ସମ୍ପାଦନ କରିବା ସହିତ ଜନ୍ମ ଓ ମୃତୁ୍ୟ ମଧ୍ୟ ପ୍ରାପ୍ତ ହୁଅନ୍ତି । ଜନ୍ମ-ଜୀବନ-ମୃତୁ୍ୟ, ମୃତୁ୍ୟ ପରେ ପୁଣି ଜୀବନ ଓ ଜୀବନର ପୁନଶ୍ଚ ମୃତୁ୍ୟ; ସାରା ଜୀବଜଗତ ପାଇଁ ଏହା ଏକ ସ୍ୱାଭାବିକ ପ୍ରବାହ । ମୃତୁ୍ୟକାଳେ ଯେ ଭାବ ଧରି ଶରୀର ଛାଡ଼ି ଜୀବନ ଯାଏ ଜନ୍ମେ ପୁଣି ସେପରି ସ୍ଥାନେ ସହି ଭାବପଥ ଯେବେ ପାଏ । ମାତ୍ର, ଜୀବ-ପରମ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ଯେତେବେଳେ ମର୍ତ୍ତ୍ୟ ବୈକୁଣ୍ଠରେ ନିଜକୁ ଏହି ଜନ୍ମ ମୃତୁ୍ୟର ପ୍ରବାହରେ ଭସାଇ ଦିଅନ୍ତି; ତାହା ଭକ୍ତଙ୍କ ପାଇଁ ପାଲଟିଯାଏ ଏକ ଦିବ୍ୟ ଅନୁଭବ । ମହାପ୍ରଭୁ ଏହି ଅନୁପମ ଲୀଳା ମାଧ୍ୟମରେ ସୂଚାଇ ଦିଅନ୍ତି ଯେ ଜନ୍ମ, ଜୀବନ ବା ମୃତୁ୍ୟ; କୌଣସିଟି ସମ୍ପୂର୍ଣ୍ଣ ନୁହେଁ । ସମ୍ପୂର୍ଣ୍ଣର ଏହା ଗୋଟିଏ ଗୋଟିଏ ଅଂଶ କେବଳ । ତେଣୁ, ତାଙ୍କୁ ଅବଲୋକନ କରୁଥିବା ଭକ୍ତଟିର ଜୀବନ ପ୍ରତି ଦୃଷ୍ଟିଭଙ୍ଗୀ ବଦଳିବା ସଙ୍ଗେ ସଙ୍ଗେ ମୃତୁ୍ୟ ଭୟରୁ ମଧ୍ୟ ସେ ମୁକ୍ତି ପାଇଥାଏ । ଭାରତୀୟ ଧର୍ମ ଓ ସଂସ୍କୃତିକୁ ପ୍ରାଥମିକ ରୂପ ଦେଇଥିବା ବେଦାନ୍ତ ଦର୍ଶନ ଯେଉଁ ନିରୁପାଧି ପରଂବ୍ରହ୍ମ ସତ୍ତାର ପରିକଳ୍ପନା କରିଥିଲା ତା'ର ସାକାର ବିଗ୍ରହ ହିଁ ଶ୍ରୀଜଗନ୍ନାଥ । ଶ୍ରୀଜଗନ୍ନାଥଙ୍କ ସ୍ୱରୂପକୁ ନିରୀକ୍ଷଣ କଲେ ସ୍ପଷ୍ଟ ହୁଏ ଯେ ତାହା ଅନ୍ୟ ଦେବତାଙ୍କ ପରି ନୁହେଁ; ଏକ ଭିନ୍ନ ରୂପରେ ସେ ପ୍ରମୂର୍ତ୍ତ । ବ୍ରହ୍ମଙ୍କ ଏକ ପ୍ରତୀକାତ୍ମକ ଚରିତ୍ର ହେଉଛନ୍ତି ଏହିି ବିଗ୍ରହ । ହିନ୍ଦୁଧର୍ମର ପବିତ୍ର ଗ୍ରନ୍ଥ ଶ୍ରୀମଦ୍ ଭଗବତ ଗୀତାରେ ଭଗବାନ ଶ୍ରୀକ୍ରୀଷ୍ଣ ଭକ୍ତପ୍ରବର ଅର୍ଜ୍ଜୁନଙ୍କୁ କହିଛନ୍ତି - ଯଦା ଯଦା ହି ଧର୍ମସ୍ୟ..... ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ । ପରବ୍ରହ୍ମ ସନାତନ ଆଦି-ଶବ୍ଦ-ବ୍ରହ୍ମ ରୂପରେ ଯୁଗେ ଯୁଗେ ଲୀଳା କରନ୍ତି । ଏହି ଅବତାର ବାଦରେ ଆର୍ଯ୍ୟ ସନାତନ ଧର୍ମ ଶ୍ରୀରାମ, ଶ୍ରୀକ୍ରୀଷ୍ଣ, ଶ୍ରୀବୁଦ୍ଧ, ଶ୍ରୀଯୀଶୁ, ଶ୍ରୀମହମ୍ମଦ, ଶ୍ରୀଚୈତନ୍ୟ, ଶ୍ରୀରାମକୃଷ୍ଣ, ଓ ନୀଳାଚଳଧାମରେ ବିରାଜିତ ଶ୍ରୀଜଗନ୍ନାଥଙ୍କର ନାଭି ବ୍ରହ୍ମରେ ଭଗବାନ ଶ୍ରୀକ୍ରୀଷ୍ଣଙ୍କର ବ୍ରହ୍ମ ବିରାଜିତ । ମହାପ୍ରଭୁ ଶ୍ରୀଚୈତନ୍ୟ ଅଗଣିତ ଭକ୍ତ ମାନଙ୍କ ସହ ଏହି ନୀଳାଚଳଧାମରେ ଲୀଳାଖେଳ କରିଥିଲେ ଓ ଶେଷରେ ପରବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଦାରୁବ୍ରହ୍ମରେ ଲୀନ ହୋଇଯାଇଥିଲେ । 
ଭକ୍ତମାନେ କୁହନ୍ତି - ଭଗବାନ ଦୟା କରନ୍ତି, କାରଣ ସେ ଅହେତୁକ କୃପାସିନ୍ଧୁ । ସେ ଯେତେବେଳେ କୃପା କରନ୍ତି ମନୁଷ୍ୟ ସେତେବେଳେ ପଥ ପାଏ । ବିପଦରୁ ଉଦ୍ଧାର ହୁଏ । ଶ୍ରୀ ଶ୍ରୀ ଠାକୁର ଚିନ୍ତା ଜଗତରେ ଏହି ଧାରାକୁ ଏକ ବିପ୍ଳବାତ୍ମକ ସିଦ୍ଧାନ୍ତ ନେଇ କହିଛନ୍ତି - ଜଗତରେ ହେତୁ ଛଡ଼ା କିଛି ହୁଏ ନାହିଁ । ଅହେତୁକୀ କୃପା ବୋଲି କିଛି ନାହିଁ । କୃପା ଯେତେବେଳେ ଭକ୍ତ ପାଏ, ତାର ପଶ୍ଚାତରେ ହେତୁ ଅବଶ୍ୟହିଁ ଅଛି । ଏହା ତୁମେ ବୁଝି ପାର ବା ନପାର । ଯଦି ଅହେତୁକୀ କୃପା ତୁମେ ପାଇଛ ବୋଲି ହୃଦ୍ବୋଧ କର, ତାହା ହେଲେ ଜାଣି ରଖ ଅହେତୁକୀ ଭକ୍ତି ଏହାର ପଶ୍ଚାତରେ ଅବଶ୍ୟ ହିଁ ରହିଛି । ଅହେତୁକୀ ଭକ୍ତି ଛଡ଼ା ଅହେତୁକୀ କୃପା ମିଳେ ନାହିଁ । ଶ୍ରୀ ଜଗନ୍ନାଥ ମହାପ୍ରଭୁ ହସ୍ତ ବିହୀନ ହୋଇ ଏହି ସତ୍ୟ ହିଁ ପ୍ରକାଶ କରିଛନ୍ତି ଯେ ତୁମେ ତାଙ୍କୁ ଧର, ଭଲପାଅ, ତାଙ୍କର ପ୍ରୀତ୍ୟର୍ଥେ କର୍ମ କର, ପ୍ରତି ମନୁଷ୍ୟ ପାଖରେ ଈଶ୍ୱରଙ୍କର ଏହି ପ୍ରତ୍ୟାଶା ।
ଶ୍ରୀ ଜଗନ୍ନାଥଙ୍କର ପାଖରେ ଅଛନ୍ତି ଶ୍ରୀ ବଳରାମ, ସେ ଶ୍ରୀକୃଷ୍ଣଙ୍କର ଜ୍ୟେଷ୍ଠ ଭ୍ରାତା, ମହାପରାକ୍ରମୀ, ବଳଶାଳୀ, ଯୁଦ୍ଧବିଦ୍ୟାରେ ପାରଦର୍ଶୀ । କିନ୍ତୁ ସାଧାରଣରେ ଶ୍ରୀବଳରାମଙ୍କର ଚିତ୍ରରେ ଦେଖାଯାଏ ତାଙ୍କର କାନ୍ଧରେ ହଳ (ଲଙ୍ଗଳ) ରହିଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦାରୁବ୍ରହ୍ମର ସ୍ୱରୂପ ଓ ଉପାସନା ସବୁ ଧର୍ମ, ସବୁ ଉପାସନା ଚିନ୍ତନ, ସବୁ ସମ୍ପ୍ରଦାୟ ଓ ସବୁ ଆଧ୍ୟାତ୍ମିକ ଚେତନା ଭିତରେ ସ୍ୱୀକୃତ । ଖ୍ରୀଷ୍ଟିୟାନ ଧର୍ମର ଦି ବୁକ୍ ଅଫ୍ ଖ୍ରୀଷ୍ଟିୟାନିଟିରେ ଜ୍ଞାନତରୁ ବିଷୟରେ ବର୍ଣ୍ଣିତ । ସେହିପରି ବୌଦ୍ଧମାନଙ୍କ ବୋଧିଦ୍ରୁମ ଓ ଜୈନମାନଙ୍କର କଳ୍ପପାଦପ ଉପାସନାରେ ଏହି ବୃକ୍ଷ ବା ଦାରୁ ଉପାସନା ହିଁ ପରିଲକ୍ଷିତ ହୋଇଥାଏ । ଜନଜାତି ଆଦିବାସୀ ସଂସ୍କୃତିରେ ବୃକ୍ଷ ପୂଜା ପରମ୍ପରା ବହୁ ପ୍ରାଚୀନ । ତେଣୁ ବୈଦିକ ସଂସ୍କୃତିରେ ଦାରୁ ଉପାସନା ଏକ ବହୁ ପ୍ରଚଳିତ ପଦ୍ଧତି । ଶ୍ରୀପୁରୁଷୋତ୍ତମ ମହାପ୍ରଭୁ ଶ୍ରୀଜଗନ୍ନାଥ କୌଣସି ଜଣକର ନୁହଁନ୍ତି, ସେ ହେଉଛନ୍ତି ଗଣର ଦେବତା । ବର୍ଷକରେ ଗୋଟିଏ ଦିନ ପାଇଁ ବଡ଼ଦାଣ୍ଡର ଜନସମୁଦ୍ର ଆଧ୍ୟାତ୍ମିକ ଶ୍ରଦ୍ଧାଳୁଙ୍କୁ ପାବନ କୃପା ପ୍ରଦର୍ଶନ ପାଇଁ ସେ ହେଉଛନ୍ତି ପତିତପାବନ ।  ମନେ ରଖିବା ଉଚିତ ଯେ ଜୀବନ ଯାତ୍ରା ପଥରେ ସମସ୍ତ ପ୍ରକାରର ବିଳାସ-ବାସନା, ନୃତ୍ୟ-ଗୀତ, ଆମୋଦ-ପ୍ରମୋଦ ହେଉଛି ରଥଯାତ୍ରାର ଶୋଭାଯାତ୍ରା ଭଳି  । ଜୀବନ ହେଉଛି ଏକ ରଥଯାତ୍ରା  । ଏହି କଥା ମନରେ ରଖି ମନୁଷ୍ୟ ନିଜର ସମସ୍ତ କର୍ମର ବିଚାର କରିବା ଉଚିତ  । ଜୀବନର ପ୍ରତିଟି କ୍ଷଣ, ମୁହୂର୍ତ୍ତ ଏବଂ କାଳର ପ୍ରତି ପାଦରେ ଭଗବାନ ବା ଗୁରୁଙ୍କ ନାମ ସ୍ମରଣ ପୂର୍ବକ ପରୋପକାର ଓ ସତ୍କର୍ମ ପାଇଁ ଏହି ଦେହର ରଥକୁ ସାରଥୀ ପରି ଆଧ୍ୟାତ୍ମିକ ମାର୍ଗରେ ପରିଚାଳନା କରିବା ହିଁ ଜୀବନର ମାନବୀୟ ମୂଲ୍ୟବୋଧ । କେବଳ ଧନୀ ବା ବିତ୍ତଶାଳୀ ନୁହଁନ୍ତି ଜଣେ ନିର୍ଧନ ବି ନିଜ ମୁଖରେ ସନ୍ତୋଷପୂର୍ଣ୍ଣକ ହୃଦୟ ଆନନ୍ଦକୁ ପରିପୂର୍ଣ୍ଣ କରୁଥିବା ମିଷ୍ଟ ବାଣୀ ଦ୍ୱାରା ଜଣକୁ ସନ୍ତୋଷ ପ୍ରଦାନ କରିପାରିବ । ପାଣି ମୁନ୍ଦାଏ ହେଉ ବା ଅସହାୟ ମୁହୂର୍ତ୍ତରେ ସ୍ନେହ, ଶ୍ରଦ୍ଧା, ଭଲପାଇବା ଓ କରୁଣାର ହାତ ବଢ଼ାଇବା ଦ୍ୱାରା ଜଣେ ଜୀବନ ରଥର ଶ୍ରେଷ୍ଠ ସାରଥୀ ଭାବେ ନିଜ ଜୀବନକୁ ଦିବ୍ୟପଥରେ ଅଗ୍ରଗାମୀ କରିପାରିବ ।  
ମୋ : ୯୪୩୭୨୫୭୧୨୩