ମନର ସ୍ୱଚ୍ଛତା
ଯେମିତି ଜ୍ଞାନ, ଆସନ ଓ ବ୍ୟାୟାମ ବିନା ମାନବ ଶରୀରରେ ପୂର୍ଣ୍ଣତା ଆସେନା । ଠିକ୍ ସେମିତି ମାନସିକ କାର୍ଯ୍ୟରେ ପୂର୍ଣ୍ଣତା ଆସିବା ପାଇଁ ମାନସିକ ଯୋଗ ଓ ବ୍ୟାୟାମର ଆବଶ୍ୟକତା ରହିଛି । ମଣିଷ ଭିତରେ ଅସୀମ ଶାରୀରିକ ଶକ୍ତି ରହିଥିବା ସତ୍ତ୍ୱେ ବି ମନର ସ୍ୱରୂପ ବିକଶିତ ହୋଇନଥିଲେ ତାକୁ ପୂର୍ଣ୍ଣ ମଣିଷ କୁହାଯାଇପାରିବନି । ଆପଣଙ୍କ ମନରେ କ'ଣ କେବେ ହାନିକାରକ ଚିନ୍ତା ଉତ୍ପନ୍ନ ହୁଏ? ଏମିତି ବିଚାର ଠାରୁ ଦୂରେଇ ରହିବା ପାଇଁ ଅନ୍ତରକୁ ଶୁଦ୍ଧ କରିବା ଜରୁରି । ନିଜର ମନକୁ ସ୍ୱଚ୍ଛ ରଖିବା ଆବଶ୍ୟକ । ସମସ୍ତ ରୋଗ, ଶୋକ, ଦୁଃଖ ଓ ନିରାଶା ଆଦି ବିଚାର ମାନସିକତାରେ ବିଷର ଜୀବାଣୁ ଉତ୍ପନ୍ନ କରିଥାଏ । ତେଣୁ ଏସବୁଠାରୁ ଯଥାସମ୍ଭବ ଦୂରେଇ ରହିବାକୁ ପ୍ରୟାସ ଜାରି ରଖିବା ଦରକାର । ମନରେ ଯଦି କିଛି ଖରାପ ଭାବନା ଥାଏ, ଏହାକୁ ଦୂର କଲେ ହିଁ ବ୍ୟକ୍ତି ନିଜର କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନା କରିପାରିବ । ମଣିଷର ପ୍ରଥମ ମାନସିକ ଦୋଷ ହେଉଛି ଅତ୍ୟଧିକ ଚଞ୍ଚଳତା । ସ୍ୱଭାବତଃ, ମନ ଚଞ୍ଚଳ ରହିବା ଠିକ୍, କିନ୍ତୁ ପ୍ରଜାପତି ପରି ଗୋଟିଏ ଫୁଲରୁ ଆଉ ଗୋଟିଏ ଫୁଲକୁ ଉଡିବୁଲିବା ଆଦୌ ଉଚିତ ନୁହେଁ । ଭାବନାଟି ଯେତେ ବି ଶୁଷ୍କ ହେଇଥାଉନା କାହିଁକି ଯଦି ତା ଉପରେ ମନକୁ ସମ୍ପୂର୍ଣ୍ଣ ଭାବେ ଧ୍ୟାନକେନ୍ଦ୍ରିତ କରିବେ, ତେବେ ଆପଣ ତାକୁ କରାୟତ୍ତ ନିଶ୍ଚୟ କରିପାରିବେ । ପ୍ରଥମେ ପ୍ରଥମେ ମନ ବିଚଳିତ ହେବ, ଏହି ସମୟରେ ମନକୁ ବାନ୍ଧି ରଖିବାକୁ ଚେଷ୍ଟା କରନ୍ତୁ । ଏହାଦ୍ୱାରା ସଂଯମତା ବଢ଼ିବା ସହ ନିଜ ଭିତରେ ଦୃଢ଼ତା ଆସିଥାଏ ।
ଆପଣ ସାରା ଦିନ କେତେ ପ୍ରକାରର ମନନ ଓ ଚିନ୍ତନ କରିଥାନ୍ତି? ଆମେ ଭିନ୍ନ ଭିନ୍ନ ବୃତ୍ତି ଓ ଭାବନାରେ ଦିନ ବିତାଇଥାଉ । ନିଜକୁ ଦୃଷ୍ଟାନ୍ତ ଭାବେ ନେଇ ପରୀକ୍ଷା କରି ଦେଖନ୍ତୁ । ଶାସ୍ତ୍ର ଅନୁସାରେ, ଯେଉଁ ମଣିଷ ନିଜ ଭିତରେ ତୁଚ୍ଛ ବିଚାର ରଖିଥାଏ, ସେ ଭୟଙ୍କର ମାନସିକ ରୋଗରେ ପୀଡ଼ିତ ହୁଏ । ତେଣୁ ନିଜ ଭିତରେ ତୁଚ୍ଛ ଭାବନା ପରିବର୍ତ୍ତେ ମନରେ କୌଣସି ଏକ ଉଚ୍ଚ ବିଚାର ରଖି ସେଥିରେ ନିମଗ୍ନ ରହିବା ଉଚିତ । ଉଚ୍ଚ ବିଚାର ରଖିବା ଦ୍ୱାରା ଆମ ଭିତରୁ ଦ୍ୱେଷ, ଘୃଣା ଓ ଈର୍ଷା ଆଦିର ଉତ୍ପନ୍ନ ହୋଇନଥାଏ । ମନକୁ ନିଃରୋଗ ରଖିବା ପାଇଁ ନିଜ ଭିତରେ ଥିବା ଈଶ୍ୱର ତତ୍ତ୍ୱକୁ ବିକଶିତ କରିବା ଆବଶ୍ୟକ । ଯାହାଫଳରେ ମନର ପ୍ରତ୍ୟେକ ଅଣୁ ଈଶ୍ୱରୀୟ ତତ୍ତ୍ୱ ଦ୍ୱାରା ଅନୁପ୍ରାଣିତ ହୋଇଥାଏ । ଈଶ୍ୱରଙ୍କ ପ୍ରଦତ୍ତ ଏହି ମାର୍ଗକୁ ଅବରୋଧ କରିବା ଅନୁଚିତ । ଅଧ୍ୟୟନ, ମନନ କିମ୍ବା ସାଧନା ସମୟରେ ଯଦି ମନକୁ ଦୃଢ଼ତାର ସହ ଧ୍ୟାନକେନ୍ଦ୍ରିତ ନକରାଯାଏ, ତେବେ ତାହାର ଫଳପ୍ରାପ୍ତି ହୋଇନଥାଏ । ଅଶୁଭ ଚିନ୍ତନ ମାନସିକ ଦୁର୍ବଳତାର ପ୍ରତୀକ । ଏହାଦ୍ୱାରା ମନକୁ ଦୃଢ଼ କରୁଥିବା ଶକ୍ତି ସବୁ ଆପେ ଆପେ ନଷ୍ଟ ହୋଇଯାଇଥାଏ ।
ଦେବଦତ୍ତ ବିଶ୍ୱାଳ, ମୋ: ୯୮୬୧୯୪୪୫୯୪