ଅବତାର ତତ୍ତ୍ୱ ଓ ଆୟୁର୍ବେଦ

ଡା.ଉମେଶ ଚନ୍ଦ୍ର ପାତ୍ର : ଧନ୍ୱନ୍ତରିଙ୍କୁ ହିନ୍ଦୁ ଧର୍ମରେ ଦେବବୈଦ୍ୟର ମାନ୍ୟତା ଦିଆଯାଇଛି । ମହାନ ଚିକିତ୍ସକ ଧନ୍ୱନ୍ତରି ଭଗବାନ ବିଷ୍ଣୁଙ୍କ ଅବତାର ଥିଲେ । ଦେବ ଏବଂ ଦାନବ ମିଶି ସମୁଦ୍ର ମନ୍ଥନ କରିବା ସମୟରେ କାର୍ତ୍ତିକ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ଭଗବାନ ଧନ୍ୱନ୍ତରୀ ସମୁଦ୍ର ମନ୍ଥନରୁ ପ୍ରକଟ ହୋଇଥିଲେ । ପୌରାଣିକ ମାନ୍ୟତା ଅନୁଯାୟୀ, ଶରତ ପୂର୍ଣ୍ଣିମାରେ ଚନ୍ଦ୍ରଦେବ, କାର୍ତ୍ତିକ ଦ୍ୱାଦଶୀରେ କାମଧେନୁ, ତ୍ରୟୋଦଶୀରେ ଧନ୍ୱନ୍ତରି, ଚତୁର୍ଦ୍ଦଶୀରେ କାଳୀ ମାତା ଏବଂ ଅମାବାସ୍ୟାରେ ଭଗବତୀ ଲକ୍ଷ୍ମୀ ସାଗର ମନ୍ଥନରୁ ପ୍ରକଟ ହୋଇଥିଲେ । ଏହି କାରଣରୁ ଦୀପାବଳିର ଦୁଇ ଦିନ ପୂର୍ବରୁ ଧନ୍ତେରସ୍ ଦିନ ଭଗବାନ ଧନ୍ୱନ୍ତରିଙ୍କ ଜୟନ୍ତୀ ପାଳନ କରାଯାଇଥାଏ । ଏହି ଦିନ ହିଁ ଭଗବାନ ଧନ୍ୱନ୍ତରି ଆୟୁର୍ବେଦର ସୃଷ୍ଟି କରିଥିବା ଜଣାଯାଏ । ଧନ୍ୱନ୍ତରି  ଭଗବାନ ବିଷ୍ଣୁଙ୍କ ରୂପ ହୋଇଥିବାରୁ ତାଙ୍କର ଚାରି ବାହୁ ରହିଛି । ସେ ଦୁଇ ବାହୁରେ ଶଙ୍ଖ ଏବଂ ଚକ୍ର ଧାରଣ କରିଥାନ୍ତି । ଅନ୍ୟ ଦୁଇ ବାହୁରେ ଯଥାକ୍ରମେ ଔଷଧି ଏବଂ ଅମୃତ କଳସ ଧାରଣ କରିଥାନ୍ତି । ଧନ୍ୱନ୍ତରିଙ୍କ ପି୍ରୟ ଧାତୁ ହେଉଛି ପିତ୍ତଳ । ସେଥିପାଇଁ ଧନତେରସ ଦିନ ପିତ୍ତଳ ଧାତୁ କ୍ରୟ କରିବାର ପରମ୍ପରା ରହିଛି । ଧନ୍ୱନ୍ତରିଙ୍କୁ ଆୟୁର୍ବେଦ ଚିକିତ୍ସାର ସ୍ରଷ୍ଟା ତଥା ଆରୋଗ୍ୟ ଦେବତା ରୂପେ ଉପାସନା କରାଯାଇଥାଏ । ସେ ହିଁ ଅମୃତମୟ ଔଷଧିର ଅନୁସନ୍ଧାନ କରିଥିଲେ । ଦ୍ୱାପର ଯୁଗରେ ଧନ୍ୱନ୍ତରି ପୁନଃ ଧରାପୃଷ୍ଠରେ ଜନ୍ମ ନେଇଥିଲେ । ତାଙ୍କରି ବଂଶରେ ଦିବୋଦାସ ଜନ୍ମ ନେଇଥିଲେ । ସେ କାଶୀ ଠାରେ ଶଲ୍ୟ ଚିକିତ୍ସାର ବିଶ୍ୱର ପ୍ରଥମ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ଏହି ବିଶ୍ୱବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଥିଲେ ମହାନ ଆୟୁର୍ବେଦ ଚିକିତ୍ସକ ଶୁଶ୍ରୁତ । ଶୁଶ୍ରୁତ ଥିଲେ ଦିବୋଦାସଙ୍କର ଶିଷ୍ୟ ଏବଂ ଋଷି ବିଶ୍ୱାମିତ୍ରଙ୍କ ପୁତ୍ର । ସେ ଶୁଶ୍ରୁତ ସଂହିତାର ରଚନା କରିଥିଲେ । ଶୁଶୁ୍ରତଙ୍କୁ ବିଶ୍ୱର ପ୍ରଥମ ଶଲ୍ୟ ଚିକିତ୍ସକ କୁହାଯାଏ । ଦୀପାବଳି ପୂର୍ବରୁ କାର୍ତ୍ତିକ ତ୍ରୟୋଦଶୀ ତିଥିରେ ଧନତେରାସ ଦିନ ଭଗବାନ ଧନ୍ୱନ୍ତରିଙ୍କୁ ପୂଜା କରିବା ଦ୍ୱାରା ଆୟୁ ତଥା ଆରୋଗ୍ୟ ପ୍ରାପ୍ତ ହୋଇଥାଏ । ଭଗବାନ ଶଙ୍କର ବିଷପାନ କରିଥିଲେ, ଧନ୍ୱନ୍ତରି ଅମୃତ ପ୍ରଦାନ କରିଥିଲେ । ଏହି ଦୁଇ ଦେବତାଙ୍କ ଦ୍ୱାରା ପବିତ୍ର କାଶୀ ନଗରୀ କାଳଜୟୀ ହୋଇଥିଲା ।
ଭଗବାନ ଧନ୍ୱନ୍ତରି ସମସ୍ତ ରୋଗର ନିବାରଣ ତଥା ଚିକିତ୍ସା କରିପାରୁଥିଲେ । ସେ ଭରଦ୍ୱାଜଙ୍କ ଠାରୁ ଆୟୁର୍ବେଦ ଶିକ୍ଷା ଗ୍ରହଣ କରି ତାହାକୁ ଅଷ୍ଟାଙ୍ଗ ମାର୍ଗରେ ବିଭକ୍ତ କରିଥିଲେ । ଏହାପରେ ଏହି ବିଦ୍ୟା ସେ ନିଜ ଶିଷ୍ୟମାନଙ୍କ ମଧ୍ୟରେ ବାଣ୍ଟି ଦେଇଥିଲେ । ବୈଦିକ କାଳରେ ଅଶ୍ୱିନୀ କୁମାର ମାନଙ୍କୁ ଯେଉଁ ମହତ୍ତ୍ୱ ଏବଂ ସ୍ଥାନ ପ୍ରାପ୍ତ ହୋଇଥିଲା ପୌରାଣିକ କାଳରେ ଧନ୍ୱନ୍ତରିଙ୍କୁ ସେଭଳି ଗୁରୁତ୍ୱ ଦିଆଯାଇଥିଲା । ଅଶ୍ୱିନୀ କୁମାରଙ୍କ ହାତରେ ମଧୁ କଳସ ଥିଲା । ଭଗବାନ ଧନ୍ୱନ୍ତରିଙ୍କ ହାତରେ ଅମୃତ କଳସ ରହିଥିଲା । ଭଗବାନ ବିଷ୍ଣୁ ସମଗ୍ର ସଂସାରର ପାଳନକର୍ତ୍ତା । ତାଙ୍କ ଅବତାର ହୋଇଥିବା କାରଣରୁ ଭଗବାନ ଧନ୍ୱନ୍ତରି ମାନବ ସମାଜକୁ ସମସ୍ତ ପ୍ରକାରର ରୋଗରୁ ମୁକ୍ତି ଦେଇଥାନ୍ତି । ଏହି କାରଣରୁ ସେ ବିଷ୍ଣୁଙ୍କ ଅଂଶ ରୂପରେ ପୂଜା ପାଉଛନ୍ତି । ବିଷ ବିଦ୍ୟା ସମ୍ବନ୍ଧରେ ମହାଭାରତରେ ତକ୍ଷକ ଏବଂ ମହର୍ଷି କଶ୍ୟପଙ୍କ ମଧ୍ୟରେ ଯେଉଁ ଆଲୋଚନା ରହିଛି, ଠିକ୍ ସେହିପରି ଆଲୋଚନା ଧନ୍ୱନ୍ତରି ଏବଂ ନାଗଦେବୀ ମନସାଙ୍କ ମଧ୍ୟରେ ହୋଇଥିବା ବ୍ରହ୍ମବୈବର୍ତ୍ତ ପୁରାଣରେ ଉଲ୍ଲେଖ ରହିଛି । ଧନ୍ୱନ୍ତରିଙ୍କୁ ଗରୁଡ଼ଙ୍କ ଶିଷ୍ୟ ମଧ୍ୟ କୁହାଯାଏ । ଭଗବାନ ଧନ୍ୱନ୍ତରିଙ୍କ ସାଧନା ନିମନ୍ତେ ସହଜ ମନ୍ତ୍ରଟି ହେଉଛି "ଓଁ ଧନ୍ୱନ୍ତରୟେ ନମଃ' । ଏହା ବ୍ୟତୀତ "ଓଁ ନମୋ ଭଗବତେ ମହାସୁଦର୍ଶନାୟ ବାସୁଦେବାୟ ଧନ୍ୱଂତରାୟେଃ' । ଅମୃତ କଳସ ହସ୍ତାୟ ସର୍ବ ଭୟ ବିନାଶାୟ ସର୍ବରୋଗନିବାରଣାୟ, ତି୍ରଲୋକପଥାୟ ତ୍ରିଲୋକନାଥାୟ ଶ୍ରୀ ମହାବିଷ୍ଣୁସ୍ୱରୂପ ଶ୍ରୀ ଧନ୍ୱନ୍ତରି ସ୍ୱରୂପ ଶ୍ରୀ ଶ୍ରୀ ଶ୍ରୀ ଔଷଧଚକ୍ର ନାରାୟଣାୟ ନମଃ । ଅର୍ଥାତ୍ ହେ ପରମଭଗବାନ, ହେ ସୁଦର୍ଶନ ବାସୁଦେବ ଧନ୍ୱନ୍ତରି, ହେ ଅମୃତକଳସଧାରୀ, ସର୍ବ ଭୟନାଶକ, ସର୍ବରୋଗନାଶକ, ତିନି ଲୋକର ସ୍ୱାମୀ, ତିନିଲୋକର ସଞ୍ଚାଳନକାରୀ, ହେ ବିଷ୍ଣୁ ସ୍ୱରୂପ ଧନ୍ୱନ୍ତରି ଆପଣଙ୍କୁ ପ୍ରଣାମ । ଏହି ମନ୍ତ୍ର ଜପ କରି ଧନ୍ତେରସ୍ ଦିନ ଧନ୍ୱନ୍ତରିଙ୍କୁ ଉପାସନା କରାଯାଇପାରିବ । ମହାଭାରତ ତଥା ପୁରାଣରେ ଭଗବାନ ବିଷ୍ଣୁ ଅଂଶ ରୂପରେ ଧନ୍ୱନ୍ତରିଙ୍କ ସମ୍ପର୍କରେ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି । ତାଙ୍କର ଆବିର୍ଭାବ ସମୁଦ୍ର ମନ୍ଥନ ସମୟରେ ହୋଇଥିଲା । ସେ ଅମୃତ କଳସ ଧରି ପ୍ରକଟ ହେଲେ ଏବଂ ଭଗବାନ ବିଷ୍ଣୁଙ୍କୁ ନିବେଦନ କରି କହିଲେ ହେ, ପ୍ରଭୁ ଆପଣ କୌଣସି ଲୋକରେ ମୋର ସ୍ଥାନ ତଥା ଦେବ ଭାଗ ନିର୍ଦ୍ଧାରଣ କରନ୍ତୁ । ଏହାଶୁଣି ଭଗବାନ ବିଷ୍ଣୁ କହିଲେ, ଯଜ୍ଞ ଭାଗ ପୂର୍ବରୁ ଦେବଗଣ ପ୍ରାପ୍ତ କରିସାରିଛନ୍ତି । ତେଣୁ ଆପଣଙ୍କୁ କୌଣସି ଭାଗ ଦେବା ସମ୍ଭବପର ନୁହେଁ । ଦେବତାଙ୍କ ପରେ ପ୍ରକଟ ହୋଇଥିବାରୁ ଆପଣ ପୂର୍ଣ୍ଣ ଦେବତା ହୋଇପାରିବେ ନାହିଁ । ତେଣୁ ଦେବତ୍ୱ ପ୍ରାପ୍ତ କରିବାକୁ ହେଲେ ଆପଣଙ୍କୁ ପୁଣିଥରେ ମର୍ତ୍ତ୍ୟଲୋକରେ ଜନ୍ମ ନେବାକୁ ପଡ଼ିବ । ମର୍ତ୍ତ୍ୟମଣ୍ଡଳରେ ଜନ୍ମ ନେବା ପରେ ଆପଣ ସିଦ୍ଧି ପ୍ରାପ୍ତ କରିବେ ଏବଂ ତିନି ଲୋକରେ ପ୍ରସିଦ୍ଧି ଅର୍ଜନ କରିବେ । ଆପଣଙ୍କୁ ସେହି ଶରୀରରେ ଦେବତ୍ୱ ପ୍ରାପ୍ତ ହେବ । ବ୍ରାହ୍ମଣମାନେ ଭଗବାନଙ୍କ ରୂପରେ ଆପଣଙ୍କୁ ପୂଜା କରିବେ । ଆପଣ ଆୟୁର୍ବେଦର ଅଷ୍ଟାଙ୍ଗ ବିଭାଜନ କରିବେ । ଦ୍ୱାପର ଯୁଗରେ ଆପଣ ପୁଣି ଜନ୍ମ ନେବେ ଏଥିରେ କୌଣସି ସନେ୍ଦହ ନାହିଁ । 
ଭଗବାନ ବିଷ୍ଣୁଙ୍କ ଠାରୁ ବରଦାନ ଲାଭ କରିବା ପରେ ଭଗବାନ ଧନ୍ୱନ୍ତରି ଅନ୍ତର୍ଦ୍ଧାନ ହୋଇଯାଇଥିଲେ । ସମୟ ଆସିବାରୁ କାଶୀରାଜ ଧନ୍ୱ ପୁତ୍ର ପ୍ରାପ୍ତି ନିମନ୍ତେ କଠୋର ତପସ୍ୟା କଲେ । ତାଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଭଗବାନ ବିଷ୍ଣୁ ବରଦାନ ଦେଲେ । ଧନ୍ୱଙ୍କ ଦିବ୍ୟ ପୁତ୍ର ଧନ୍ୱନ୍ତରି ନାମରେ ପ୍ରସିଦ୍ଧ ହେଲେ । ଉଲ୍ଲେଖଯୋଗ୍ୟ ଯେ କାଶୀ ନଗରୀର ପ୍ରତିଷ୍ଠାତା କାଶଙ୍କ ପୁତ୍ର ଥିଲେ ଧନ୍ୱ । ଜନ୍ମ ନେବା ପରେ ଧନ୍ୱନ୍ତରି ଆୟୁର୍ବେଦ ଜ୍ଞାନ ଆହରଣ କରିବା ସହିତ ଏହାର ପ୍ରଚାର ପ୍ରସାର କରିଥିଲେ । ଆୟୁର୍ବେଦ ସମ୍ପର୍କରେ ସୁଶ୍ରୁତ ଉଲ୍ଲେଖ କରିଛନ୍ତି ସୃଷ୍ଟିକର୍ତ୍ତା ବ୍ରହ୍ମା ପ୍ରଥମ ଥର ଏକ ଲକ୍ଷ ଶ୍ଲୋକ ରଚନା କରି ଆୟୁର୍ବେଦ ଶାସ୍ତ୍ର ରଚନା କରିଥିଲେ । ଏଥିରେ ସହସ୍ର ଅଧ୍ୟାୟ ଥିଲା । ଏହି ଶାସ୍ତ୍ରକୁ ପ୍ରଥମେ ପ୍ରଜାପତି ପାଠ କରିଥିଲେ । ଏହାପରେ ଅଶ୍ୱିନୀ କୁମାର ଏବଂ ଦେବରାଜ ଇନ୍ଦ୍ର ପାଠ କରିଥିଲେ । ତାଙ୍କଠାରୁ ଧନ୍ୱନ୍ତରି ଆୟୁର୍ବେଦ ପାଠ କରିଥିଲେ । ଭାବପ୍ରକାଶ ଗ୍ରନ୍ଥରେ ଉଲ୍ଲେଖ କରାଯାଇଛି ଯେ ଆତ୍ରେୟ ପ୍ରମୁଖ ମୁନିଗଣ ଇନ୍ଦ୍ରଙ୍କ ଠାରୁ ଆୟୁର୍ବେଦ ଜ୍ଞାନ ପ୍ରାପ୍ତ କରି ଅଗ୍ନିବେଶ ତଥା ଅନ୍ୟ ଶିଷ୍ୟମାନଙ୍କୁ ପ୍ରଦାନ କରିଥିଲେ । ଏହାପରେ ଅଗ୍ନିବେଶ ଏବଂ ଅନ୍ୟ ଶିଷ୍ୟମାନେ ରଚନା କରିଥିବା ଆୟୁର୍ବେଦ ଗ୍ରନ୍ଥରୁ ଗୁରୁତ୍ୱପୂର୍ଣ୍ଣ ଭାଗ ସଂକଳିତ କରି ଚରକ ମୁନି ଚରକ ସଂହିତା ରଚନା କରିଥିଲେ । 
ମୋ : ୯୪୩୭୦୫୧୯୫୭