ଯୌତୁକ ଦାବି ନ ଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇପାରିବ: ସୁପ୍ରିମକୋର୍ଟ

 ନୂଆଦିଲ୍ଲୀ:  ଯୌତୁକ ଜନିତ ମାମଲାକୁ ନେଇ ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କ ଏକ ରାୟକୁ ବିଚାରକୁ କରି ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ୧୯୯୮ରୁ ପ୍ରଚଳିତ ଆଇପିସି ଧାରା ୪୯୮(ଏ) ଅନୁଯାୟୀ ଅପରାଧ ପଞ୍ଜିକରଣ କରିବା ପାଇଁ ଯୌତୁକ ଦାବି ଜରୁରି ନୁହେଁ । ସର୍ବୋଚ୍ଚ ନ୍ୟାୟାଳ ବିଚାରପତି ଜଷ୍ଟିସ୍ ବିକ୍ରମ ନାଥ ଏବଂ ଜଷ୍ଟିସ୍ ପ୍ରସନ୍ନ ବି ଭାରାଲେଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହା କହିଛନ୍ତି । ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଆଇପିସି ଧାରା ୪୯୮(ଏ)ରେ ବିଶେଷ କରି ନିଷ୍ଠୁରତା ପାଇଁ ଏବଂ ଯୌତୁକ ନ ନେବା ପାଇଁ ନିୟମ ରହିଛି । କିନ୍ତୁ ଏହି ଧାରା ପ୍ରୟୋଗ ପାଇଁ ଯୌତୁକ ଦାବି ଅଭିଯୋଗ ଉପସ୍ଥାପନା କରିବା ଜରୁରୀ ନୁହେଁ । 
ଆନ୍ଧ୍ର ପ୍ରଦେଶ ହାଇକୋର୍ଟରେ ୨୦୨୪, ଡିସେମ୍ବର ୧୨ରେ ପାରିବାରିକ ବିବାଦକୁ ନେଇ ରୁଜୁ ହୋଇଥିବା ମାମଲାରେ ଧାରା ୪୯୮(ଏ) ଅନୁଯାୟୀ ଜଣେ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ରଦ୍ଦ କରାଯାଇଥିଲା । କାରଣ ଏଥିରେ ଯୌତୁକ ଦାବି ଉପସ୍ଥାପନା କରାଯାଇ ନ ଥିଲା । ପୁରୁଷ ଜଣକ ତାଙ୍କ ସ୍ତ୍ରୀଙ୍କୁ ମାଡ଼ ମାରିବା ଏବଂ ତାଙ୍କ ଶ୍ୱଶୁର ଘର ଲୋକ ତାଙ୍କୁ ବାହାର କରିଦେବା ଅଭିଯୋଗ ହୋଇଥିଲା । ପୀଡ଼ିତା ଦର୍ଶାଇଥିଲେ ଯେ ସେ ପାରିବାରିକ ବିବାଦକୁ ନେଇ ତାଙ୍କୁ ଘରୁ ବହିଷ୍କୃତ କରାଯାଇଥିବା ବେଳେ ଅନେକ ଥର ସେ ଫେରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ତାଙ୍କୁ ଘରେ ପ୍ରବେଶ ଅନୁମତି ମିଳି ନ ଥିଲା । ଘଟଣାକୁ ନେଇ ମହିଳା ଜଣକ ତାଙ୍କ ସ୍ୱାମୀ ଏବଂ ଶାଶୁଘରଲୋକଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ପୁଲିସ ସେହି ବ୍ୟକ୍ତି ଏବଂ ତାଙ୍କ ମା’ଙ୍କ ବିରୁଦ୍ଧରେ ଏକ ଚାର୍ଜସିଟ୍ ଦାଖଲ କରିଥିଲା । ଅଭିଯୁକ୍ତ ଜଣକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ସେ ତାଙ୍କ ସ୍ତ୍ରୀଙ୍କୁ ଯୌତୁକ ପାଇଁ ହଇରାଣ କରିନାହାନ୍ତି ବୋଲି ଯୁକ୍ତି ବାଢ଼ିଥିଲେ । ହାଇକୋର୍ଟ ଯୁକ୍ତିକୁ ଗ୍ରହଣ କରି ଆଇପିସି ଧାରା ୪୯୮(ଏ) ଅନୁଯାୟୀ ଏହା ଅପରାଧ ନୁହେଁ ବୋଲି କହି ମାମଲାକୁ ଖାରଜ କରି ଦେଇଥିଲେ । ଫଳରେ ମହିଳା ଜଣକ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ସୁପ୍ରିମକୋର୍ଟ ଧାରା ୪୯୮ (ଏ)ର ବିଭିନ୍ନ ପରିସରକୁ ଅନୁଧ୍ୟାନ କରିବା ପରେ ଜାଣିବାକୁ ପାଇଥିଲେ ଯେ, ନିଷ୍ଠୁରତାର ପରିଭାଷା ସବୁଠାରେ ଅଲଗା । ଯେଉଁଥିରେ ଶାରୀରିକ ଏବଂ ମାନସିକ କ୍ଷତି ଉଭୟ ଅନ୍ତର୍ଭୁକ୍ତ । ଏହାପରେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ଆଦେଶକୁ ଖାରଜ କରିଦେଇଥିଲେ ଏବଂ କହିଥିଲେ ଯେ ଧାରା ୪୯୮ (ଏ) ଅନୁଯାୟୀ କୌଣସି ମାମଲା ରୁଜୁ କରିବାକୁ ହେଲେ ଏଥିପାଇଁ ଯୌତୁକ ନିର୍ଯାତନା ଅଭିଯୋଗ ରହିବା ନିହାତି ଜରୁରୀ ନୁହେଁ ।