୨୧ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା: ୧୭୭ ପ୍ରଧାନ ଶିକ୍ଷକଙ୍କ ସ୍ଥାନରେ ଅଛନ୍ତି ୬୫
ମାଟ୍ରିକ ପରୀକ୍ଷାର ଚିନ୍ତା ଏବେ ଛାତ୍ରୀ ଛାତ୍ରଙ୍କୁ ବ୍ୟତିବ୍ୟସ୍ତ କରୁଥିବା ଲକ୍ଷ୍ୟ କରାଯାଇଛି। ଆସନ୍ତା ଫେବୃଆରୀ ୨୧ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ଏପରି ସ୍ଥଳେ କଳାହାଣ୍ଡି ଜିଲାରେ ଅଧାରୁ ଅଧିକ ହାଇସ୍କୁଲର ପ୍ରଧାନ ଶିକ୍ଷକ ପଦବୀ ଖାଲି ରହିଛି। ବିଭିନ୍ନ ସ୍କୁଲରେ ବର୍ଷବର୍ଷ ଧରି ବିଷୟ ଅନୁସାରେ ଶିକ୍ଷକ ନ ଥିବା କାରଣରୁ ଗୁଣାତ୍ମକ ଶିକ୍ଷାଦାନରେ ଅନ୍ତରାୟ ସୃଷ୍ଟି କରିଥିଲା। ସେ ଯାହାହେଉ ବର୍ତ୍ତମାନ ଅନେକ ଖାଲିଥିବା ସ୍ଥାନରେ ଶିକ୍ଷକ ନିଯୁକ୍ତି କରାଯାଇଛି। ଏବେ ମଧ୍ୟ ଆବଶ୍ୟକ ତୁଳନାରେ କେତେକ ପଦବୀ ପୂରଣ ହୋଇପାରିନାହିଁ। ମୂଳକଥା ହେଲା, କଳାହାଣ୍ଡି ଜିଲାରେ ରେଗୁଲାର ପ୍ରଧାନ ଶିକ୍ଷକ ୧୭୭ ମଧ୍ୟରୁ ଅଛନ୍ତି ମାତ୍ର ୬୫ଜଣ, ପିସିଏମ ଶିକ୍ଷକ ୨୮୦ରୁ ୨୬୪ ଏବଂ ସିବିଜେଡ ୨୩୨ରୁ ଅଛନ୍ତି ୨୦୫ ଜଣ। ହିନ୍ଦୀ ଶିକ୍ଷକ ୧୬୫ରୁ ଅଛନ୍ତି ୧୩୧ ଜଣ। ଏମିତି ଅନ୍ୟ ଶିକ୍ଷକଙ୍କ ଅଭାବ ଛାତ୍ରୀଛାତ୍ରଙ୍କ ପରୀକ୍ଷାରେ ନିଶ୍ଚିତ ପ୍ରଭାବ ପକାଇବା ସମ୍ଭାବନାକୁ ଏଡାଇଦେଇ ହେବନାହିଁ। ନିୟମିତ ପ୍ରଧାନ ଶିକ୍ଷକ ନ ଥିବା ଏକ ଗୁରୁତର ବିଷୟ। ଚଳିତବର୍ଷ କଳାହାଣ୍ଡି ଜିଲାରେ ୧୩୨ଟି ପରୀକ୍ଷା କେନ୍ଦ୍ରରେ ୧୯,୪୬୬ ଛାତ୍ରୀଛାତ୍ର ମାଟ୍ରିକ ପରୀକ୍ଷା ଦେବେ ବୋଲି ଜଣାପଡିଛି। ଏକ୍ସ ରେଗୁଲାର ୮୫ ଜଣ ଓ ଦୂର ଶିକ୍ଷାରେ ୨୦ ଜଣ ପରୀକ୍ଷା ଦେବେ ବୋଲି କୁହାଯାଇଛି। ପ୍ରତି ବ୍ଲକରେ ଗୋଟିଏ ଲେଖାଏଁ ନୋଡାଲ ସେଣ୍ଟର୍ କରାଯାଇଛି। ଜିଲାର ୧୩ ବ୍ଲକରେ ୧୩ ନୋଡାଲ ସେଣ୍ଟର ସ୍ଥିର ହୋଇଛି। ସ୍କୁଲ ରୂପାନ୍ତରିତ ପ୍ରକ୍ରିୟାରେ ସମସ୍ତ ସ୍କୁଲର ଭିତ୍ତିଭୂମିକୁ ସୁନ୍ଦର ଭାବେ ସଜଡ଼ା ଯାଇଛି। ଶୈକ୍ଷିକ ଦକ୍ଷତା ପ୍ରତି କେତେ ଧ୍ୟାନ ଦିଆଯାଇଛି ତାହା ପରୀକ୍ଷା ଫଳାଫଳରୁ ଜଣାପଡିବ। ଜିଲାପାଳ ଗତ ଗୁରୁବାର ସମସ୍ତ ୧୩୨ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡଣ୍ଟଙ୍କ ସହ ଆଲୋଚନା କରିଛନ୍ତି। ମାଟ୍ରିକ ପରୀକ୍ଷାରେ ଯେମିତି ସ୍ବଚ୍ଛତା ରହିବ ସେଥିପ୍ରତି ଧ୍ୟାନ ଦେବା ଜରୁରୀ। ଯଦି ପ୍ରଶ୍ନପତ୍ର ଲିକ ହେବା ଘଟଣା ହେଉ କି କୌଣସି ତ୍ରୁଟିକୁ ନେଇ ଭାଇରାଲ ହୁଏ ତେବେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ଚେତାବନୀ ଦେଇଛନ୍ତି। ବିଭାଗୀୟ ସ୍କ୍ବାଡ୍ ବ୍ୟତୀତ ଜିଲାପାଳ ପ୍ରତି ବ୍ଲକରେ ବିଡିଓ, ବିଇଓଙ୍କୁ ନେଇ ସ୍କ୍ବାଡ୍ ଗଠନ କରିଛନ୍ତି। ଏଥିରେ ଜିଲାପାଳ, ଉପଜିଲାପାଳ, ବିଡ଼ିଓ ସମସ୍ତ ସରକାରୀ ଅଧିକାରୀ ପରୀକ୍ଷା ପରିଚାଳନାରେ ଯେପରି ତ୍ରୁଟି ନ ହୁଏ, ସେଥିପ୍ରତି ଯଥେଷ୍ଟ ସଚେତନ ଥିବା କୁହାଯାଇଛି। ଶିକ୍ଷାର ମୂଲ୍ୟବୋଧ ଓ ମାଟ୍ରିକ ପରୀକ୍ଷାର ଦାୟୀତ୍ୱବୋଧକୁ ଉପଲବ୍ଧି କରି ଶିକ୍ଷକମାନେ ଯତ୍ନଶୀଳ ହେବା ଉଚିତ ବୋଲି ସାଧାରଣରେ ମତପ୍ରକାଶ ପାଇଛି।