‘ସରକାରଙ୍କ ବର୍ଷପୂର୍ତ୍ତି ଖର୍ଚ୍ଚ ଲୋକଙ୍କ ପାଇଁ ହେଉ’

 ଭୁବନେଶ୍ୱର : ରାଜ୍ୟରେ ବିଜେପି ସରକାରଙ୍କ ବିଫଳତାର ପ୍ରମାଣ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଦସ୍ତଖତ ଥିବା ଏକ ନୋଟସିଟରେ ଥିବା ତଥ୍ୟକୁ ଦର୍ଶାଇ ବିଜୁ ଜନତା ଦଳ ଆଜି ସରକାରଙ୍କୁ ଘେରିଛି । ନୋଟସିଟ ମାଧ୍ୟମରେ, ସରକାରଙ୍କ ବିଫଳତା ପଦାକୁ ଆସିବା ପରେ, ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତିରେ ସରକାରଙ୍କ ପକ୍ଷରୁ ରାଜ୍ୟବ୍ୟାପୀ ଉତ୍ସବ ପାଳନ ଆୟୋଜନ କରାଯିବା ପ୍ରସ୍ତାବକୁ ବିଜେଡି ନାପସନ୍ଦ କରିଛି । ଉତ୍ସବ ପାଳନ ଖର୍ଚ୍ଚ ରାଜ୍ୟବାସୀଙ୍କ କଲ୍ୟାଣ କାମରେ ଲାଗୁ ବୋଲି ବିଜେଡି ଦାବି କରିଛି । ଶଙ୍ଖ ଭବନରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ଦଳର ମୁଖପାତ୍ର ଡ଼ଃ ଲେନିନ ମହାନ୍ତି ଏହି ଦାବି କରିଛନ୍ତି । ତାଙ୍କ କହିବାନୁସାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଦସ୍ତଖତ ସମ୍ବଳିତ ନୋଟସିଟରେ, ଫାଇଲ ଗୁଡିକ ଅନେକ ସମୟ ଧରି ପଡ଼ି ରହୁଛି ଓ ଏଥିଯୋଗୁ ବଜେଟରେ ପ୍ରାବଧାନ କରା ଯାଇଥିବା ଅର୍ଥ ଖର୍ଚ୍ଚ ହୋଇ ପାରୁନାହିଁ ବୋଲି କୁହା ଯାଇଛି । ସରକାରଙ୍କ ବିଫଳତା ବିଷୟରେ ଗୋଟିଏ ଦାୟିତ୍ୱସମ୍ପର୍ଣ୍ଣ ବିରୋଧୀ ଦଳ ଭାବେ ଆମେ କହି ଆସିଥିଲୁ । ବିଜେପି ସରକାର ତାଙ୍କ ଏକ ବର୍ଷର ସଫଳତାକୁ ନେଇ ରାଜ୍ୟବ୍ୟାପି ଉତ୍ସବ ପାଳନ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଆମର ପ୍ରଶ୍ନ ଆଜିର ନୋଟସଟି ସରକାରଙ୍କ ବିଫଳତା କଥାକୁ ବଖାଣୁ ଥିବାବେଳେ, ରାଜ୍ୟ ସରକାର କେଉଁ ସଫଳତାକୁ ନେଇ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଉତ୍ସବ ପାଳନ କରିବାକୁ ଯାଉଛନ୍ତି?  ରାଜ୍ୟବାସୀଙ୍କ କଷ୍ଟ ଅର୍ଜିତ ଧନରେ, ଏହି ଉତ୍ସବ ପାଳନ ନିଷ୍ପତ୍ତିକୁ ତୁରନ୍ତ ବନ୍ଦ କରାଯାଉ ବୋଲି ବିଜେଡି ଦାବି କରିଛି ।